Unknown

 

 

 

 

 

 

 

 

 

ଲଛମା

ଫକୀରମୋହନ ସେନାପତି

 

–୧–

ରାହାଜାନୀ

 

ପୁଷମାସିଆ ଦିନ, ବେଳବୁଡ଼ିଆ ସମୟ । ବଡ଼ ଗୋଟିଏ ଜଳନ୍ତା ସୁନା ପେଣ୍ଡୁଳା ପରି ସୂର୍ଯ୍ୟଦେବ ପଶ୍ଚିମ ଆକାଶରେ କିରଣମାଳା ବୁଣି ବୁଣି ତଳକୁ ଖସି ପଡ଼ୁଛନ୍ତି । ନୀଳ, ଲାଲ, ଧଳା, କଳା, ବାଇଗଣିଆ, ପାଉଁଶିଆ ନାନା ରଙ୍ଗର ନାନା ଆକାରର ଚିତ୍ରରେ ପଶ୍ଚିମ ଆକାଶ ଅଧାଅଧି ଅପୂର୍ବ ଶ୍ରୀ ଧାରଣ କରିଛି । ପଲକୁ ପଲ କାଉ କା କା ରଡ଼ି ଛାଡ଼ି ବସାମୁହାଁ ଧାଇଁଛନ୍ତି । କାହିଁ ବା ଗୋଠଛଡ଼ା ଗୋଟାଏ କାଉ ରେଳ ଛାଡ଼ିବା ଘଣ୍ଟାଧ୍ୱନି ଶୁଣି ଥାର୍ଡ଼କ୍ଲାସ ପାସେଞ୍ଜର ପରି ଲଣ୍ଡଭଣ୍ଡ ହୋଇ ଧାଇଁଛି । ଅନ୍ଧାର ସାଙ୍ଗରେ ଶୀତ ମାଡ଼ିଆସୁଛି । ଠିକ୍‍ ଏହିପରି ଗୋରୁବାହୁଡ଼ା ସମୟରେ ଗୋଡ଼ିଖାଲ ଚଟି ପାଖ ଲାଗେ ଲାଗେ ବଡ଼ଦାଣ୍ଡରେ ପଞ୍ଝାଏ ଯାତ୍ରୀ ଦେଖାଗଲେ । ଜଣାଯାଏ, ଜଗନ୍ନାଥ ଯାତ୍ରୀ । ସୁବର୍ଣ୍ଣରେଖା ପାରିହୋଇ ଦକ୍ଷିଣମୁହାଁ ଚାଲିଛନ୍ତି । ଆଲୁଅ ଥାଉଣୁ ଚଟି ଧରିବା ଆଶାରେ ଚାଲିଟା କିଛି ଚଞ୍ଚଳ । ଦିନଯାକ ଚାଲିଚାଲି ଥକି ପଡ଼ିଛନ୍ତି, କାହାରି ମୁହଁରେ କଥା ନାହିଁ, ଏକ ମନରେ ଚାଲିଛନ୍ତି । ବେଶଭୂଷଣରୁ ଜଣାଯାଏ, ପଶ୍ଚିମାଯାତ୍ରୀ ହେବେ । ଆଗେ ଆଜିକାଲିକା ପରି ଭଲ ବନ୍ଧା ଶଗଡ଼ଦଣ୍ଡା ନ ଥିଲା । ମଧ୍ୟଭଳି କେତେ ତଟୁରେ, ବଡ଼ଲୋକେ ଘୋଡ଼ା, ଓଟ, ସବାରିରେ ଯିବାଆସିବା କରୁଥିଲେ । ଯାତ୍ରୀ ପଞ୍ଝାରେ ସ୍ତ୍ରୀ ତିନିଜଣ ଆଉ ପୁରୁଷ ପାଞ୍ଚଜଣ । ସମସ୍ତେ ତଟୁରେ ସବାର । ଏହି ଆଠଟା ତଟୁ ଛାଡ଼ି ଆଉ ଛ’ଟା ମାଲଲଦନ ତଟୁକୁ ଚାରିଜଣ ପୟଦଲ ଲୋକ ହେଟ୍ ହେଟ୍ କରି ଅଡ଼ାଇ ନେଉଛନ୍ତି । ପଞ୍ଚ ହତ୍ୟାରବନ୍ଧ ଆଠ ଦଶ ଜଣ ଭେଣ୍ଡିଆ ଆଗପଛ ହୋଇ ଚାଲୁଛନ୍ତି । ଏମାନେ ଯାତ୍ରୀ ଦଳରେ ରକ୍ଷକ ହେବେ । ଯାତ୍ରୀ ଦଳର ପଛ ପଟରେ ହଠାତ୍ ଦୁଇଜଣ ଘୋଡ଼ସବାର ଦେଖାଗଲେ । କ୍ରମେ ତିନିଜଣ–ଚାରିଜଣ–ଛଅଜଣ; ସଂଖ୍ୟା ବଢ଼ିଯାଉଛି । ଅଭ୍ୟାଗତ ଘୋଡ଼ାସବାରମାନେ ଖୁବ ବଳୁଆ ଏବଂ ପଞ୍ଚହତ୍ୟାରୀ । ଘୋଡ଼ାଗୁଡ଼ିକ ସୁନ୍ଦର, ବଳବାନ, ଚଞ୍ଚଳଗତି, କଷାଘାତ ଅସହିଷ୍ଣୁ । ନବାଗତ ସବାରମାନଙ୍କର କାହାରି ପ୍ରତି ନଜର ନାହିଁ, ଏକ ମନରେ ଚାଲିଛନ୍ତି । ହେଲେ କେହି ସନ୍ଧାନୀ ଲୋକ ଥିଲେ ଦେଖିଥାନ୍ତା, ସେମାନେ ଯେମନ୍ତେ ଟେରେଇ ଟେରେଇ ଯାତ୍ରୀଦଳଙ୍କୁ ଭଲକରି ଦେଖୁଛନ୍ତି । ଅଭ୍ୟାସଗତ ଘୋଡ଼ାସବାରମାନେ ପ୍ରଥମେ ଛାଡ଼ଛାଡ଼ ହୋଇ ଚାଲୁଥିଲେ–ତହିଁ ଉତ୍ତାରେ ଧୀରେ ଧୀରେ ଭିଡ଼ି ଭିଡ଼ି ଯାତ୍ରୀଦଳରେ ମିଶିଲେ-ଏମନ୍ତ କି, ସ୍ତ୍ରୀମାନଙ୍କ ତଟୁ ସହିତ ସେମାନଙ୍କ ଘୋଡ଼ାଦେହ ଲଗାଲଗି ହୋଇଗଲାଣି । ଯାତ୍ରୀଦଳରୁ ଜଣେ ଭେଣ୍ଡିଆ ଡାକିଦେଲା ତଫାତ୍‌ । ମାତ୍ର ନବାଗତ ଘୋଡ଼ାସବାରମାନେ ନ ଶୁଣିଲାପରି ଆହୁରି ଭିଡ଼ି ଭିଡ଼ି ଚାଲିଲେ । ଜଣେ ରକ୍ଷକ ଟିକିଏ ଖପା ହୋଇଯାଇ ଗୋଟାଏ ଘୋଡ଼ାର ଲଗାମ ଧରି ଭିଡ଼ିଦେଲାରୁ ସବାରଟା ଗୋଟାଏ ଶିଙ୍ଗା ଧରି ଭେଁ ଭେଁ କରି ଫୁଙ୍କିଲା । ଶିଙ୍ଗା ଶବ୍ଦ ଶୁଣିବାମାତ୍ରେ ଯାତ୍ରୀମାନେ ଅନାଇ ଦେଇ ଦେଖିଲେ, ଶତାବଧି ହତ୍ୟାରବନ୍ଧ ଘୋଡ଼ସବାର ଚଞ୍ଚଳ ଭାବରେ ବମ୍ ବମ୍ ଉତ୍କଟ ରଡ଼ି ଛାଡ଼ି ଚାରିଆଡ଼ୁ ମାଡ଼ି ପଡ଼ୁଛନ୍ତି । ଯାତ୍ରୀଦଳ ବିପଦର ଗୁରୁତ୍ୱ ଅନୁଭବ କଲେ, ମାତ୍ର ହଠାତ୍ କିଛି ସ୍ଥିର କରି ନ ପାରି ଭକୁଆ ମାଇଲା ପରି ଦଣ୍ଡକ ପାଇଁ ଛିଡ଼ା ହୋଇଗଲେ । ବାଘପଲ ଭିତରେ ହରିଣଭଳି ସ୍ତ୍ରୀଗୁଡ଼ିକ ବରଡ଼ାପତ୍ର ପରି ଥରୁଛନ୍ତି । ପାନ୍ଥମାନେ ସମ୍ପତ୍ତିର ଆଶା ତ୍ୟାଗ କରି ନବାଗତ ଘୋଡ଼ସବାରମାନଙ୍କଠାରେ ଶରଣ ପଶି ଯାଇଥିଲେ କେଜାଣେ ବା କେତେଗୁଡ଼ିଏ ମହାପ୍ରାଣୀ ରକ୍ଷା ପାଇ ପାରିଥାନ୍ତେ–ହେଲେ କ୍ଷତ୍ରିୟମାନଙ୍କ ସ୍ୱଭାବରେ ବିଧାତା ସେପରି ପାଠ ଲେଖି ନାହାନ୍ତି-। ସାମର୍ଥ୍ୟ ଥାଉଁ ଥାଉଁ ଶତ୍ରୁ ଆଗରେ ନୁଆଁଣ ହେବା ସେମାନେ ନିନ୍ଦାର କଥା ବୋଲି ବିଚାର କରନ୍ତି । ସେମାନଙ୍କ ହିସାବରେ ସ୍ତ୍ରୀମାନଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ଯେ ପ୍ରାଣ ଦେବାକୁ ପ୍ରସ୍ତୁତ ନୁହେଁ, ତାହାର ଜୀବନଧାରଣ ବୃଥା । ଏପରି ପ୍ରାଣୀ ଲୋକସମାଜରେ କଳଙ୍କସ୍ୱରୂପ ଅଟନ୍ତି । ଯାତ୍ରୀଦଳପତି ଡାକି ଦେଲେ, ‘ହୁସିଆର-ଆପ୍‍ନା ଆପ୍‍ନା କାମପର୍‌ ହାଜର ହୋ ଯାଓ ।’’

 

ଆଦେଶ ପ୍ରାପ୍ତିମାତ୍ର ରକ୍ଷକମାନେ ଖପାରୁ ତରବାରୀ କାଢ଼ି ଢାଲ ଧରି ଯୁଦ୍ଧ ପାଇଁ ଛିଡ଼ା ହୋଇଗଲେ । ଯୁଦ୍ଧାରମ୍ଭ ହେଲା–କୋଡ଼ିଏ ପଚିଶ ଗୁଣ ଶତ୍ରୁ ସଙ୍ଗରେ ଯାତ୍ରୀମାନେ ଅବା କେତେବେଳେ ଯାଏଁ ଯୁଦ୍ଧରେ ଠଉରନ୍ତେ ? ମାତ୍ର କପାଳ ଗୁଣରେ ସେମାନଙ୍କୁ ଟିକିଏ ସୁଯୋଗ ମିଳିଗଲା । ସୈନ୍ୟଗଣର ସଂଖ୍ୟା, ଶିକ୍ଷାପଦ୍ଧତି, ପୁଣି ସ୍ଥାନର ଗୁଣାଗୁଣ ଉପରେ ଜୟ ପରାଜୟ ଢେର୍ ନିର୍ଭର କରେ । ସେନାପତିମାନେ କୋୟାଟର ବ୍ରାସ ସ୍ଥାନ ଅଧିକାର କରି ପାରିଥିଲେ ଓଆଟର୍‍ଲୁ ଯୁଦ୍ଧର ପରିଣାମ କିପରି ଘଟିଥାନ୍ତା, କିଏ ବୋଲିପାରେ ? ପଲାସୀର ଆମ୍ୱତୋଟା କ୍ଳାଇବଙ୍କ ବିଜୟ ପକ୍ଷରେ ନିଶ୍ଚୟ ଯଥେଷ୍ଟ ସହାୟ ହୋଇଥିଲା । ଯାତ୍ରୀମାନେ ଟିକିଏ ପଛଘୁଞ୍ଝା ଦେଇ ଗୋଡ଼ିଖାଲ ନାଳଆଡ଼ି ଗୋଟିଏ ଉଚ୍ଚ ଢିପ ଉପରକୁ ଉଠିଯାଇ ବ୍ୟୂହ ରଚନା କରି ଛିଡ଼ା ହେଲେ । ସେ ଜାଗାର ବାଁ ଓ ପିଠିପଟରେ ନାଳ ଏବଂ ଜଙ୍ଗଲ, ଏଥକୁ ସେ ଦୁଇ ଆଡ଼ୁ ଶତ୍ରୁ ଆକ୍ରମଣର ସମ୍ଭାବନା ନ ଥିଲା । ଆଗ ଆଉ ଦକ୍ଷିଣପଟ ମେଲା-ଶତ୍ରୁମାନଙ୍କର ସେହି ଦୁଇ ଦିଗରୁ ଜୁଲମ୍ । ଯାତ୍ରୀମାନେ ସ୍ତ୍ରୀମାନଙ୍କୁ ବଣ ଉହାଡ଼ରେ ତଳେ ଛିଡ଼ା କରାଇ ଦେଇ ତଟୁ ଗୁଡ଼ିକୁ ପାଚିରୀ ପରି ଆଗରେ ଛିଡ଼ା କରାଇଦେଲେ । ପୁରୁଷମାନେ ସେହି ଅଶ୍ୱପ୍ରାଚୀର ସମ୍ମୁଖରେ ଅର୍ଦ୍ଧବୃତ୍ତାକାର ଭାବରେ ଛିଡ଼ାହୋଇ ଯୁଦ୍ଧାରମ୍ଭ କଲେ । ହେଲେ ଏହାକୁ ଯୁଦ୍ଧ ବୋଲାଯାଇ ନ ପାରେ । ଏକ ପକ୍ଷରୁ ଭୟଙ୍କର ଆକ୍ରମଣ, ଅନ୍ୟ ପକ୍ଷରୁ ଆତ୍ମରକ୍ଷା ମାତ୍ର । ତଥାପି ଅନେକଗୁଡ଼ିଏ ଶତ୍ରୁ ଏକାବେଳକେ ଆକ୍ରମଣ କରିବାକୁ ସୁଯୋଗ ନ ପାଇବାରୁ ପାନ୍ଥମାନେ ଦୀର୍ଘ କାଳଯାଏଁ ଆତ୍ମରକ୍ଷା କରିବାକୁ ଅସମର୍ଥ ହୋଇଥିଲେ । ବିନାଶ କାଳରେ ବିପଦଟା ସୂର୍ଯ୍ୟ ଡୁବିଲେ ଅନ୍ଧାରପରି ଚାରିଆଡ଼ୁ ଏକାବେଳକେ ଯେମନ୍ତେ ମାଡ଼ିଆସେ ! ଅସ୍ତ୍ରାଘାତ ଆଉ ଗୋଳମାଳରେ ଯାତ୍ରୀମାନଙ୍କର ତଟୁଗୁଡ଼ାକ ତରକିଯାଇ ଏମନ୍ତ ଧାଁ ଦଉଡ଼ ଲଗାଇଲେ ଯେ, ସେମାନଙ୍କୁ ସମ୍ଭାଳି ରଖିବା ଭାରି ମୁସ୍କିଲ ହୋଇ ପଡ଼ିଲା । ଏହି ସୁଯୋଗରେ ଶତ୍ରୁମାନେ ଏକାବେଳକେ ଚାପି ପଡ଼ିଲେ । ଏଣେ ପୁଣି ଅନ୍ଧାର ମାଡ଼ି ଆସିବାରୁ ଭୟବିହ୍ୱଳ ପାନ୍ଥମାନେ ଆତ୍ମପର ପକ୍ଷ ଚିହ୍ନି ପାରିଲେ ନାହିଁ । ସତକୁ ସତ ଗୋଟାଏ ଜାଗାରେ ଆପଣା ଭିତରେ ହଣାହଣି ହୋଇଗଲେ । ଏଣେ ତସ୍କରମାନଙ୍କ ପକ୍ଷରୁ ବର୍ଷାପାଣି ପରି ତୀର ଆଉ ବର୍ଚ୍ଛା ତୁହାକୁତୁହା ପଡ଼ୁଛି । ଏ ଉତ୍ତାରେ ଯୁଦ୍ଧରେ ଶେଷଫଳ ଲେଖିବା ଅନାବଶ୍ୟକ ।

 

ତସ୍କରମାନେ ଦେଖିଲେ, ବାଟୋଇମାନେ ତଳେ ପଡ଼ି ଯାଇଛନ୍ତି । ଢେରଗୁଡ଼ାଏ ମରିଗଲେଣି–ଜଣକେତେ ମୃତ୍ୟୁ ଯନ୍ତ୍ରଣାରେ ଆର୍ତ୍ତନାଦ କରୁଅଛନ୍ତି । କେହି ବା ପାଣି ପାଣି ବୋଲି ରଡ଼ି ଛାଡ଼ିଛି ।

 

ଦରମଲା ମଇଁଷି ପଣ୍ଡା ତଳେ ପଡ଼ି ଛଟପଟ ହେଉଥିବା ଦେଖି କେନ୍ଦୁଆ ଯେମନ୍ତ ଖୁସିଟାଏ ହୁଏ, ତସ୍କରମାନେ ସେହିପରି ଆନନ୍ଦରେ ଯାତ୍ରୀମାନଙ୍କ ମାଲମତା ସବୁ ଗୋଟାଇବାକୁ ଲାଗିଲେ । ଦୁଇଗୋଟି ଦରବୁଢ଼ୀ ଜଙ୍ଗଲ ମଧ୍ୟରେ ମଲା ପରି ପଡ଼ିଛନ୍ତି । ହେଲେ ସେମାନଙ୍କ ଦେହରେ ଅସ୍ତ୍ରାଘାତ ହୋଇନାହିଁ । ଯୁବତୀ ସ୍ତ୍ରୀଟିକୁ ତସ୍କରମାନେ ଆଖପାଖ ଜଙ୍ଗଲ ମଧ୍ୟରେ ଢେର୍ ଖୋଜତଲାସ କଲେ, ମାତ୍ର ଅନ୍ଧକାର ହେତୁରୁ ଠିକଣା କରିପାରିଲେ ନାହିଁ । ଯାଉ ସେଇଟା, ତାକୁ ବାଘ ଖାଉ–ଏହି କଥା କହି ତସ୍କରମାନେ ଆପଣା ଆପଣା ଗନ୍ତବ୍ୟ ସ୍ଥାନକୁ ଚାଲିଗଲେ ।

Image

 

–୨–

ଉତ୍କଳର ପତନ ସମୟ

 

ପ୍ରଥମ ପରିଚ୍ଛେଦରେ ଯେଉଁ ରାହାଜାନୀ ବିଷୟ ବର୍ଣ୍ଣନା କରାଯାଇଅଛି, ତାହା ଊଣାଅଧିକ ଦୁଇଶ ବର୍ଷ ତଳର କଥା, ଉତ୍କଳ ପତନର ଚରମ ସମୟ । ପ୍ରାଚୀନ ଗ୍ରୀସ୍‍ ଯାଇଅଛି, ରୋମ୍ ନାହିଁ, ଭୁବନବିଖ୍ୟାତ ମିଶରର ସୌଭାଗ୍ୟ ବିଷୟ ବର୍ତ୍ତମାନ ଇତିହାସରୁ ଜଣାଯାଏ । ଅଧିକ କଣ–‘ଯଦୁପତେଃ କ୍ୱଗତା ମଥୁରାପୁରୀ, ରଘୁପତେଃ କ୍ୱଗତୋତ୍ତର କୋଶଳଃ’ । ଆଉ କଣ ଉତ୍କଳ ସବୁଦିନେ ରହିଥାନ୍ତା ? ସେ ଯାହାହେଉ, ଆମ୍ଭମାନଙ୍କ ଉପନ୍ୟାସ ସହିତ ତତ୍କାଳୀନ ଉତ୍କଳର ଆଭ୍ୟନ୍ତରିକ ଏବଂ ରାଜନୈତିକ ଅବସ୍ଥାରେ ଯେତିକି ମାତ୍ର ସମ୍ପର୍କ, ଅତି ସଂକ୍ଷେପରେ ସେତିକି ମାତ୍ର ବର୍ଣ୍ଣନା କରିବା ଆବଶ୍ୟକ ବୋଲି ବିବେଚନା କରୁଁ ।

 

ଆଜିକାଲି ଯେଉଁ ବନ୍ଧ ବଡ଼ ସଡ଼କ ଭାରତର ଉତ୍ତର ଭାଗରେ ପଞ୍ଜାବଠାରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଦକ୍ଷିଣକୁ ସମୁଦ୍ର ଉପକୂଳବ୍ୟାପୀ ମାନ୍ଦ୍ରାଜ, ରାମେଶ୍ୱର ଏବଂ ପଶ୍ଚିମ ସୀମା ପୁନା, ବୋମ୍ବେ ସ୍ପର୍ଶ କରି ଭାରତର ଆକଣ୍ଠ ପଦପର୍ଯ୍ୟନ୍ତ ଯଜ୍ଞୋପବୀତ ପରି ବିସ୍ତୃତ ରହିଅଛି, ବର୍ଣ୍ଣ୍ୟମାନ ସମୟରେ ସେଥିର ଚିହ୍ନ ମାତ୍ର ନ ଥିଲା । ଭାରତର ଅଧିକାଂଶ ସ୍ଥାନ ଜଙ୍ଗଲାବୃତ, ଏଥିକୁ ମାର୍ଗ ନିତାନ୍ତ ଦୁର୍ଗମ । ନଦୀ ନାଳ ତ ସବୁଦିନେ ଅଛି, ବନ୍ଧ ବାଟ ନ ଥିଲା, ପୋଲ କାହୁଁ ଆସିବ ? ବର୍ଷାକାଳରେ ବାଟୋଇମାନଙ୍କର ସଳଖ ବାଟରେ ଚାଲିବାର ଉପାୟ ନ ଥିଲା, ବନପର୍ବତ ମଧ୍ୟରେ ବୁଲି ବୁଲି ଚାଲୁଥିଲେ । କାଶୀଧାମରୁ ଶ୍ରୀକ୍ଷେତ୍ରକୁ ଆସିବାକୁ ଦୁଇ ତିନି ବର୍ଷକାଳ ଲାଗୁଥିଲା । ମାର୍ଗ ହିଂସ୍ର ଶ୍ୱାପଦ-ତହିଁରୁ ମଧ୍ୟ ଅଧିକତର ହିଂସ୍ର, ଅଧିକତର ଭୀଷଣ ପ୍ରାଣୀ ଚୋର ଡକାଇତରେ ପୂର୍ଣ୍ଣ । ଏହି ସମୟରେ ପୁଣି ବଙ୍ଗ, ବେହାର, ଉତ୍କଳପ୍ରଦେଶର ମାର୍ଗରେ ଅଧିକତର ନିଷ୍ଠୁର, ଅଧିକତର ଭୀଷଣ ଏକଜାତୀୟ ପ୍ରାଣୀ ବିଚରଣ କରୁଥିଲେ । ଏମାନେ ମରହଟ୍ଟା ତସ୍କର । ଚଳିତ ପ୍ରବାଦ ଅନୁସାରେ ଆମ୍ଭେମାନେ ମରହଟ୍ଟାମାନଙ୍କୁ ତସ୍କର ବୋଲି କହିଲୁଁ, ମାତ୍ର କଥାଟା ଠିକ୍‍ ହେଲା ନାହିଁ ।

 

ଯେଉଁ କାଙ୍ଗାଳି ଲକ୍ଷ୍ମୀଛଡ଼ା ଲୋକଗୁଡ଼ାକ ଖାଇବାକୁ ନ ପାଇ ପେଟଜ୍ୱାଳାରେ ଲୋକମାନଙ୍କ ଚାଳରୁ ଲାଉଟାଏ, କଖାରୁଟାଏ, ଘର ମଧ୍ୟରୁ ଢାଳଟାଏ, କଂସା ଖଣ୍ଡେ କିମ୍ବା କନାପଟା ଦୁଇ ଖଣ୍ଡ ଘେନି ପଳାନ୍ତି, ସେମାନଙ୍କୁ ଚୋର ବୋଲ, ତସ୍କର ବୋଲ , ଯାହା ବୋଲ ଠିକ୍‌ ହେବ । ଆଉ ଯେଉଁମାନେ ଗ୍ରାମକୁ ଗ୍ରାମ, ଦେଶକୁ ଦେଶ ପୋଡ଼ି ଜାଳି ଛାରଖାର କରିଦେଇ ନିରୀହ ନିର୍ଦ୍ଦୋଷ ଶାନ୍ତଶିଷ୍ଟ ପ୍ରାଣୀମାନଙ୍କ ରକ୍ତରେ ଭୂମିକୁ କର୍ଦ୍ଦମମୟ କରି ସେମାନଙ୍କ ନ୍ୟାୟୋପାର୍ଜିତ ପରିବାର ପ୍ରାଣରକ୍ଷାର ଏକମାତ୍ର ଅବଲମ୍ବନସ୍ୱରୂପ ସର୍ବସ୍ୱ ଲୁଣ୍ଠନ କରି ଘେନିଯାନ୍ତି, ଯେଉଁମାନଙ୍କ ଶୁଭାଗମନରେ ଦେଶର ଶାନ୍ତି ସୁଖସମ୍ପତ୍ତି ବିଦୂରିତ ହୋଇ ସୁଦୀର୍ଘକାଳ ପର୍ଯ୍ୟନ୍ତ ହୃଦୟଭେଦୀ ହାହାକାର ପଡ଼ିଯାଏ, ସେମାନେ କି ତସ୍କର ? ସେମାନେ ଲୋକପୂଜ୍ୟ ମହାବୀର । ଇତିହାସ ସେମାନଙ୍କର ଯଶ ଗାନ କରି ଧନ୍ୟ ହେଉଅଛି । ନୋପୋଲିୟନ୍‌ ମହାବୀର, ଆଲେକଜାଣ୍ଡର ମହାବୀର, ବାବର ମହାବୀର, ଗଜନିର ମାମୁଦ ତ ମହା ମହାବୀର ! ଆଉ ‘ଦିଲ୍ଲୀଶ୍ୱରୋ ବା ଜଗଦୀଶ୍ୱରୋ ବା’ ଆଉରଙ୍ଗଜେବଙ୍କୁ ମଧ୍ୟ ମହାବୀର ବୋଲାଯିବ । କାରଣ ଜିଜିଆ ଅର୍ଥାତ୍‌ ବିଧର୍ମୀକର ନ ଦେବାରୁ ସେ ଅନେକ ହିନ୍ଦୁ ଗ୍ରାମକୁ ପୋଡ଼ି ଜାଳି ଦେଇଥିଲେ । ଅନେକ ହିନ୍ଦୁଙ୍କୁ ହତ୍ୟା କରିଥିଲେ । ଏ ହିସାବରେ ମରହଟ୍ଟାମାନେ ମହାବୀର ବୋଲି ଅଭିଧାନର ବାଚ୍ୟ, କାରଣ ଗ୍ରାମଦାହ, ଲୋକହତ୍ୟା, ପରସ୍ୱଲୁଣ୍ଠନ ମହାବୀରମାନଙ୍କର ଯାହା କିଛି ନିତ୍ୟ କର୍ତ୍ତବ୍ୟ, ସେଗୁଡ଼ିକ ସେମାନେ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । ମୂଳ ଦଳଭ୍ରଷ୍ଟ କିମ୍ବା କାର୍ଯ୍ୟାନ୍ତରେ ନିଯୁକ୍ତ ଖଣ୍ଡଦଳ ମରହଟ୍ଟା ଘୋଡ଼ସବାର ପାଇକମାନଙ୍କର ରାହାଜାନୀ ଏବଂ ଗ୍ରାମଲୁଣ୍ଠନ ଯୋଗେ ଅର୍ଥ ସଂଗ୍ରହ କରିବା ପ୍ରଧାନ କର୍ତ୍ତବ୍ୟ କର୍ମ ଥିଲା । ଗୋଡ଼ିଖାଲ ନିକଟସ୍ଥ ରାଜାଜାନୀ ଗୋଟିଏ କ୍ଷୁଦ୍ରଦଳ ମରହଟ୍ଟାମାନଙ୍କର କୀର୍ତ୍ତି ଅଟେ ।

Image

 

–୩–

ସୁବାଦାର ଆଲ୍ଲିବର୍ଦ୍ଦି ଖାଁ

 

ନବାବ ଆଲିବର୍ଦ୍ଦି ଖାଁଙ୍କ ସମୟରେ ସୁବେ ବଙ୍ଗଳା ମରହଟ୍ଟାମାନଙ୍କ ଯୋଗେ କି ପ୍ରକାର ଲଣ୍ଡଭଣ୍ଡ ହୋଇ ପଡ଼ିଥିଲା, ଏ କଥା ଇତିହାସ ପାଠକମାନଙ୍କୁ ବିଶେଷ ଜଣା ।

 

ନବାବ ଦେଖିଲେ, ରାଜ୍ୟରକ୍ଷାର ଆଉ ଉପାୟ ନାହିଁ, ବିପଦ ରାଶି ଯେମନ୍ତ ତାଙ୍କୁ ଗିଳି ପକାଇବା ପାଇଁ ଚାରିଆଡ଼ୁ ବେଢ଼ି ଆସୁଛି । ଗଲା ଦୁଇ ସନର ଖଜଣା ଦିଲ୍ଲୀ ଗନ୍ତାଘରେ ପୈଠ ହୋଇନାହିଁ । ମହମ୍ମଦସା ବାଦସାଙ୍କ ସହିମୋହରି ତଲବି ପରୁଆନା ଧରି ମୁନସବାଦର ମୁରାଦ ଖାଁ ମୁର୍‍ଶିଦାବାଦ କଚେରି ଦୁଆରେ ଧାରଣା ଦେଇ ବସିଛି । ମରହଟ୍ଟା ପେଶବା ବାଲାଜୀ ରାଓ ଲେଖି ପଠାଇଛନ୍ତି କି ତାଙ୍କ ଚୌଥ ପାଉଣା ବାବଦ ଟଙ୍କା ଶୀଘ୍ର ପରିଶୋଧ ନ କଲେ ସେ ଆପେ ଆସି ଅସୁଲ କରିବା ନିମନ୍ତେ ଚେଷ୍ଟା କରିବେ । ଏଥକୁ ତାଙ୍କ ସଙ୍ଗରେ ଯୁଦ୍ଧହେଲା ବୋଲି ଜାଣ । ଏଣେ ନିଜ ପାଇକଗୁଡ଼ାକ ବେଳମାଫିକେ ଦରମା ନ ପାଇ ନିତାନ୍ତ ଅବାଧ୍ୟ ହୋଇ ପଡ଼ିଲେଣି । ବିଦେଶୀ ପାଇକମାନେ ଚାକିରିରୁ ଇସ୍ତଫା ଦେଇ କହି ବୋଲି, ଥୋକେ କିଛି ନ ବୋଲି ଚାଲିଗଲେଣି-ଯାଉଛନ୍ତି । ସେନାପତି ମୀରା ହବୀବ୍ ମରହଟ୍ଟାମାନଙ୍କ ବାଟ ଓଗାଳିବାପାଇଁ ମେଦିନୀପୁରଠାରେ ଘାଟି ଜଗିଥିଲେ । ଅଣ୍ଟାଛୁରୀ କମର କାଟିବାକୁ ବସିଲାଣି, ସେ ଏବେ ପାଇକମାନଙ୍କୁ ଧରି ମରହଟ୍ଟା ସହିତ ମିଳିତ । ବୁଦ୍ଧିମାନ ଆଲିବର୍ଦ୍ଦି ଖାଁ ବୁଝିଲେ, ସବୁ ବିପଦର ମୂଳ କାରଣ ଭାସ୍କର ପଣ୍ଡିତ । ପଣ୍ଡିତକୁ ଭଲକରି ଶାସନ ନ କଲେ ରାଜ୍ୟରକ୍ଷାର ଉପାୟ ନାହିଁ । ଭାସ୍କର ପଣ୍ଡିତ ବାଲେଶ୍ୱର ବନ୍ଦରଠାରେ ମେରୁଖମ୍ବ ପୋତି ବସିଛନ୍ତି । ଏ ଅଞ୍ଚଳରେ ନବାବୀ ଅଧିକାରର ଚିହ୍ନ ମାତ୍ର ନାହିଁ । ବାଲେଶ୍ୱର ବନ୍ଦରର ନବାବ ବାହିଲି ଫୌଜଦାର କତଲୁ ଖାଁ ପଳାଇ ଯାଇ କେନ୍ଦୁଝର ବଣ ମଧ୍ୟରେ ଲୁଚି ରହିଛନ୍ତି । ବର୍ତ୍ତମାନ କାଟୁଆ, ହୁଗୁଳୀ, ନଦୀଆ ପ୍ରଭୃତି ଅଞ୍ଚଳର ପ୍ରଧାନ ପ୍ରଧାନ ବାସିନ୍ଦାମାନେ ଘର ମାଲମତା ପିଲାକୁଟୁମ୍ବ ଧରି ପଳାଇଯାଇ ଜାହାଙ୍ଗିରପୁର ମାଲଦା, ରାମପୁର, ବୋଆଲିଆ ପ୍ରଭୃତି ଜଙ୍ଗଲି ଅଗମ୍ୟ ସ୍ଥାନମାନଙ୍କରେ ଲୁଚି ରହିଛନ୍ତି । ସୁବାଦାରଙ୍କ ପଟ ଧରି ଚାଲିବାକୁ ବାଲେଶ୍ୱର ଅଞ୍ଚଳର ଖଣ୍ଡାଏତ ପାଇକମାନେ ନିର୍ମୂଳ ହୋଇଗଲେଣି । ସାଳନ୍ଦୀ ଉତ୍ତରକୂଳଠାରୁ କଂସାବତୀ ଦକ୍ଷିଣ କୂଳଯାଏ ସେମାନଙ୍କ ଚୌପାଢ଼ିର ଚିହ୍ନ ମାତ୍ର ନାହିଁ । ଜାମକୁଣ୍ଡା ଗଡ଼ର ରାଜୀବ ଦଳଗଞ୍ଜନ, ସାହାବନ୍ଦର ଗଡ଼ର ବିଜୟ ମଲ୍ଲ, ବାଲିଆପାଳର ହରିହର ସାମନ୍ତରା ପ୍ରଭୃତି ମୁଖଣ୍ଡ ମୁଖଣ୍ଡ ଖଣ୍ଡାଏତମାନେ ମଲ୍ଲଭୂମ, ଶିଖର ଭୂମ, ଝାଡ଼ଗାଁ ପ୍ରଭୃତି ଜଙ୍ଗଲରେ ବାସ କରି ରହିଛନ୍ତି । ବାଲେଶ୍ୱର ବନ୍ଦରର ଦକ୍ଷିଣ ଅଞ୍ଚଳର ଖଣ୍ଡାଏତମାନେ ନୀଳଗିରି, ଜୂଗଝରୀ, ବେଣାଗଡ଼ିଆ, କଇଁସାରି, କପ୍ତିପଦା ଅରଣ୍ୟ ସ୍ଥାନମାନଙ୍କରେ ଆଶ୍ରୟ ନେଇ ରହିଛନ୍ତି । ବର୍ତ୍ତମାନ ଖଣ୍ଡାଏତ କୁଳର ପତନ ସମୟ । ନିମୁଣ୍ଡିଆ ହୋଇ କେତେକାଳ ଆତ୍ମରକ୍ଷା କରିବାକୁ ସମର୍ଥ ହେବେ ? ଏଥକୁ ଭାସ୍କର ପଣ୍ଡିତଙ୍କ ଉପରକୁ ଟେଳାଟିଏ ଫୋପାଡ଼ିବାକୁ କେହି ନାହିଁ । ବଙ୍ଗଳାଦେଶ ମଧ୍ୟରେ ସେତେବେଳେ ସୂତାନଟି, ଗୋବିନ୍ଦପୁର ବା ନୂତନ କଲିକତା ନିରୁପଦ୍ରବ ଥିଲା । ଇଷ୍ଟଇଣ୍ଡିଆ ନାମଧାରୀ ଥୋକେ ଇଂରେଜ ବେପାରୀ ସେ ସ୍ଥାନରେ କିଣାବିକା କାରବାର କରୁଥିଲେ । ମରହଟ୍ଟାମାନଙ୍କ ଉପଦ୍ରବରୁ ରକ୍ଷା ପାଇବା ସକାଶେ ଗୋଟାଏ ଗଡ଼ଖାଇ ଖୋଳାଇଥିଲେ–ତାହାର ନାମ ଦେଇଥିଲେ ମରହଟ୍ଟା ଡିଚ୍‌-। ଆଜିଯାଏ ସେ ନାମ ଏବଂ ସ୍ଥାନରେ ଚିହ୍ନ ବିଦ୍ୟମାନ ରହିଅଛି । ଇଂରେଜ ବେପାରୀମାନଙ୍କର ଲୁଣ, ରେଶମ, ତସର, ଢାକାଇ ଏବଂ ବାଲେଶ୍ୱରୀ ଲୁଗାର କାରବାର ଥିଲା । ସେହି କାରବାର ଉପଲକ୍ଷରେ ଦେଶୀ ଲୋକମାନଙ୍କ ସଙ୍ଗରେ ସେମାନଙ୍କ ସମ୍ପର୍କ । କାରବାରର ସୁବିଧା ପୁଣି ମରହଟ୍ଟାମାନଙ୍କ ହାତରୁ ରକ୍ଷାପାଇବା ପାଇଁ ଦେଶର ପ୍ରଧାନ ପ୍ରଧାନ ଧନବନ୍ତ ଲୋକେ ବାସଗୃହ ନିର୍ମାଣକରି କଲିକତାରେ ବସବାସ କରିବାକୁ ଆରମ୍ଭ କରୁଥିଲେ । କଲିକତା ବିନା ସେ ସମୟରେ ଅନ୍ୟ କୌଣସି ସ୍ଥାନ ନିରାପଦ ନଥିଲା । ମରହଟ୍ଟା ଘୋଡ଼ାସବାର ପାଇକେ କେଉଁଦିନ କେତେବେଳେ ପଡ଼ି ଦେଶଟା ଲୁଟିପାଟି ଘେନିଯିବେ, ଏକଥା ମନରେ କରି ଦେଶ ଲୋକେ ଛାନିଆଁ ହୋଇ ଯାଉଥିଲେ । ଚାଷ କରିବାକୁ ବେଳ ନାହିଁ ? ବେପାର ବଣିଜ କରୁଛନ୍ତି କିଏ ? ଏଥକୁ ଖଜଣା ଅସୁଲିର ଉପାୟ ନ ଥିଲା । ମୁର୍‍ଶିଦାବାଦ ନବାବଙ୍କ ଗନ୍ତାଘର ଝାଡ଼ିଝୁଡ଼ି ହୋଇଯାଇଛି । ନବାବ ଆର୍ଲିବର୍ଦ୍ଦିଙ୍କ ଚାରିଆଡ଼ର ଉପାୟ ବନ୍ଦ । ଅବଶେଷରେ ସେ ଧନକୁବେର ଜଗତ୍‌ ସେଠଙ୍କୁ ଖଣ୍ଡେ ଗୁଜା ଲେଖିଦେଇ ଅଶୀ ଲକ୍ଷ ଟଙ୍କା ଋଣ ନେଲେ । ସେହି ଟଙ୍କାରେ ପାଇକମାନଙ୍କ ପିଛିଲା ଦରମା ଛିଡ଼ାଇ ଦେଇ ନୂଆ ପାଇକ ଥୋକେ ମଧ୍ୟ ବାହାଲ କଲେ ।

Image

 

–୪–

ସାମନ୍ତରାୟ ରାଘବ ରାଟସିଂହ ବୈରିଗଞ୍ଜନ ମାନଧାତା

 

ଉତ୍କଳର ବୀରବିଲୟର ଚରମକାଳ ପର୍ଯ୍ୟନ୍ତ ଥୋକେ ଦୁର୍ଗେଶ୍ୱର ଆପଣା ଆପଣା ପ୍ରଭୁତ୍ୱ ଏବଂ ମହିମା ଅକ୍ଷୂର୍ଣ୍ଣ ରଖିବାକୁ ସମର୍ଥ ଥିଲେ । ଚିଲିକା ହ୍ରଦର ଦକ୍ଷିଣାଞ୍ଚଳରେ କେତେ ଦୁର୍ଗପତି-ଏମାନଙ୍କ ମଧ୍ୟରୁ କେତେକ ଜଣ ଗଜପତି ବଂଶର ଶାଖାପ୍ରଶାଖା ବଂଶଧର ଏବଂ ଥୋକେ ଖଣ୍ଡାଏତ ଦଳପତି ଅଟନ୍ତି–ଦୂରବର୍ତ୍ତୀ ସ୍ଥାନରେ ବାସସ୍ଥାନ ଏବଂ ସମରକୌଶଳ ତଥା ଦୁର୍ଗମ ଅଞ୍ଚଳରେ ବାସ ଯୋଗୁଁ ପଠାଣ ବା ମୋଗଲମାନଙ୍କ ଦାଉର ଆଞ୍ଚ ଏମାନଙ୍କ ଦେହକୁ ଲାଗି ନ ଥିଲା । ଏଥକୁ ଆମ୍ଭମାନଙ୍କ ଏହି କ୍ଷୁଦ୍ର ଆଖ୍ୟାୟିକା ସହିତ ସେମାନେ ସମ୍ପର୍କଶୂନ୍ୟ ।

 

ଉତ୍କଳର ଉତ୍ତରପ୍ରାନ୍ତସ୍ଥ ଜଳେଶ୍ୱର ରାୟବଣିଆ ଦୁର୍ଗର ତାତ୍କଳିକ ଅଧିପତିଙ୍କ ନାମ ସାମନ୍ତରାୟ ରାଘବ ରାଟସିଂହ ଜଗଦ୍ଦେବ ବୈରିଗଞ୍ଜନ ମାନଧାତା । ଏଡ଼େବଡ଼ ଗଡ଼ର ଅଧୀଶ୍ୱର, ସେହିପରି ଖୁବ୍ ଗୋଟାଏ ଅସାଧାରଣ ବଡ଼ ନାମ ହେବା ନିତାନ୍ତ ସମ୍ଭବ । ତେବେ ପାଠକମାନେ ବାରମ୍ବାର ପଢ଼ି ଥକି ପଡ଼ିବେ, ଏଥିପାଇଁ ଆମ୍ଭେମାନେ ସେମାନଙ୍କ ପ୍ରତି ବିଶେଷ ଅନୁଗ୍ରହ ପ୍ରକାଶ କରି କେବଳ ମାନଧାତା ସାମନ୍ତ ବୋଲି ଲେଖିବୁଁ । ମାନଧାତାଙ୍କ ଅଧୀନରେ ତିରିଶ ହଜାର ବୃତ୍ତିଭୋଗୀ ଖଣ୍ଡାଏତ ପାଇକ ଥିଲେ । ବାଲେଶ୍ୱର ବନ୍ଦର ପଠାଣମାନଙ୍କ ହସ୍ତଗତ ହେବାରୁ ପ୍ରାୟ କୋଡ଼ିଏ ହଜାର ପାଇକ ଆପଣା ଆପଣା ମାନସମ୍ଭ୍ରମ ରକ୍ଷା କରିବା ଉଦ୍ଦେଶ୍ୟରେ ପାର୍ବ୍ୟତ୍ୟ ପ୍ରଦେଶରେ ବସବାସ କରୁଅଛନ୍ତି । ବର୍ତ୍ତମାନ ମାନଧାତାଙ୍କ ଅଧୀନସ୍ଥ ପାଇକ ସଂଖ୍ୟା ଦଶହଜାର ମାତ୍ର ।

 

ଉତ୍କଳର ପତନର ଯେ ସମସ୍ତ କାରଣ ଥାଉ, ହେଲେ ସ୍ୱାଧୀନ ମହାରାଜାମାନଙ୍କର ବୌଦ୍ଧ ଏବଂ ବୈଷ୍ଣବ ଧର୍ମ ଅବଲମ୍ବନ ହିଁ ପ୍ରଧାନତମ କାରଣ ଅଟେ । ନରଶୋଣିତ ବିନିମୟରେ ସ୍ୱାଧୀନତା କ୍ରୟ ବା ରକ୍ଷା କରିବା ନିତାନ୍ତ ନିନ୍ଦନୀୟ ବିଷୟ ଅଟେ । ଏଥକୁ ମହାରାଜାମାନଙ୍କର ଯୁଦ୍ଧକାର୍ଯ୍ୟରେ ଅନାସ୍ଥା ହେତୁ ଖଣ୍ଡାଏତ ପାଇକ ପ୍ରଧାନମାନେ ମସ୍ତକହୀନ ଅବସ୍ଥାରେ ଛିନ୍ନଭିନ୍ନ ହୋଇ ଯାଇଅଛନ୍ତି । ବାହୁବଳରେ ମରହଟ୍ଟା ବା ପଠାଣମାନେ ଉତ୍କଳ ଜୟ କରିଅଛନ୍ତି, ଏ କଥା ଯେଉଁ ଇତିହାସ ବୋଲେ, ସେ ଘୋର ମିଥ୍ୟାବାଦୀ । ଉତ୍କଳକ୍ଷେତ୍ରରେ ତୁର୍କ ଏବଂ ମରହଟ୍ଟାଙ୍କ ବିଶେଷ ସଘଂର୍ଷଣ ସମୟରେ ଆମ୍ଭମାନଙ୍କ ମାନଧାତା ସାମନ୍ତ ତୁର୍କପଟ ଧରି ମଧ୍ୟ ନିରାପଦରେ ଥିଲେ । ସେଥିରେ କାରଣ ରାୟବଣିଆ ଦୁର୍ଗ ନିତାନ୍ତ ଦୃଢ଼ ଏବଂ ବିପକ୍ଷର ଅଜେୟ । ଯେଉଁ ଦଶହଜାର ପାଇକ ଅଧୀନରେ ଥିଲେ, ସେମାନେ ମହାବୀର, ସମରସମର୍ଥ ଏବଂ ମାନଧାତାଙ୍କ ଆଜ୍ଞାବହ । ପାଇକମାନେ ମାସିକ ନଗଦ ଟଙ୍କା ବେତନ ପାଉ ନ ଥିଲେ, ପ୍ରତ୍ୟେକ ଜଣର ସ୍ୱତନ୍ତ୍ର ସ୍ୱତନ୍ତ୍ର ଜାୟଗିର ଜମି ଥିଲା । ଶିବାଜୀଙ୍କ ଘୋଡ଼ାସବାର ପାଇକ, ରାଜପୁତନାର କ୍ଷତ୍ରିୟ ଯୋଦ୍ଧା, ଗୁରୁ ଗୋବିନ୍ଦଙ୍କ ପ୍ରତିଷ୍ଠିତ ଶିଖସେନାଙ୍କ ପରି ରାଜବ୍ୟବସ୍ଥାନୁସାରେ ପାଇକମାନେ ଶାନ୍ତି ସମୟରେ ଚାଷ ଏବଂ ବିଦ୍ରୋହ ସମୟରେ ଯୁଦ୍ଧରେ ନିଯୁକ୍ତ ଥିଲେ । ପୁଣି ସୁଦୂର ଇତିହାସରୁ ଜଣାଯାଏ, ଶାକ୍ୟବଂଶୀୟ କ୍ଷତ୍ରିୟମାନେ ମଧ୍ୟ କୃଷି ଏବଂ ସମର ଉଭୟ କାର୍ଯ୍ୟରେ ନିଯୁକ୍ତ ଥିଲେ ।

 

ଆପଣା ଆପଣା କୃଷିକାର୍ଯ୍ୟରେ ନିଯୁକ୍ତି ଥିବାରୁ ରାୟବଣିଆ ପାଇକମାନେ ସର୍ବଦା ସମସ୍ତେ ଉପସ୍ଥିତ ନ ଥାନ୍ତି । ପ୍ରୟୋଜନ ସମୟରେ ଗଡ଼ରେ ସାଙ୍କେତିକ କଂସା ବାଜେ, ଧଣ୍ଡି ଉଡ଼େ, ବୀରକାହାଳୀ ବାଜେ ଏବଂ ରାତ୍ରିରେ ହାବେଳି ଛୁଟେ, ଘାଟି ଘାଟିରେ ଏମନ୍ତ ବନ୍ଦୋବସ୍ତ ଯେ ପ୍ରହରକ ମଧ୍ୟରେ ଦଶ କୋଶ ଦୂରର ପାଇକ ଆସି ଠୁଳ ହୋଇଯାନ୍ତି । ଉତ୍କଳର ସ୍ୱାଧୀନ ନରପତିଙ୍କ ଆଧିପତ୍ୟ ସମୟରେ ମଧ୍ୟ ଏହିପରି ନିୟମ ଯୋଗେ ପକ୍ଷକ ମଧ୍ୟରେ ସମସ୍ତ ଉତ୍କଳରୁ ତିନି ଲକ୍ଷ ପାଇକ ରାଜସିଂହାଦ୍ୱାରରେ ହାଜର ହୋଇ ମଜୁରା କରୁଥିଲେ ।

 

ଉତ୍କଳଖଣ୍ଡର ମରହଟ୍ଟାମାନଙ୍କ ଗତିବିଧି ପର୍ଯ୍ୟବେକ୍ଷଣ ଏବଂ ସେମାନେ ଯେପରି ସୁର୍ବର୍ଣ୍ଣରେଖା ପାର ହୋଇ ସହଜରେ ବଙ୍ଗଦେଶରେ ପ୍ରବେଶ କରି ନ ପାରନ୍ତି, ସେଥିରେ ଯତ୍ନ କରିବା ନିମନ୍ତେ ମୁର୍‍ଶିଦାବାଦ ଦରବାର ମୈତ୍ରୀଭାବରେ ମାନଧାତାଙ୍କୁ ସନନ୍ଦ ଏବଂ କମର୍ଦ୍ଦା ଚକଳା ପାଇକ ଖୋରପୋଷ ସ୍ୱରୂପ ଇନାମ୍ ଦେଇଥିଲେ । ମାନଧାତା ଆପଣା କର୍ମରେ ତ୍ରୁଟି କରି ନାହାନ୍ତି । ତାଙ୍କ ଯତ୍ନରେ ବର୍ଗୀମାନେ ସୁବର୍ଣ୍ଣରେଖା ପାର ହୋଇ ପାରୁ ନ ଥିଲେ । ସେମାନଙ୍କୁ ବୀରଭୂମ ଜଙ୍ଗଲବାଟେ ବୁଲି ବଙ୍ଗଦେଶକୁ ଆସିବାକୁ ହେଉଥିଲା । ଏଥିସକାଶେ ମରହଟ୍ଟା ଫୌଜଦାର ଭାସ୍କର ପଣ୍ଡିତ ମାନଧାତାଙ୍କ ପ୍ରତି ଅସନ୍ତୁଷ୍ଟ । ମାତ୍ର ନାନାକାରଣରୁ ତାଙ୍କୁ ଶାସନ କରିବାକୁ ସୁଯୋଗ ପାଇ ନ ଥିଲେ ।

Image

 

–୫–

ବିଦେଶିନୀ

 

ସକାଳେ ଓଳିଆ ଦିନ ପହରକ ଭିତରେ ରାୟବଣିଆ ଦୁର୍ଗେଶ୍ୱର ଶ୍ରୀ ଶ୍ରୀ ଶ୍ରୀ ମାନଧାତା ଦରବାରରେ ବିଜେ କରିଅଛନ୍ତି । ପାଞ୍ଜିଆ, ପାଇକ, ପଢ଼ିଆରୀ, ଦଳେଇ, ଦଳବେହେରା, ଦଉଡ଼ି, ଲେଖନକାର, ବେବର୍ତ୍ତା ପ୍ରଭୁତି କର୍ମଚାରୀମାନେ ଆପଣା ଆପଣା ଜାଗାର କେହି ବସି, ଉଭାହୋଇ କର୍ମରେ ନିଯୁକ୍ତ । ଢେର୍‌ଗୁଡ଼ିଏ ଗୁହାରିଆ ହାତ ଯୋଡ଼ି ଛିଡ଼ା ହୋଇଅଛନ୍ତି । ଏମନ୍ତ ସମୟରେ ଡଗରା ଡାକିଦେଲା ‘‘ଗୋବିନ୍ଦପୁର ଚୌପାଢ଼ୀର ଦଉଡ଼ବୀର ପାଇକମାନଙ୍କ ମଜରା ଘେନିବାକୁ ଆଜ୍ଞା ହେଉ, ଭୋ ମଣିମା ! ଭୋ ମଣିମା !’’ ଚାରି ଜଣ ଭେଣ୍ଡିଆ ପାଇକ ବଦଉ ଖଣ୍ଡା ଟେକି ତିନିଥର ଖଣ୍ଡାମୁନ ଭୂମିରେ ଛୁଆଁଇ ମଜୁରା କରି ଆଡ଼େଇଗଲେ । ସମସ୍ତେ ଅନାଇ ଦେଖିଲେ, ପାଇକମାନଙ୍କ ପଛ କିଛି ଦୂରରେ ଧୂଳିକର୍ଦ୍ଦମ ବିଲିପ୍ତବସନା ମଳିନବଦନା ବିଷାଦମୟୀ ଗୋଟିଏ ଅପୂର୍ବ ଲଳନାମୂର୍ତ୍ତି ବାଡ଼କୁ ଆଉଜି ନିଶ୍ଚଳ ନିଷ୍ପନ୍ଦ ଭାବରେ ଉଭା ହୋଇଅଛି । ଆକୃତି ଏବଂ ପହରଣ ହେଖିଲେ ସହଜରେ ଅନୁମିତ ହୁଏ, ସ୍ତ୍ରୀଲୋକଟି ବିଦେଶିନୀ ଏବଂ ସମ୍ଭ୍ରାନ୍ତ କୁଳଜାତା । ସାଧାରଣ ଘରେ ଏପରି ଲାବଣ୍ୟମୟୀ ସୁଗଠନା ସ୍ତ୍ରୀରତ୍ନ ଜାତ ହେବା ଅସମ୍ଭବ । ପ୍ରଭାମୟୀ ପଦ୍ମିନୀ ସ୍ୱଚ୍ଛ ଜଳ ସରୋବରରେ ପ୍ରସ୍ଫୁଟିତ ହୋଇଥାଏ । ଏହାର ବୟଃକ୍ରମ ସମ୍ବନ୍ଧରେ ସଠିକ ସମ୍ବାଦ ଦେବାକୁ ଆମ୍ଭେମାନେ ଅକ୍ଷମ; ମାତ୍ର ତାହାର କନକଗୌର ବଦନମଣ୍ଡଳର ଅପୂର୍ବ ସୌନ୍ଦର୍ଯ୍ୟ, ଅଚଞ୍ଚଳ ବିଶାଳ ନେତ୍ର, ଡୋଳା ଉପରେ ଆକର୍ଣ୍ଣବିସ୍ତୃତ ସୁବଙ୍କିମ ଭ୍ରୂଲତା, ସୁନ୍ଦର ସୁଗଠନ ଉନ୍ନତ ନାସା, ଜବାକୁସୁମସଙ୍କାଶ ରକ୍ତିମ ଅଧରୌଷ୍ଠ ଏବଂ ସ୍ୱଚ୍ଛନିର୍ମଳ ଦର୍ପଣ ଫଳକବତ୍ ଗଣ୍ଡସ୍ଥଳରୁ ଯୌବନସୁଲଭ ଲାବଣ୍ୟ ଚହଟି ଯାଉଅଛି । ଏହାର ବଦନ ବିଷାଦ-କାଳିମାରେ ମଳିନ ହୋଇଥିଲେ ମଧ୍ୟ ଧୂସର ମେଘାବୃତ ଚନ୍ଦ୍ରମଣ୍ଡଳ ପରି ଅପୂର୍ବ ଶ୍ରୀ ଧାରଣ କରିଅଛି । ସ୍ତ୍ରୀଟିର ଆକାର କିଞ୍ଚିତ ଦୀର୍ଘ, କିନ୍ତୁ ସୌନ୍ଦର୍ଯ୍ୟ ବିନାଶୀ ନୁହେଁ । ହସ୍ତପଦଗୁଡ଼ିକ ସୁଗୋଲ, ସୁଗଠିତ ଓ ସୁଖବର୍ଦ୍ଧିତ ପରି ଅନୁମିତ ହୁଏ । ପହରଣ ମହାର୍ଘ ଜରି କାରୁକାର୍ଯ୍ୟଯୁକ୍ତ ଘାଗରା ଏବଂ କାଞ୍ଚୁଲି-ତସ୍ୟୋପରି ପୃଷ୍ଠବ୍ୟାପୀ ନିତମ୍ବ-ବିଲମ୍ବୀ କଜ୍ଜଳ କାଳିମାଭ ଅବିନ୍ୟସ୍ତ ଅଯତ୍ନ ବିକ୍ଷିପ୍ତ କେଶରାଶିକୁ ସୂକ୍ଷ୍ମ ନିପୁଣ ଶିଳ୍ପୀ–ଚିତ୍ରିତ କୌଷେୟ ଓଢ଼ଣା ଘୋଡ଼ାଇ ରଖିଅଛି । ହସ୍ତ, ପଦ, ନାସା, କର୍ଣ୍ଣ, କଣ୍ଠ ସଂଲଗ୍ନ ରତ୍ନଖଚିତ ସ୍ୱର୍ଣ୍ଣ ଓ ରୌପ୍ୟର ଅଳଙ୍କାରଗୁଡ଼ିକ ଐଶ୍ୱର୍ଯ୍ୟବର୍ତ୍ତାର ପରିଚାୟକ । ଶରୀର କେଶବାସ ସମସ୍ତ ଧୂଳି କର୍ଦ୍ଦମ-ବିଲିପ୍ତ, କଣ୍ଟକ ଦ୍ୱାରା ସଦ୍ୟ ଛିନ୍ନ ବିଛିନ୍ନ । ଏଡ଼େବଡ଼ ଦରବାର, ଏଡ଼େ ଲୋକଗହଳ ମୁହୂର୍ତ୍ତକ ମଧ୍ୟରେ ନିସ୍ତବ୍‌ଧ ହୋଇଗଲା । ସମସ୍ତେ ଏକ ଧ୍ୟାନରେ ସ୍ତ୍ରୀ ମୂର୍ତ୍ତଟିକୁ ଚାହିଁ ରହିଅଛନ୍ତି । ମାନଧାତା ଅନ୍ୟାନ୍ୟ ଲୋକଙ୍କ ପରି ସ୍ଥିରଭାବରେ ସେହି ସ୍ତ୍ରୀଟିକୁ ପ୍ରଥମରେ ଚାହିଁ ରହିଲେ, ପରେ କେତେଗୁଡ଼ିଏ କଥା ପଚାରିଲେ । କିଛି ଉତ୍ତର ନାହିଁ । ମାତୃ ସମ୍ୱୋଧନ କରି କୋମଳ ଭାବରେ କେତେଗୁଡ଼ିଏ ପ୍ରଶ୍ନ କଲେ–ରମଣୀ ପୂର୍ବବତ୍‌ ନୀରବ । ବହୁତ ଅଭୟ ଦେଇ, ସାନ୍ତ୍ୱନା ଦେଇ, ଆଶ୍ୱାସ ବାକ୍ୟରେ କେତେ କଥା ପଚାରିଲେ–ବୃଥା ହେଲା । ବୁଢ଼ା ପଢ଼ିଆରୀ ପରିଆ ପରିଡ଼ା ପାଖକୁ ଧାଇଁଆସି ସ୍ତ୍ରୀଟିକୁ କହିଲା–‘‘ଡରନାହିଁ, ଚିନ୍ତା କରନା, ସାଆନ୍ତ ଯାହା ପଚାରୁଛନ୍ତି, କହିଯା, ସବୁ କଥାର ଜବାବ ଦେଇଯା, ଉଚ୍ଛୁଣି ଉଆସରୁ ସିଧା ଆଣିଦେବି । ଖାଇପିଇ ନିଶ୍ଚିନ୍ତ ରହିବୁ । ମାନଧାତା ଦାତାକର୍ଣ୍ଣ, କେତେ ଅତିଥି-ଅଭ୍ୟାଗତ ଖାଇ ଯାଉଛନ୍ତି । ଜଳଖିଆ କର, ରୋଷେଇ କର, ଯାହା କର, ଆଣିଦେବି ।’’ ହାୟ ! ଜବାବ ପାଇବ ବୋଲି ପରିଆ ବିଚରା କେତେ ଆଣ୍ଟରେ ଯାଇଥିଲା, ସବୁ ବୃଥା ହେଲା । ସ୍ତ୍ରୀଟି ଉତ୍ତର ଦେଲାନାହିଁ କି ସକାଶେ ? ସେ କଣ ପ୍ରଶ୍ନକାରୀଙ୍କ ବିଦେଶୀୟ ଭାଷା ବୁଝି ପାରିଲା ନାହିଁ ? କିମ୍ବା ଗୋଟିଏ ହିନ୍ଦୁ କୁଳବତୀ ପୁରୁଷ ମଣ୍ଡଳୀରେ କଥା କହିବାକୁ ଲଜ୍ଜିତ ହେଲା ? ଅବା ବିନଷ୍ଟ ଯୂଥଭ୍ରଷ୍ଟା ଶ୍ୱାପଦହସ୍ତବିମୁକ୍ତା ହରିଣୀ ଯେଉଁମାନଙ୍କ ହସ୍ତରେ ପତିତ ହୋଇଅଛି, ସେମାନେ ବ୍ୟାଧ କି ପାଳନକାରୀ, କିଛି ସ୍ଥିର କରି ନପାରି ଭୟରେ ଉତ୍ତର ଦେଇପାରୁ ନାହିଁ ? ମାତ୍ର ଆମ୍ଭେମାନେ ଆକାର ପ୍ରକାରରୁ ସେଥିର କିଛି ଚିହ୍ନ ଦେଖୁନାହୁଁ । ସ୍ତ୍ରୀଟି ବାଟ ଚାଲିବାକୁ ଅକ୍ଷମ ଥିବାରୁ ପାଇକମାନେ ତାହାକୁ ଡୋଲିରେ ବସାଇ ଘେନି ଆସିଥିଲେ–ଡୋଲିରୁ ଓହ୍ଲାଇ ଯେପରି ଛିଡ଼ା କରାଇ ଦେଇଥିଲେ, କାଷ୍ଠପିତୁଳା ପରି ବାଡ଼କୁ ଆଉଜି ସେହିପରି ଛିଡ଼ା ହୋଇଅଛି । ମୁଖ ଅନାବୃତ, ନେତ୍ରରେ ପଲକ ଅଛି କି ନାହିଁ ସନ୍ଦେହ, କେବଳ ନାସାପୁଡ଼ା ସ୍ଫୀତ ଓ ସଙ୍କୁଚିତ ହୋଇ ଜୀବନ ସତ୍ତାର ପରିଚୟ ଦେଉଅଛି । ଯେପରି ସ୍ତ୍ରୀ ହେଉ, ଯେପରି ଅବସ୍ଥାର ପଡ଼ୁ, ବିଶେଷରେ ହିନ୍ଦୁ କୁଳବତୀ ଯୁବତୀ ପୁରୁଷମଣ୍ଡଳୀକୁ ନୀତହେଲେ ସ୍ତ୍ରୀସ୍ୱଭାବସୁଲଭ ସଙ୍କୋଚ ଏବଂ ଲଜ୍ଜାର ଛାୟା ମୁଖମଣ୍ଡଳକୁ ଆବୃତ କରିପକାଏ । ମାତ୍ର ସ୍ତ୍ରୀଟି ଅନାବୃତ ମୁଖରେ ସହଜରେ ଉଭା ହୋଇଅଛି । ଆଉ ଭୟ ? ମନୁଷ୍ୟର ଜୀବନାଶା ଥିଲେ ଲଜ୍ଜା ଭୟ ସବୁ ଥାଏ । ଭୟ କଣ ? ବିପଦସଙ୍କୁଳ ସ୍ଥାନରୁ ନିରାପଦ ସ୍ଥାନକୁ ଯିବାର ଏକମାତ୍ର ପ୍ରବୃତ୍ତି । ଆମ୍ଭର ବିଶ୍ୱାସ, ଶାରୀରିକ ଓ ମାନସିକ କଷ୍ଟର ଚରମସୀମା ଉପସ୍ଥିତ ହେଲେ ମାନବର ଇନ୍ଦ୍ରିୟସମୂହ ଅନାୟତ୍ତ ନିସ୍ତେଜ ହୋଇପଡ଼ନ୍ତି, ସୁତରାଂ ଚେତନା ଲୁପ୍ତ ହୋଇଯାଏ । ଏଥକୁ ଲଜ୍ଜା ଭୟ ମନ ମଧ୍ୟରେ ସ୍ଥାନ ପ୍ରାପ୍ତ ହୋଇପାରେ ନାହିଁ । ବର୍ତ୍ତମାନ ସ୍ତ୍ରୀଟି ସଚେତନ ଅବସ୍ଥାରେ ଅଛି, ଆମ୍ଭେମାନେ ବିଶ୍ୱାସ କରି ପାରୁନାହୁଁ ।

 

ମାନଧାତା ସ୍ତ୍ରୀଟିଠାରୁ କୌଣସି ଜବାବ ନ ପାଇ ଅଭ୍ୟାଗତ ପାଇକମାନଙ୍କୁ ଅନାଇଲେ-। ପାଇକ କିଶୋର ଫତେ ସିଂହ ଶ୍ରୀ ଶ୍ରୀ ମାନଧାତାଙ୍କ ଅଭିପ୍ରାୟ ବୁଝିପାରି ହାତ ଯୋଡ଼ି ସମସ୍ତ କଥା ଜଣାଇଲା-ପଶ୍ଚିମଦେଶୀୟ ଯାତ୍ରୀମାନଙ୍କ କଥା, ଗୋଡ଼ିଖାଲଠାରେ ରାହାଜାନୀ, ମରହଟ୍ଟାମାନଙ୍କ ଅତ୍ୟାଚାର ଯାତ୍ରୀମାନଙ୍କ ବିନାଶ ଏବଂ ଗୋବିନ୍ଦପୁରର ପାଇକମାନେ ପାରିଧିକୁ ଯାଇ ସ୍ତ୍ରୀଟିକୁ ଯେପରି ମୁମୂର୍ଷୁ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ପ୍ରାପ୍ତ ହୋଇଥିଲେ, ସମସ୍ତ ବିଷୟ ବିସ୍ତାରିତ ରୂପେ ଜଣାଇଲା । ଶ୍ରୋତାମାନେ ସମସ୍ତ ବିଷୟ ଶୁଣି ଏବଂ ସ୍ତ୍ରୀଟିର ଶୋଚନୀୟ ଅବସ୍ଥା ଦେଖି ହାୟ ହାୟ କରିବାକୁ ଲାଗିଲେ । ମରହଟ୍ଟାମାନଙ୍କ ଅତ୍ୟାଚାର କଥା ଶୁଣି ଖଣ୍ଡାଏତମାନଙ୍କ ଖଣ୍ଡା ବଦଉରେ ବାଜି ଧଡ଼ ଧଡ଼ ଶବ୍ଦ କଲା । ଥୋକେ ବୀରକେଶ ଆଉଁସି ଆରକ୍ତ ନେତ୍ରରେ ଅନାଇବାକୁ ଲାଗିଲେ । ଉପସ୍ଥିତ ଲୋକମାନେ ସହଜରେ ଅନୁମାନ ଦ୍ୱାରା ବୁଝିଲେ, ଅଶ୍ୱାରୋହୀ ବିନଷ୍ଟ ସ୍ତ୍ରୀ ପୁରୁଷମାନେ ସ୍ତ୍ରୀଟିର ଆତ୍ମୀୟ ଲୋକ ଅଟନ୍ତି । ପିତାମାତା ଶାଶୁ ଶ୍ୱଶୁର, ସ୍ୱାମୀ କିମ୍ବା ଏହିପରି ଅନ୍ତରଙ୍ଗ ଲୋକମାନଙ୍କୁ ହରାଇ ହତଚେତା ହୋଇପଡ଼ିଛି । ଅତଃପର ଜନଶ୍ରୁତି ଶ୍ରୋତାମାନଙ୍କ ଅନୁମାନକୁ ଯଥାର୍ଥ ରୂପରେ ପ୍ରତିପନ୍ନ କରାଇଥିଲା ।

 

ସ୍ୱଦେଶରୁ ବହୁ ଦୂରରେ ଅପ୍ରତ୍ୟାଶିତ ରୂପେ ଗୁରୁଜନ ଆତ୍ମୀୟ ବନ୍ଧୁବର୍ଗଙ୍କର ଶୋଚନୀୟ ଅବସ୍ଥା ପ୍ରତ୍ୟକ୍ଷ କରି ସର୍ବସ୍ୱାନ୍ତ ଅବସ୍ଥାରେ ଗୋଟିଏ କୁଳବତୀ ବାଳା ନିତାନ୍ତ ଅପରିଚିତ ପୁରୁଷମଣ୍ଡଳୀରେ ପଡ଼ିଲେ ତାହାର କିପରି ଦଶା ଘଟିପାରେ, ବୋଲିବା ବାହୁଲ୍ୟ ମାତ୍ର-। ଜନନୀ–କି ଭାଷାରେ କହିବୁଁ, ଜନନୀ କି ପଦାର୍ଥ ? କାହା ସହିତ ଉପମା ଦେବୁଁ, ଜନନୀ କି ପଦାର୍ଥ ? ସ୍ୱର୍ଗାଦପି ଗରୀୟସୀ-ସ୍ୱର୍ଗର ସ୍ତୁପୀକୃତ ସମସ୍ତ ସମ୍ପତ୍ତି ଯାହାଙ୍କ ତୁଳନାରେ ପ୍ରଚୁର ନୁହେଁ, କି ଭାଷାରେ ବୁଝାଇବୁଁ, ସେ ଜନନୀ କି ପଦାର୍ଥ ? ସ୍ନେହ, ଦୟା, ମାୟା, ମମତା, ନିଃସ୍ୱାର୍ଥପରତା ସମସ୍ତ ସମବେତ ହୋଇ ମୂର୍ତ୍ତିମତୀ ହେଲେ ମଧ୍ୟ ଜନନୀ ସହିତ ଅତୁଳନୀୟ । ନରପଶୁ ନୃଶଂସ ଲେକାମାନଙ୍କ ଦ୍ୱାରା ସେହି ଜନନୀର ଶୋଚନୀୟ ପରିଣାମ ପ୍ରତ୍ୟକ୍ଷ କରି କେଉଁ ଯୁବତୀକନ୍ୟା ଧୈର୍ଯ୍ୟ ଧାରଣ କରିପାରେ ? ମହାଗୁରୁ ଜୀବନପାଳକ ଜୀବନଦାତା ପୂଜନୀୟ ପିତାର ନିଷ୍ଠୁର ରୂପେ ନିପାତ ଦେଖି କନ୍ୟା ମନରେ କିପରି ଭାବ ଜାତ ହୋଇପାରେ, ଆମ୍ଭେମାନେ ପ୍ରକାଶ କରିବାକୁ ଅକ୍ଷମ । ବିଶେଷରେ ସତୀ ସ୍ତ୍ରୀର ହୃଦୟାକାଶର ପୂର୍ଣ୍ଣଚନ୍ଦ୍ର, ସମସ୍ତ ଆଶା, ସମସ୍ତ ଭରସା, ଏକମାତ୍ର ଆଶ୍ରୟ ଭୂମି, ସମସ୍ତ ଜୀବନର ଏକମାତ୍ର ଅବଲମ୍ବନ, ସମସ୍ତ ସୁଖୈଶ୍ୱର୍ଯ୍ୟର ଏକମାତ୍ର କାରଣ, ପରମ ଦେବତା ସ୍ୱାମୀକୁ ହରାଇ ଯୁବତୀ ସ୍ତ୍ରୀ ଯେ ଜୀବିତ ଥାଏ, ତାହା କେବଳ ବିଧାତରା ବୈଚିତ୍ର୍ୟମୟ ବିଧାନ ଅଟେ । ପରମାୟୁ ମନୁଷ୍ୟର ଅନାୟତ୍ତ, ମୃତ୍ୟୁର ଶତ ସହସ୍ର କାରଣର ବିଦ୍ୟମାନତାରେ ମଧ୍ୟ ମାନବ ଜୀବନ ଧାରଣ କରି ରହିଥାଏ, କର୍ମଫଳ ଭୋଗ କ୍ଷେତ୍ରରେ ମାନବ ଅନାୟତ୍ତ ହୋଇ ଭ୍ରମଣ କରେ । ବିଧିବିଧାନରେ ସ୍ତ୍ରୀଟିର ଜୀବନ ଦେହପିଞ୍ଜରକୁ ତ୍ୟାଗ କରି ନାହିଁ ସତ୍ୟ; ମାତ୍ର ତାହାର ଇନ୍ଦ୍ରିୟମାନ ଜଡ଼ଭାବାପନ୍ନ ହୋଇ ପଡ଼ିଅଛି-। ପ୍ରବୀଣ ମାନଧାତା ସହଜରେ ଏ ବିଷୟରେ ଅନୁଭବ କଲେ ସ୍ତ୍ରୀଟିର ବୟସ ଓ ଅବସ୍ଥା ଦେଖି ତାଙ୍କ ମନରେ କରୁଣା ସଞ୍ଚାର ହେଲା । ସେ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ତୁନି ହୋଇ ବସିଲେ-। ତାଙ୍କ ଆଦେଶରେ ଦୁଇଜଣ ପୋଇଲୀ ଆସି ଅତି ଯତ୍ନରେ ଅତି ସାବଧାନ ଭାବରେ ଯୁବତୀଟିକୁ ଧରାଧରି କରି ଉଆସ ମଧ୍ୟକୁ ଘେନିଗଲେ ।

Image

 

–୬–

ଗଡ଼ ସମ୍ବନ୍ଧରେ ନାନା କଥା

 

ଶ୍ରୀ ଶ୍ରୀ ମାନଧାତାଙ୍କର ସ୍ୱତନ୍ତ୍ର ଉଆସ ନ ଥିଲା, ରାୟବଣିଆ ଦୁର୍ଗରେ ନଅର । ଉତ୍କଳ ଦେଶର ସମସ୍ତ ଖଣ୍ଡାଧିପତିଙ୍କ ନଅର ଏହିପରି । ରାୟବଣିଆ ଦୁର୍ଗ ପ୍ରାଚୀନ; ବିଶାଳତା ଏବଂ ଦୃଢ଼ତାରେ ଉତ୍କଳ ଦେଶର ସମସ୍ତ ଦୁର୍ଗର ଶୀର୍ଷସ୍ଥାନୀୟ । ଦୁର୍ଗ ମଧ୍ୟରେ ଲକ୍ଷେ ପାଇକ ରହି ବାହାର ଶତ୍ରୁ ସହିତ ଯୁଦ୍ଧ କରିପାରିବେ । ଚତୁର୍ଦ୍ଦିଗରେ ମାଙ୍କଡ଼ା ପଥର ଗୁନ୍ଥା ପ୍ରଶସ୍ଥ ଉଚ୍ଚ ପ୍ରାଚୀର, ପ୍ରାଚୀର ଦେହରେ ଭାଣ୍ଡିକଟା, ସେହି ଭାଣ୍ଡି ବାଟେ ଭିତର ପାଇକମାନେ ବହିଃସ୍ଥ ଶତ୍ରୁପ୍ରତି ଅସ୍ତ୍ର ପ୍ରୟୋଗ କରିପାରନ୍ତି । ବାହାରର ବିକ୍ଷିପ୍ତ ଅସ୍ତ୍ର ସେମାନଙ୍କ ଦେହରେ ଲାଗିବ ନାହିଁ । ଗଡ଼ ବହିର୍ଭାଗ ଚତୁର୍ଦ୍ଦିଗରେ ଭ୍ରମଣ କରିବାପାଇଁ ପ୍ରାଚୀର ମୂଳରେ ପ୍ରଶସ୍ତ ପରିଷ୍କୃତ ମାର୍ଗ, ମାର୍ଗ ଉତ୍ତାର ଅନତ୍ୟୁଚ୍ଚ ଆଡ଼ିଆ ବା କାନ୍ଥି, କାନ୍ଥି ଉପରେ ତଳ ବାଉଁଶ ମୁରୁଚା କାନ୍ଥ ମୂଳରେ ଗଡ଼ଖାଇ । ଏଇ ଗଡ଼ଖାଇ ସର୍ବଦା ଜଳରେ ପୂର୍ଣ୍ଣ ଥାଏ । ଦୁର୍ଗକୁ ପ୍ରବେଶ କରିବାରେ ନିମନ୍ତେ ସିଂହଦ୍ୱାର ସମ୍ମୁଖ କିଛି ଦୂରରେ ପରିଖା ଉପରେ ଗୋଟିଏ କାଷ୍ଠରେ ସେତୁ ନିର୍ମିତ । ସେହି ସେତୁଟି ଏପରି କୌଶଳରେ ନିର୍ମିତ ଯେ, ସହଜରେ ଅପସାରିତ ଏବଂ ପୁନର୍ବାର ସଂଯୋଜିତ ହୋଇପାରେ । ପ୍ରାଚୀର ଚାରିକଣରେ ଚାରିଗୋଟା ଗୋଲାକାର ବୁରୁଜ । ବୁରୁଜ ମଧ୍ୟରେ ବାହାର ତିନି ଦିଗକୁ ମୁହଁ କରି ତିନିଗୋଟି ଲେଖାଏଁ ତୋପ ସ୍ଥାପିତ ହୋଇଅଛି । ବୁରୁଜ ମଧ୍ୟରେ କୋଡ଼ିଏ କୋଡ଼ିଏ ଜଣ ଗୋଲନ୍ଦାଜ ରହି ତୋପ ଚଳାଇ ପାରନ୍ତି । ସିଂହଦ୍ୱାର ଦୁଇ ପାଖରେ ବିଶାଳବପୁ ବିକଟାକାର ଶିଳ୍ପ କୌଶଳର ନିଦର୍ଶନସ୍ୱରୂପ ଦୁଇଗୋଟା ପାଷାଣ ସିଂହ; ସେହି ସିଂହକୁ ଲାଗି ଦୁଇ ପାଖରେ ବିଶାଳକାୟ ଘଡ଼ିଆଳ ପରି ଦୁଇଗୋଟା ପ୍ରକାଣ୍ଡ ତୋପ ବାହାରକୁ ମୁହଁ କରି ପଡ଼ିଅଛି । ଚତୁର୍ଦ୍ଦିଗ ପ୍ରାଚୀରରୁ କିଛି ଦୂର ଭିତରକୁ ଉଆସ କାନ୍ଥି । ଏହି କାନ୍ଥ ମଧ୍ୟ ପାଇକମାନେ ଦିବାରାତ୍ରି ପହରା ଦେଇଥାନ୍ତି । ସେମାନଙ୍କ ଦୃଷ୍ଟି ଭିତରକୁ ପଡ଼େ ନାହିଁ । ସିଂହଦ୍ୱାରକୁ ଲାଗି ଭିତରକୁ ଉଆସ ତିନି ପ୍ରସ୍ତ । ସିଂହଦ୍ୱାର ପ୍ରାଚୀରକୁ ଲାଗି ଦୁଇଗୋଟା ବଡ଼ ବଡ଼ ଘର । ଏହି ଦୁଇ ଘର ନାନାରୂପ ଅସ୍ତ୍ରରେ ପରିପୂର୍ଣ୍ଣ । ଏହାହିଁ ଦୁର୍ଗର ଅସ୍ତ୍ରାଗାର । ସେହି ଘର ଉତ୍ତାରେ ଅଗଣା-ଅଗଣା ଚାରିପାଖରେ ଘର । ଦକ୍ଷିଣପାଖ ବଡ଼ ମେଲା ଘରେ ମାନଧାତାଙ୍କର ବାହାର ବିଜେ ଦରବାର । ଦ୍ୱିତୀୟ ପ୍ରସ୍ତକୁ ଯିବା ଦ୍ୱାରରେ ପାଇକ ପହରା । ଦ୍ୱିତୀୟ ପ୍ରସ୍ତ ମଝି ଅଗଣା ଚତୁର୍ଦ୍ଦିଗରେ ଘର–ଅଧିକାଂଶ ସରଘର । ଛାମୁ ପାଞ୍ଜିଆ, ଉଆସ ପାଞ୍ଜିଆମାନଙ୍କ କଚେରି ଘର ଏବଂ ପ୍ରଶସ୍ତ ଘରଟି ମାନଧାତାଙ୍କର ନିରୋଳା ଦରବାର ଘର । ଏହିଠାରେ ଶ୍ରୀଛାମୁ ସର୍ବଦା ବିଜେଥାନ୍ତି । ବିଶେଷ ବିଶେଷ ଦିନ, ବିଶେଷ ବିଶେଷ ଘଟଣାରେ ଶ୍ରୀଛାମୁ ବାହାର ଦରବାରକୁ ବିଜେ କରନ୍ତି । ତୃତୀୟ ପ୍ରସ୍ତ ରାଣୀହଂସପୁର । ଏହି ପ୍ରସ୍ତକୁ ଯିବାକୁ ଦୁଇଗୋଟା ଦ୍ୱାର । ପ୍ରଥମ ଦ୍ୱାରରେ ବୁଢ଼ା ପଢ଼ିଆରୀ, ଦ୍ୱିତୀୟ ଦ୍ୱାରରେ ପୋଇଲି ପହରା । ରାଣୀହଂସପୁର ମଧ୍ୟରେ ଅନେକ ଘର । ସେଥିମଧ୍ୟରୁ ଆଗଦଲାଣିଆ ବଡ଼ ବଡ଼ ତିନିଗୋଟା ଘରେ ଶ୍ରୀଛାମୁଙ୍କ ପହଡ଼, ଠା-ବିଜେ, ଭିତରବିଜେ ସମସ୍ତ କାର୍ଯ୍ୟ ଚଳେ ।

 

ରାୟବଣିଆ ଦୁର୍ଗ ସହିତ ଦୁର୍ଗାଧିପତିଙ୍କ ଗୌରବ ଉତ୍କଳଖଣ୍ଡରେ ଖ୍ୟାତିଲାଭ କରିଥିଲା-। ଉପଯୁକ୍ତ ଦୁର୍ଗରେ ଉପଯୁକ୍ତ ଲୋକ ଆଧିପତ୍ୟ ସ୍ଥାପନ କରିଥିଲେ । କେବଳ ଗୋଟିଏ ବିଷୟରେ ଅଭାବ ଥିଲା । ଜଗନ୍ନିୟନ୍ତା ଜଗଦୀଶ୍ୱର ନିରବଚ୍ଛିନ୍ନ ସୁଖ କାହାରି ଅଦୃଷ୍ଟରେ ଲେଖି ନାହାନ୍ତି । ଧନ, ଜନ, ସ୍ୱାସ୍ଥ୍ୟ, ଆଧିପତ୍ୟ, ଖ୍ୟାତି କୌଣସି ଗୋଟିଏ ପ୍ରକାରର ଅଭାବ ହେଲେ ମାନବ ଦୁଃଖୀ । ଆମ୍ଭମାନଙ୍କ ମାନଧାତା ଅଦ୍ୱିତୀୟ ଭାଗ୍ୟବନ୍ତ ଲୋକ । ସୁଗଠିତ ବପୁ, ସୁସ୍ଥଶରୀର, ସର୍ବପ୍ରକାର ଅସ୍ତ୍ରଚାଳନା ଏବଂ ହସ୍ତୀ ଅଶ୍ୱ ଆରୋହଣ ବିଷୟରେ ବାଛିବାକୁ ଲୋକ ନାହିଁ । ଅତୁଳ ସମ୍ପତ୍ତି, ନିରଙ୍କୁଶ ଆଧିପତ୍ୟ, ଅନିନ୍ଦ୍ୟ ନିଷ୍କଳଙ୍କ ଚରିତ୍ର, ମାନବବାଞ୍ଛିତ ସର୍ବପ୍ରକାର ଐଶ୍ୱର୍ଯ୍ୟ ପ୍ରତୁଳ । ଗୋଟିଏ ଦୁଃଖ, ବିଶେଷ ଦୁଃଖ–ବଂଶଧରର ଅଭାବ । ଏହି ଅତୁଳ ସମ୍ପତ୍ତି ଭୋଗ କରିବା ନିମନ୍ତେ ପଛକୁ କେହି ନାହିଁ । ମାନବ ସମସ୍ତ ଜୀବନରେ ବହୁ ଆୟାସୋପାର୍ଜିତ ସମସ୍ତ ସମ୍ପତ୍ତି ଯାହା ହସ୍ତରେ ସମର୍ପଣ କରି ପୃଥିବୀରୁ ବିଦାୟ ଗ୍ରହଣ କରି ଆପଣାକୁ ଧନ୍ୟ ମନେକରେ, ନିତାନ୍ତ ମାନବଦ୍ୱେଷୀ ପରଶ୍ରୀକାତର ଲୋକ ମଧ୍ୟ ଧନ, ମାନ, ବିଦ୍ୟା, ବୁଦ୍ଧିରେ ଯାହାକୁ ଆପଣାଠାରୁ ଶ୍ରେଷ୍ଠତର ଦେଖିଲେ ତପସ୍ୟାର ଫଳ, ଦୟାମାୟା ପ୍ରଭୁଙ୍କ ପୁଞ୍ଜୀକୃତ କଲ୍ୟାଣ ବୋଲି ଜ୍ଞାନ କରେ, ଅଧିକ କଣ, ଯାହାର ବଦନ ମାତ୍ର ଦର୍ଶନରେ ମାନବ ସମସ୍ତ ଦୁଃଖ ବିସ୍ମୃତ ହୋଇଯାଏ । ଯାହା ପାଇଁ ମାନବ ଆପଣା ପ୍ରିୟତମ ପ୍ରାଣ ମଧ୍ୟ ବିସର୍ଜନ କରିବାକୁ ପ୍ରସ୍ତୁତ, ସେହି ପୁତ୍ର ଯାହାର ନାହିଁ, ମାନବବାଞ୍ଛିତ ସର୍ବେଶ୍ୱର୍ଯ୍ୟ ଲାଭ କରିଥିଲେ ମଧ୍ୟ ସେ ଦୁଃଖୀ । ଯେଉଁ ଘରେ ପୁତ୍ର ନାହିଁ, ସେ ଘର ଶୂନ୍ୟ । ଯେମନ୍ତ କି ଚନ୍ଦ୍ରହୀନ ଗଗନମଣ୍ଡଳ, ଯେମନ୍ତ କି ପୁଷ୍ପହୀନ ଉଦ୍ୟାନ, ଯେମନ୍ତ କି ଗନ୍ଧହୀନ ପୁଷ୍ପ, ଯେମନ୍ତ କି ନେତ୍ରହୀନ ଲାବଣ୍ୟ । ବେଦକାବ୍ୟ ‘‘ଆତ୍ମବୈ ପୁତ୍ରନାମାସି’’–ଏହା ଉପରେ ଅନ୍ୟ କଥା ନାହିଁ । ଅନେକ ନରପତି ଆତ୍ମକୃତ ଅପରାଧ ହେତୁ ହୀନବଂଶ ହୋଇ ପଡ଼ିବାର ଦେଖାଯାଏ । ମାତ୍ର ଆମ୍ଭମାନଙ୍କ ମାନଧାତାଙ୍କୁ ସେପରି କିଛି ଦୋଷ ସ୍ପର୍ଶ କରି ନ ଥିଲା । ରାଜନ୍ୟମଣ୍ଡଳୀରେ ଈଦୃଶ ଚରିତ୍ରବାନ, ଏପରି ଏକ ପତ୍ନୀବ୍ରତ ବ୍ୟକ୍ତି ନିତାନ୍ତ ବିରଳ । ତଥାପି ସେ ନିଃସନ୍ତାନ । ବିଧାତାଙ୍କ ବିଚିତ୍ର ବିଧାନର ମର୍ମଭେଦ କରିବା ମାନବର ସାଧ୍ୟତୀତ । ଲୋକେ ତାହାକୁ ଦୁର୍ଭାଗ୍ୟ ଜ୍ଞାନ କରନ୍ତୁ, ମାତ୍ର ସେ ଆପେ ଆପଣର ଭାଗ୍ୟନିନ୍ଦୁକ ନ ଥିଲେ । ସେଥିର କାରଣ, ମହାଦେବୀଙ୍କର ସୁମଧୁର କାର୍ଯ୍ୟକଳାପ ।

 

ମହାଦେବୀ ମାନଧାତାଙ୍କର ଏକମାତ୍ର ସହଧର୍ମିଣୀ-ଫୁଲଦେଈ, ଫୁଲଦେଈ ବୋଲି କେହି ନ ଥିଲେ । ଦୁର୍ଗେଶ୍ୱରୀଙ୍କ ଉପାଧି ମହାଦେବୀ ବା ମହାଦେଈ । ପ୍ରକୃତପକ୍ଷେ ଗୁଣ ଏବଂ କାର୍ଯ୍ୟରେ ସେ ମହାଦେବୀ ଥିଲେ । ଅନ୍ଧର ନାମ ପଦ୍ମଲୋଚନ ପରି ତାଙ୍କର ଗୁଣ ସହିତ ନାମର ଅସାମଞ୍ଜସ୍ୟ ନ ଥିଲା । ରାୟବଣିଆ ଉଆସ ମଧ୍ୟରେ ନାନା ପାଟକ, ନାନା ଶ୍ରେଣୀ ନାନା ଚରିତ୍ରବିଶିଷ୍ଟା, ନାନାବୟସ୍କା ସ୍ତ୍ରୀପରିଜନ ଅଢ଼ାଇ ପଣରୁ ଊଣା ନୁହେଁ । ମାତ୍ର ମାନଧାତାଙ୍କ ସହିତ ଏମାନଙ୍କ ସମ୍ପର୍କ ବିରଳ । ସମସ୍ତେ ମହାଦେବୀଙ୍କ ଖଟଣି ପରିଜନ । ମାନନୀୟ ପୂଜନୀୟା ମହାଦେବୀଙ୍କ ସେବିକାମାନଙ୍କୁ କି ପୋଇଲୀ ବୋଲାଯିବ ? ସୁତରାଂ ସେମାନଙ୍କର ଉପାଧି ପରିଜନ । ଆମ୍ଭେମାନେ ମଧ୍ୟ ଏହି ନାମ ବୋଲିବାକୁ ବାଧ୍ୟ । ଆଉ ଗୋଟିଏ କଥା-ସତ୍ୟ କଥା, ନାମରେ ସେମାନେ ଛତିଶା ନିଯୋଗରେ ବିଭକ୍ତ ଥିଲେ; ମାତ୍ର ଏମାନଙ୍କ ସେବାରେ ମହାଦେବୀଙ୍କ ସମୟ ଅପ୍ରତୁଳ ହୁଏ । କିଏ ଖାଇଲା, କିଏ ଉପାସ ରହିଲା, କିଏ ଋଷି ବସିଛି, କାହାର ଲୁଗା ନାହିଁ, କାହାର ଓୌଷଧ ଲୋଡ଼ା କିଏ କାହା ସହିତ କଳି କଲା, ଏହି ସମସ୍ତ କଥା ବୁଝୁଁ ବୁଝୁଁ ଦିନ ଯାଏ ।

 

ମହାଦେବୀ ବଂଶୋଚିତା ପଦୋଚିତା ସୁନ୍ଦରୀ ଥିଲେ-ଦେଖିଲେ ଦେବୀପ୍ରତିମା ବୋଲି ବିଶ୍ୱାସ ଜନ୍ମେ । ଯେଉଁ ସୌନ୍ଦର୍ଯ୍ୟ ଭକ୍ତି ଶ୍ରଦ୍ଧା ଆକର୍ଷଣ କରେ, ଯେଉଁ ସୌନ୍ଦର୍ଯ୍ୟ ଦେଖିଲେ ମାନବ ପ୍ରଣତ ହେବାକୁ ଇଚ୍ଛା କରେ, ମହାଦେବୀଙ୍କ ସୌନ୍ଦର୍ଯ୍ୟ ସେହିପରି । ତାଙ୍କର ଶାରୀରିକ ସୌନ୍ଦର୍ଯ୍ୟ ସହିତ କାର୍ଯ୍ୟ ଏବଂ ଚରିତ୍ରର ଅସାମଞ୍ଜସ୍ୟ ନ ଥିଲା । ଲୋକରେ ପ୍ରକାଶ, ତାଙ୍କପରି ଦାନଶୀଳା ଦୟାବତୀ ପରୋପକାରିଣୀ ସ୍ତ୍ରୀ ଜଗତରେ ଦୁର୍ଲଭ । ମହାଦେବୀ ସନ୍ତାନସନ୍ତତିବିହୀନା । ହିନ୍ଦୁ କୁଳରେ ଚତ୍ୱାରିଂଶଦ୍ ବୟସ୍କା ରମଣୀ ବୃଦ୍ଧାଶ୍ରେଣୀରେ ଗଣନୀୟା । କୌଣସି କୌଣସି ଦୁରାକାଂକ୍ଷିଣୀ ବନ୍ଧ୍ୟା ଏପରି ପରିଣତ ବୟସରେ ମଧ୍ୟ ସନ୍ତାନ କାମନାରେ ବାରବ୍ରତ ଅନୁଷ୍ଠାନ କରିଥିାନ୍ତି । ମାତ୍ର ଆମ୍ଭମାନଙ୍କ ମହାଦେବୀଙ୍କ ମନରେ ସେପରି ଭାବ ଉଦିତ ହେବାର କେହି କେବେ ଦେଖି ନାହିଁ ! ପରିଜନ ପରିଚର୍ଯ୍ୟା ଏବଂ ସ୍ୱାମୀ ସେବାକୁ ସେ ଜୀବନରେ ବ୍ରତ ବୋଲି ମଣୁଥିଲେ । ଓଷା ବ୍ରତ ଅନୁଷ୍ଠାନ ତ ହିନ୍ଦୁକୁଳରେ ନୈମିତ୍ତିକ କାର୍ଯ୍ୟ ମଧ୍ୟରେ ଗଣ୍ୟ । ସାବିତ୍ରୀ ନାନୀ ପ୍ରତିଦିନ ରାତ୍ରି ପହରେକ ସମୟରେ ଶ୍ରୀ ଶ୍ରୀ ମାନଧାତାଙ୍କ ଗମ୍ଭିରୀବିଜେ ପୂର୍ବେ ଦୁଇ ଅଧ୍ୟାୟ ଶ୍ରୀମଦ୍‍ ଦ୍ଭାଗବତ ଶୁଣାଏ, କେବଳ ଗୁରୁବାର ଦିନ ଗ୍ରନ୍ଥ ଗାଦିରେ ଭୋଗ ଦେଇ ଆଳତି କରି ଚାଲିଯାଏ ।

 

ନିମ୍ନଶ୍ରେଣୀ ଦାସୀପଲ ସହିତ ଅଳିଆ ଏବଂ କଳିର କେମନ୍ତ ଗୋଟାଏ ନିତ୍ୟ ସମ୍ବନ୍ଧ ଥିଲା ପରି ଜଣାଯାଏ । ମାତ୍ର ମହାଦେବୀଙ୍କ ଶାସନ ଏବଂ ତୀକ୍ଷ୍‌ଣ ଦୃଷ୍ଟି ହେତୁରୁ ଏହି ସାଧାରଣ ନିୟମ ବ୍ୟର୍ଥ ହୋଇଥିଲା । କଦାଚିତ୍‌ ପରିଜନମାନଙ୍କ ମଧ୍ୟରେ କଳିକନ୍ଦଳ ହୋଇପଡ଼େ । ମହାଦେବୀଙ୍କ କର୍ଣ୍ଣଗୋଚର ହେବା ମାତ୍ରକେ କାହାକୁ କିଛି ନ କହି କଳି ସ୍ଥାନରେ ଛିଡ଼ା ହୋଇଗଲେ ସବୁ କଳି ମେଣ୍ଟିଯାଏ । ମହାଦେବୀଙ୍କ ଶ୍ରୀମୁଖରୁ କର୍କଶ କଥା କେହି କେବେ ଶୁଣି ନାହିଁ । କ୍ରୋଧର ନାନା କାରଣ ବିଦ୍ୟମାନ ଥିଲେ ସୁଦ୍ଧା ତାଙ୍କର କ୍ରୋଧ ଜାତ ହୁଏ ନାହିଁ; ମାତ୍ର ସମସ୍ତେ ତାଙ୍କୁ ଭୟ କରନ୍ତି ଏବଂ ଭୟରେ ଆପଣା ଆପଣା କାର୍ଯ୍ୟରେ ତ୍ରୁଟି କରିବାକୁ ସାହସ କରନ୍ତି ନାହିଁ । ଶ୍ରୀମତି ମହାଦେବୀ ପ୍ରତିଦିନ ସକାଳେ ଉଆସର ସର୍ବସ୍ଥାନରେ ଭ୍ରମଣ କରି ଦେଖନ୍ତି, କାହାରି ଦୁଆରେ ବା କୌଣସି ସ୍ଥାନରେ ଅଳିଆଟିଏ ପଡ଼ିଥିଲେ ଆପେ ଛାଞ୍ଚୁଣି ମୁଠାଟା ଧରି ଓଳେଇ ବସନ୍ତି । ତାଙ୍କର ଛାଞ୍ଚୁଣିଧରା ସାର ହୁଏ, ଆଉ ଚାରିଜଣ ବାହାରିପଡ଼ି ଛାଞ୍ଚୁଣି ଛଡ଼େଇ ନେଇ ଓଳେଇ ଦିଅନ୍ତି । ତ୍ରୁଟିକାରିଣୀ ଆପଣାକୁ ଆପେ ଶଙ୍କିଯାଏ କିମ୍ବା ଅନ୍ୟ ଦ୍ୱାରା ଲଞ୍ଛିତା ହୁଏ । ପରିଜନମାନଙ୍କର ସ୍ୱତନ୍ତ୍ର ଗୃହ ଏବଂ ସ୍ୱତନ୍ତ୍ର ସ୍ୱତନ୍ତ୍ର ରୋଷେଇ । କେଉଁ ଘରେ ଚାରି ପାଞ୍ଚ ଜଣଙ୍କର ଏକା ରୋଷେଇ । ସମସ୍ତଙ୍କ ଘର ଲିପାପୋଛା, ଦୁଆରେ ଝୋଟି । ଗୁରୁବାର, ସଂକ୍ରାନ୍ତି, ପୂର୍ଣ୍ଣିମାରେ ଲିପାପୋଛା ଏବଂ ଝୋଟି ଦେବା ବିଧି ।

 

ନିଷ୍କର୍ମା ଲୋକଙ୍କୁ ଶୟତାନ ଆପଣା କର୍ମରେ ଲଗାଏ, ମହାଦେବୀ ଏ କଥାଟା ଭଲରୂପେ ଜାଣିଥିଲେ । ଆପେ ଯେମିତି ନିରଳସ, ସମସ୍ତଙ୍କୁ ସେହିପରି କରିବାକୁ ଇଚ୍ଛା । ସମସ୍ତଙ୍କର ଖଟଣି ବଣ୍ଟା ଥିଲା । ପଡ଼ି ସକାଶେ ଚାଉଳ ବଦଳରେ ଧାନର ବନ୍ଦୋବସ୍ତ କରି ଦେଇଥିଲେ । ସମସ୍ତଙ୍କୁ ଆପଣା ଆପଣା ଧାନ କୁଟି ନେବାର ଆଜ୍ଞା ଥିଲା । ଉପରଓଳି ବୃଦ୍ଧାମାନେ ତୁଳସୀ କଣ୍ଠିଟି ଧରି ପୁରାଣ ଶୁଣି ବସନ୍ତି । ପ୍ରତି ମନ୍ଦିର ଅଗଣାରେ ପୁରାଣପାଠ ହୁଏ-। ପୁରାଣ ପଣ୍ଡିଆଣୀ ନାନୀ ନିଯୁକ୍ତି ଥିଲେ । ଫୁଲ ତୋଳିବା, ମାଳି ଗୁନ୍ଥିବା, ଫୁଲ ଗଛରେ ପାଣି ଦେବା, ଯୁବତୀ ସ୍ତ୍ରୀ ଲୋକମାନଙ୍କର ସାୟାହ୍ନିକ କାର୍ଯ୍ୟ ନିରୂପିତ ଥିଲା । ଦୁଇ ଚାରୋଟି ଟୋକୀ ମାଳି ଗୁନ୍ଥି ବସିଲେ ଗୀତ ଗାଇବା, ଗୀତ ଶିଖିବା ଆଉ ଗୋଟିଏ ଅଧିକ କାଯ୍ୟ ଆସି ପଡ଼େ । ପରିଜନମାନଙ୍କୁ ସୁନିୟମରେ ରଖିବା ନିମନ୍ତେ ମହାଦେବୀଙ୍କର ତୀବ୍ର ଶାସନ ନଥିଲା । ତାଙ୍କର ଦୟା, ତାଙ୍କର ମାୟା, ତାଙ୍କର ସମବେଦନା ସମସ୍ତଙ୍କୁ ଶୃଙ୍ଖଳାବଦ୍ଧ କରି ରଖିଥିଲା । ପରିଜନମାନେ ତାଙ୍କୁ ମାତା ରୂପେ, ଦେବୀରୂପେ ଭକ୍ତି କରୁଥିଲେ । ତାଙ୍କ ଆଜ୍ଞା ଲଘଂନ ବା ତାଙ୍କର ଅପ୍ରିୟ କାର୍ଯ୍ୟ କରିବାକୁ କେହି ସାହସ କରୁ ନଥିଲେ । ରାଣୀହଂସପୁର ଅଗଣା ମଧ୍ୟରେ ବେଣ୍ଟ ପୋଖରୀ ଚାରିପାଖ ମାଙ୍କଡ଼ା ପଥରବନ୍ଧା, ଚାରିପାଖରେ ପଥରବନ୍ଧା ଘାଟ, ପ୍ରତି ଘାଟ ଦୁଇ ପାଖରେ ଦୁଇଗୋଟା ପଥରବନ୍ଧା ତୁଳସୀ ଚଉରା, ଘାଟ ଦୁଇ ପାଖରେ ଚମ୍ପା ନାଗେଶ୍ୱର ଗଛ । ପୋଖରୀ ଆଡ଼ି ଚାରିପାଖରେ ମଲ୍ଲୀ , ଜାଈ, ଯୂଈ, ବାଖର, ଛୁରିଅନା, ଗଙ୍ଗଶିଉଳୀ, କରବୀର, ଅଶୋକ, ସେବତୀ, ନିଆଳୀ, କୁନ୍ଦ, କାମୋଦ ପ୍ରଭୃତି ନନାପ୍ରକାର ପୁଷ୍ପ ବୃକ୍ଷ ସୂତା ଧରା ପରି ଲଗା ହୋଇଛି । ଏହାଛଡ଼ା ଆଉ ଗୋଟି ତୁଳସୀ ଏବଂ ଫୁଲର କ୍ଷୁଦ୍ର ତୋଟା ଥିଲା । ଦେବପୂଜା ନିମନ୍ତେ ନାରୀମାନେ ସେହି ସ୍ଥାନରୁ ଫୁଲ ତୋଳି ନିଅନ୍ତି । ବୃକ୍ଷଗୁଡ଼ିକ ପ୍ରତି ମହାଦେବୀଙ୍କର ବିଶେଷ ଯତ୍ନ । କେହି ପାଣି ନ ପାଇଲା, ପ୍ରତିଦିନ ତନଖି କରନ୍ତି, ଗଛମୂଳରେ ଅଳିଆଟିଏ ବା ଘାସଟିଏ ରହେ ନାହିଁ । ଗଛଗୁଡ଼ିକ ପରିଜନମାନଙ୍କ ମଧ୍ୟରେ ବଣ୍ଟାଥିଲା । ମହାଦେବୀଙ୍କ ସନ୍ତୋଷ ସାଧନ ନିମନ୍ତେ ସମସ୍ତେ ଆପଣା ଆପଣା ଗଛକୁ ଯତ୍ନରେ ରଖୁଥିଲେ । ବେଣ୍ଟପୋଖରୀ ଚାରିପାଖରେ ଚାରିଗୋଟି ଦେଉଳ । ଦକ୍ଷିଣ ପାଖରେ ଗଡ଼ଚଣ୍ଡୀ ପୂର୍ବ ପାଖରେ ଗଡ଼େଶ୍ୱର ମହାଦେବ, ଉତ୍ତର ପାଖରେ ଦୁର୍ଗ, ଗଣେଶ, ବ୍ରହ୍ମା, କାର୍ତ୍ତିକ, ପଶ୍ଚିମ ଦିଗରେ ରାଧାକୃଷ୍ଣ ଯୁଗଳ, ଶାଳଗ୍ରାମ ଶିଳା, ପ୍ରଖ୍ୟାତ ଅଖ୍ୟାତନାମା ଅନେକ ଦେବବିଗ୍ରହ ବିରାଜିତ । ଦକ୍ଷିଣ ଘାଟରେ ମହାଦେବୀଙ୍କ ମାଜଣା ବଢ଼େ । ଗଡ଼ଚଣ୍ଡୀ ମନ୍ଦିରରେ ବସି ଦେବାର୍ଚ୍ଚନା ସାରନ୍ତି, ଆଉ ମନ୍ଦିରରେ ଦେବ ଦର୍ଶନ, ଚରଣୋଦକ ସେବା ଏବଂ ଧଣ୍ଡା ଲାଗି ହୋଇ ଆପଣା ସ୍ଥାନକୁ ବିଜେ କରନ୍ତି ।

 

ନିଜେ ମହାଦେବୀଙ୍କର କେତେଗୁଡ଼ିଏ ପକ୍ଷୀ ପୋଷା ଥିଲେ । ପରିଜନ, ବିଶେଷରେ ବୃଦ୍ଧାମାନେ ରାଧାକୃଷ୍ଣ ପଢ଼ାଇବା ସକାଶେ ସକାଶେ ସାରି, ଶୁଆ, ବଣି, ଅନେକଗୁଡ଼ିଏ ପକ୍ଷୀ ପୋଷିଥିଲେ । ପୋଷା ପକ୍ଷୀମାନଙ୍କର ବିବିଧ ପ୍ରକାର ଚିତ୍କାର, ସେମାନଙ୍କୁ ରାଧାକୃଷ୍ଣ ପଢ଼ାଇବା ପରିଜନମାନଙ୍କର ପରସ୍ପର ଆଳାପ, ସଙ୍ଗୀତ, ପ୍ରୟୋଜନୀୟ, ଅପ୍ରୟୋଜନୀୟ, ସାଧାରଣ କଥା ସମସ୍ତ ମିଶି ଉଆସ ମଧ୍ୟରୁ ସର୍ବଦା ତରଙ୍ଗିଣୀ ବିଚୀ-ବିକ୍ଷେପ-ଜାତ କଳକଳ-ନାଦବତ୍‌ ଗୋଟିଏ ବିମିଶ୍ର ନାଦ ବାହାରି ସ୍ଥିର ବାୟୁରାଶିକୁ ଆନ୍ଦୋଳିତ କରୁଥାଏ । ଉଆସ ମଧ୍ୟରେ ଅନ୍ୟ ପୁରୁଷଲୋକର ସଂପର୍କ ନ ଥିଲା । ଷଷ୍ଠିତମ ବୟସ୍କ ପଢ଼ିଆରୀମାନେ ଭିତର ବାହାର କର୍ଯ୍ୟ ସମ୍ପାଦନ କରୁଥିଲେ । ମାନଧାତାଙ୍କ ଭିତର ନୀତି ଠା-ସଜା, ଶେଯପଡ଼ା ପ୍ରକୃତି ସମସ୍ତ କାର୍ଯ୍ୟ ମହାଦେବୀ ସ୍ୱହସ୍ତରେ ସମ୍ପାଦନ କରନ୍ତି । ଅନ୍ୟ ଲୋକର ସେଥିରେ ହସ୍ତକ୍ଷେପ କରିବାକୁ ଅଧିକାର ନ ଥିଲା । ମାନଧାତାଙ୍କ ଠା ସମାପ୍ତି ପର୍ଯ୍ୟନ୍ତ ମହାଦେବୀଙ୍କର ଜଳସ୍ପର୍ଶ ପର୍ଯ୍ୟନ୍ତ ହୋଇ ନ ଥାଏ । ସ୍ୱାମୀଙ୍କ ଭୋଜନ ଉତ୍ତାରେ ସେହି ଠା-ସଜାର ପରିତ୍ୟକ୍ତ ପ୍ରସାଦ ମାତ୍ର ସେବା କରନ୍ତି । ଆହୁରି ମଧ୍ୟ ଦେଖାଯାଏ, ଯେଉଁ ବ୍ୟଞ୍ଜନ ବା ଯେଉଁ ଖାଦ୍ୟରେ ମାନଧାତାଙ୍କର ହସ୍ତସ୍ପର୍ଶ ହୋଇ ନ ଥାଏ, ତାହା ପ୍ରାୟ ଠା–ଗୋଟାଳିର ଅଧିକାରଭୁକ୍ତ ହୁଏ । ମହାଦେବୀ କୌଣସି ପ୍ରକାର ସ୍ୱାମୀ-ଆଜ୍ଞା ଲଘଂନ କରୁ ନ ଥିଲେ; କେବଳ ଗୋଟିଏ ବିଷୟରେ ନିତାନ୍ତ ଅବାଧ୍ୟ ଥିଲେ । ମାନଧାତାଙ୍କ ବିଶେଷ ନିଷେଧସତ୍ତ୍ୱେ ସେ ଦୁଇ ତିନି ଦଣ୍ଡ ସ୍ୱାମୀ ପଦସେବା ନ କରି ପହଡ଼କୁ ବିଜେ ହେଉ ନ ଥିଲେ । ମହାଦେବୀଙ୍କର ଦେବତା ବ୍ରାହ୍ମଣଠାରେ ଅଚଳା ଭକ୍ତି ଥିଲା । ଏପରି ସାର୍ବଜନୀନ ପ୍ରେମ ସ୍ନେହ ମଧ୍ୟ ସାଧାରଣ ଲୋକଠାରେ ଲକ୍ଷିତ ହୁଏ ନାହିଁ, ମାତ୍ର ତାଙ୍କର ଆନ୍ତରିକ ସମସ୍ତ ଭକ୍ତି, ସମସ୍ତ ପ୍ରେମ, ସମସ୍ତ ସ୍ନେହ ସ୍ୱାମୀ ପ୍ରତି ପ୍ରୟୋଗ କରୁଥିଲେ । ପତି ତାଙ୍କର ଧ୍ୟାନ, ପତି ଜ୍ଞାନ, ପତି ଇଷ୍ଟଦେବତା, ପତି ଜପମନ୍ତ୍ର-ପତିଙ୍କୁ ସର୍ବସ୍ୱ କରି ମଣୁଥିଲେ । ତାଙ୍କର ଦେବସେବା ପତି-ହିତ–କାମନାରେ, ଗାର୍ହସ୍ଥ୍ୟ କାର୍ଯ୍ୟ ସ୍ୱାମୀଙ୍କ ସନ୍ତୋଷସାଧନ ନିମନ୍ତେ, ପରିଜନମାନଙ୍କୁ ସୁଖସ୍ୱାଚ୍ଛନ୍ଦ୍ୟରେ ରଖୁଥିଲେ, କାରଣ ସେମାନଙ୍କ ସ୍ୱାମୀଙ୍କ ଦାସୀ ରାଣୀହଂସପୁର ପରିଷ୍କୃତ ପରିଚ୍ଛନ୍ନ ରଖୁଥିଲେ ସ୍ୱାମୀ ବିଜେ ହେବା ନିମନ୍ତେ । ସଂକ୍ଷେପରେ ଏତିକି ବୋଲାଯାଇପାରେ, ମହାଦେବୀ ଆପଣାର ସ୍ୱାତନ୍ତ୍ର୍ୟ ହୃଦୟଙ୍ଗମ କରୁ ନ ଥିଲେ । ତାଙ୍କର ଧ୍ରୁବ ସିଦ୍ଧାନ୍ତ ଥିଲା ଯେ, ମନ ପ୍ରାଣ ଶରୀର କାର୍ଯ୍ୟ ସୁଖସ୍ୱାଚ୍ଛନ୍ଦ୍ୟ ଧନସମ୍ପତ୍ତି ସମସ୍ତ ଦ୍ରବ୍ୟରେ ସ୍ୱାମୀ ଅଧିକାରୀ, ନିର୍ମଳ ନିଷ୍କଳଙ୍କ ସରଳ ଭାବରେ ସ୍ୱାମୀଙ୍କୁ ଅର୍ପଣ କରିବା ତାଙ୍କର ଏକମାତ୍ର କାର୍ଯ୍ୟ । ପକ୍ଷାନ୍ତରେ ମାନଧାତା ମଧ୍ୟ ସେହିପରି ଗ୍ରାହକ ଥିଲେ । ରାଜନ୍ୟ ମଣ୍ଡଳୀରେ ଏପରି ଦାମ୍ପତ୍ୟ ପ୍ରେମ ବିରଳ ଦୃଷ୍ଟିଗୋଚର ହୁଏ-। ଶାନ୍ତି ଏବଂ ସୁଖ ସାଧନ ନିମନ୍ତେ ପରସ୍ପର ସଯତ୍ନ ଥିବାରୁ ଉଭୟେ ଅପୂର୍ବ ସ୍ୱର୍ଗୀୟ-ସୁଖ ଅନୁଭବ କରୁଥିଲେ । ଏତିକି କହିଲେ ପର୍ଯ୍ୟାପ୍ତ ହେବ ଯେ, ଏହି ରାଜଦମ୍ପତି ଭିନ୍ନ ଶରୀର, ଏକପ୍ରାଣ, ଏକମନ ଥିଲେ । ଏପରି ଶାନ୍ତି, ଏପରି ଦେବବାଞ୍ଛିତ ସୁଖ, ଏପରି ପବିତ୍ର ଭାବ ଆଧିପତ୍ୟଜାତ କାମନାବଳୀ; ସର୍ବପ୍ରକାର ଇନ୍ଦ୍ରିୟସେବ୍ୟ ବିଳାସ ସାମଗ୍ରୀର ପୂର୍ଣ୍ଣସ୍ଥଳୀ, ସର୍ବପ୍ରକାର କାମ୍ୟବସ୍ତୁରେ ପରିପୂର୍ଣ୍ଣ ଭଣ୍ଡାର ରାଜଅନ୍ତଃପୁରରେ ସଚରାଚର ଦୃଷ୍ଟିଗୋଚର ହୁଏ ନାହିଁ ।

 

ପୂଣ୍ୟବତୀ ଗୁଣବତୀ ଶାନ୍ତିମୟୀ ମହାଦେବଙ୍କ ହେତୁରୁ ମାନଧାତାଙ୍କର ଅନ୍ତଃପୁର ସ୍ୱର୍ଗଧାମ ଥିଲା । ଏହି କାରଣରୁ ଏହି ଦମ୍ପତି ଅପତ୍ୟାଭାବଜନିତ କ୍ଳେଶ ଅନୁଭବ କରିବାକୁ ଅବସର ପାଉ ନଥିଲେ ।

Image

 

–୭–

ପରିବର୍ତ୍ତନ

 

ଲୋକେ ବୋଲନ୍ତି, ଦିନ ଯାଉଛି, ଦିନ ରହୁନାହିଁ । ମାତ୍ର ଦିନ କିପରି କାହିଁଗଲା ? ଦିନ ଉତ୍ତାରେ ଦିନ, ମାସ ଉତ୍ତାରେ ମାସ, ଋତୁ ଉତ୍ତାରେ ଋତୁ, ବର୍ଷ ଉତ୍ତାରେ ବର୍ଷ ପରିବର୍ତ୍ତନ ମାତ୍ର । ଯେଉଁ ସୂର୍ଯ୍ୟ ଆଜି ଗସ୍ତ ଗଲା କାଲି ପୁନର୍ବାର ଉଦିତ ହେବ, ଏହି ପରିବର୍ତ୍ତନରେ ଦିବାରାତି । ଦିନ ଯାଉ ନାହିଁ–ଦିବାରାତ୍ରି ପରିବର୍ତ୍ତନ ମାତ୍ର । ସୃଷ୍ଟିର ଆଦିମ କାଳରେ ଯେଉଁ ଦିବା ଯେଉଁ ରାତ୍ରି ଥିଲା, ସେହି ଦିବା ସେହି ରାତ୍ର ଆଜି ଅଛି, ଅନନ୍ତକାଳ ଥିବ । କୁରାଳଚକ୍ର କାହିଁ ଯାଏ ନାହିଁ, ସ୍ୱସ୍ଥାନରେ ରହି ପରିବର୍ତ୍ତନ ଦ୍ୱାରା ଅସଂଖ୍ୟ ଅସଂଖ୍ୟ ଭାଣ୍ଡ ପ୍ରସ୍ତୁତ କରାଏ । ଦିନ ଯାଉନାହିଁ, ଯାଉଅଛୁଁ ଆମ୍ଭେମାନେ, ଯାଉଅଛ ତୁମ୍ଭେମାନେ, ଯାଉଅଛନ୍ତି ଜଗତ ପ୍ରାଣୀପ୍ରବାହ । ଆମ୍ଭମାନଙ୍କର ବାଲ୍ୟ, କୈଶୋର, ଯୌବନ, ବାର୍ଦ୍ଧକ୍ୟ ସୁଖ, ଦୁଃଖ, ଧନ, ସମ୍ପତ୍ତି, ଖ୍ୟାତି, ପ୍ରତିପତ୍ତି, ଅଧିକ କି ପ୍ରାଣ ପର୍ଯ୍ୟନ୍ତ କ୍ରମଶଃ ପ୍ରଳୟପୟୋଧି ଆଡ଼କୁ ଅବିଶ୍ରାନ୍ତ ଧାବିତ ହେଉଅଛି । ଦିବା ଏବଂ ରାତି ଦୁଇଗୋଟି ଚକି । ଏହି ଦୁଇ ଚକି ମଧ୍ୟରେ ପଡ଼ି, ଶସ୍ୟରୂପ ପ୍ରାଣୀମାନେ ପିଷ୍ଟ ହୋଇ ଯାଉଅଛନ୍ତି-। ପ୍ରତି ମୁହୂର୍ତ୍ତରେ ଅବସ୍ଥାନ୍ତର ଘଟିବା ଅନନ୍ତ ମହାପୁରୁଷଙ୍କର ଅନନ୍ତ ବ୍ରହ୍ମାଣ୍ଡରେ ସନାତନ ବିଧି । ହେ ଧନଗର୍ବିତ କ୍ଷମତାଶାଳୀ ଆଧିପତ୍ୟୋନ୍ମତ୍ତ ପୁରୁଷ ! ଜଗତର ଏହି ଦୁର୍ଲ୍ଲଘଂନୀୟ ପ୍ରତ୍ୟକ୍ଷ ନିୟମ ବିସ୍ତୃତ ହୋଇଯାଅ ନାହିଁ । ହେ ବିପଦଗ୍ରସ୍ତ ସର୍ବସ୍ୱାନ୍ତ ମନୁଷ୍ୟ ! ନିଶ୍ଚୟ ଜାଣ, ଅବସ୍ଥାର ପରିବର୍ତ୍ତନ ଘଟେ । ହେ ରୋଗବ୍ୟାକୁଳ ଯନ୍ତ୍ରଣାପୀଡ଼ିତ ସଂସାରବିରାଗୀ ମାନବ ! ମନେକର, ପୀଡ଼ାର ପରିଣାମ ଅଛି । ଆଉ ଗୋଟିଏ କଥା, ଅର୍ଥନାଶ, ବନ୍ଧୁବିଚ୍ଛେଦ, ସ୍ୱାସ୍ଥ୍ୟହାନି, ଶତସହସ୍ରବିଧ ବିପଦ ଅପ୍ରତ୍ୟାଶିତରୂପେ ଅଲକ୍ଷ୍ୟ ସୂତ୍ର ଅବଲମ୍ବନ ପୂର୍ବକ ଆମ୍ଭମାନଙ୍କ ଉପରେ ନିପତିତ ହେଉଅଛି । ଆକାଶରୁ ଜଳବିନ୍ଦୁ ପତିତ ହୋଇ ସ୍ରୋତରୂପେ ଅନନ୍ତ ସିନ୍ଧୁ ଗର୍ଭକୁ ଭାସିଗଲା ପରି ସମସ୍ତ ଚାଲି ଯାଉଅଛି, ମାତ୍ର ଯାହା ଗଲା ତାହା ଗଲା, ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବ ନାହିଁ । ଆମ୍ଭମାନଙ୍କ ଜୀବନରେ ପ୍ରତିନିୟତ ଯେଉଁ ସମସ୍ତ ଦାରୁଣ ଯନ୍ତ୍ରଣାଦାୟକ ଘଟନାମାନ ସଂଘଟିତ ହେଉଅଛି, ସେ ସମସ୍ତ ଯେବେ ହୃଦୟରେ ଗ୍ରଥିତ କରି ରଖୁଁ, ତେବେ ଜୀବନ ନିତାନ୍ତ, କଷ୍ଟମୟ, ଦୁର୍ବହ ଭାରସ୍ୱରୂପ ହୋଇପଡ଼ିବ । ସୁଖଦୁଃଖର ପାର୍ଥକ୍ୟ ଅନୁଭବ ନିମନ୍ତେ ଅନନ୍ତ କୌଶଳୀ ଭଗବାନ ବିସ୍ମୃତି ରୂପ ଏକ ଆବରଣ ସୃଷ୍ଟି କରି ରଖିଅଛନ୍ତି । ବିବିଧ କଷ୍ଟକର ଯନ୍ତ୍ରଣା ଦ୍ୱାରା ଆମ୍ଭମାନଙ୍କ ହୃଦୟ କ୍ଷତବିକ୍ଷତ ହୋଇଯାଏ । ସେହି କ୍ଷତ ସ୍ଥାନରେ ବିସ୍ମୃତିରୂପ ପ୍ରଲେପ ପଡ଼ି କ୍ରମଶଃ ସେହି ଯନ୍ତ୍ରଣାକୁ ଲଘୁ କରିଦିଏ । ଅବଶେଷରେ କ୍ଷତସ୍ଥାନର ଚିହ୍ନରୂପ ଘଟଣାଟି ମାତ୍ର ସ୍ମରଣ ଥାଏ, ତଜ୍ଜନିତ ଯନ୍ତ୍ରଣା ଅନୁଭୂତ ହୁଏ ନାହିଁ । ଏହି ଯେ ପୁତ୍ରଶୋକାତୁରା ଜନନୀ ଅନ୍ନଜଳ ବିସର୍ଜନ ପୂର୍ବକ ମରଣନିଶ୍ଚୟା ହୋଇ ବସିଅଛି, ଦିନେ ହେଲେ ତାହା ମୁଖରେ ହାସ୍ୟର ଚିହ୍ନ ଦେଖିବ । ହୃଦୟର ସର୍ବସମ୍ପତ୍ତି ପତି-ଦେବତାଙ୍କୁ ହରାଇ ବିଧବା ଜୀବନ ଧାରଣ କରି ରହେ, ଏହା ପ୍ରତ୍ୟକ୍ଷୀଭୂତ ବିଷୟ ଅଟେ । ଏହି ପରିବର୍ତ୍ତନଶୀଳ ଜଗତରେ କିଛି ହିଁ ସ୍ଥିର ନୁହେଁ ।

 

ଆମ୍ଭାମାନଙ୍କ ସେହି ବିଦେଶିନୀ ରମଣୀଟିର ଅବସ୍ଥା ବର୍ତ୍ତମାନ ଦେଖନ୍ତୁ । ପ୍ରଥମ ସେ ଚଳତ୍‌ଶକ୍ତିରହିତା, ବାକ୍‌ନିରୁଦ୍ଧା, ପ୍ରାୟ ସଂଜ୍ଞାହୀନା ଅବସ୍ଥାରେ ଥିଲା । ଆଜି ଛ’ ମାସ ମଧ୍ୟରେ ତାହାର ଅବସ୍ଥା କି ପ୍ରକାର ପରିବର୍ତ୍ତିତ ହୋଇଗଲାଣି । ପ୍ରଥମ ଦିନ ପୋଇଲୀମାନେ ସେହି ବିଦେଶିନୀକୁ ଉଆସ ମଧ୍ୟକୁ ଘେନିଗଲେ । ଦୟାବତୀ ମହାଦେବୀ ତାହାର ରୂପ, ତାହାର ଅବସ୍ଥା ଦେଖି ଏବଂ ତାହା ପ୍ରତି ଘଟିଥିବା କଥା ଶୁଣି କାନ୍ଦି ପକାଇଲେ ଏବଂ ସସ୍ନେହ ଭାବରେ ତାହା ଦେହରେ ହାତ ବୁଲାଇ ଅତି କୋମଳ, ଅତି ମଧୁର ଭାବରେ ସାନ୍ତ୍ୱନା ଦେବାକୁ ଲାଗିଲେ । ପଲକହୀନ ଅଶ୍ରୁହୀନ ନେତ୍ରରେ ସେହି ରମଣୀଟି ମହାଦେବୀଙ୍କ ମୁହଁକୁ ଚାହିଁ ରହିଥାଏ । ହୃଦ୍‍ଗତ ଭାବରେ ଛାୟା କିପରି ମୁଖ-ମୁକୁରରେ ପ୍ରତିବିମ୍ୱିତ ହୁଏ । ମହାଦେବୀଙ୍କର ସମବେଦନା ଅନୁଭବ କରି ସେଇ ସ୍ତ୍ରୀଲୋକଟି କାନ୍ଦିଲା–କେତେଦିନ ପର୍ଯ୍ୟନ୍ତ କିଛି ମାତ୍ର କଥା ନ କହି କେବଳ କାନ୍ଦୁଥାଏ-। ସେ କାନ୍ଦିଲେ ମହାଦେବୀ ତା ସାଙ୍ଗରେ କାନ୍ଦି ବସନ୍ତି । ବିଦେଶିନୀ ଏହା ଦେଖି କେବଳ ମହାଦେବୀଙ୍କ ମନତୁଷ୍ଟି ସକାଶେ ଧୈର୍ଯ୍ୟ ଧରି ରହେ, କଦାଚିତ୍‌ ମହାଦେବୀଙ୍କ ଅସାକ୍ଷାତରେ ବସି କାନ୍ଦେ । ଏଥି ସକାଶେ ମହାଦେବୀ ତାକୁ କାନି ଗଣ୍ଠିଲା କରି ରଖିଥାନ୍ତି । ବିଦେଶିନୀ ଆଉ ଏବେ କାନ୍ଦେ ନାହିଁ; ମାତ୍ର ତାହାର ଶରୀର ରକ୍ଷା ନିମନ୍ତେ କିଛି ମାତ୍ର ଯତ୍ନ ନାହିଁ । ମହାଦେବୀ ପାଖରେ ବସି ଅତି ଯତ୍ନରେ ଭୋଜନ କରାନ୍ତି । କେବଳ ସେ ଅନରୋଧରେ ଏବଂ ମହାଦେବୀଙ୍କ ତୁଷ୍ଟି ସାଧନ ନିମନ୍ତେ ଭୋଜନ କରେ । ପରିଜନମାନେ ଧରାଧରି କରି ତୈଳମର୍ଦ୍ଦନ କରିଦିଅନ୍ତି ଏବଂ ମୁଣ୍ଡ ବାନ୍ଧିଦିଅନ୍ତି । କେବଳ ସେ ସ୍ୱେଚ୍ଛାରେ ସିନ୍ଦୂର ଟିପାଟି ମୁଣ୍ଡରେ ଲଗାଏ । ମହାଦେବୀ ବର୍ତ୍ତମାନ ସ୍ୱୟଂ କିଛି କାର୍ଯ୍ୟ କରନ୍ତି ନାହିଁ, ସମସ୍ତ କାର୍ଯ୍ୟ ସେହି ବିଦେଶିନୀ ହାତର କରାଇ ନିଅନ୍ତି-। ବୋଧହୁଏ ତାକୁ ଅନ୍ୟମନସ୍କ କରାଇବା ଏଥିର ମୁଖ୍ୟ ଉଦ୍ଦେଶ୍ୟ । ଗନ୍ତାଘର, ଚାଙ୍ଗଡ଼ାଘର, ସରଘର ସମସ୍ତ କଞ୍ଚି ବର୍ତ୍ତମାନ ବିଦେଶିନୀ ଜିମାରେ । ମହାଦେବୀଙ୍କ ଦୃଢ଼ ଆଦେଶ ଅନୁସାରେ ନଅରର ଯାବନ୍ତ ଲୋକ ତାକୁ ଜେମାଦେଈ ମଣିମା ପରି ସମ୍ଭ୍ରମ କରନ୍ତି ଏବଂ ତାହାର ଆଜ୍ଞା ପାଳନ କରନ୍ତି । ସାଧାରଣରେ ଏପରି ଗୋଟାଏ ଧାରଣା ହୋଇଗଲାଣି, ମହାଦେବୀ ତାକୁ ଧର୍ମଝିଅ କରିଅଛନ୍ତି ବା କରିବେ । ବିଦେଶିନୀ ମନଧାତା ଦମ୍ପତ୍ତିଙ୍କୁ ମା-ବାପା ବୋଲି ଡାକେ ।

 

ଆମ୍ଭେମାନେ ଲୋକାୟତରେ ଶୁଣିଅଛୁଁ, ବିଦେଶିନୀ ମହାଦେବୀଙ୍କଠାରେ ଏହିପରି ଆତ୍ମପରିଚୟ ଦେଇଥିଲା–ତାହାର ନାମ ଲଚ୍ଛମା, ଘର ସିଂହାନ ଗ୍ରାମ, ଜିଲ୍ଲା ରୋହିଲାଖଣ୍ଡ, ଜାତିରେ କ୍ଷତ୍ରିୟ । ପିତାର ନାମ ଧେଉଁକଳ ସିଂ । ସେ ନିଜ କ୍ଷୁଦ୍ର ଗ୍ରମାରେ ଜମିଦାର । ପିତା ନିଃସନ୍ତାନ, ଏକମାତ୍ର ସେହି ଉତ୍ତାରାଧିକାରିଣୀ, ସ୍ୱାମୀସହ ପିତୃ ଗୃହରେ ବାସକରେ । ପରିଜନମାନେ ନିରୋଳାରେ କେତେଥର ତାହାର ସ୍ୱାମୀର ନାମ ପଚାରିଲେ ଲଛମା ଆକାଶକୁ ହାତ ବଢ଼ାଇ ଦେଇ ବସି କାନ୍ଦେ । ତାହାର କାନ୍ଦିବା ଦେଖି ଅଧିକ କିଛି ପଚାରିବାକୁ କେହି ସାହସ କରନ୍ତି ନାହିଁ । ସମସ୍ତେ ଅନୁମାନରେ ବୁଝିଥିଲେ, ତାହାର ସ୍ୱାମୀର ନାମ ଚନ୍ଦ୍ର, ସୂର୍ଯ୍ୟ ବା ତାରା ଏହି ପରି କିଛି ହେବ । ଆପେ ଧେଉଁକଳ ସିଂ ଅପୁତ୍ରକ । ଉପଯୁକ୍ତ ସମୟରେ କନ୍ୟାଗର୍ଭରୁ କିଛି ସନ୍ତାନ-ସନ୍ତତି ଜାତ ନ ହେବାରୁ କାମନା କରି ସପରିବାର ଜଗଦୀଶ ଦର୍ଶନକୁ ଆସିବା ସମୟରେ ଗୋଡ଼ିଖାଲଠାରେ ଯେଉଁ ବରଲାଭ କରିଥିଲେ, ପାଠକମାନଙ୍କଠାରେ ତାହା ଅବିଦିତ ନାହିଁ ।

 

ଲଚ୍ଛମା ବର୍ତ୍ତମାନ କାନ୍ଦେ ନାହିଁ ସତ୍ୟ, ମାତ୍ର ଧୂସର ମେଘାବୃତ ଚନ୍ଦ୍ରମା ପରି ତାହାର ମୁଖମଣ୍ଡଳ ସର୍ବଦା ମ୍ଳାନ ଦିଶୁଥାଏ । ମହାଦେବୀ ପ୍ରଥମେ ତାହାର ରୂପ ଦେଖି, ଅବସ୍ଥା ଶୁଣି ତାହାପ୍ରତି କରୁଣା ପ୍ରକାଶ କରୁଥିଲେ, ମାତ୍ର ବର୍ତ୍ତମାନ ତାହା ଗୁଣରେ ବାଧ୍ୟ ହୋଇଗଲେଣି । ଲଚ୍ଛମା ସୁଶୀଳା ଏବଂ ଅତ୍ୟନ୍ତ ଲଜ୍ଜାବତୀ । ସେ ଉଆସକୁ ଆସିଲା ଦିନଠାରୁ କୌଣସି ପ୍ରକାର ଅପ୍ରିୟ କାର୍ଯ୍ୟ କରି ନାହିଁ । ପରିଜନମାନେ ସର୍ବଦା ତାହା ପାଖରେ ଖଟି ରହିଥାନ୍ତି । କୌଣସି କାର୍ଯ୍ୟ ପଡ଼ିଲେ କାହାରିକୁ ଆଦେଶ ନ କରି ସେ ସ୍ୱହସ୍ତରେ କରିବାକୁ ସୁଖ ମଣେ; ମାତ୍ର ତାହାର ବାସନା ପୂର୍ଣ୍ଣ ହୁଏ ନାହିଁ । ତାହାର ଆଚରଣରୁ ପରିଜନମାନେ ତାହାକୁ ଏପରି ଭୟ କରନ୍ତି ଯେ, ସମବୟସ୍କା ସ୍ତ୍ରୀମାନେ ମଧ୍ୟ ତାହା ସଙ୍ଗରେ ହସି ହସି କଥା କହିପାରନ୍ତି ନାହିଁ । ଧର୍ମ କାର୍ଯ୍ୟରେ ଲଛମାର ପ୍ରଗାଢ଼ ଅନୁରାଗ । ଏକାଦଶୀ ଛାଡ଼ି ସମସ୍ତ ପ୍ରକାର ବାରବ୍ରତ କରେ । ଗଡ଼ଚଣ୍ଡୀ ମନ୍ଦିରରେ ଧ୍ୟାନ–ପୂଜାରେ ତାହାର ଅନେକ ସମୟ ଅତିବାହିତ ହୁଏ ।

 

ମହାଦେବୀଙ୍କ ସ୍ନେହରେ ଲଛମା ଅନେକ ପରିମାଣରେ ଆତ୍ମଦୁର୍ଦ୍ଦଶା ପାସୋରି ଯାଇଥିବାର ଜଣାଯାଏ । ଦିନେ ମାନଧାତା ଠା-ବିଜେ ସମୟରେ କଥା ପ୍ରସଙ୍ଗରେ ମହାଦେବୀଙ୍କଠାରେ କହି ପକାଇଥିଲେ, ଗୋଡ଼ିଖାଲ ଯୁଦ୍ଧରେ ଯେଉଁ ବୀରମାନେ ପଡ଼ିଥିଲେ ସେମାନଙ୍କ ମଧ୍ୟରୁ କେହି କେହି ବଞ୍ଚି ରହିଥିବାର ଶୁଣାଯାଏ । ସେମାନଙ୍କ ସନ୍ଧାନ ନିମନ୍ତେ ଆମ୍ଭେ ପାଇକ ବରଗି ଅଛୁଁ । ଯେତେ ବ୍ୟୟ ହେଉ, ଯେତେ ପରିଶ୍ରମ ହେଉ ସେମାନଙ୍କ ସନ୍ଧାନ କରାଇବୁଁ-। କଥାଟା ଅବିଳମ୍ବେ ଲଚ୍ଛମାର କର୍ଣ୍ଣଗୋଚର ହେଲା । ସେ କାହାକୁ କିଛି କହିଲା ନାହିଁ, କେବଳ ଦୀର୍ଘ ନିଃଶ୍ୱାସ ପକାଇଲା । ସାଗର ଗର୍ଭରେ ଭଗ୍ନପୋତ ଭାସମାନ ନାବିକ ତରଣୀ ଆଶ୍ରୟ ଆଶା ପାଇଲେ କେବଳ ତହିଁ ପ୍ରତି ଲକ୍ଷ୍ୟ କରିଥାଏ । ସେହିଦିନଠାରୁ ଲଛମା କିଛି ଅଧିକ ଅନ୍ୟମନସ୍କା ଏବଂ ଗଡ଼ଚଣ୍ଡୀ ଠାକୁରଣୀଙ୍କ ନିକଟରେ ଅଧିକ ସମୟ ଧ୍ୟାନସ୍ଥ ଥିବାର ଦେଖାଯାଏ । ମନ୍ଦିର ମଧ୍ୟରେ ରାନ୍ଧୁଣୀ ନାନୀ ତାହା ଲଲାଟରେ ଦେବୀ ପ୍ରସାଦ ସିନ୍ଦୂର-ଟିପା ଲଗାଇଲେ ସେ ଆଗ୍ରହ ସହିତ ଗ୍ରହଣ କରେ ଏବଂ ନୀହାରପୂର୍ଣ୍ଣ ନୀଳେନ୍ଦୀବର ପରି ତାହାର ନେତ୍ରଯୁଗଳ ଢଳ ଢଳ କରୁଥାଏ ।

 

ପ୍ରାଣୀପ୍ରବାହ ଅକ୍ଷୂର୍ଣ୍ଣ ରଖିବା ନିମନ୍ତେ ଅନନ୍ତ କୌଶଳୀ ଜଗଦୀଶ ପ୍ରାଣୀମାନଙ୍କର ବିଶେଷତଃ ନାରୀଜାତିର ହୃଦୟରେ ଅପତ୍ୟ ସ୍ନେହବୃତ୍ତି ନିହିତ କରିଅଛନ୍ତି । ମହାଦେବୀଙ୍କ ହୃଦୟରେ ସେହି ଅପତ୍ୟ ସ୍ନେହବୃତ୍ତିଟି ଅବସର ନ ପାଇ ପ୍ରଚ୍ଛନ୍ନ ଭାବରେ ଥିଲା । ସଂପ୍ରତି ଭଗ୍ନ ସେତୁମୁଖରୁ ରୁଦ୍ଧ ସଲିଳରାଶି ବହିର୍ଗତ ହେଲା ପରି ସମସ୍ତ ଅପତ୍ୟ-ସ୍ନେହ ଲଛମା ଉପରେ ଢାଳି ଦେଇଅଛନ୍ତି । ସେଦିନ ମାନଧାତାଙ୍କ କଥା ଶୁଣି ମହାଦେବୀ ବିଶ୍ୱାସ କରିଅଛନ୍ତି, ଲଚ୍ଛମାର ସ୍ୱାମୀ ଜୀବିତ ଅଛି । ତାଙ୍କର ଧ୍ରୁବଧାରଣା-ଧାର୍ମିକ ସୁଲକ୍ଷଣା ସଚ୍ଚରିତ୍ରା ନାରୀପ୍ରତି ବୈଧବ୍ୟ ଯୋଗ ଘଟେ ନାହିଁ । ଆମ୍ଭେମାନେ ଅତିବିଶ୍ୱସ୍ତ ସୁତ୍ରରୁ ଅବଗତ ହୋଇଅଛୁ ମାନଧାତା ଦମ୍ପତିଙ୍କ ଇଚ୍ଛା ଲଛମାର ସ୍ୱାମୀକୁ ଖୋଜି ପାଇଲେ ଲଛମାକୁ ପୋଷ୍ୟକନ୍ୟା କରି ଜାମାତାକୁ ଉତ୍ତରାଧିକାରୀ କରିବେ ।

Image

 

–୮–

ପଣ୍ଡିତ ଶିଉଶଙ୍କର ମାଲବୀର

 

ପଣ୍ଡିତ ଶିଉଶଙ୍କର ମାଲବୀର ମହାରାଷ୍ଟ୍ରିୟ ବ୍ରାହ୍ମଣ । ସଂସ୍କୃତ ଏବଂ ଦେଶୀୟ ଭାଷାର ଏହାଙ୍କର ଅସାଧାରଣ ବ୍ୟୁତ୍ପତ୍ତି । କାବ୍ୟ, ନାଟକ, ଅଳଙ୍କାର, ପ୍ରାଚୀନ ଆର୍ଯ୍ୟ-ଷଟ୍‌ଦର୍ଶନ ଶାସ୍ତ୍ର କଣ୍ଠସ୍ଥ । ବିଶେଷତଃ ଦୌତ୍ୟନୈପୂଣ୍ୟରେ ତାଙ୍କ ସହିତ ତୁଳିବାକୁ ଲୋକ ନାହାନ୍ତି । ଉତ୍କଳଖଣ୍ଡର ଦୁର୍ଗପତିମାନଙ୍କ ସହିତ ମହାରାଷ୍ଟ୍ରପତିଙ୍କ ସନ୍ଧିବନ୍ଧନ କାର୍ଯ୍ୟସାଧନ ନିମନ୍ତେ ନିଜ ବେରାରର ଉଚ୍ଚତମ ଦରବାରରୁ ନିଯୁକ୍ତି ହୋଇ ଆସିଛନ୍ତି । ଦଶପଲ୍ଳାର ଭଞ୍ଜେ, ବାଙ୍କିର ଶ୍ରୀଚନ୍ଦେନେ, ତିଗିରିଆର ଚମ୍ପତି, ନୀଳଗିରିର ହରିଚନ୍ଦନେ ପ୍ରଭୁତି, ଦୁର୍ଗପତିମାନେ ଏହାଙ୍କ ଜ୍ଞାନ ଏବଂ ବାକ୍ୟ କୌଶଳରେ ବେରାରପତି ରଘୁଜୀ ଭୋନ୍‌ସଲାଙ୍କଠାରେ ବଶ୍ୟତା ସ୍ୱୀକାର କରି ସନ୍ଧିପତ୍ରରେ ସ୍ୱାକ୍ଷର କରିଅଛନ୍ତି । ଫୌଜଦାର ଭାସ୍କର ପଣ୍ଡିତ ଅସ୍ତ୍ରବଳରେ ଢେଙ୍କାନାଳ ମହୀନ୍ଦ୍ରକୁ ଆୟତ୍ତ କରିପାରି ନ ଥିଲେ । ପ୍ରତ୍ୟୁତ ଆପେ ଯୁଦ୍ଧରେ ପରାସ୍ତ ହୋଇ ଲାଞ୍ଛିତ ହୋଇ ମହାରାଷ୍ଟ୍ର ଗୌରବଚନ୍ଦ୍ରକୁ କଳଙ୍କ କାଳିମାରେ କଳୁଷିତ କରିଥିଲେ । ମାତ୍ର ପଣ୍ଡିତ ଶିଉଶଙ୍କର ମାଲବୀରଙ୍କ ବାକ୍ୟକୌଶଳରେ ଢେଙ୍କାନାଳ ଦୁର୍ଗେଶ୍ୱର ଇଚ୍ଛାପୂର୍ବକ ସନ୍ଧିପତ୍ରରେ ସ୍ୱାକ୍ଷର କରିଅଛନ୍ତି । ରାୟବଣିଆ ଦୁର୍ଗେଶ୍ୱର ଶ୍ରୀ ଶ୍ରୀ ଶ୍ରୀ ରାୟ ରାଘବ ରାଟସିଂହ ଜଗଦ୍ଦେବ ବୈରିଗଞ୍ଜନ ମାନଧାତା ଏପର୍ଯ୍ୟନ୍ତ ବେରାର ଦରବାରଠାରେ ବଶ୍ୟତା ସ୍ୱୀକାର କରି ନାହାନ୍ତି, ପ୍ରତ୍ୟୁତ ବିପକ୍ଷ ପକ୍ଷ ଅବଲମ୍ବନ ଦ୍ୱାରା ତାହାଙ୍କର ଆତଙ୍କର କାରଣ ହୋଇ ରହିଅଛନ୍ତି । ଉତ୍କଳ ଦେଶରୁ ବଙ୍ଗଦେଶକୁ ପ୍ରବେଶ କରିବା ନିମନ୍ତେ ରାୟବଣିଆ ଦୁର୍ଗ ଦ୍ୱାର ସ୍ୱରୂପ ଅଟେ । ବିଶେଷରେ ଦୁର୍ଗେଶ୍ୱର ମାନଧାତା ଜଣେ କ୍ଷମତାଶାଳୀ ଏବଂ ରଣକୌଶଳୀ । ତାଙ୍କ ଅଧୀନସ୍ଥ ପଞ୍ଚଦଶ ସହସ୍ର ଖଣ୍ଡାଏତ ପାଇକ ସାହସୀ, ରଣନିପୁଣ ଏବଂ ଅନୁଗତ ଅଟନ୍ତି । ଶୀର୍ଷଭାଗରେ ପ୍ରବଳ ଶତ୍ରୁର ବର୍ତ୍ତମାନତାରେ ବେରାରପତି ଉତ୍କଳ ଖଣ୍ଡ ସଂପୂର୍ଣ୍ଣରୂପେ ଆୟତ୍ତ କରି ମଧ୍ୟ ନିଶ୍ଚିତ ହୋଇପାରି ନ ଥିଲେ । ତନ୍ନିବନ୍ଧନ ବିଶେଷ ଚିନ୍ତିତ । ଫୌଜଦାର ଭାସ୍କର ପଣ୍ଡିତ ଉଦ୍ଦେଶ୍ୟ ସାଧନରେ ଅକୃତକାର୍ଯ୍ୟ ହେବାରୁ ଦୂତଶ୍ରେଷ୍ଠ ପଣ୍ଡିତ ଶିଉଶଙ୍କର ମାଲବୀର ଆଗମନ କରିଅଛନ୍ତି ।

 

ସାୟାହ୍ନ ସମୟରେ ଦୂତବର ଶିଉଶଙ୍କର ମାଲବୀର ରାୟବଣିଆ ଦୁର୍ଗର ସିଂହଦ୍ୱାରଠାରେ ଉପସ୍ଥିତ ହେଲେ । ରାୟଗୁରୁ ବନମାଳୀ ବାଚସ୍ପତି, ପୁରୋହିତ ପୁରୁଷୋତ୍ତମ ରଥେ, ଦଳବେହେରା ଗୋପାଳ ମତ୍ତଗଜ ପ୍ରଭୁତି ରାଜକୀୟ ପ୍ରଧାନ ପୁରୁଷମାନେ ପାଛୋଟି ଯାଇ ତାଙ୍କୁ ସମର୍ଯ୍ୟାଦାରେ ସଙ୍ଖୋଳି ସଭାକୁ ଘେନିଗଲେ । ଶ୍ରୀ ଶ୍ରୀ ଶ୍ରୀ ମାନଧାତା ଦରବାରରେ ବିଜେ କରିଛନ୍ତି, ତାଙ୍କ ସମ୍ମୁଖଭାଗ ବାମପାର୍ଶ୍ୱରେ ଦଳେଇ, ଦଳବେହେରା, ଥାଟବେହେରା, ଥାଟନାୟକ, ପାଞ୍ଜିଆକରଣ, ଲେଖନକାର ପ୍ରଭୃତି କର୍ମଚାରୀମାନେ ଆପଣା ଆପଣା ପଦମର୍ଯ୍ୟାଦାନୁସାରେ ଯଥୋପଯୁକ୍ତ ଆସନ ଅଧିକାର କରି ବସିଛନ୍ତି । ଦକ୍ଷିଣ ଶ୍ରେଣୀରେ ପୁରୋହିତ, ରାଜଗୁରୁ ରାୟଗୁରୁ, ସଭାପଣ୍ଡିତ ସଦସ୍ୟ ଶାସନିପାଣିଗ୍ରାହୀ ପ୍ରଭୃତି ବ୍ରାହ୍ମଣମାନଙ୍କ ଆସନ ନିରୂପିତ ହୋଇଛି । ସେହି ଶ୍ରେଣୀରେ ଶୀର୍ଷସ୍ଥାନୀୟ ଆସନ ଦୂତଙ୍କୁ ପ୍ରଦତ୍ତ ହେଲା । ଦୂତ ନମସ୍କରଣୀୟ ବ୍ରାହ୍ମଣ, ମାନଧାତା ଓଳଗି ହେଲେ, ଦୂତ ଦୁଇ ହସ୍ତ ଅଞ୍ଜଳିବଦ୍ଧ କରି ଆଶୀର୍ବାଦ କଲେ–

 

‘କଣ୍ଠେ ଯସ୍ୟ ବିରାଜିତଂ ହି ଗରଳଂ

ଶୀର୍ଷେଚ ମନ୍ଦାକିନୀ

ବାମାଙ୍ଗେ ଗିରିଜାନନଂ କଟିତଟେ

ଶର୍ଦ୍ଦୁଳ ଚର୍ମାମ୍ବରଂ ।

ମାୟା ଯସ୍ୟ ରୁଣଦ୍ଧି ବିଶ୍ୱମଖିଳଂ

ପାୟାତ୍ ଶିବଃ ଶଙ୍କରୋ

ଜମ୍ବୁ ବଜ୍ଜଳବିନ୍ଦୁ ବଜ୍ଜଳଜବ

ଜ୍ଜମ୍ବାଳବଜ୍ଜାଲବତ୍‌ ।’

 

ବୋଇଲେ–ଯେଉଁ ଶିବଙ୍କ କଣ୍ଠରେ ଗରଳ ଜମ୍ବୁଫଳ ରୂପେ, ମସ୍ତକରେ ମନ୍ଦାକିନୀ ଜଳବିନ୍ଦୁ ରୂପେ, ବାମାଙ୍ଗରେ ଗିରିଜା–କି ପାର୍ବତୀଙ୍କ ମୁଖପଦ୍ମ ପୁଷ୍ପରୂପେ ଏବଂ କଟିତଟରେ ବ୍ୟାଘ୍ରଚର୍ମ କର୍ଦମରୂପେ ବିରାଜିତ ଏବଂ ଯାହାର ମାୟା ଜାଲରୂପେ ବିଶ୍ୱ-ସଂସାରକୁ ଆବରଣ କରି ରଖିଛି, ଏବଂ ଭୂତ ଯେ ଶିବ ଆପଣଙ୍କୁ ରକ୍ଷା କରନ୍ତୁ ।

 

ଦୂତ ଆସନ ଗ୍ରହଣ କଲେ । ସଭା ନିସ୍ତବ୍‍ଧ । ସମସ୍ତେ ତାହାଙ୍କ ମୁଖକୁ ଚାହିଁ ରହିଛନ୍ତି-। ଦୂତ ଆସନ ଗ୍ରହଣ କରି ଥରେ ଶ୍ରୀ ଶ୍ରୀ ଶ୍ରୀ ମାନଧାତାଙ୍କୁ ଅନାଇ ତହିଁ ଉତ୍ତାରେ ସଭାସ୍ଥ ସମସ୍ତଙ୍କୁ ଥରେ ଥରେ ଅନାଇଲେ । ସଭାଗୃହର ସର୍ବସ୍ଥାନ ଥରେ ନିରୀକ୍ଷଣ କରି ମସ୍ତକ ଅବନତ କରି ତୁନିହୋଇ ବସିଲେ । ଉଭୟ ପକ୍ଷରୁ ପରସ୍ପର ଶାରୀରିକ, ବୈଷୟିକ, ଉଭୟ ପକ୍ଷରେ ରାଜ୍ୟ ଏବଂ ରାଜନୀତିର ମଙ୍ଗଳ ସମାଚାର ସଙ୍ଖୋଳା ପୁଚ୍ଛା ହେଲା ଉତ୍ତାରେ ଦୂତବର ମାନଧାତାଙ୍କୁ ଅନାଇଁ ଏହି ଶ୍ଳୋକ ପାଠ କଲେ ।

 

‘‘ଯଦା ଯଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ ।

ଅଦ୍ଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌ ।’’

 

ହେ ଦୁର୍ଗେଶ୍ୱର ଅବଧାନ, ହେ ସଭାସ୍ଥ ଜ୍ଞାନିବର୍ଗ ! ପ୍ରଣିଧାନ କରିବାକୁ ଆଜ୍ଞା ହେଉ–ଏହି ସଂସାରସ୍ଥ ପ୍ରାଣୀମାନଙ୍କର ଶାନ୍ତିଦାୟକ ଏବଂ ଶ୍ରେୟଃସାଧନକାରୀ ଧର୍ମର ଯେତେବେଳେ ଗ୍ଳାନି ଉପସ୍ଥିତ ହୁଏ ବୋଇଲା, ଅଧର୍ମ ବାହୁଲ୍ୟ ଯୋଗୁଁ ଧର୍ମର ହାନି ହୁଏ, ସେତେବେଳେ ଆମ୍ଭେ ଆପଣାକୁ ସୃଜନ କରୁଁ; ଅର୍ଥାତ୍‌ କି ନା ଆମ୍ଭେ ଅବତାର ରୂପେ ଜନ୍ମଗ୍ରହଣ କରୁଁ । ଏହା ଭଗବାନଙ୍କ ଶ୍ରୀମୁଖବାକ୍ୟ । ଆହୁରି ମଧ୍ୟ ମହାପ୍ରଭୁ କହିଛନ୍ତି-

 

‘‘ପରିତ୍ରାଣାୟ ସାଧୁନାଂ ବିନାଶୟା ଚ ଦୁଷ୍କୃତାଂ ।

ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।’’

 

ଅର୍ଥାତ୍‌ କି ନା, ଧର୍ମନିରତ ସାଧୁମାନଙ୍କ ପରିତ୍ରାଣ ଏବଂ ଦୁଷ୍କୃତକାରୀ ପାପୀମାନଙ୍କ ବିନାଶ ନିମନ୍ତେ ଏବଂ ସତ୍ୟଧର୍ମର ସଂସ୍ଥାପନ ସକାଶେ ଆମ୍ଭେ ଯୁଗେ ଯୁଗେ ଜନ୍ମଗ୍ରହଣ କରୁଁ ।

 

ଦେଖିବା ହେଉନ୍ତୁ, ମହାପ୍ରଭୁଙ୍କ ଶ୍ରୀମୁଖବାକ୍ୟ ବ୍ୟର୍ଥ ହେବାର ନୁହେଁ । ଏହି ପୂଣ୍ୟଭୂମି ଭାରତଖଣ୍ଡ ମଧ୍ୟରେ ଯେତେଥର ଦୁର୍ବୃତ୍ତ ରାକ୍ଷମାନେ ପ୍ରବଳହୋଇ ଯାଗଯଞ୍ଜ ପ୍ରଭୁତି ବୈଦିକ କ୍ରିୟାକଳାପ ବିନାଶପୂର୍ବକ ଧାର୍ମିକ ସାଧୁ ଲୋକଙ୍କ ପ୍ରତି ଅତ୍ୟାଚାର କରିଅଛନ୍ତି, ସେତେଥର ମହାପ୍ରଭୁ ସ୍ୱୟଂ ପୃଥିବୀରେ ଅବତୀର୍ଣ୍ଣ ହୋଇଛନ୍ତି । ରାମ ରୂପେ ଜଗତରେ ଅତ୍ୟାଚାରୀ ରାବଣକୁ ବିନାଶ କରିଅଛନ୍ତି । କଂସ, ଶିଶୁପାଳ, ଜରାସନ୍ଧ ପ୍ରଭୁତିଙ୍କ ଦ୍ୱାରା ଧର୍ମ ପ୍ରତି, ଧାର୍ମିକମାନଙ୍କ ପ୍ରତି, ଅତ୍ୟାଚାର ଘଟିଥିଲା, ମହାପ୍ରଭୁ, ସ୍ୱୟଂ ଶ୍ରୀକୃଷ୍ଣରୂପେ ଅବତୀର୍ଣ୍ଣ ହେଲେ । ମହାପ୍ରଭୁ ଆଜ୍ଞା କରିଅଛନ୍ତି, ଯେତେବେଳେ ଧର୍ମର ଗ୍ଳାନି ଉପସ୍ଥିତ ହେବ ସେତେବେଳେ ସେ ଅବତାର ରୂପ ଧାରଣ କରିବେ ।

 

ମାନଧାତା ଅବଧାନ, ଏହି ପୂଣ୍ୟଭୂମି ଉତ୍କଳଖଣ୍ଡରେ ରାଜନ୍ୟ ମଣ୍ଡଳୀରେ ଆପଣ ସର୍ବ ବିଷୟରେ ଅଗ୍ରଗଣ୍ୟ । ଆପଣଙ୍କ ସାହସ, ପାଣ୍ଡିତ୍ୟ, ଧାର୍ମିକତା ସର୍ବତ୍ର ବିଦିତ । ବେରାରର ଶ୍ରେଷ୍ଠତମ ଦରବାରରେ ଉତ୍କଳ ଦେଶର କଥା ଉତ୍‌ଥାପିତ ହେଲେ ପ୍ରଥମେ ଆପଣଙ୍କ ନାମରେ ଉଲ୍ଲେଖ ହୁଏ । ଆପଣ ଖଣ୍ଡାଏତକୁଳର ଚୂଡ଼ାମଣି ଅଟନ୍ତି । ବିଶେଷରେ ମହାପ୍ରଭୁ ସ୍ୱୟଂ ବୋଲିଅଛନ୍ତି, ‘ମାନବ ମଧ୍ୟେ ମୁଁ ରାଜନ ।’ ରାଜାମାନେ ଭଗବାନ ବିଷ୍ଣୁଙ୍କ ଅଂଶରେ ଜାତ । ଆପଣ ଜଣେ ନରପତି, ଏଥକୁ ବିଷ୍ଣୁ ତୁଲ୍ୟ ପୂଜ୍ୟ । ଆପଣଙ୍କ ସଭାସ୍ଥ ଜ୍ଞାନୀମାନଙ୍କ ନାମ କେତେଥର ଶ୍ରବଣ କରିଥିଲୁଁ, ଅଦ୍ୟ ନେତ୍ର କର୍ଣ୍ଣ ଉଭୟ ଇନ୍ଦ୍ରିୟର କ୍ରିୟା ସଫଳ ହେଲା । ଆପଣଙ୍କ ସଭାସ୍ଥ ସଦସ୍ୟମାନେ ବିଶେଷ ଜ୍ଞାନସମ୍ପନ୍ନ ଏବଂ ସର୍ବଶାସ୍ତ୍ରଦର୍ଶୀ, ଏଥକୁ ଜ୍ଞାନୀମଣ୍ଡଳୀପୂର୍ଣ୍ଣ ଏହି ରାଜସଭାରେ ବିଶେଷ କିଛି ବ୍ୟାଖ୍ୟାନ କରିବା ସତ୍‌ସଦୃଶ କ୍ଷୁଦ୍ର ଲୋକ ପକ୍ଷରେ ଧୃଷ୍ଟତାର କାର୍ଯ୍ୟ ଅଟେ । ମାତ୍ର ପ୍ରୟୋଜନସାଧନର ଅନୁରୋଧରେ କିଛି କଥା ବୋଲିବାକୁ ବାଧ୍ୟ ହେଉଅଛି । ଏହି ପୂଣ୍ୟକ୍ଷେତ୍ର ଭାରତ ଖଣ୍ଡରେ ମ୍ଳେଚ୍ଛ ପ୍ରାବଲ୍ୟର ଦେବତା ବ୍ରାହ୍ମଣଙ୍କ ମର୍ଯ୍ୟାଦା ଏବଂ ସନାତନ ଆର୍ଯ୍ୟ ବୈଦିକ ଧର୍ମର କ୍ରିୟାକାଣ୍ଡ ବିଲୁପ୍ତପ୍ରାୟ ହୋଇଥିଲା ।

 

‘‘ମ୍ଳେଚ୍ଛ ନିବହନିଧନେ କରୟସି କରବାଳଂ

ଧୂମକେତୁମିବ କିମପି କରାଳଂ

କେଶବ ଧୃତ କଳ୍‌କି ଶରୀର-’’

 

ମହାତ୍ମା ଶିବାଜୀ ବିଷ୍ଣୁଙ୍କ କଳକୀ୍‌ ଅବତାର, ମ୍ଲେଛ ନିବହନିଧନ ଏବଂ ସନାତନ ବୈଦିକ ଧର୍ମ ଉଦ୍ଧାର କରି ଲୀଳା ସମ୍ବରଣ କରିଅଛନ୍ତି । ଉକ୍ତ ମହାତ୍ମାଙ୍କ ଆବିର୍ଭାବ ହୋଇ ନଥିଲେ ପୂଣ୍ୟକ୍ଷେତ୍ର ଭାରତଖଣ୍ଡର ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଯବାନଧିକାର ନିରଙ୍କୁଶରୂପେ ବିସ୍ତୃତ ଥା’ନ୍ତା, ସନାତନ ହିନ୍ଦୁ ଧର୍ମର ଚିହ୍ନ ମାତ୍ର ଥା’ନ୍ତା ନାହିଁ । ମହାତ୍ମା ଶିବାଜୀ ଧର୍ମବିଲୋପୀ ପ୍ରବଳଭୂଜଙ୍ଗରୂପୀ ଦିଲ୍ଲୀ ବାଦାଶାହା କଟିଦେଶରେ ଏପରି କୁଠାରଘାତ କରି ଯାଇଅଛନ୍ତି ଯେ, ତନ୍ନିବନ୍ଧନ ସେ କ୍ରମଶଃ ନିର୍ବୀର୍ଯ୍ୟ ହୋଇ ପଡ଼ୁଅଛି । ତାହାର ପତନ ଅନିବାର୍ଯ୍ୟ । ବୃକ୍ଷମୂଳ ଭଗ୍ନ ହେଲେ ଶାଖାପ୍ରଶାଖା ସହଜରେ ବିନଷ୍ଟ ହୋଇଥାଏ । ଦିଲ୍ଲୀ ସିଂହାସନ ସହିତ ତାହାର ଶାଖା ସ୍ୱରୂପ ସୁବା ସମସ୍ତ ଯେ ଧ୍ୱଂସପ୍ରାପ୍ତ ହେବ, ଏହା ଧ୍ରୁବ ସତ୍ୟ ଜାଣିବା ହେବେ । ବର୍ତ୍ତମାନ ମ୍ଲେଛଧିକାରର ଅବସାନ ଓ ସନାତନ ଆର୍ଯ୍ୟଧର୍ମର ସମୁତ୍‌ଥାନର ସନ୍ଧିସମୟ ସମୁପସ୍ଥିତ । ଯେପରି ଆର୍ଯ୍ୟ ଆଧିପତ୍ୟ ଆର୍ଯ୍ୟଧର୍ମ ଅକ୍ଷୂର୍ଣ୍ଣ ଭାବରେ ବୃଦ୍ଧି ପାଏ, ସେଥି ସକାଶେ ପ୍ରତ୍ୟେକ ହିନ୍ଦୁ ଅଧିପତିଙ୍କ ପକ୍ଷରେ ସଯତ୍ନ ରହିବା କର୍ତ୍ତବ୍ୟ ଅଟେ । ଆପଣ ଉତ୍କଳଖଣ୍ଡର ଖଣ୍ଡାଏତ କୁଳର ଅଗ୍ରଣୀ । ଭାରତବର୍ଷ ମଧ୍ୟରେ ତୀର୍ଥପ୍ରଧାନ ପୂଣ୍ୟକ୍ଷେତ୍ରମୟ ପତିତପାବନୀ ସର୍ବପାପବିନାଶିନୀ ମହାନଦୀ-ବୈତରଣୀ ବିଧୌତ ଉତ୍କଳ ଖଣ୍ଡରେ ଯବନାଧିକାର ବିଲୁପ୍ତ ହୋଇ ଆର୍ଯ୍ୟ ଆଧିପତ୍ୟ ବଦ୍ଧମୂଳ ହେବା ବିଷୟ ଆପଣଙ୍କ ପ୍ରତି ନିର୍ଭର କରୁଅଛି । ବେରାରେଶ୍ୱର ସମ୍ପୂର୍ଣ୍ଣରୂପେ ଆଶା କରିଅଛନ୍ତି, ଆପଣ ଉତ୍କଳଖଣ୍ଡରୁ ଯବନାଧିକାରର ବିଲୋପ ସାଧନ ବିଷୟରେ ତାଙ୍କର ସହାୟ ହେବେ । ଉତ୍କଳର ସମସ୍ତ ଦୁର୍ଗେଶ୍ୱର ବର୍ତ୍ତମାନ ବେରାର ଦରବାର ସହିତ ସନ୍ଧିସୂତ୍ରରେ ଆବଦ୍ଧ । ଉତ୍କଳର ସ୍ୱଜାତୀୟ ସମସ୍ତ ଖଣ୍ଡାଧିପତି ତାଙ୍କ ପକ୍ଷ ପରିତ୍ୟାଗ କରି ଯବନ ପକ୍ଷପାତୀ ହେବେ, ବେରାରପତି ଏହା ବିଶ୍ୱାସ କରନ୍ତି ନାହିଁ । ଆପଣ ପୃଥୀରାଜ, ଜୟଚାନ୍ଦ ଏବଂ ପ୍ରତାପ ଶକ୍ତସିଂହଠାରୁ ଆଦ୍ୟାବଧି ସମସ୍ତ ରାଜ୍ୟାଧିକାର ବିଷୟ ପର୍ଯ୍ୟାଲୋଚନା କରି ଦେଖନ୍ତୁ, ଶୌର୍ଯ୍ୟ, ବୀର୍ଯ୍ୟର ଅଭାବ ହିନ୍ଦୁଜାତିର ପତନର କାରଣ ନୁହେଁ । ଆର୍ଯ୍ୟ ଜାତିର ଶୌଯ୍ୟ, ଆର୍ଯ୍ୟ ରଣପାଣ୍ଡିତ୍ୟ ଜଗତରେ ଅତୁଳନୀୟ । ଗୃହବିବାଦ ଆର୍ଯ୍ୟଜାତିର ପତନର ଏକମାତ୍ର କାରଣ ଅଟେ । କୁରୁକ୍ଷେତ୍ର ସମର ଆତ୍ମବିଦ୍ରୋହର ପୌରାଣିକ ଜାଜ୍ୱଲ୍ୟମାନ ପ୍ରମାଣ । ଏହି ପ୍ରତ୍ୟକ୍ଷୀଭୂତ ବିଷୟରେ ବାହୁଲ୍ୟ ବର୍ଣ୍ଣନା ଅନାବଶ୍ୟକ । ସମ୍ପ୍ରତି ବିଧିଦତ୍ତ ବିଶେଷ ସୁଯୋଗ ଉପସ୍ଥିତ । ଆସନ୍ତୁ, ଆମ୍ଭେମାନେ ମିଳିତ ହୋଇ ବିଧର୍ମୀ ମ୍ଲେଛମାନଙ୍କୁ ଦୂରୀଭୂତ କରି ସ୍ୱର୍ଗାଦପି ଗରୀୟସୀ ମାତୃଭୂମିରେ ବିଲୁପ୍ତ ରତ୍ନ ସ୍ୱାଧୀନତାର ପୁନଃସ୍ଥାପନ ବିଷୟରେ ସଚେଷ୍ଟ ହେବା । ବେରାରପତିଙ୍କ ସ୍ୱାର୍ଥ ସହିତ ଭାରତଭୂମିର ପ୍ରତ୍ୟେକ ହିନ୍ଦୁସନ୍ତାନର ସ୍ୱାର୍ଥ ଜଡ଼ିତ । ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ , ଇଚ୍ଛାରେ ଅବା ଅବହେଳାରେ ଲକ୍ଷ୍ୟଭ୍ରଷ୍ଟ ହେବା ଉଚିତ ନୁହେଁ । ବେରାରପତି ବିଶେଷ ଆଶା କରି ଆମ୍ଭଙ୍କୁ ଆପଣଙ୍କ ନିକଟକୁ ପ୍ରେରଣ କରିଅଛନ୍ତି । ଆମ୍ଭେ ସଂପୂର୍ଣ୍ଣରୂପେ ଆଶାକରୁଁ, ଏହି ସମ୍ଭ୍ରମକର ସୌହାର୍ଦ୍ଦ୍ୟ ସ୍ଥାପନ ବିଷୟରେ ଆପଣ ଅସମ୍ମତ ହେବେ ନାହିଁ ।

 

ଦୂତ ଏହି ସମସ୍ତ କଥା ସୁସ୍ପଷ୍ଟ ପାଞ୍ଜଳ ଭାଷାରେ ପ୍ରକାଶ କରି ଉତ୍ତର ପାଇବା ଆଶାରେ ମାନଧାତାଙ୍କ ଶ୍ରୀମୁଖକୁ ଲକ୍ଷ୍ୟ କରି ରହିଲେ ।

 

ଦୂତଙ୍କ କଥାର ଉତ୍ତର ଦେବା ନିମନ୍ତେ ଦୁର୍ଗେଶ୍ୱର ରାୟଗୁରୁ ବନମାଳୀ ବାଚସ୍ପତିଙ୍କ ମୁଖକୁ ଦୃଷ୍ଟିପାତ କରିବାରୁ ବାଚସ୍ପତି ତାହାଙ୍କ ଅଭିପ୍ରାୟ ହୃଦୟଙ୍ଗମ କରି କଣ୍ଠ ପରିଷ୍କରଣସୂଚକ ଦୁଇ ତିନିଥର ଅନୁଚ୍ଚ ଶବ୍ଦ କରି ଧୀର ଗମ୍ଭୀର ଭାବରେ କହିବାକୁ ଆରମ୍ଭ କଲେ ।

 

‘‘ଦୂତବର, ବର୍ତ୍ତମାନ ସମୟରେ ବେରାର ଦରବାର ଭାରତଖଣ୍ଡ ମଧ୍ୟରେ ବିଶେଷ ଗୌରବାନ୍ୱିତ । ଏହି କ୍ଷମତାଶାଳୀ ନରପତିଙ୍କ ସହିତ ସୌହାର୍ଦ୍ଦ୍ୟ ସ୍ଥାପନ କରିବା ସୌଭାଗ୍ୟର ବିଷୟ ଅଟେ । ବିଶେଷରେ ବେରାରପତିଙ୍କ ସହିତ ସ୍ୱେଚ୍ଛାଚାଳିତ ହୋଇ ଏହି ଦୁର୍ଗେଶ୍ୱରଙ୍କ ସହିତ ମୈତ୍ରୀ-ସ୍ଥାପନର ଅଭିପ୍ରାୟ ପ୍ରକାଶ କରି ସୁଯୋଗ୍ୟ ଲୋକ ହସ୍ତରେ କାର୍ଯ୍ୟ ସମ୍ପାଦନର ଭାର ଅର୍ପଣ କରିଅଛନ୍ତି । ଆପଣ ଯେ ସମସ୍ତ ବାକ୍ୟ ପ୍ରୟୋଗ କଲେ ସେ ସମସ୍ତ ଅତୀବ ସତ୍ୟ, ଧ୍ରୁବସତ୍ୟ ଏବଂ ଯୁକ୍ତିଯୁକ୍ତ ଅଟେ । ମହାତ୍ମା ଶିବାଜୀଙ୍କ ଆବିର୍ଭାବ ହୋଇ ନ ଥିଲେ ଆଜି ଭାରତଭୂମିରେ ହିନ୍ଦୁଧର୍ମର ନିଦର୍ଶନ ପର୍ଯ୍ୟନ୍ତ ବିଲୁପ୍ତ ହୋଇଥାନ୍ତା । ମ୍ଳେଚ୍ଛନିବହନିଧନ ସାଧନ ନିମନ୍ତେ ସ୍ୱୟଂ ବିଷ୍ଣୁ ଯେ କଳ୍‌କୀ ଅବତାରରୂପେ ଅବତୀର୍ଣ୍ଣ ହୋଇଥିଲେ, ଏ କଥାକୁ ଅପ୍ରତୟ କରି କେଉଁ ଜ୍ଞାନୀ ଲୋକ ପ୍ରତ୍ୟବାୟଭାଗୀ ହେବାକୁ ସାହସ କରିବେ ? ରତ୍ନପ୍ରସୁ, କମଳାଙ୍କ ବିଳାସ ନିକେତନ, ସମସ୍ତ ଭାରତବର୍ଷରେ ଯାହାର ଅଖଣ୍ଡ ଆଧିପତ୍ୟ, ବହୁ ଲକ୍ଷ ସୁଶିକ୍ଷିତ କୃପାଣହସ୍ତ ପଦାତିକ, ଲକ୍ଷ ଲକ୍ଷ ଅଶ୍ୱାରୋହୀ, ବହୁ ସହସ୍ର ଗଜାରୋହୀ ଯାହାର ଇଙ୍ଗିତ ମାତ୍ରକେ ଚାଳିତ, ସୂର୍ଯ୍ୟ ଚନ୍ଦ୍ର ବଂଶୀୟ ମହାବୀର ନୃପତିବୃନ୍ଦ ଯାହାର ଆଜ୍ଞାବହ, ଭାରତବର୍ଷର ରାଜନ୍ୟମଣ୍ଡଳୀ ଯାହା ସିଂହାସନ ତଳେ ଅବତନମସ୍ତକ, କୁବେରଭଣ୍ଡାର ତୁଲ୍ୟ ଯାହାର ଗନ୍ତାଘର, ଏପରି ‘ଦିଲ୍ଲୀଶ୍ୱରୋ ବା ଜଗଦୀଶ୍ୱରୋ’ ବା’ ଦୁର୍ଦ୍ଦଣ୍ଡ ସମ୍ରାଟଙ୍କୁ ଗୋଟିଏ କ୍ଷୁଦ୍ର ଜମିଦାରର ପୁତ୍ର ସାମାନ୍ୟ ଦସ୍ୟୁ ଦଳ ସହାୟତାରେ ପରାସ୍ତ କଲେ, ଏହା ପ୍ରତ୍ୟକ୍ଷୀଭୂତ ବିଷୟ ହୋଇ ନ ଥିଲେ ବିଶ୍ୱାସର ଯୋଗ୍ୟ ହୁଅନ୍ତା ନାହିଁ । ଶିବାଜୀଙ୍କ ଚରିତ୍ରବଳ, ବାହୁବଳ ସାଧାରଣ ମାନବମଣ୍ଡଳୀର ଅସୁଲଭ ବିଷୟ ଅଟେ । ତାଙ୍କର ସମରସାମର୍ଥ, ଧର୍ମପ୍ରାଣତା, ସ୍ୱଦେଶବାତ୍ସଲ୍ୟ ଜଗତରେ ଦୁର୍ଲଭ । ଦୂତବର, ଅଧିକ କଣ କହିବୁଁ, ସେହି ମହାତ୍ମାଙ୍କ ସହିତ ଆର୍ଯ୍ୟଗୌରବ ବିଲୁପ୍ତ ହୋଇଅଛି । ମହାତ୍ମା ଶିବାଜୀଙ୍କ ନିର୍ମିତ କୀର୍ତ୍ତି ସୌଧର ପତନ ଅନିବାର୍ଯ୍ୟ ।’’

 

ଦୂତ–ବାଚସ୍ପତି ଅବଧାନ, ସମସ୍ତ ଆର୍ଯ୍ୟନୃପତି ସମବେତ ହେଲେ ସେହି କୀର୍ତ୍ତି–ସୌଧ-ରକ୍ଷା ସମ୍ଭବ ନୁହେଁ କି ?

 

ରାୟଗୁରୁ–ହଁ, ଐକ୍ୟ–ଐକ୍ୟ, ବିଧାତା ଏକତା ଆର୍ଯ୍ୟ–ଅଦୃଷ୍ଟରେ ଲେଖି ନାହାନ୍ତି ଦୂତରାଜ ! ‘ଯଦ୍‌ଯଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରେ ଜନାଃ ।’

 

ଶ୍ରେଷ୍ଠ ଲୋକର ଆଚରଣକୁ ଇତର ଲୋକେ ଅନୁକରଣ କରିଥାନ୍ତି । ଦୂତରାଜ ! ଆପଣ ତ ଉତ୍କଳର ଖଣ୍ଡାଧିପତିଙ୍କୁ ଆପଣାର କରିବାକୁ ଇଚ୍ଛୁକ, ହେଲେ, ଆପଣା ଘରକଥା ବୁଝୁନ୍ତୁ ତ ! ସିନ୍ଧିଆ, ହୁଲକାର ଗୁଇକୁମାର, କାହା ସହିତ କାହାର ଐକ୍ୟ ?

 

ଦୂତ–ଏମାନଙ୍କ ମଧ୍ୟରେ ବର୍ତ୍ତମାନ ବିବାଦ–ବିସମ୍ବାଦ କିଛି ନାହିଁ–ପରସ୍ପର ସଂପ୍ରୀତିରେ ରହିଅଛନ୍ତି ।

 

ରାୟଗୁରୁ–ଆପଣଙ୍କ ତୁଲ୍ୟ ବ୍ୟକ୍ତିଙ୍କ ମୁଖରେ ଏପରି କଥା ଶୋଭାପାଏ କି ? ଏପରି କଥା ରାଜଦରବାରରେ ପ୍ରକାଶ କରିବା ଅଯୋଗ୍ୟ ଅଟେ ।

 

‘‘ତୁଳସୀ ଦିଲ ସମଝଲିଆ ବାତ୍‌ କହୋ ତୋ ନବୀନ,

କ୍ଷୀରା ଯେସେ ମିଲ୍ ରହେ ଭିତରେ ଫାଙ୍କେ ତିନ୍‌’’

 

ଦୂତ–ଗୃହ ମଧ୍ୟରେ ଭାଇ ଭାଇ ବିବାଦ ଥିଲେ ମଧ୍ୟ ଗୃହପ୍ରବିଷ୍ଟ ତସ୍କରକୁ ଦୂରୀଭୂତ କରିବା ନିମନ୍ତେ ଯତ୍ନଶୀଳ ହେବା କି ଜ୍ଞାନୀଲୋକ ପକ୍ଷରେ କର୍ତ୍ତବ୍ୟ ନୁହେଁ ? ବର୍ତ୍ତମାନ ବିଦେଶୀୟ ବିଧର୍ମୀ ଯବନର ଯେପରି ପ୍ରାଦୁର୍ଭାବ ହିନ୍ଦୁ ରାଜନ୍ୟବର୍ଗ ପରସ୍ପର ବିବାଦ–ବିସମ୍ବାଦ ବିସର୍ଜନ, ବିସ୍ମରଣ, ବଳିଦାନ ନ କଲେ ଧର୍ମରକ୍ଷା ମାନସମ୍ଭ୍ରମ ରକ୍ଷା ଏମନ୍ତ କି ପ୍ରାଣ ପର୍ଯ୍ୟନ୍ତ ରକ୍ଷା ଆଶା କରିବା ବିଡ଼ମ୍ବନା ମାତ୍ର ।

 

ରାୟଗୁରୁ–ମୁହୂର୍ତ୍ତ ପୂର୍ବେ ଯେଉଁ କଥା ବୋଲିଅଛନ୍ତି, ତାହା ବିସ୍ମୃତ ହୋଇଗଲେ ! ଆପଣ ଯେ ଆତ୍ମକଥିତ ବାକ୍ୟଖଣ୍ଡନ କରୁଅଛନ୍ତି । ଭ୍ରାତୃବିରୋଧରୂପ ସୁଯୋଗ ପ୍ରାପ୍ତ ହୋଇ ଯବନ ଆର୍ଯ୍ୟଭୂମିରେ ଆଧିପତ୍ୟ ବିସ୍ତାର କରିବାକୁ ସୁଯୋଗ ପ୍ରାପ୍ତ ହୋଇଅଛି ତ ? ରୋଗୋତ୍ପତ୍ତିର କାରଣ ଦୂର ନ କରି ଔଷଧ ପ୍ରୟୋଗ କରିବା ବିଡ଼ମ୍ବନା ମାତ୍ର ।

 

ଦୂତ–ଅନ୍ତତଃ ଉତ୍କଳ ଦେଶରୁ ଯବନାଧିକାର ବିଲୋପ ନିମନ୍ତେ ସମସ୍ତ ଖଣ୍ଡାଧିପତି ଏକତା ଅବଲମ୍ବନ ପୂର୍ବକ ବେରାରପତିଙ୍କର ସହାୟ ହେବା ଉଚିତ ନୁହେଁ କି ?

 

ରାୟଗୁରୁ–ଦୂତବର ! ବେରାର-ଅଧିପତି ଉପଯାଚକ ହୋଇ ଯେଉଁ ଅନୁଗ୍ରହ ବିସ୍ତାର କରିବାକୁ ବସିଅଛନ୍ତି, ସେହି ଅନୁଗ୍ରହ ସମ୍ବରଣ କଲେ ଉତ୍କଳଦେଶ ଆପଣାକୁ ସୌଭାଗ୍ୟବାନ୍‌ ଜ୍ଞାନ କରିବ ।

 

ଦୂତ–ରାୟଗୁରୁ ଅବଧାନ ! ମହାରାଜ ରଘୁଜୀ ଭୋଁସଲା ଏପରି କି ଅନ୍ୟାୟ କାର୍ଯ୍ୟ କରିଅଛନ୍ତି ଯେ, ଆପଣ ତାହାଙ୍କ ପ୍ରତି ଏପରି ବିମୁଖ ? ତେବେ ମୀର୍‌ କାଶିମ୍‌କୁ ବାଲେଶ୍ୱରରୁ ତଡ଼ିଦେବା ଯେବେ ଦୋଷାବହ କାର୍ଯ୍ୟ ହୋଇଥାଏ, ତେବେ ଆମ୍ଭର ବକ୍ତବ୍ୟ କିଛି ନାହିଁ ।

 

ରାୟଗୁରୁ–ଦୂତବର ! ଆପଣ ବିଦେଶୀୟ ହେଲେ ମଧ୍ୟ ଉତ୍କଳର ଇତିବୃତ୍ତ ଅବଗତି ଅଛନ୍ତି । ତଥାପି ବାକ୍ୟର ଶୃଙ୍ଖଳାରକ୍ଷା ନିମନ୍ତେ ସଂକ୍ଷେପରେ କିଛି କଥା ବୋଲିବା ପ୍ରୟୋଜନ । ଅତି ପ୍ରାଚୀନ ବଟବୃକ୍ଷର ଜୀର୍ଣ୍ଣକାଣ୍ଡ ବିନଷ୍ଟ ହେଲେ ଶାଖାମାନ ଯେପରି ସ୍ୱଦେହଲମ୍ବିତ ଓରକୁ ଆଶ୍ରୟ କରି ସ୍ୱତନ୍ତ୍ର ବୃକ୍ଷରୂପେ ପରିଣତ ହୁଅନ୍ତି, ସେହିପରି ଉତ୍କଳର ରାଜାରାଜେଶ୍ୱର ଗଜପତିବଂଶ ବିଲୁପ୍ତପ୍ରଭ ହେବାରୁ ତାହାଙ୍କର କେତେକ ବଂଶଧର ଭାଇପୁଅ ଏବଂ ଖଣ୍ଡାଏତ ସେନାପତିମାନେ ବିଶାଖାପତ୍ତନ ବନ୍ଦରଠାରୁ ତାମ୍ରଲିପ୍ତ ବନ୍ଦର ପର୍ଯ୍ୟନ୍ତ ଏବଂ ପୂର୍ବପଶ୍ଚିମ ଆସମୁଦ୍ର ସୁବର୍ଣ୍ଣପୁର ମଧ୍ୟବର୍ତ୍ତୀ ସ୍ଥାନରେ ଅଧୀନସ୍ଥ ପାଇକମାନଙ୍କ ସହିତ ଆପଣା ଆପଣା ଅଧିକାର ମଧ୍ୟରେ ଦୀର୍ଘକାଳଯାବତ୍‌ ପରମ ସୁଖରେ ବାସ କରୁଥିଲେ । ହିନ୍ଦୁ–ମୁସଲମାନ–ସମଦର୍ଶୀ ଦିଲ୍ଲୀଶ୍ୱର ଆକବରଙ୍କ ସୁଯୋଗ୍ୟ ହିନ୍ଦୁ ସେନାପତି ଅମ୍ବରେଶ୍ୱର ମାନସିଂହ ଏବଂ ରାଜା ଟୋଡ଼ରମଲ୍ଲଙ୍କ ଅନୁରୋଧରେ ତଥା ମାତୃଭୂମିର ଶାନ୍ତିରକ୍ଷା ନିମନ୍ତେ ଉତ୍କଳର ଖଣ୍ଡାଧିପତିମାନେ ନାମ ମାତ୍ର ମୋଗଲଠାରେ ବଶ୍ୟତା ସ୍ୱୀକାର କରିଥିଲେ । ଏବେ ମଧ୍ୟ ପାର୍ବତ୍ୟ ଆରଣ୍ୟ ଖଣ୍ଡାଏତମାନଙ୍କ ସ୍ୱାଧୀନତାରେ ମୋଗଲା ହସ୍ତକ୍ଷେକ କରି ନାହାନ୍ତି । ସମୁଦ୍ର ଉପକୂଳ ସମତଳ ଭୂମିରେ ମୋଗଲାଧିକାର ସ୍ୱୀକୃତ ହୋଇଥିଲ–ସେଇ ସ୍ଥାନ ମୋଗଲବନ୍ଦୀ ନାମରେ କଥିତ ହେଉଅଛି । ବର୍ତ୍ତମାନ ଉତ୍କଳପତି ଦୃଷ୍ଟିପାତ କରି ଦେଖନ୍ତୁ, ଦେଶ ମଧ୍ୟରୁ ଶାନ୍ତିଦେବୀ ଏକାବେଳକେ ପ୍ରସ୍ଥାନ କରିଅଛନ୍ତି । ସର୍ବତ୍ର ଆତଙ୍କ, ସର୍ବତ୍ର ହାହାକାର, ସର୍ବତ୍ର ଦାରିଦ୍ର୍ୟର ପୂର୍ଣ୍ଣାବସ୍ଥା । ଶତ ସହସ୍ର ଖଣ୍ଡାଏତଙ୍କ ଚୌପାଢ଼ି କାନ୍ଥୀର ଚିହ୍ନମାତ୍ର ବିଲୁପ୍ତ ହୋଇଅଛି । ଏହି ସମସ୍ତ ଅମଙ୍ଗଳର କାରଣ କିଏ ? ଅଥବା କାହା ପ୍ରତି ଦୋଷାରୋପ କରିବା ଉଚିତ ନୁହେଁ–ଉତ୍କଳର ଭାଗ୍ୟଦୋଷ । ଦେଖନ୍ତୁ ହରିଶପୁରଠାରେ ତାମ୍ରଲିପ୍ତ ପର୍ଯ୍ୟନ୍ତ ସମୁଦ୍ର ଉପକୂଳମାନ ବାଣିଜ୍ୟ ବୋଇତରେ ପରିପୂର୍ଣ୍ଣ ଥିଲା, ଉତ୍କଳ ନାବିକମାନେ ଯବ, ବ୍ରହ୍ମ, ସୁଖତରା, ଲକ୍ଷଦ୍ୱୀପ ପ୍ରଭୁତି ସ୍ଥାନକୁ ଗମନ କରି ବାଣିଜ୍ୟ ବିସ୍ତାର କରୁଥିଲେ, ଓଲନ୍ଦାଜ ଦସ୍ୟୁ ଗେଞ୍ଜାଲିସ ସମସ୍ତ ବିନଷ୍ଟ କରିଅଛି । ବର୍ତ୍ତମାନ ଉତ୍କଳର ବାଣିଜ୍ୟଧନ ସାଗରମଧ୍ୟଗତ । ଅବଶିଷ୍ଟ ଥିଲା ସ୍ଥଳଭାଗ । ଦୂତରାଜ ! ମହାରାଷ୍ଟ୍ରପତିଙ୍କଠାରେ ଖଣ୍ଡାଏତମାନଙ୍କ ପକ୍ଷରୁ ଏତିକି ମାତ୍ର ପ୍ରାର୍ଥନା କରୁଅଛୁଁ, ତାହାଙ୍କର ଉପଯାଚିତ ଅନୁଗ୍ରହ ସମ୍ବରଣ କରନ୍ତୁ । ସହସ୍ର ବର୍ଷରେ ଉତ୍କଳ କ୍ଷତ ପୂର୍ଣ୍ଣ ହେବ ନାହିଁ । ପରନ୍ତୁ ଆପଣ ବିଚାର କରନ୍ତୁ, ମୋଗଲ ଅଧିକାର ବିଲୋପ ନିମନ୍ତେ ମହାରାଷ୍ଟ୍ରଙ୍କ ସହାୟ ହେବୁଁ, ମୋଗଲ ଯିବେ, ମହାରାଷ୍ଟ ଆଧିପତ୍ୟ ବିସ୍ତାର କରିବେ-ଉତ୍କଳର ଲାଭ ?

 

ଦୂତ–ହେଉ, ମହାରାଷ୍ଟପତିଙ୍କ ଅନୁଗ୍ରହକୁ ଯେବେ ଏଡ଼େ ଅମଙ୍ଗଳକର, ଏଡ଼େ ତୁଚ୍ଛପଦାର୍ଥ ଜ୍ଞାନ କରନ୍ତି, ନ ହେଲା ଅନୁଗ୍ରହ ସମ୍ବରଣ କରିବେ । ଶତ ସହସ୍ର ଖଣ୍ଡାଧିପତି ବେରାର ସିଂହଦ୍ୱାରଠାରେ ପ୍ରାର୍ଥୀ ହୋଇ ଉଭା ହୋଇଅଛନ୍ତି । ମହାରାଷ୍ଟ୍ରପତିଙ୍କ ସହିତ ସନ୍ଧି ନ କରିବା ସ୍ୱତନ୍ତ୍ର କଥା; ମାତ୍ର ପରିତାପର ବିଷୟ, ଆପଣ ଅକାରଣ ମହାମାନ୍ୟ ରାଜେଶ୍ୱରଙ୍କ ପ୍ରତି ଅଳୀକ ଦୋଷାରୋପ କରିବାକୁ ସଙ୍କୁଚିତ ହେଲେ ନାହିଁ । ଆପଣ ବୁଝୁନ୍ତୁ, ଖଣ୍ଡାଏତମାନଙ୍କ ବିନାଶର କାରଣ ମହାରାଷ୍ଟ୍ର ନୁହନ୍ତି । ସେମାନଙ୍କ ସ୍ୱକୃତ ଅପରାଧର ଫଳ ଭୋଗ କରୁଅଛନ୍ତି । ବିଧର୍ମୀମ୍ଲେଚ୍ଛର ପକ୍ଷାବଲମ୍ବନ କରିବା କି ସେମାନଙ୍କ କର୍ତ୍ତବ୍ୟ ଥିଲା ? ଶତ୍ରୁ ବା ଶତ୍ରୁ ପକ୍ଷପାତୀ ଲୋକକୁ ଶାସନ କରିବା କି ରାଜଧର୍ମାନୁମୋଦିତ ନୁହେଁ ? ରାଜସମ୍ମାନ ଓ ରାଜଧର୍ମ ରକ୍ଷାକରିବା ରାଜାମାନଙ୍କର ନିତ୍ୟ ବ୍ରତ ଅଟେ । ଆଚ୍ଛା, ହରିଶପୁର, ମରିଚପୁର, ବିସନପୁର, କୁଜଙ୍ଗ, ଆଳି, କନିକା, ମଧୁପୁର ଜମିଦାରମାନେ ତ ଖଣ୍ଡାଏତ ?

 

ରାୟଗୁରୁ–ସବୁକଥା ଜଣା ଅଛି, ଆପଣାର ପଦମର୍ଯ୍ୟାଦା, ଆପଣାର ଆଧିପତ୍ୟ, ପିତୃପିତାମହଙ୍କ ଅର୍ଜିତ ମାନସମ୍ଭ୍ରମ ହରାଇ ବର୍ଗୀ ଫୌଜଦାରଠାରେ ପଧାନୀ କରିବାଠାରୁ ବିନଷ୍ଟ ଖଣ୍ଡାଏତମାନଙ୍କ ପନ୍ଥାନୁସରଣ କରିବା ସେମାନଙ୍କ ପକ୍ଷରେ ସହସ୍ର ଥର ଉଚିତ ଥିଲା । ଏମାନେ ଖଣ୍ଡାଏତ କୁଳର କଳଙ୍କ, ଏମାନଙ୍କ ସହାୟତାରେ ବର୍ଗୀ ଅନ୍ୟ ଖଣ୍ଡାଏତମାନଙ୍କ ବିନାଶ ସାଧନରେ ସମର୍ଥ ହେଲେ ।

 

ଦୂତ ଉତ୍ତେଜିତ ହୋଇ କହିଲେ, ‘ହଁ, ରାୟଗୁରୁ ଅବଧାନ ! ମହାରାଷ୍ଟ୍ରପତିଙ୍କର ସୈନ୍ୟବଳ ନ ଥିଲେ । ଓଡ଼ିଆ ବାଉଁଶମୂଳୀ ପାଞ୍ଚଣମୁଠା ଧରି ଯୁଦ୍ଧ କରିବାକୁ ଶିଖିଅଛନ୍ତି !’’

 

ଫତିଆବାଦ କାନ୍ଥି ଦଳବେହେରା ବନମାଳୀ ବଳିଆରସିଂହ ନିତାନ୍ତ ଉତ୍ତେଜିତ ହୋଇ ଖଣ୍ଡାମୁଠି ଦୃଢ଼ରୂପେ ଧରି ଛାତି ଫୁଲାଇ କହିଲେ–‘ଏଁ–ହଁ, ହେ ଗୋସାଇଁ, କଣ ବୋଇଲେ, କଣ ବୋଇଲେ ? ଓଡ଼ିଆ ବାଉଁଶମୂଳୀ ? ଆପଣା ପୋଥି ଡୋର ବାନ୍ଧନ୍ତୁ । ବାଉଁଶମୂଳୀ ମହିମା କଣ ବୁଝିବେ ? ଢେଙ୍କାନାଳର ପର୍ଯ୍ୟଙ୍ଗ ବିଶେ ଦଳେଇ, ବାମ ବୈରିଗଞ୍ଜନ, ସୌରୀକ ବିଶେ ଦଳ ବେହେରା, ଦଧି ଦକ୍ଷିଣକପାଟଙ୍କ ପାଞ୍ଚଣ ମୁଠି ବଳ ତୁମ୍ଭ ଫୌଜଦାର ଭାସ୍କର ପଣ୍ଡିତ କିଛି ବୁଝିଥିଲେ । ଆପଣା କୁଣିଆ ପଣରେ ଆସି ବାଦିପାଲା ଗାଉଛନ୍ତି କ୍ୟା ?

 

ଅନ୍ୟାନ୍ୟ ଦଳେଇ ଦଳବେହେରାମାନେ ଉତ୍ତେଜିତ ହୋଇ କଥା କହିବାକୁ ବାହାରିଥିଲେ, ମାତ୍ର ମାନଧାତା ନିଷେଧସୂଚକ ଦୃଷ୍ଟିକ୍ଷେପ କରିବାରୁ ସମସ୍ତେ ନିବୃତ୍ତ ହେଲେ ।

 

ରାୟଗୁରୁ ଦୂତଙ୍କ ଅନାଇ କହିଲେ, ’‘ମାଲବୀର ଅବଧାନ ! ଏମାନଙ୍କ କଥା ଗ୍ରହଣ କରିବେ ନାହିଁ । ଏମାନେ କ୍ଷତିଗ୍ରସ୍ତ ହୋଇ ଉତ୍ତେଜିତ ହୋଇ ପଡ଼ିଛନ୍ତି ।’’

 

ଦୂତ–ବର୍ଗୀ ବିରୋଧୀ ଖଣ୍ଡାଏତମାନଙ୍କ କଥା ଯାହାହେଉ, ମାତ୍ର ଏହି ବ୍ୟକ୍ତିମାନଙ୍କର ଏପରି ଅସମ୍ଭ୍ରଜନକ କଥା କହିବାର କି ଅଧିକାର ଅଛି ?

 

ରାୟଗୁରୁ–ଦୂତରାଜ ! ‘ସତ୍ୟଂ ବୃୟାତ୍ ପ୍ରିୟଂ ବୃୟାତ୍‌’–ଆମ୍ଭେ ଅନିଚ୍ଛାରେ ଆପଣଙ୍କ କଥାରେ ସତ୍ୟ ଉତ୍ତର ଦେବାକୁ ବାଧ୍ୟ ହେଉଅଛୁଁ । ଆପଣ ଉତ୍କଳଖଣ୍ଡର ବର୍ତ୍ତମାନ ଅବସ୍ଥା ଅବଗତ ନୁହନ୍ତି, ଅଥବା ଆତ୍ମପକ୍ଷ ସମର୍ଥନ ନିମନ୍ତେ ଏପରି କଥା କହୁଅଛନ୍ତି । ଉତ୍କଳ ଖଣ୍ଡାଏତମାନେ ସହସ୍ର ବର୍ଷ ଯାବତ୍‌ କାଳ ସ୍ୱାଧିନତାର ଅମୃତମୟ ଫଳ ଭୋଗ କରି ଆସୁଥିଲେ । ଆନନ୍ଦୋତ୍ସବପୂର୍ଣ୍ଣ ଶତ ଶତ ଖଣ୍ଡାଏତ ଗ୍ରାମ ବର୍ତ୍ତମାନ ଶ୍ମଶାନ କ୍ଷେତ୍ରରେ ପରିଣତ ହୋଇ ପଡ଼ିଅଛି । ବର୍ତ୍ତମାନ ଉତ୍କଳୀୟମାନେ ମରହଟ୍ଟାମାନଙ୍କୁ ନରମାଂସଶୀ ବ୍ୟାଘ୍ରଭଲ୍ଲୁକଠାରୁ ଅଧିକ ଭୟ କରୁଅଛନ୍ତି । ଯେଉଁ ଜାତି ପ୍ରତି ଲୋକସାଧାରଣର ଏପରି ଅବିଶ୍ୱାସ, ଏପରି ଭୟ, ସେ ଜାତି ପକ୍ଷରେ ରାଜସିଂହାସନ ଅଭିଳାଷ କରିବା ବିଡ଼ମ୍ବନା ମାତ୍ର । ପାଶବ ବଳରେ ରାଜ୍ୟାଧିକାର କଦାଚ ସ୍ଥାୟୀ ହୋଇ ନ ପାରେ । ରାଜା ପ୍ରଜାଙ୍କ ମଧ୍ୟରେ ପିତା-ପୁତ୍ର ସମ୍ବନ୍ଧ । ‘ସେ ପିତା ପିତରସ୍ତେଷାଂ କେବଳଂ ଜନ୍ମହେତବଃ’ । ଆପଣ ବୋଲନ୍ତୁ, ଆପଣଙ୍କ ଆଧିପତ୍ୟକୁ ରାଜ୍ୟଶାସନ କି ଲୁଣ୍ଠନ, କ’ଣ ବୋଲିବେ ? ଫୌଜଦାରମାନଙ୍କ ଜୁଲମରେ ଗ୍ରାମକୁ ଗ୍ରାମ ଅରଣ୍ୟମୟ ହୋଇ ଗଲାଣି । ମହାତ୍ମା ଶିବାଜୀଙ୍କ ଉଦ୍ଦେଶ୍ୟ ଥିଲା ଧର୍ମ ସଂସ୍ଥାପନ–ବର୍ତ୍ତମାନ ମରହଟ୍ଟାମାନଙ୍କ ଆଚରଣରେ କଣ ରାଜଲକ୍ଷ୍ମୀ ଅଚଳା ରହିବାର ସମ୍ଭାବନା ?

 

ଦୂତ–ଆଚ୍ଛା, ରାୟଗୁରୁ ଅବଧାନ ! ଆପଣ ମୋତେ ବୁଝାଇ ଦେଉନ୍ତୁ ତ, ମାନଧାତାଙ୍କ କୌଣସି ଚାକର ଯେବେ ଦୋଷ କରେ, ସେଥି ସକାଶେ ସ୍ୱୟଂ ମାନଧାତା ଦୋଷୀ ହେବେ କି ? ଦୂରବର୍ତ୍ତୀ ସ୍ଥାନରେ ଜଣେ ଫୌଜଦାରର ଦୋଷରେ ସ୍ୱୟଂ ରଘୁଜୀ ଭୋଁସଲା ଦୋଷୀ ହେବା ସେହିପରି କଥା ।

 

ରାୟଗୁରୁ–ଆପଣ ଯେବେ, ଚାକରକୁ ଚୋରି କରିବାକୁ ଉପଦେଶ ଦେବେ, ସୁଯୋଗ ଦେବେ, ତେବେ ସେହି ଚୋର ଚାକର ସକାଶେ କିଏ ଦାୟୀ ହେବ ? ବେରାର ଦରବାରରେ ଉତ୍କଳ ଦେଶଟା ନିଲାମରେ ବିକ୍ରି ହୁଏ, ଯେ ବେଶି କଉଡ଼ି ଗଣିପାରେ, ସେହି ଫୌଜଦାରୀ ପ୍ରାପ୍ତ ହୁଏ । ଫୌଜଦାର ଯେତେ କାହାଣ କଉଡ଼ି ଗଣି ଦେଇଅଛି, ମୂଳ କଳନ୍ତର ଘେନି ଅସୁଲ କରିବ ତ ? ପ୍ରଜା ମଲେ ବା ଗଲେ ତହିଁକି ତ କେହି ଲଗା ଥାଏ ନାହିଁ ? ପୁଣି ସେହି ଫୌଜଦାର ପ୍ରଜାଘରୁ ବେଶି ବେଶି ଟଙ୍କା ଅସୁଲ କରିବାକୁ ଚେଷ୍ଟା କରେ । କାରଣ, ଦରବାର ପ୍ରତି ତାହାର ପ୍ରତ୍ୟୟ ନାହିଁ । ସନନ୍ଦ ଘେନି ଆସିଲା ବେଳେ ଆଉ କେହି ସନନ୍ଦ ଘେନି ଆସିଲା ପରା, ଏହି ଭୟରେ ପଛକୁ ଅନାଉଥାଏ । ବିଧର୍ମୀ ତୁର୍କ ଅଧିକାରରେ ବରଞ୍ଚ ପ୍ରଜାମାନେ କିଛି ସୁଖରେ ଅଛନ୍ତି-

 

ଦୂତ–ଆପଣ ଯେ ସମସ୍ତ କଥା ବୋଇଲେ, ପ୍ରକୃତରେ ସେ ସମସ୍ତ ସତ୍ୟ ବୋଲି ବିଶ୍ୱାସ କରିବାକୁ ଆମ୍ଭେ ପ୍ରସ୍ତୁତ ନୋହୁଁ । ଆଚ୍ଛା, ତର୍କ କ୍ଷେତ୍ରରେ ସତ୍ୟ ବୋଲି ସ୍ୱୀକାର କଲୁଁ । ସେଥିପାଇଁ କି ସ୍ୱଧର୍ମାବଲମ୍ବୀକୁ ତ୍ୟାଗକରି ବିଧର୍ମୀ ମ୍ଲେଚ୍ଛ ଗୋଖାଦକ ପକ୍ଷ ଅବଲମ୍ବନ କରିବାର ଧର୍ମପରାୟଣ ହିନ୍ଦୁସନ୍ତାନ ପକ୍ଷରେ ଉଚିତ ?

 

ରାୟଗୁରୁ–ଆପଣ ଜଣେ ଅସାଧାରଣ ପଣ୍ଡିତ ବୋଲି ସର୍ବତ୍ର ବିଦିତ । ଆପଣଙ୍କୁ କି ରାଜନୀତି ପ୍ରସଙ୍ଗ ବୋଲିବାକୁ ହେବ ? ନୀତିବେତ୍ତାମାନେ ବୋଲି ଅଛନ୍ତି, ‘ଉପକର୍ତ୍ତା ସମଂ ସନ୍ଧିର୍ନମିତ୍ରେଣାପକାରିଣା’ । ବୋଇଲା, ଉପକାରୀ ଲୋକ ସହିତ ସନ୍ଧି କରିବ, ମିତ୍ର ହେଲେ ମଧ୍ୟ ଅପକାରୀ ବ୍ୟକ୍ତି ସହିତ ସନ୍ଧି ଅକର୍ତ୍ତବ୍ୟ ।

 

‘ରାୟଗୁରୁଙ୍କ କଥାରେ ମାଲବୀର ବାଧା ଦେଇ ବୋଇଲେ, ‘‘ରାୟଗୁରୁ ଅବଧାନ ! ସେ ସମସ୍ତ କଥା ପରିତ୍ୟାଗ କରନ୍ତୁ ! ରାଜକାର୍ଯ୍ୟରେ ଯେବେ କୌଣସି ଠାରେ କିଛି ଦୋଷ ଥାଏ, ତାହା ସହଜରେ ସଂଶୋଧିତ ହୋଇପାରେ । ମାତ୍ର ମହାରତ୍ନ ସନାତନ ଧର୍ମ ନଷ୍ଟ ହେଲେ ତାହା ତ ପୁନର୍ବାର ପ୍ରାପ୍ତ ହେବ ନାହିଁ । ହିନ୍ଦୁ ଧର୍ମ ଯେପରି ସ୍ୱଚ୍ଛ ନିର୍ମଳ, ସେହିପରି ଭଙ୍ଗପ୍ରବଣ, ମ୍ଳେଚ୍ଛ ସହିତ ସଂସର୍ଗ ମାତ୍ରକେ ବିନଷ୍ଟ ହୁଏ । ବେଳେ ବିନଷ୍ଟ ହେଲେ, ପୁନଃ ପ୍ରାପ୍ତ ହେବା କଠିନ । ଆପଣ ବେଳେ ସନାତନ ଆର୍ଯ୍ୟ ଧର୍ମ ପ୍ରତି ଦୃଷ୍ଟିପାତ କରନ୍ତୁ । ପୂଣ୍ୟକ୍ଷେତ୍ର ଉତ୍କଳଖଣ୍ଡ ଦେବପ୍ରଧାନ ଦେଶ, ପବିତ୍ର ଦେବାଳୟରେ ପରିପୂର୍ଣ୍ଣ । ଦେଖନ୍ତୁ କାଶୀ ବିଶ୍ୱେଶ୍ୱର ମନ୍ଦିର ଗଲା, ବୃନ୍ଦାପନ ଗୋବିନ୍ଦଜୀ ମନ୍ଦିର ଗଲା, କାଲିଞ୍ଜର, ଚିତୋର, ଆନହଳବାର, ଅବନ୍ତୀ, ପ୍ରାଚୀନ ଧାରା ପ୍ରଭୃତି ପବିତ୍ର ସ୍ଥାନମାନ ଦେବାଳୟଶୂନ୍ୟ । ରାୟଗୁରୁ ଅବଧାନ ! ସନାତନ ଆର୍ଯ୍ୟଧର୍ମ ନାମରେ ଆମ୍ଭେ ଅନୁରୋଧ କରୁଅଛୁ, ଉତ୍କଳଖଣ୍ଡର ଦେବ ମନ୍ଦିରମାନଙ୍କ ପ୍ରତି ଯେପରି ଅତ୍ୟାଚାର ନ ଘଟେ ଏବଂ ଭଗବତୀ ଗୋମାତା ଶୋଣିତରେ ଉତ୍କଳର ଦେବଭୂମି ଯେପରି ଅପବିତ୍ର ନ ହୁଏ; ସେଥି ସକାଶେ ଆପଣଙ୍କର ସଯତ୍ନ ହେବାର ଉଚିତ ।’

 

ରାୟଗୁରୁ–ଦୂତରାଜ ! ଭୟ କିମ୍ବା ସ୍ୱାର୍ଥର ଅନୁରୋଧରେ ଏକ ନରପତି ଅନ୍ୟ ନରପତି ସହିତ ସନ୍ଧି କରିଥାନ୍ତି । ଉପସ୍ଥିତ କ୍ଷେତ୍ରରେ ଉଭୟ କାରଣର ଅଭାବ ଜାଣିବେ । ଆଉ ଯେ ଉତ୍କଳର ଦେବାଳୟ ରକ୍ଷା ବିଷୟରେ କହିଲେ, ଶତ ଅଲିବର୍ଦ୍ଦି ବା ସହସ୍ର ଆଉରଙ୍ଗଜେବ ଭୂବେନେଶ୍ୱର ବା ଜଗନ୍ନାଥ ମନ୍ଦିରରେ ପ୍ରସ୍ତରଖଣ୍ଡର ରେଣୁ ମାତ୍ର ସ୍ପର୍ଶ କରିପାରିବେ ନାହିଁ । ସମସ୍ତ ଭାରତ ବର୍ଷ ଏହି ଦୁଇ ମନ୍ଦିରର ପ୍ରହରୀ । ବର୍ତ୍ତମାନ ବା ଭାବୀ କାଳରେ ଯେଉଁ ରାଜା ଏହି ମନ୍ଦିରମାନଙ୍କ ବିନାଶସାଧନରେ ହସ୍ତକ୍ଷେପ କରିବେ, ତାହାର ପତନ ଅବଶ୍ୟମ୍ଭାବୀ । ପଞ୍ଚଶତ୍‌ବର୍ଷବ୍ୟାପୀ ଭାରତ ଅଧିକାର କାଳରେ ଯବନ କୌଣସି ପ୍ରକାରର ଅନିଷ୍ଟ ସାଧନରେ ସମର୍ଥ ହୋଇ ନାହିଁ । ଆମ୍ଭଙ୍କୁ ଅତି କଷ୍ଟରେ ସଲଜ୍ଜ ଭାବରେ ବୋଲିବାକୁ ହେଉଅଛି, ଉତ୍କଳର ମହାତୀର୍ଥ କ୍ଷେତ୍ରରେ ବର୍ତ୍ତମାନ ଯେବେ କୌଣସି ବୈରୀ ଉପସ୍ଥିତ ଥାଏ, ସେ କେବଳ ହିନ୍ଦୁ କୁଳସନ୍ତାନ ମହାରାଷ୍ଟ୍ର ବଂଶଧରମାନେ । ଅଠରନଳା ଘାଟରେ ମଙ୍ଗି ଜୁଲମରେ ଗରିବ ଦୁଃଖୀ ଲୋକ ତୀର୍ଥଦର୍ଶନ ରୂପ ମହାପୂଣ୍ୟରୁ ବଞ୍ଚିତ ହେଲେଣି । ବୋଲନ୍ତୁ ଭଲା, ଆଉରଙ୍ଗଜେବର ଜିଜିଆଠାରୁ ଏହାର ପାର୍ଥକ୍ୟ କଣ ଅଛି ? ସେଥିରେ ବରଞ୍ଚ ରକ୍ଷା ଥିଲା ସେଦିନ ଗୋଡ଼ିଖାଲଠାରେ ଘଟିଥିବା ଘଟଣା ଲୋକେ ଚିରକାଳ ସ୍ମରଣ କରିବେ । ଆପଣ ତ ପ୍ରତ୍ୟେକ କଥାରେ ହିନ୍ଦୁଧର୍ମ, ହିନ୍ଦୁଜାତି କଥା ଉଲ୍ଲେଖ କରୁଅଛନ୍ତି । ଶାନ୍ତଶିଷ୍ଟ, ସମ୍ଭ୍ରାନ୍ତ ଧର୍ମକାମୀ ତୀର୍ଥଯାତ୍ରୀମାନଙ୍କ ଧନପ୍ରାଣ କରଣ କରି ସେମାନଙ୍କ ଲକ୍ଷ୍ମୀରୂପା କୂଳବତୀ ରମଣୀଙ୍କ ଲଜ୍ଜାଶୀଳତା ପ୍ରତି ହସ୍ତକ୍ଷେପ କରିବା କି ଉଚିତ ହୋଇଅଛି ? ବିଧର୍ମୀ ଯବନ ମଧ୍ୟ ଏପରି ଜଘନ୍ୟ କର୍ମ କରିବାକୁ ସଙ୍କୁଚିତ ହୁଅନ୍ତା । ଯେଉଁ ମହାତ୍ମା ଶିବାଜୀ ହସ୍ତଗତା ଅପୂର୍ବ ସୁନ୍ଦରୀ ଯୁବତୀ ନବାବପୁତ୍ରୀକୁ ମାତୃସମ୍ବୋଧନ କରି ସମର୍ଯ୍ୟାଦାରେ ବିଦାୟ ପ୍ରଦାନ କରିଥିଲେ, ସେହି ମହାତ୍ମାଙ୍କ ବଂଶଧରମାନଙ୍କ ହସ୍ତରେ ସ୍ୱଜାତୀୟା କୁଳବତୀମାନଙ୍କ ଅସମ୍ମାନ ବିନିପାତର ପୂର୍ବ ଲକ୍ଷଣ ଜାଣିବେ । ଆପଣ ଯଦି ଏଥିରେ ପ୍ରତିବାଦ କରନ୍ତି, ଉତ୍ତର ଦେବାକୁ ଆମ୍ଭର ଭାଷା ନାହିଁ । ମହାକବି ମାଘକାର କହିଅଛନ୍ତି, ‘ପୁନଃ ପୁନଃ ଅପରାଧକାରୀ ଲୋକ କ୍ଷମାର ଅଯୋଗ୍ୟ’ ।

 

ଦୂତ ଶିଉଶଙ୍କର ମାଲବୀର କିଞ୍ଚିତ୍‌ ଅପ୍ରତିଭ ଓ ଲଜ୍ଜିତ ହେଲା ପରି ଗୋଟିଏ ଦୀର୍ଘନିଶ୍ୱାସ ପକାଇ କହିଲେ ‘ରାୟଗୁରୁ ଅବଧାନ ! ଆମ୍ଭେ ଦୃଢ଼ରୂପେ ବୋଲିପାରୁଁ, ଭାସ୍କର ପଣ୍ଡିତଙ୍କ ଅଗୋଚରରେ ଏହି ଦୁର୍ଯୋଗ ଘଟିଅଛି, ମାତ୍ର ସେହି ସ୍ତ୍ରୀଲୋକମାନେ ସାବଧାନରେ ରକ୍ଷିତ ଅଛନ୍ତି ।’

 

ରାୟଗୁରୁ–ବେରାର ଦରବାରକୁ ସମ୍ଭ୍ରାନ୍ତ ଅତିଥି ଆସିଲେ ସେମାନଙ୍କ ସଞ୍ଚାରେ ଦିଆଯିବା କିମ୍ବା ବ୍ରାହ୍ମାଣମାନଙ୍କୁ ଦାନ କରାଯିବା ସକାଶେ ପରା ? ସଞ୍ଚାରେ ଖାଦ୍ୟଦ୍ରବ୍ୟ ସହିତ ସ୍ତ୍ରୀଲୋକ ଦିଆଯିବ, ବେରାର ଦରବାରର ଏ କି ଗର୍ହିତ ପ୍ରଥା, ଦୂତରାଜ ?

 

ଦୂତ–ଆପଣ ପୁରାଣଜ୍ଞ, ସମସ୍ତ ବିଷୟ ବିଦିତ ଅଛନ୍ତି । ଭଗବାନ କୃଷ୍ଣ ଦ୍ୱୈପାୟନକୃତ ମହାଭାରତ ଉଦ୍‌ଘାଟନ କରି ଦେଖନ୍ତୁ, କୁରୁପାଣ୍ଡବ ବଂଶୀୟ ରାଜାମାନେ ଅତିଥି ଏବଂ ବ୍ରାହ୍ମଣମାନଙ୍କୁ କୁମାରୀ କନ୍ୟା ଦାନ କରୁଥିଲେ । ସେମାନେ କି ଘରର କୁଳକନ୍ୟାମାନଙ୍କୁ ଦାନ କରୁଥିଲେ ? ସ୍ୱରାଜ ମଧ୍ୟରୁ ସଂଗ୍ରହ କରୁଥିଲେ ତ ? ଶ୍ରୀକୃଷ୍ଣ ଦୂତରୂପେ ହସ୍ତିନାକୁ ଯିବା ସମୟରେ ଦୁର୍ଯ୍ୟୋଧନ ତାହାଙ୍କୁ ସହସ୍ର କନ୍ୟା ଉପହାର ଦେଇଥିଲେ, ଆପଣ କି ଏହା ଅସ୍ୱୀକାର କରନ୍ତି ?

 

ରାୟଗୁରୁ–ହୋଇଥିବ, ଆମ୍ଭଙ୍କୁ ସେ ପୁରାଣ କଥା ଜଣା ନାହିଁ । ନିରୀହ ପ୍ରଜାବୃନ୍ଦ ଚୌଥ ସରଦସମ୍ମୁଖୀ ଦେବାକୁ ଅସମର୍ଥ ହେଲେ ପାଣ୍ଡବ ପାଞ୍ଚ ଭାଇ, ଦୁର୍ଯ୍ୟୋଧନ ଶଏ ଭାଇ ଘୋଡ଼ା ଚଢ଼ି ଯାଇ ପ୍ରଜାମାନଙ୍କ ସ୍ତ୍ରୀ-କନ୍ୟାଙ୍କୁ ଧରି ଆଣି ବାଣ୍ଟୁଥିଲେ ?’’

 

ଦୂତ–ଆମ୍ଭେ ଦେଖିଅଛୁଁ, ମରହଟ୍ଟା ଦୋଷ ବର୍ଣ୍ଣନାରେ ବିଶେଷ ନିପୁଣତା ଲାଭ କରିଅଛନ୍ତି । ଆପଣ ଜଣେ ସତ୍‌କୁଳଜ ନୈଷ୍ଠିକ ବ୍ରାହ୍ମଣ । ଉତ୍କଳଶ୍ରେଣୀ କୌଣସି ବ୍ରାହ୍ମଣ ମୁଖରୁ ଏପରି ଅକୃତଜ୍ଞ କଥା ବାହାରିବ, ଆମ୍ଭର ବିଶ୍ୱାସ ନ ଥିଲା । ଉତ୍କଳଖଣ୍ଡରେ କିଏ ସହସ୍ର ସହସ୍ର ବ୍ରାହ୍ମଣଶାସନ ସ୍ଥାପନ କରିଅଛି, କାହା ଅନୁଗ୍ରହରୁ ଲକ୍ଷ ଲକ୍ଷ ବ୍ରାହ୍ମଣ ପ୍ରତିପାଳିତ ହେଉଅଛନ୍ତି ଏବଂ ଯାବତ୍‌ଚନ୍ଦ୍ରାର୍କ ଜୀବନଧାରଣ କରି ତ୍ରିସନ୍ଧ୍ୟାରେ ଆଶୀର୍ବାଦ କରିବେ ? ମରହଟ୍ଟା ଭୂମି ଦାନ କରି ନ ଥିଲେ ଉତ୍କଳଖଣ୍ଡରୁ ବ୍ରାହ୍ମଣଧର୍ମ ବିଲୁପ୍ତ ହୋଇଥାନ୍ତା, ବ୍ରାହ୍ମଣମାନେ ଉଦର ପୋଷଣ ନିମନ୍ତେ ଶୂଦ୍ର ଘରେ ଦାସତ୍ୱ ସ୍ୱୀକାର କରିଥାନ୍ତେ । କେଉଁ ଦିନ କେଉଁ ବିଧର୍ମୀ ରାଜା ବ୍ରାହ୍ମଣ ଶାସନ ବସାଇ ଅଛି ? ଆପଣ ଯେପରି ଯବନପକ୍ଷପାତୀ ଦେଖୁଅଛୁଁ, କିଛି କାଜି ଇନାମ ପାଇବା ପ୍ରତ୍ୟାଶା କରନ୍ତି ।’’

 

ରାୟଗୁରୁ–ଶାସନ ସ୍ଥାପନକାରୀ ମହାତ୍ମା ଶିବାଜୀଙ୍କୁ ଅନନ୍ତକାଳ ପର୍ଯ୍ୟନ୍ତ ଉତ୍କଳ ବ୍ରାହ୍ମଣମାନେ ତ୍ରିସନ୍ଧ୍ୟାରେ ଅବଶ୍ୟ ଆଶୀର୍ବାଦ କରିବେ । ଆଉ କୌଣସି କୌଣସି ଫୌଜଦାର କେତେଟା ଶାସନ ବସାଇଅଛନ୍ତି ସତ୍ୟ; ପ୍ରଜାଙ୍କ ଦୁଗ୍‌ଧବତୀ ଧେନୁକୁ ହତ୍ୟା କରି ତାହାର ଚର୍ମରେ ନିର୍ମିତ ପାଦୁକା ବ୍ରାହ୍ମଣକୁ ଦାନ କଲେ ସେଥିରେ ଯଦି ପୂଣ୍ୟ ସଞ୍ଚିତ ହୁଏ, ତେବେ ନିଶ୍ଚୟ ସେମାନେ ଘୋଢ଼ା ଚଢ଼ି ସଳଖେ ସଳଖେ ସ୍ୱର୍ଗରାଜ୍ୟକୁ ଚାଲିଯିବେ, ସନ୍ଦେହ ନାହିଁ । ଦୂତରାଜ ! ଆମ୍ଭେ ପୂର୍ବାପର ସମସ୍ତ ବିଷୟ ପର୍ଯ୍ୟାଲୋଚନା କରି ଦେଖୁଅଛୁଁ, ମରହଟ୍ଟା ସହିତ ସନ୍ଧି ଏକପ୍ରକାର ତସ୍କରତାର ପ୍ରଶୟ ଦେବା ସଙ୍ଗେ ସମାନ ।

 

ଦୂତ–ବ୍ରାହ୍ମଣମାନଙ୍କ ମୁଖ ଅବାରିତ ସତ୍ୟ, ମାତ୍ର ଆପଣ ବିସ୍ମୃତ ହେବେ ନାହିଁ, କାହାର ପ୍ରତିନିଧି ହୋଇ କଥା କହୁଅଛନ୍ତି, କାହାର ଭାବୀ ଅଶୁଭ ମାର୍ଗ ପରିଷ୍କାର କରିବାକୁ ଉଦ୍ୟତ ହେଉଅଛନ୍ତି, ବେରାର ଦରବାରରେ ଏ କଥା ଅଗୋଚର ରହିବ ନାହିଁ । ଭୀମକାନ୍ତ ଭୀଷଣ ଅସ୍ତ୍ରଧାରୀ ଲକ୍ଷ ଲକ୍ଷ ପଦାତିକ, ଲକ୍ଷ ଲକ୍ଷ ଅଶ୍ୱାରୋହୀ ଯେଉଁ ଦରବାର ସିଂହଦ୍ୱାରରେ ଆଜ୍ଞାପେକ୍ଷୀ ହୋଇ ଉଭା ହୋଇଅଛନ୍ତି, ସେହି ଦରବାରରେ ଏହି ଅପମାନସୂଚକ କଥା ଅବଶ୍ୟ ଦିନେ ଆଲୋଚିତ ହେବ ।

 

ରାୟଗୁରୁ ଈଷତ୍ ହାସ୍ୟ କରି କହିଲେ–‘‘ଦୂତରାଜ ! ଭୟ ପ୍ରଦର୍ଶନଦ୍ୱାରା କାର୍ଯ୍ୟୋଦ୍ଧାର କରିବା ବାସନା ଯେବେ ମନ ମଧ୍ୟରେ ପୋଷଣ କରିଥାନ୍ତି, ସେ ଚେଷ୍ଟା ବିଡ଼ମ୍ବନା ବୋଲି ଜାଣିବେ-। ଗୌରବାନ୍ୱିତ ବେରାର ଦରବାରର ଗ୍ଲାନି ରଟନା କରିବା କଦାଚ ଏହି ଦରବାରର ଉଦ୍ଦେଶ୍ୟ ନୁହେଁ । ତେବେ ଆପଣଙ୍କ କଥାର ଉପଯୁକ୍ତ ଉତ୍ତର ଦେବାକୁ ଯେବେ ଅସମ୍ମାନ କରି ବିବେଚନା କରନ୍ତି, ଆମ୍ଭେ ନିରୁତ୍ତର ।’’

 

ମାଲବୀର କିଞ୍ଚିତ୍ ଶାନ୍ତ ଭାବରେ କହିଲେ, ‘‘ଆମ୍ଭର ଇଚ୍ଛା, ସହଜରେ ସମସ୍ତ ବିଷୟ ନିଷ୍ପତ୍ତି ହୋଇଯାଉ । ଆମ୍ଭେ ବନ୍ଧୁ ଭାବରେ ବୋଲୁଅଛୁଁ, ମାନଧାତା ଯେଉଁ ଯବନର ପକ୍ଷପାତୀ, ତାହାର ପତନକାଳ ଦୂରବର୍ତ୍ତୀ ନୁହେଁ । ଆଲିବର୍ଦ୍ଦିର ଆସନ୍ନ କାଳ ଉପସ୍ଥିତ ।’’

 

ରାୟଗୁରୁ–ହିନ୍ଦୁ ବା ତୁର୍କ କାହାରି ଆଧିପତ୍ୟ ଭାରତଖଣ୍ଡରେ ରହିବ ନାହିଁ । ଏମାନେ ଧର୍ମତ୍ୟାଗୀ, କର୍ତ୍ତବ୍ୟ ପାଳନରେ ଅମନୋଯୋଗୀ । ବିଧାତା ଏମାନଙ୍କ ପ୍ରତି ବିମୁଖ । ସାର୍ବଭୌମ ପ୍ରେମ, ନ୍ୟାୟ-ପରତା, ରାଜହିତୈଷଣା, ଅପକ୍ଷପାତିତା, ସତ୍ୟନିଷ୍ଠା ପ୍ରଭୁତି ରାଜକୀୟ ଗୁଣରୁ ଏମାନେ ବର୍ଜିତ । ନ୍ୟାୟପର ଆକବର ଓ ଧର୍ମପ୍ରାଣ ଶିବାଜୀଙ୍କ ସହିତ ପ୍ରକୃତ ରାଜଧର୍ମ ଦୁଇ ଜାତି ମଧ୍ୟରୁ ବିଲୁପ୍ତ ହୋଇଅଛି ବୋଲି ଜାଣିବେ ।

 

ମାଲବୀର–ଆପଣ ଅଦ୍ଭୁତ କଥା କହୁଅଛନ୍ତି, ପୃଥିବୀ କି ଅରାଜକ ହେବ ?

 

ରାୟଗୁରୁ–ବୈବସ୍ୱତ ମନୁଙ୍କଠାରୁ ଅଦ୍ୟାବଧି ପୃଥିବୀ କେବେ ଅରାଜକ ହୋଇ ନାହିଁ । ସମୟ ସମୟରେ ରାଜପରିବର୍ତ୍ତନ ଘଟିଅଛି । ଈଶ୍ୱରଶୂନ୍ୟ ବ୍ରହ୍ମାଣ୍ଡ, ରାଜହୀନ ରାଜ୍ୟ ମୁହୂର୍ତ୍ତେ ତିଷ୍ଠିବା ଅସମ୍ଭବ । ଆମ୍ଭେ ଶୁଣୁଅଛୁଁ ସାଗର ଗର୍ଭସ୍ଥିତ ଶ୍ୱେତଦ୍ୱୀପରୁ ଶ୍ୱେତକାନ୍ତି କେତେଗୁଡ଼ିଏ ବଣିକ ଆସି ସୂତାନଟି ଗୋବିନ୍ଦପୁରଠାରେ ବାଣିଜ୍ୟ ଦୋକାନ ମେଲି ଅଛନ୍ତି । ସେମାନେ ଯେପରି ଶୁକ୍ଳବର୍ଣ୍ଣ, ସେହିପରି ଶୁକ୍ଳକର୍ମା ଅଟନ୍ତି । ଦେଖିବା ହେଉ, ହିନ୍ଦୁ ସନ୍ତାନ ହିନ୍ଦୁ ରାଜାଙ୍କୁ ଅବିଶ୍ୱାସ କରି, ମୁସଲମାନ, ମୁସଲମାନ ରାଜାକୁ ଅବିଶ୍ୱାସ କରି ଅଜ୍ଞାତକୁଳଶୀଳ ଅନିର୍ଦ୍ଦିଷ୍ଟ ବାସସ୍ଥାନ ଭିନ୍ନଧର୍ମା ସେହି ଶୁକ୍ଳବର୍ଣ୍ଣ ଲୋକେ ନ୍ୟାୟପର, ଶରଣାଗତ ପ୍ରତିପାଳକ, ବିପନ୍ନର ବନ୍ଧୁ, ନିରାଶ୍ରୟର ଆଶ୍ରୟ, କୁଟିଳତା ସ୍ୱାର୍ଥପରତାପୂର୍ଣ୍ଣ ବଣିକ ବ୍ୟବସାୟରେ ଏପରି ନ୍ୟାୟପର, ରାଜେଶ୍ୱର ହେଲେ, ସେମାନଙ୍କ ଅଧୀନରେ ପ୍ରଜାମାନେ ଯେ ସୁଖରେ ଦିନ ଯାପନ କରିବେ, ଏଥିରେ ସନ୍ଦେହ ମାତ୍ର ନାହିଁ । ଚିରଦିନ ସମାନ ଥାଏ ନାହିଁ । ଭାରତଭୂମି ଯଥେଷ୍ଟ ଅତ୍ୟାଚାର ଭୋଗ କଲାଣି; ଅବଶ୍ୟ ଦୁଃଖ ଦିନର ଅବସାନ ହେବ । ହିନ୍ଦୁ ବା ତୁର୍କ ରାଜଶକ୍ତିର ଯଥେଷ୍ଟ ଅପବ୍ୟବହାର କଲେଣି, ଭଗବାନ, ନୂତନ ରାଜା ପ୍ରେରଣ କରିବେ । ଅନ୍ୟାଥା ହିନ୍ଦୁ ବା ତୁର୍କ କାହାରି ହାତରେ ଆଧିପତ୍ୟ ରହିଲେ ପରସ୍ପର ବିରୋଧରେ ମହାପ୍ରାଣିଶୋଣିତ ଚିରକାଳ ପ୍ରବାହିତ ହେବ । ଆମ୍ଭେ ସମ୍ବତ୍ସର ମକର ବାରୁଣୀ ଉପଲକ୍ଷରେ ଗଙ୍ଗାସ୍ନାନକୁ ଯାଇଥିଲୁଁ । କାଳୀଘାଟରେ ଗୋଟିଏ ଶ୍ୱେତବର୍ଣ୍ଣ ଲୋକ ସହିତ ସାକ୍ଷାତ ହୋଇଥିଲା । ତାହାର ନାମ ପାଦୁଡ଼ି, ସେ ଶ୍ୱେତବର୍ଣ୍ଣ ଲୋକଙ୍କ ପୁରୋହିତ ଅଟେ । ସେ ପାଦୁଡ଼ି ଦେଶୀୟ ଭାଷା ଭଲ ବୁଝିପାରେ, କହିପାରେ । ଅନେକ ବେଳଯାଏ ତା ସହିତ କଥାବର୍ତ୍ତା ହେଲା । ସେ ଯେ ସମସ୍ତ କଥା କହିଲା । ସେଥିର ସାରଗର୍ମ ଏହି–‘‘ଏକମାତ୍ର ମହାନ୍‌ ପ୍ରଭୁ ପରମେଶ୍ୱର ବିଶ୍ୱବ୍ରହ୍ମାଣ୍ଡର ଅଧିପତି ଅଟନ୍ତି । ମାନବଜାତି ତାହାଙ୍କ ପୁତ୍ର । ତୁମ୍ଭର ସାମର୍ଥ ତୁମ୍ଭର ଜ୍ଞାନ ମାନବ ଜାତିର ଉନ୍ନତି କଳ୍ପେ ଉତ୍ସର୍ଗ କର-। ପୁତ୍ରପରି ଅତ୍ୟାଚାରି ଲୋକ ପିତାଙ୍କର ବିରାଗଭାଜନ ହୁଅନ୍ତି । ସେହିପରି ମାନବ ଜାତିର ହିଂସାକାରୀ, ମାନବ ଜାତିର ଅପ୍ରେମକାରୀ ଲୋକ କରୁଣାମୟ ପିତା ପରମେଶ୍ୱରଙ୍କ ଅପ୍ରିୟପାତ୍ର ଜାଣିବ । ତୁମ୍ଭେ ଯେଉଁ ଦୟା, ଯେଉଁ କ୍ଷମା ପ୍ରଭୁ ପରମେଶ୍ୱରଠାରୁ ପ୍ରାର୍ଥନା କର, ଅନ୍ୟ ମାନବକୁ ସେହି ଦୟା, ସେହି କ୍ଷମା ପ୍ରଦାନ କର । ତୁମ୍ଭର ସମସ୍ତ ମନ, ସମସ୍ତ ପ୍ରାଣ ପ୍ରଭୁଙ୍କ ପାଦରେ ଅର୍ପଣ କର, ସର୍ବଦା ତାହାଙ୍କୁ ସ୍ମରଣ କର ।

 

ମାଲବୀର ଅବଧାନ ! ଆପଣ ତ ଜଣେ ସାଧାରଣ ଶାସ୍ତ୍ର ବ୍ୟବସାୟୀ, ବୋଲିବା ହେଉନ୍ତୁ, ସେ ପୁରୋହିତ ପାଦୁଡ଼ି ଯାହା କହିଲା, ତାହା କି ଦର୍ଶନଶାସ୍ତ୍ରର ଅନୁଶାସନ ନୁହେଁ ? ଆମ୍ଭେ ସେହି ପାଦୁଡ଼ିର କଥା ଶୁଣି ସ୍ଥିର କରିଅଛୁଁ ଈଦୃଶ ସତ୍ୟଧର୍ମବର୍ଜିତ ଜାତି ରାଜପଦର ଅଯୋଗ୍ୟ । ଦେଖିବା ହେଉନ୍ତୁ, ‘‘ଏକ ଏବ ପୁରା ଦେବଃ ପ୍ରଣବଃ ସର୍ବୋବାଙମୟ’’ । ହିନ୍ଦୁଜାତି ଯେଉଁ ଦିବସରୁ ଏହି ବୈଦିକ ବୀଜମନ୍ତ୍ର ବିସ୍ମୃତ ହୋଇ ନାନାପ୍ରକାର କାଳ୍ପନିକ ଉପଧର୍ମର ଅନୁଷ୍ଠାନରେ ପ୍ରବୃତ୍ତ ହୋଇଅଛନ୍ତି, ସେହି ଦିବସରୁ ଏମାନଙ୍କର ପତନର ଆରମ୍ଭ ହୋଇଅଛି । ‘‘ବସୁଧୈବକୁଟୁମ୍ୱକମ୍‌-’’ ହିନ୍ଦୁମାନଙ୍କ ପକ୍ଷରେ ବର୍ତ୍ତମାନ ଏହା ପୁସ୍ତକଗତ ବିଦ୍ୟା ଅଟେ । ଆମ୍ଭେ ଅନୁମାନ କରୁଅଛୁଁ, ଭାରତଖଣ୍ଡବାସୀ ଲୋକମାନଙ୍କ ମଙ୍ଗଳକାମନାରେ ଦୟାମୟ ପରମେଶ୍ୱର ଶ୍ୱେତଦ୍ୱୀପରୁ ଏହି ଶ୍ୱେତକାନ୍ତି ଲୋକମାନଙ୍କୁ ପ୍ରେରଣ କରିଛନ୍ତି ।

 

ଦୂତ କିୟତ୍‌କାଳ ମୌନାଲମ୍ବନପୂର୍ବକ ଗୋଟିଏ ଦୀର୍ଘ ନିଃଶ୍ୱାସ ତ୍ୟାଗକରି କହିଲେ, ‘‘ଜଗତରେ ଭଗବାନଙ୍କ ଲୀଳା ଦୁର୍ଜ୍ଞେୟ । ତାହାଙ୍କର ଇଚ୍ଛା ସଫଳ ହେବ । ତେବେ ମନୁଷ୍ୟମାନଙ୍କର ଗୋଟିଏ କର୍ତ୍ତବ୍ୟ ଅଛି । ଆମ୍ଭେମାନେ ଆତ୍ମକର୍ତ୍ତବ୍ୟରୁ ବିଚ୍ୟୁତ ନ ହେଉଁ, ସେଥିସକାଶେ ସର୍ବାନ୍ତର୍ଯାମୀ ପ୍ରଭୁ ଆମ୍ଭମାନଙ୍କ ହୃଦୟରେ ବିବେକରୂପ ପ୍ରହରୀ ନିଯୁକ୍ତି କରିଅଛନ୍ତି-। ଯାହାହେଉ, ‘ସହସା ବିଦଧୀତ ନ କ୍ରୀୟା ।’ ଆମ୍ଭେ ଆଶାକରୁ, ମାନଧାତା ଆପଣା ସ୍ୱଦେଶରେ ଶାନ୍ତି, ସ୍ୱଧର୍ମର ଗୌରବ ସ୍ୱଜାତି ଏବଂ ଅନୁଗତ ଲୋକ ଧନପ୍ରାଣ ନିରୁଦ୍‍ଗେବରେ ରକ୍ଷାକରିବା ଅଭିପ୍ରାୟରେ ସନ୍ଧିସ୍ଥାପନ କରିବା ଉଚିତ କି ନା, ଏ ବିଷୟ ପୁନର୍ବାର ସ୍ଥିର ଚିତ୍ତରେ ବିଚାର କରିବେ ।’’

 

ରାୟଗୁରୁ–ବିଜ୍ଞ ଦୂତବର ! ଏ ଉତ୍ତାରେ ଆଉ କଣ ଆଶା କରନ୍ତି ?

ମାଲବୀର–ଏହା କି ଶେଷ ସିଦ୍ଧାନ୍ତ ?

ରାୟଗୁରୁ–ଅନ୍ତତଃ ଏ ପକ୍ଷରୁ ।

 

ଦୂତ ଦୀର୍ଘନିଶ୍ୱାସ ପକାଇ କହିଲେ, ‘‘ହିନ୍ଦୁ ହିନ୍ଦୁ ବିପକ୍ଷରେ ଅସ୍ତ୍ରଧାରଣ କରିବ, ଏ ଦୃଶ୍ୟ ଯେପରି ଭୀଷଣ, ସେହିପରି ଗ୍ଳାନିକର । ହିନ୍ଦୁର ଅସ୍ତ୍ରାଘାତରେ ହିନ୍ଦୁ ଶୋଣିତଦ୍ୱାରା ପବିତ୍ର ଆର୍ଯ୍ୟଭୂମି କଳଙ୍କିତ ହେବ, ଏକଥାର ସ୍ମରଣ ମାତ୍ର ଅସହନୀୟ । ଏହାର ପ୍ରତିକାର କି ସାଧ୍ୟତୀତ-?’’

 

ରାୟଗୁରୁ–ମାନବ ଯେତେ ଯତ୍ନ କରୁ, ଯେତେ ବ୍ୟାକୁଳ ହେଉ, ବିଧିର ବିଧାନ ଅବଶ୍ୟମ୍ଭାବୀ ।

Image

 

–୯–

ସୋସୋ ଗ୍ରାମ

 

କେଉଁଝର ଜିଲ୍ଲାର ପୂର୍ବପ୍ରାନ୍ତ ନିବିଡ଼ ଅରଣ୍ୟ ମଧ୍ୟରେ ଗୋଟିଏ କ୍ଷୁଦ୍ର ଗ୍ରାମ, ନାମ ସୋସୋ । ଗ୍ରାମ ମଧ୍ୟରେ କୋଡ଼ିଏ କି ପଚିଶ ଘର ବାସ । ଏମାନେ ଅରଣ୍ୟ ଅନାର୍ଯ୍ୟଜାତି, ଭୂୟାଁ, ସାନ୍ତାଳ, ନହୁରା କି ଏହିପରି କିଛି ଜାତି ହେବେ । ଗ୍ରାମଟି ପ୍ରାୟ ବୃତ୍ତାକାର । ଘରଗୁଡ଼ିକ କ୍ଷୁଦ୍ର କ୍ଷୁଦ୍ର ପଲା ଘରପରି ବିଶୃଙ୍ଖଳ ଭାବରେ ନିର୍ମିତ । ଝାଟିର ବାଡ଼, ମାଟିଛଟା ବତାବୁଣା କବାଟ । ଘର ମାପରେ ଦୁଆର, ନଇଁପଡ଼ି ଘର ଭିତରକୁ ପ୍ରବେଶ କରିବାକୁ ହୁଏ । ଗ୍ରାମପ୍ରାନ୍ତ ବିପରୀତ ଦୁଇ ପାର୍ଶ୍ୱରେ ଆଉ ଆଉ ଘରକୁ ଛାଡ଼ି ଦୁଇଗୋଟି ଘର, ଆଉ ଆଉ ଘରଠାରୁ କିଛି ବଡ଼ ଗୋଟିଏ ଧାଙ୍ଗଡ଼ା ଆଉ ଗୋଟିଏ ଧାଙ୍ଗଡ଼ୀ ଘର । ସତ୍ୟତାଭିମାନୀ ହିନ୍ଦୁ ସମାଜର ପଞ୍ଚ ଷଷ୍ଠ ବର୍ଷୀୟା ଦିଗମ୍ବରୀ କନ୍ୟା ଦାନକରି ସଙ୍ଗେ ସଙ୍ଗେ ଊର୍ଦ୍ଧ୍ୱତନ ସପ୍ତପୁରୁଷକୁ ସ୍ୱର୍ଗରାଜ୍ୟକୁ ଚାଲାଣ ଦେବା ପ୍ରଥା ଏମାନଙ୍କ ମଧ୍ୟରେ ନାହିଁ । ଏମାନେ ପ୍ରକୃତିର ଶିଶୁ, ପ୍ରକୃତିର ଅନୁଶାସନ ଏମାନଙ୍କର ଶାସ୍ତ୍ରବିଧି । କନ୍ୟା ନିକୁଛରେ ପନ୍ଦର, ପୁତ୍ର କୋଡ଼ିଏ ବର୍ଷ ସ୍ପର୍ଶ ନ କଲେ ବିବାହବିଧାନ ବିବର୍ଜିତ । ଅଭିଆଡ଼ୀ କନ୍ୟାକୁ ଧାଙ୍ଗଡ଼ୀ, ଅଭିଆଡ଼ା ପୁତ୍ରକୁ ଧାଙ୍ଗଡ଼ା ବୋଲାଯାଏ । ଧାଙ୍ଗଡ଼ୀମାନେ ଆପଣା ଆପଣା ଗୃହ ମଧ୍ୟରେ ରାତ୍ରିକାଳରେ ଶୟନ କରି ରହିବାର ନିଷେଧ । ରାତ୍ର ସମୟରେ ସମସ୍ତ ଧାଙ୍ଗଡ଼ା, ସମସ୍ତ ଧାଙ୍ଗଡ଼ୀ ପୂର୍ବୋକ୍ତ ଦୁଇଘରେ ଶୟନ କରନ୍ତି । ଧାଙ୍ଗଡ଼ୀ ଘରେ ଦୁଇଜଣ ବୁଢ଼ୀ, ଧାଙ୍ଗଡ଼ା ଘରେ ଦୁଇଜଣ ବୁଢ଼ା ଜଗୁଆଳ ହୋଇ ଶୁଅନ୍ତି ।

 

ଅନ୍ୟ ପାର୍ଶ୍ୱରେ ଗ୍ରାମକୁ କିଛି ଦୂର ଛାଡ଼ି ଆଉ ଗୋଟିଏ ଘର । ଅନ୍ୟ ସମସ୍ତ ଗୃହଠାରୁ ବଡ଼ ଏବଂ ସୁନ୍ଦର ଲିପାପୋଛା । ଏ ଘରଟା ସବୁଦିନେ ତୁଚ୍ଛା ପଡ଼ିଥାଏ-ପ୍ରବାସୀ ମହାଜନ ବାଟୋଇ କିମ୍ବା ଅନ୍ୟ ଗ୍ରାମରୁ କୁଣିଆ ଆସିଲେ ଏହି ଘରେ ରହନ୍ତି । ଗ୍ରାମର ପରଗଣା ବର୍ଷାକାଳରେ ଏହି ଘରେ ପଞ୍ଚୁଆତ କରେ ।

 

ଗ୍ରାମର ଚତୁର୍ଦ୍ଦିଗରେ ଅରଣ୍ୟ–ନିବିଡ଼ ଅରଣ୍ୟ । ଶାଳ, ପିଆଶାଳ, ଅଶନ, ଶିଶୁ, ଧଉରା, ଫାସି, କେନ୍ଦୁ ପ୍ରଭୃତି ବୃହତ୍‌ ଜାତୀୟ ଏବଂ ଅନ୍ୟାନ୍ୟା ବହୁବିଧ କ୍ଷୁଦ୍ର ବୃହତ୍ ଅକୃତନାମା, ଆଜ୍ଞାତଗୁଣଗ୍ରାମ, ସଫଳ, ନିଷ୍ପଳ, ସକଣ୍ଟକ, ନିଷ୍କଣ୍ଟକ, ଦୀର୍ଘ, ହ୍ରସ୍ୱ, ବିବିଧାକାର ପତ୍ରବିଶିଷ୍ଟ ଲଗାଲଗି, ଛନ୍ଦାଛନ୍ଦି, ଲତାମଣ୍ଡିତ, ଲତାଶୂନ୍ୟ ଅଗଣ୍ୟ ବନସ୍ପତିବର୍ଗ ଦିଗନ୍ତ ପର୍ଯ୍ୟନ୍ତ ବିସ୍ତୃତ । କୌଣସି ସ୍ଥାନରେ କେବଳ ଶାଳବଣି ବୃହତ୍‌ ତାଳବୃକ୍ଷ ପରି ଶାଖାପତ୍ର ବିହୀନ ହୋଇ ସରଳ ଭାବରେ ବଢ଼ିଅଛି । ମସ୍ତକ ଉପରେ ନିଘଞ୍ଚ ପତ୍ରବିଶିଷ୍ଟ ଛତ୍ରାକାର ଶାଖାପ୍ରଶାଖା ବିଜଡ଼ିତ, ଅନ୍ଧକାରମୟ ସୂର୍ଯ୍ୟକିରଣ ପ୍ରବେଶର ଛିଦ୍ର ମାତ୍ର ଶୂନ୍ୟ, ବିଶାଳବପୁ ବୃକ୍ଷଗୁଡ଼ିକ ସମୋଚ୍ଚ, ସମାନାକାର, ସ୍ୱଭାବର, ସୌନ୍ଦର୍ଯ୍ୟାଧାର ଉଦ୍ୟାନ ସ୍ୱରୁପ ହୋଇ ରହିଅଛି ! ବୃକ୍ଷତଳ ଭୂମି ସମତଳ, ପରିଷ୍କୃତ ପରିଚ୍ଛନ୍ନ–ଦୂର୍ବାଦଳଟି ପର୍ଯ୍ୟନ୍ତ ଅଦୃଶ୍ୟ । ବହୁବର୍ଷବ୍ୟାପୀ ଶୁଷ୍କ ବୃକ୍ଷପତ୍ର ପତନଦ୍ୱାରା ଭୂମି ଏପରି କୋମଳ ହୋଇଅଛି ଯେ ବିସ୍ତୃତ ସୁପାତୀ ଉପରେ ଚାଲିଗଲା ପରି ଜଣାଯାଏ । ଶାଳବୃକ୍ଷର ଅତି ଉଚ୍ଚ କ୍ଷୁଦ୍ର ପତ୍ରାବଳୀ ବିଶିଷ୍ଟ କ୍ଷୁଦ୍ର ଶାଖା ଉପରେ କ୍ଷୁଦ୍ର ଦେହଟା ଘୋଡ଼ାଇ ଶ୍ୟାମ ତାନ ଛାଡ଼ିଅଛି । ସେହି କ୍ଷୁଦ୍ର ପ୍ରାଣୀର କ୍ଷୁଦ୍ର କଣ୍ଠନିସୃତ ଶ୍ରବଣ ମନୋହର ଅତ୍ୟୁଚ୍ଚ ସ୍ୱରଲହରୀ ବହୁଦୂର ପର୍ଯ୍ୟନ୍ତ ଅରଣ୍ୟ ମଧ୍ୟରେ ଖେଳିଯାଇ ଗିରିକନ୍ଦର ମଧ୍ୟରେ ପ୍ରତିଧ୍ୱନିତ ହେଉଅଛି । ସେହି ସମୟରେ ଶ୍ୟାମସୁନ୍ଦରୀ ତଦ୍ରୂପ ଏକ ନିଭୃତ ସ୍ଥାନରେ ବସି ସ୍ୱାମୀର ସଙ୍ଗୀତ ଅନୁସରଣ କରୁଅଛି । ଶ୍ୟାମସୁନ୍ଦରୀ ଅପେକ୍ଷା କରି ବସିଥାଏ, ସ୍ୱାମୀର ସଙ୍ଗୀତ ନିବୃତ୍ତ ହେବା ମାତ୍ରକେ ଆପଣାର ତାନଲହରୀଦ୍ୱାରା ବୃକ୍ଷସମୂହକୁ ପରିପୂର୍ଣ୍ଣ କରିଦିଏ । ଏହିପରି ପ୍ରହର ବ୍ୟାପୀ ସଙ୍ଗୀତ ଆଦାନ ପ୍ରଦାନ ଉତ୍ତାରେ ବିହଗ ଦମ୍ପତି ଉଡ଼ି ଆସି ଏକତ୍ରିତ ହୁଅନ୍ତି । ଅନନ୍ତ ବିଚିତ୍ରକର୍ମା ବିଶ୍ୱବିଧାତା ଏହି ନଗଣ୍ୟ କ୍ଷୁଦ୍ର ପ୍ରାଣୀର କଣ୍ଠରେ ଏଡ଼େ ସୁମଧୁର ଏଡ଼େ ଉଚ୍ଛସ୍ୱର ପ୍ରଦାନ କରିଅଛନ୍ତି, ଚିନ୍ତା କଲେ ମନ ବିମୋହିତ ହୋଇଯାଏ । ଶାଳବଣିର କୌଣସି କୌଣସି ସ୍ଥାନରେ ବିଚିତ୍ରଦେହ ମୟୂର ଆପଣାର ବିଶ୍ୱମୋହନ ବିଧାତା-ସୃଷ୍ଟ ସୌନ୍ଦର୍ଯ୍ୟର ପରାକାଷ୍ଠାରୂପ ବିଚିତ୍ରମୟ ପୁଚ୍ଛ ଉନ୍ନତ ଓ ବିସ୍ତୃତ କରି ଏବଂ ସମୟ ସମୟରେ କମ୍ପିତ କରାଇ ବିଚିତ୍ର ଭଙ୍ଗୀରେ ଚତୁର୍ଦ୍ଦିଗରେ ଘୂରି ଘୂରି ଆପଣାର ସୌନ୍ଦର୍ଯ୍ୟଗାରିମା ମୟୁରୀକୁ ଦେଖାଉଅଛି । ମୟୁରୀ ମଧ୍ୟ ସେହି ବିମୋହନ ରୂପରେ ବିମୁଗ୍‌ଧ ହୋଇ ଅନାଇ ରହିଅଛି ।

 

କୌଣସି କୌଣସି ସ୍ଥାନରେ ଚଞ୍ଚଳସ୍ୱଭାବ ଭୟାତୁରା ଚକିତା ହରିଣୀଯୂଥ ବୃକ୍ଷପତିତ ଶାଳଫଳ ଗୋଟାଏ ଖାଉଁ ଖାଉଁ ଚମକିପଡ଼ି ଚତୁର୍ଦ୍ଦିଗକୁ ଚଞ୍ଚଳ ଭାବରେ ଅନାଉ ଅଛନ୍ତି, ଶିଶୁଗୁଡ଼ିକ ସଙ୍ଗରେ ଗୋଡ଼ାଇ ଅଛନ୍ତି, କେହି ଦୁଗ୍‌ଧପାନ କରୁଅଛି, କେହି କ୍ଷୁଦ୍ର ତୃଣାଙ୍କରୁଟି ମୁଖରେ ଧରି ନୃତ୍ୟ କରୁଅଛି । ଗ୍ରାମ ନିକଟବର୍ତ୍ତୀ ସ୍ଥାନରେ ଅଭ୍ରଭେଦୀ ଉଚ୍ଚ ପର୍ବତ ନାହିଁ; ମାତ୍ର କ୍ଷୁଦ୍ର ପାହାଡ଼ ଅସଂଖ୍ୟ । ଉତ୍ତର ଏବଂ ପଶ୍ଚିମ ଭାଗରେ ଅନୁଚ୍ଚ କ୍ଷୁଦ୍ର କ୍ଷୁଦ୍ର ଖଣ୍ଡଶୈଳମାଳ ପରିପୂର୍ଣ୍ଣ, ଛଡ଼ାଛଡ଼ି ଲଗାଲଗି ପର୍ବତ, ପର୍ବତ ଉପରେ ପର୍ବତ, ଅସଂଖ୍ୟ ପର୍ବତମାଳା ବହୁ ଦୂର ପର୍ଯ୍ୟନ୍ତ ବ୍ୟାପ୍ତ ହୋଇ ରହିଅଛି । ପର୍ବତ ଖୋଲମାନ କଣ୍ଟକବଂଶ, କଣ୍ଟି, ନାନାପ୍ରକାର ଜଟିଳ ଲତାଗୁଳ୍ମ ଏବଂ ନିବିଡ଼ ବୃକ୍ଷରେ ପୂର୍ଣ୍ଣ । ଦିବାନିଶି ଅନ୍ଧକାରମୟ, ମନୁଷ୍ୟଜାତିର ଅଗମ୍ୟ, ବନ୍ୟବରାହ, ଭଲ୍ଲୁକ, ଝିଙ୍କ ପ୍ରଭୃତିଙ୍କ ଆରାମ ନିକେତନ ଏବଂ ସୂତିକାଗାର । ଗ୍ରାମର ଉତ୍ତର ଦିଗରେ ସ୍ୱଚ୍ଛତୋୟା ସାଳନ୍ଦୀ ନଦୀ ଲଜ୍ଜାଶୀଳା ରମଣୀ ପରି ବୃକ୍ଷଲତା ମଧ୍ୟରେ ଦେହକୁ ଘୋଡ଼ାଇ କଳ କଳ ଶବ୍ଦକରି କୁଟିଳା ଭୁଜଙ୍ଗୀ ସମାନ ପ୍ରବାହିତା । ସୋସୋ ଅନ୍ୟାନ୍ୟ ଗ୍ରାମଠାରୁ ବହୁ ଦୂରବିଚ୍ଛିନ୍ନ, ଏଥକୁ ବିଦେଶୀୟ ସମାଗମ ବିରଳ । ଗ୍ରାମବାସୀମାନେ ରାଜାର ପ୍ରଜା କିମ୍ବା ସାହୁର ଖାତକ ନୁହନ୍ତି । ଏମାନଙ୍କର କୌଣସି ବିଷୟରେ ଅଭାବ ନାହିଁ, ଜୀବନର ଅବଲମ୍ବନ ଟୁଙ୍ଗା, କଡ଼ବା, ମଶିଆ, ମହୁଲ, ଶଡ଼ପ, ବେଲ, ଆମ୍ବ ଅକ୍ଷୟ ଭଣ୍ଡାର ରୂପେ ରହିଅଛି । ହେଲେ ମହୁଲ, ଶଡ଼ପ ଏହି ଦିଓଟି ବୃକ୍ଷ ମହାମୂଲ୍ୟ, କାରଣ ଏହା ଖାଦ୍ୟ ଏବଂ ଏଥିରେ ହାଣ୍ଡିଆ ପ୍ରସ୍ତୁତ ହୁଏ । ଏହି ବୃକ୍ଷଗୁଡ଼ିକ ଗ୍ରାମବାସୀମାନଙ୍କ ମଧ୍ୟରେ ବଣ୍ଟା । ଆପଣା ଆପଣା ବୃକ୍ଷ ସମସ୍ତ ପୁତ୍ରପୌତ୍ରାଦିକ୍ରମେ ଭୋଗ ଦଖଲ କରନ୍ତି । ଗ୍ରୀଷ୍ମ ଏବଂ ବସନ୍ତ ଋତୁରେ ଦୁଇ ଚାରୋଟି ପଞ୍ଜାବ ଦେଶୀ ମହଜନ ଗ୍ରାମକୁ ଆସନ୍ତି । ସେମାନେ ଚର୍ମ, ହରିଣଶିଙ୍ଗ, ମହୁ, ମହଣ, ଜଉ ବଦଳରେ ଲୁଣ, ଲୁଗା, ଧୂଆଁପତ୍ର ଦେଇଯାଆନ୍ତି । ଗ୍ରାମର କଳିକନ୍ଦଳ, ମହୁଲ, ଶଡ଼ପ ବୃକ୍ଷଘଟିତ ଦେବାନି ମାମଲା ସମସ୍ତ ଗ୍ରାମର ପରଗଣା ବୁଝାସୁଝା କରେ । ପରଗଣା ଆଜ୍ଞା ଅମାନ୍ୟକାରୀ ପ୍ରତି ପ୍ରହାରଦଣ୍ଡ ବିଧି, ଗୁରୁତର ଅପରାଧୀମାନଙ୍କ ଦଣ୍ଡ ଗ୍ରାମରୁ ନିର୍ବାସନ । ବର୍ତ୍ତମାନ ପରଗଣାର ନାମ ମୁଟରୁ ମାଝି ।

 

ଶୀତ ଚାରି ମାସ ଗ୍ରାମର କୌଣସି ଲୋକ ଘରେ ରହନ୍ତି ନାହିଁ, ପୂର୍ବକଥିତ ଶାଳବଣୀ ମଧ୍ୟରେ ବୃତ୍ତାକାରରେ କେତେ ଗଦା ଧୂନି ଜାଳିଦେଇ ତାହା ମଧ୍ୟରେ ରହନ୍ତି । ସମସ୍ତ ପୁରୁଷ ଏକ ପାଖରେ, ସମସ୍ତ ସ୍ତ୍ରୀ ଅନ୍ୟ ପାଖରେ ରହିବା ବିଧି । ଚାଙ୍ଗୁ ବଜାଇବା ପୁରୁଷମାନଙ୍କ କାର୍ଯ୍ୟ ସ୍ତ୍ରୀମାନଙ୍କ କାର୍ଯ୍ୟ ନୃତ୍ୟ ଓ ସଙ୍ଗୀତ । ଅନିଦ୍ରା ଆନନ୍ଦରେ ରାତ୍ରି ପାହିଯାଏ ।

 

ଅଭାବ ନାହିଁ, ଅଭିଯୋଗ ନାହିଁ, ଚିନ୍ତା ନାହିଁ ଭାବନା ନାହିଁ, ପରମ ସୁଖରେ ଦିନ ଉତ୍ତାରେ ରାତ୍ରି, ରାତ୍ର ଉତ୍ତାରେ ଦିନ କଟୁଅଛି । ହେଲେ ରଜା ହେଉ ପ୍ରଜା ହେଉ, ଧନୀ ହେଉ ଦରିଦ୍ର ହେଉ, ରୋଗଗ୍ରସ୍ତ ହେଉ ସୁସ୍ଥ ଶରୀର ହେଉ, କାହାରି ଅବସ୍ଥା ସ୍ଥାୟୀ ନୁହେଁ; ପରିବର୍ତ୍ତନଶୀଳ ଜଗତରେ ରୂପାନ୍ତର ଘଟୁଅଛି । ସେସୋ ଗ୍ରାମର ଆଦିମ ନିବାସୀମାନଙ୍କ ଉପରେ ଅଚାନକ ବିତ୍ପାତ, ବାସସ୍ଥାନ ପରିତ୍ୟାଗ କରି ସମସ୍ତେ ନିବିଡ଼ ଅରଣ୍ୟକୁ ପଳାଇ ଯାଇଅଛନ୍ତି । ଦୈବାତ୍ କେଉଁ ଦେଶରୁ ପ୍ରାୟ ଦୁଇଶତ ତୁର୍କୀ, ଚାରି ପାଞ୍ଚ ଶତ ପଞ୍ଚହତ୍ୟାରବନ୍ଦ ଖଣ୍ଡାଏତ ପାଇକ ଆସି ଗ୍ରାମ ମଧ୍ୟ ଅଧିକାର କରି ବସିଅଛନ୍ତି । ଗୃହନିର୍ମାଣୋପଯୋଗୀ ଉପକରଣର ଅଭାବ ନାହିଁ, ବନ୍ୟ ଲୋକମାନଙ୍କ ଗୃହ ଭାଙ୍ଗି ଦେଇ ହିନ୍ଦୁ ତୁର୍କୀ ସ୍ୱତନ୍ତ୍ର ଗ୍ରାମ ବସାଇଛନ୍ତି ।

Image

 

–୧୦–

ନାଗା ଜାମାୟତ

 

ଆଜି ସୋସୋ ଗ୍ରାମର ଭାରି ଜାରି, ନାଗା ଜମାୟତ ପଡ଼ିଅଛନ୍ତି । ନଅ ଜଣ ନାଗା ଜଣେ ମହନ୍ତ । ନାଗାମାନଙ୍କର ଲମ୍ବ ମୁଚ୍ଛ, ବକ୍ଷ ଆବରଣକାରୀ ବିଶାଳ ଶ୍ମଶ୍ରୁ, ବରଓର ପରି ବୋଝେ ବୋଝେ ଜଟା ପିଠି ଘୋଡ଼ାଇ ପକାଇଅଛି । ସମସ୍ତେ ବଳିଷ୍ଠ, ନେତ୍ରଜ୍ୟୋତି ବୀରତ୍ୱବ୍ୟଞ୍ଜକ; ବିଭୂତିଭୂଷଣ । କେହି ସନ୍ଧାନୀ ଲୋକ ନିରୀକ୍ଷଣ କରି ଦେଖିଲେ ସମସ୍ତଙ୍କ ଦେହରେ ଅସ୍ତ୍ରାଘାତରେ ଚିହ୍ନ ଦେଖନ୍ତା । ସଙ୍ଗରେ ମୃଗଛାଲ, ଗୋଟିଏ ଗୋଟିଏ ଚିମଟା ଏବଂ ଝୁଲି, ଦଶ ଜଣଙ୍କର ଦଶଗୋଟି ତଟୁ । ଶାଳବଣ ମଧ୍ୟରେ ଧୂନି ଲଗାଇ ବସିଅଛନ୍ତି । ଗ୍ରାମବାସୀମାନେ ସାଧୁ ସେବାରେ ବ୍ୟସ୍ତ, ଅଧିକ ବ୍ୟସ୍ତ ପିଲାମାନେ, ତୁଚ୍ଛାଟାରେ ପାଟିକରି ଗ୍ରାମ ମଝିଦାଣ୍ଡରେ ଧାଁ ଦଉଡ଼ କରୁଅଛନ୍ତି । ପ୍ରଥମ ଦିନ ରାତ୍ରିରେ ସାଧୁମାନେ ପ୍ରସାଦ ସେବା ଅବା ଖାନା ଖାଇ ବିଶ୍ରାମ କରିଥିଲେ । ଦ୍ୱିତୀୟ ଦିନ ପ୍ରାତଃକାଳରେ ସାଧୁ ଦଶ ଜଣ ଏବଂ ଗ୍ରାମରେ ପ୍ରଧାନ ପ୍ରଧାନ ତୁର୍କୀ ଏବଂ ଖଣ୍ଡାଏତ ଗୋଟିଏ ବୃହତ୍‌ ଶାଳଗଛ ମୂଳରେ ବସିଅଛନ୍ତି । ଚତୁର୍ଦ୍ଦିଗରେ ପାଇକ ପହରା ନିର୍ଜନ ବନରେ ପ୍ରୟୋଜନ ନାହିଁ, ତଥାଚ ପହରା । ନାଗାମାନଙ୍କର ମୁଣ୍ଡ ଲଣ୍ଡା-ଜଟା ସମସ୍ତ ଭୂମିସାତ୍‌ ହେଲାଣି । ସେମାନଙ୍କ କଥୋପକଥନ ବିଶେଷ ଅନୁସନ୍ଧାନ ଦ୍ୱାରା ଯାହା ଆମ୍ଭମାନଙ୍କର ଜ୍ଞାନଗୋଚର ହୋଇଥିଲା, ସଂକ୍ଷେପରେ ପ୍ରକାଶ କରୁଅଛୁଁ ।

 

ଗ୍ରାମର ପ୍ରଧାନ ତୁର୍କୀ ମୀରକାଶୀମ ପଚାରିଲେ, ‘‘ବର୍ତ୍ତମାନ ବାଟ ବନ୍ଦ, ଆପଣମାନେ କିପରି ଅଇଲେ ?’’ ମହନ୍ତବେଶୀ କହିଲେ–‘‘ଆରେ ତୋ-ବା, ଆସିବାର କଣ ବାଟ ଅଛି ? ବାଲେଶ୍ୱର ବନ୍ଦରଠାରୁ ମେଦିନୀପୁର ପର୍ଯ୍ୟନ୍ତ ବାଟରେ ମରହଟ୍ଟା ପାଇକ ପୂରି ରହିଅଛନ୍ତି । ସ୍ଥାନେ ସ୍ଥାନେ ଘାଟି, ସ୍ଥାନେ ସ୍ଥାନେ ଖଟି । ବାଟୋଇ କଥା ଛାଡ଼, ତୀର୍ଥଯାତ୍ରୀମାନଙ୍କର ମଧ୍ୟ ବାଟ ପଡ଼ିଗଲାଣି ।’’

 

ମୀରକାଶୀମ–ଆପଣ କିପରି ଆସିଲେ ?

 

ମହନ୍ତ–ହିନ୍ଦୁ ନାଗା ସନ୍ନ୍ୟାସୀମାନଙ୍କୁ ମରହଟ୍ଟା ପାଇକେ ସମ୍ମାନ କରନ୍ତି, ସେଥି ସକାଶେ ଆମ୍ଭେମାନେ ଏହି ବେଶ ଧରି ଆସିଅଛୁଁ ।

 

ମୀରକାଶୀମ–ଶୁଣାଯାଏ, ନାଗା ସନ୍ନ୍ୟାସୀମାନେ ଗ୍ରାମକୁ ଗ୍ରାମ ଲୁଟପାଟ କରି ନେଉଅଛନ୍ତି । ସେମାନଙ୍କ ଉତ୍ପାତରେ ପ୍ରଜାମାନେ ଅସ୍ଥିର ।

 

ମହନ୍ତ–ପ୍ରକୃତ ହିନ୍ଦୁ ଧାର୍ମିକ ନାଗା ସନ୍ନ୍ୟାସୀ ବର୍ତ୍ତମାନ ଏ ଦେଶରେ ନାହାନ୍ତି । ଡକାୟତମାନେ ନାଗା ସାଜି ଦେଶ ଉଜାଡ଼ କରୁଅଛନ୍ତି । ମରହଟ୍ଟାମାନଙ୍କ ହାତରୁ ଯେ ସମସ୍ତ ଗ୍ରାମ ରକ୍ଷା ପାଇଥିଲା, ନାଗାମାନେ ସେ ସମସ୍ତ ପଡ଼ିଆ କରି ଦେଲେଣି । ଆପଣା ଶୁଣିଥିବେ, ସେମାନେ ପିଣ୍ଡାରୀଜାତି ଏବଂ ବୁନ୍ଦେଲଖଣ୍ଡବାସୀ, ବଙ୍ଗଦେଶରୁ ସେମାନଙ୍କୁ ତଡ଼ିଦେବା ନିମନ୍ତେ ହଜରତ୍‌ ଆଲିବର୍ଦ୍ଦି ଖାଁ ଏକ ଫୌଜ କାଏମ୍ କରିଅଛନ୍ତି ।

 

ମୀରାକାଶୀମ–ମରହଟ୍ଟାମାନେ ଓଡ଼ିଶାରେ ଆପଣାକୁ ରାଜା ବୋଲି ପରିଚୟ ଦେଉଅଛନ୍ତି, ତେବେ ଡକାୟତ ତଡ଼ୁ ନାହାନ୍ତି କ୍ୟାଁ ।

 

ମହନ୍ତ–ଆଲ୍ଲା ଆକବର ! ‘ପରେୟାକା ମାଲ ଲିଆ ଚୋରା, କ୍ୟା ଲୋକ୍‍ସାନ୍‍ ତେରା ମେରା ।’ ଏମାନେ ଯେ ଆପେ ଡକାଇତର ଗୋସେଇଁ ବାପ । ଆପେ ଲୁଟ-ତରାଜରେ ଲାଗିଅଛନ୍ତି, ତଡ଼ିବାର ବେଳ କାହିଁ ?

 

ମୀରକାଶୀମ–ବାଲେଶ୍ୱର ବନ୍ଦରର ହାଲ କଣ ?

 

ମହନ୍ତ–ଆମ୍ଭେମାନେ ପଟାଶପୁର ମଧ୍ୟରେ ପଶି ଝାଡ଼ି ବାଟେ ଅଇଲୁଁ; ମାତ୍ର ବାଲେଶ୍ୱର ବନ୍ଦର ଯିବାକୁ ହେବ । ଫୌଜଙ୍କୁ ଆଗେ ବାଟର ହାଲ ଜାଣିବା ଦରକାର । ସମସ୍ତ ଖଣ୍ଡାଏତ କି ଆପଣଙ୍କ ସାଙ୍ଗରେ ଆସିଅଛନ୍ତି ?

 

ମୀରକାଶିମ–ନା,ମୁଖିଆ ମୁଖିଆ କେତେ ଲୋକ ଆସିଅଛନ୍ତି, ଆଉ ସମସ୍ତ ଖଣ୍ଡାଏତ ଚତୁର୍ଦ୍ଦିଗରେ ବୁଣି ପଡ଼ିଅଛନ୍ତି, ଥୋକେ ଜାତି ଚିହ୍ନ ଜନାତ ପକାଇ ଦେଇ କଷ୍ଟରେ ଆପଣା ଆପଣା ଘରେ ରହିଅଛନ୍ତି ।

 

ମୀରକାଶୀମ–ମୁର୍‍ଶିଦାବାଦର ହାଲ କଣ ?

 

ମହନ୍ତ–ହଜରତ୍‌ ନବାନ ସାହେବଙ୍କ ପରଆନାରୁ ସମସ୍ତେ ଉଆକଫ୍‌ ହେବେ ।

 

ମହନ୍ତ ଆପଣା ଝୁଲି ମଧ୍ୟରୁ ନବାବ ସାହେବଙ୍କ ଦସ୍ତଖତୀ ମୋହରଯୁକ୍ତ ପରୁଆନା ବାହାର କରି ମୀରକାଶୀମ ହାତରେ ଦେଲେ । ପରୁଆନା ପାରସ୍ୟ ଭାଷାରେ ଲେଖା, ଉତ୍କଳ ଭାଷାରେ ତର୍ଜମା କରି ଖଣ୍ଡାଏତମାନଙ୍କୁ ଶୁଣାଇ ଦିଆଗଲା । ଖୋଦ ମୀରକାଶୀମ ପରୁଆନା ପାଠ କଲେ । ତାହାର ମର୍ମ-

 

ମେହେରବାନ୍‌ ଦୋସ୍ତାନ୍‍ ଫୌଜଦାର ସେକ୍‌ ମୀରକାଶୀମ୍‌,

ତକ୍ତ ବନ୍ଦର, ବାଲେଶ୍ୱର, ସୁଲମହଲ ।

 

ଯେହେତୁ ହରକରା ମାରଫତ୍‍ ତୁମ୍ଭ ଅର୍ଜି ପହୁଞ୍ଚି ପେଶ୍ ହେବାରୁ ସମସ୍ତ ହାଲ ଜାହେର ହେଲା । ଭାସ୍କର ପଣ୍ଡିତ ଜୁଲମରେ ତୁମ୍ଭେ ଆପଣା ଏଲାକା ଛାଡ଼ି କେଉଁଝର ଜଙ୍ଗଲ ତରଫକୁ ଚାଲି ଯାଇଅଛ । ଦୁଷମନ୍‍ ବର୍ତ୍ତମାନ ଛାଉଣି କରି ଉକ୍ତ ମୋକାମରେ ରହିଅଛି । ଦୁଷମନକୁ ଜବଦ କରିବା ସକାଶେ ଏହି ରମଜାନ ମାସର ଆଖର ଇଦ୍‌ ପର୍ବର ତେସରା ରୋଜ ଖୋଦ ସରକାର ଫୌଜ ହମରାଏ ମୁର୍‍ଶିଦାବାଦଠାରୁ ରମାନା ହେବେ । ତୁମ୍ଭଙ୍କୁ ମୁନାସବ୍‍ କି ହିସାବ ମୁତାବକ ସରକାର ଫୌଜ ବାଲେଶ୍ୱର ବନ୍ଦର ଉତ୍ତର ତରଫ ଫୁଲାରୀ ନଦୀ ନିକଟ ହାଜର ହେବାର ପସନ୍ଦ କରି ତୁମ୍ଭେ ଝାଡ଼ି ବାହାରେ ପୁସିନ୍ଦା ମାଫକ ଆସି ରାୟବଣିଆ କିଲ୍ଲାର ମାଲିକ ସରକାର ତରଫ ଫଲାରୀ ନଦୀ ନିକଟ ହାଜର ହେବାର ପସନ୍ଦ କରି ତୁମ୍ଭେ ଝାଡ଼ି ବାହାରେ ପୁସିନ୍ଦା ମାଫକ ଆସି ରାୟବଣିଆ କିଲ୍ଲାର ମାଲିକ ସରକାର ତରଫ ଦୋସ୍ତ ରାୟ ରାଘବ ରାଟ ସିଂହ ବୈରିଗଞ୍ଜନ ଜଗଦ୍ଦେବ ମାନଧାତାଙ୍କ ଫୌଜ ସାମିଲ ହେବ । ଏ ମାଦାର ପରୁଆନା ମାନଧାତା ମୌସୁଫଙ୍କଠାକୁ ମଧ୍ୟ ଭେଜା ଗଲା । ଏହି ପରୁଆନାବାହକ ଛଦ୍ମବେଶଧାରୀ ସେକ୍‌ ସମସର ଖାଁ ଜଣେ ଭାରି ଜଙ୍ଗୀ ହୁସିଆର ସରକାର ୟାତ୍‌ମାଦ୍‌ ଲୋକ ଅଟନ୍ତି । ଏହାଙ୍କ ଜବାନିରୁ ଆଉ ହାଲ ଉଆକଫ୍‌ ହେବ । ଇତି ।

 

ସନ ୧୧୪୮ ରମଜାନ ମହିନା ତେସରା ରୋଜ ପୀର, ତକ୍ତ ମୁର୍ଶିଦାବାଦ ।

 

ପରୁଆନାରୁ ଜଣାଗଲା, ଛଦ୍ମବେଶୀ ମହନ୍ତଙ୍କ ନାମ ସେକ୍‌ ସମସର ଖାଁ ଏବଂ ସେ ଜଣେ ହଜାରି ମନସବଦାର ।

 

ଅତଃପର ବାଲେଶ୍ୱର ବନ୍ଦରର ଅବସ୍ଥା ଏବଂ ମରହଟ୍ଟାଙ୍କ ଗତିବିଧି ତଦନ୍ତ ନିମନ୍ତେ ଛଦ୍ମବେଶୀ ନାଗାମାନେ ସୋସୋ ଗ୍ରାମରୁ ବିଦାୟ ଗ୍ରହଣ କରି ଭ୍ରଦକ ହାବେଲି ମାର୍ଗରେ ବାଲେଶ୍ୱର ବନ୍ଦର ଦିଗକୁ ଯାତ୍ରା କରିଗଲେ ।

Image

 

–୧୧–

Unknown

ଫୌଜକୁଚ

 

ବର୍ଗୀ ସହିତ ଯୁଦ୍ଧ, ନବାବ ସାହେବ ଇତି ପୂର୍ବେ ସର୍ବତ୍ର ଘୋଷଣା କରିଅଛନ୍ତି । ଇଦ୍‌ ପର୍ବ ତେସରା ରୋଜ ନବାବ ଆଲିବର୍ଦ୍ଦି ଖାଁ ପ୍ରାତଃକାଳରେ ଉଜୀର, ଫୌଜଦାର ପେସ୍କାର, ମନସବଦାର, କାରକୁନ ସମସ୍ତ କର୍ମଚାରୀଙ୍କୁ ଘେନି ଉଜୁ ଉତ୍ତାରେ ଜୁମା ମସଜିଦ୍‌ରେ ନମାଜ ପଢ଼ିଲେ । ତହିଁ ଉତ୍ତାରେ ଯୁଦ୍ଧଯାତ୍ରା । ବିଶେଷ ଆଡ଼ମ୍ବର ସହିତ ନବାବ ସାହେବ ବାହାରି ଅଛନ୍ତି; ଏପରି ସୈନ୍ୟ ସମାଗମ, ଏପରି ଆଡ଼ମ୍ବର ମୁର୍‍ଶିଦାବାଦରେ କେବେ ଦେଖା ନ ଥିଲା । ନବାବଙ୍କ ନିଜ ସରକାରୀ ଫୌଜ ଛାଡ଼ି ଅନ୍ୟାନ୍ୟ ଫୌଜ ମଧ୍ୟ ମିଶିଅଛନ୍ତି । ମରହଟ୍ଟା ସାଧାରଣର ଶତ୍ରୁ, ସେମାନଙ୍କ ବିନାଶ କଳ୍ପେ ସମସ୍ତେ ଯତ୍ନଶୀଳ । ପୂର୍ଣ୍ଣିଆର ନବାବ ଶକତ ଜଙ୍ଗ, ନବଦ୍ୱୀପର ମହାରାଜା କୃଷ୍ଣଚନ୍ଦ୍ର ରାୟରାୟା, ବର୍ଦ୍ଧମାନର ମହାରାଜା ଆପତାପ ଚାନ୍ଦ, ସମସ୍ତେ ଉପଯାଚକ ହୋଇ ସ୍ୱ ସ୍ୱ ସୈନ୍ୟ ପ୍ରେରଣ କରିଅଛନ୍ତି । ଜଗତ୍‌ ଶେଠଙ୍କ ଦୁଇ ହଜାର ସୈନ୍ୟ ମଧ୍ୟ ମିଳିତ । ସେନାପତି ମୀରଜାଫର୍‍ ଖାଁ ନବାବ୍‌ ସାହେବଙ୍କ ନିକଟରେ ସୈନ୍ୟ ସଂଖ୍ୟାର ଏହିପରି ହିସାବ ଦାଖଲ କରିଥିଲେ–ପୟଦଲ ଜଙ୍ଗୀ ପଞ୍ଚାଶ ହଜାର, ଘୋଡ଼ସବାର ତିରିଶ ହଜାର, ଗୋଲନ୍ଦାଜ ଦୁଇ ହଜାର, ଢାଲୀ ବର୍ଚ୍ଛାଦାର ବରକନ୍ଦାଜ ଚାରି ହଜାର, ଗାଏ ଛୟାଶୀ ହଜାର । ଏମାନଙ୍କ ସଙ୍ଗେ ଥିବା ଲସ୍କର ପ୍ରାୟ ପଞ୍ଚାଶ ହଜାର । ଫୌଜକୁଚ ପୂର୍ବ ଦିନ ପ୍ରାତଃକାଳରେ ଏକହଜାରି ମନସବଦାର ସେକ୍‌ ଇାନାୟତ ହୋସେନ୍‌ ଆପଣା ତାବେଦାର ଫୌଜ ପାଞ୍ଚ ହଜାର ଲସ୍କର ଘେନି ରମାନା ହୋଇଅଛନ୍ତି । ଏହାର ନାମ ଆଗାଡ଼ି ଫୌଜ, ଏହି ଫୌଜ ସଙ୍ଗରେ କୋଡ଼ି, କାଙ୍କ, ଖଣତି, ଦା, କଟୁରୀ, ବାର୍ଶି, ବଟାଳି, କରତ ପ୍ରଭୁତି ଅସ୍ତ୍ରମାନ ଧରି ମୂଲିଆ କମାର ବଢ଼େଇମାନେ ଚାଲିଅଛନ୍ତି । ମୂଳ ସୈନ୍ୟମାନଙ୍କ ଯାତ୍ରାର ସୁବିଧା ନିମନ୍ତେ ବଣଜଙ୍ଗଲ କାଟି ବାଟ ପରିଷ୍କାର କରିବା ଏବଂ ତୋପ ଶଗଡ଼, ରସଦ ଶଗଡ଼ ଯିବାର ସୁବିଧା ସକାଶେ ଖାଲ ଢିପ ହାଣି ସମତଳ କରାଇବା, ଏବଂ ଜଳସୁବିଧା ଦେଖି ଡେରା ପଡ଼ିବାର ସ୍ଥାନ ନିରୂପଣ ଓ ସ୍ଥାନ ପରିଷ୍କାର କରିବା ଆଗାଡ଼ି ଫୌଜର କାର୍ଯ୍ୟ । ମାର୍ଗ ସମ୍ମୁଖ ଏବଂ ଉଭୟ ପାର୍ଶ୍ୱ କେତେକ କ୍ରୋଶ ପର୍ଯ୍ୟନ୍ତ ଦୁଷମନର ଗତିବିଧିର ସମ୍ବାଦ ପ୍ରଧାନ ସେନାପତି ନିକଟକୁ ପ୍ରେରଣ କରିବା ମଧ୍ୟ ଆଗାଡ଼ି ଫୌଜଙ୍କର ବିଶେଷ ଗୋଟିଏ କାର୍ଯ୍ୟ ସ୍ୱରୂପ ନିରୂପିତ ଥିଲା । ଏହି କାର୍ଯ୍ୟ ସାଧନ ନିମନ୍ତେ ତାଙ୍କ ନିକଟରେ ଅନେକଗୁଡ଼ିଏ ସ୍ତ୍ରୀ ପୁରୁଷ ଗୋଇନ୍ଦା ଥାନ୍ତି । ସେହି ଗୋଇନ୍ଦାମାନେ ଯୋଗୀ, ସନ୍ନ୍ୟାସୀ, ଭିକାରୀ, ମହାଜନ, ତୀର୍ଥଯାତ୍ରୀ ,ବୈଷ୍ଣବୀ, ଭିଖାରୁଣୀ, ବାଜୀକରୀ, ଚିତାକୁଟେଇ ପ୍ରଭୁତି ବେଶରେ ଭ୍ରମଣ କରି ବିପକ୍ଷ ପକ୍ଷର ସମ୍ବାଦ ସଂଗ୍ରହ କରନ୍ତି ।

 

ଜୁମା ମସଜିଦ୍‌ ନିମାଜ ଆଖେର ଉତ୍ତାରେ ରଣବାଦ୍ୟ ବଜାଇ ସୈନ୍ୟ କୁଚ ଆରମ୍ଭ କଲେ । ଅର୍ଦ୍ଧଚନ୍ଦ୍ର ଲାଞ୍ଛିତ ପତାକା ଅନୁସରଣ କରି ସୈନ୍ୟଶ୍ରେଣୀ ଚାଲିଅଛନ୍ତି । ସର୍ବାଗ୍ରେ ଗୋଲନ୍ଦାଜ, ତାଙ୍କ ପଶ୍ଚାତ୍‌ ପୟଦଲ ଫୌଜ, ତତ୍‌ପଶ୍ଚାତ୍‌ ସବାରେ ସୈନ୍ୟ ଚାଲିଅଛନ୍ତି । ସବାରଙ୍କ ପଶ୍ଚାଭାଗରେ ପାରିଷଦ ବେଷ୍ଟିତ ବଙ୍ଗ, ବିହାର, ଓଡ଼ିଶାର ଖୋଦ ନବାବ ଆଲିବର୍ଦ୍ଦି ଖାଁ ସଙ୍ଗରେ ନାବାଳକ ନାତି ସିରାଜଉଦ୍ଦୌଲା । ନବାବ ବାହାଦୁର ଏକ ବିଶାଳକାୟ ବିଶାଳଦଂଷ୍ଟ୍ରହସ୍ତୀ ଆରୋହଣ କରିଅଛନ୍ତି । ସେଇ ମତ୍ତ ମାତଙ୍ଗ ପୃଷ୍ଠରେ ସ୍ୱର୍ଣ୍ଣ ରୌପ୍ୟମୟ ରତ୍ନଖଚିତ ହାଉଦା । ସଚ୍ଚା ଜରିର କାରୁକାର୍ଯ୍ୟ ବିଶିଷ୍ଟ କୌଷେୟ ବସ୍ତ୍ରଦ୍ୱାରା ସର୍ବାଙ୍ଗ ଆବୃତ । ମହାର୍ଘ ବସ୍ତ୍ରାଳଙ୍କାର ବିଭୂଷିତ ହସ୍ତୀପଲ ଦ୍ୱାରା ଚାଳିତ । ନବାବ ସବାରି ହସ୍ତୀ ସମ୍ମୁଖ ଭାଗରେ ସମତୁଲ୍ୟକାୟ ସ୍ୱର୍ଣ୍ଣରୌପ୍ୟଜଡ଼ିତ କୌଷେୟବସନାବୃତ ଅନ୍ୟ ଦୁଇଗୋଟି ଦନ୍ତାବଳ । ସେହି ଦୁଇ ହସ୍ତୀପୃଷ୍ଠରେ ମହାର୍ଘ ବସ୍ତ୍ରାଳଙ୍କାର ବିଭୂଷିତ ଦୁଇଗୋଟି ଯୁବକ ସୁବର୍ଣ୍ଣଦଣ୍ଡ ସଂଲଗ୍ନ କୌଷେୟ ପତାକା ଧରି ବସିଛନ୍ତି । ବାମ ଭାଗରେ ରଜତ ହାଉଦାଧାରୀ ହସ୍ତୀପୃଷ୍ଠରେ ଏକ ସଜ୍ଜିତ ପୁରୁଷ ଗୋଲାପ ଜଳପୂର୍ଣ୍ଣ ସୁବର୍ଣ୍ଣମୟ ଅଲବୋଲା ଘେନି ବସିଅଛି । ବିବିଧ ବର୍ଣ୍ଣ ରତ୍ନଜଡ଼ିତ ବିଂଶୋର୍ଦ୍ଧ୍ୱ ହସ୍ତ ପ୍ରମାଣ ଲମ୍ବ ବିଶିଷ୍ଟ ଅଲବୋଲା ସଂଲଗ୍ନ ନଳ ନବାବଙ୍କ ହସ୍ତୀପୃଷ୍ଠ ପର୍ଯ୍ୟନ୍ତ ଲମ୍ବିତ ହୋଇଅଛି । ନବାବ ବାହାଦୁରଙ୍କ ହାଉଦା ପଶ୍ଚାତ୍‌ଭାଗରେ ଉପବିଷ୍ଟ ଏକ କୁଳୀନ ମୁସଲମାନ ଯୁବକ ସେହି ନଳର ଅଗ୍ରଭାଗ ଧାରଣ କରିଅଛି ଏବଂ ସମୟ ସମୟରେ ନବାବଙ୍କ ଶ୍ରୀମୁଖଲଗ୍ନ କରାଉଅଛି । ବାମ ଓ ଦକ୍ଷିଣରେ କେତୋଟି ସମୋଚ୍ଚ ସଜ୍ଜିତ ହସ୍ତୀ ଉପରେ ସଜ୍ଜିତ ଯୁବକ ବାଦସାହୀ ଛତି (ରାଜ ଛତ୍ର), ଆଶା, ସୁଣ୍ଠା ରାଜଚିହ୍ନମାନ ଧାରଣ କରି ବସିଛନ୍ତି ଏବଂ ବାମ, ଦକ୍ଷିଣ, ପଶ୍ଚାଦ୍‌ଭାଗରେ ପଦୋଚିତ ବେଶଭୂଷା ବିମଣ୍ଡିତ ହୋଇ ଅମୀର ଓମରା ଗଜାରୋହୀ ପ୍ରଧାନ କର୍ମଚାରୀମାନେ ନବାବ ମହୋଦୟଙ୍କୁ ବେଷ୍ଟନ କରି ଚାଲିଅଛନ୍ତି । ତତ୍‌ପଶ୍ଚାତ୍‌ ରସଦ ଶଗଡ଼, ଥୋରି ଓଟ, ଥୋରି ବଳଦ, ଥୋରି ତଟୁ, ଥୋରି ଗଧ, ଥୋରି ହସ୍ତୀ , ଭାରୁଆ, ବୋଝିଆ, ମୋଟିଆ ଇତ୍ୟାଦି । ଚାରି ହଜାର ଢାଲୀ ବରକନ୍ଦାଜ ଏହି ସମସ୍ତ ରସଦ ରକ୍ଷାକାରୀ । ସେମାନଙ୍କ ପଶ୍ଚାଦ୍‌ ଭାଗରେ ବଜାରି, ହଟାରି, ଫେରିବାଲା, ପେଶାଦାର, ନର୍ତ୍ତକୀ, ଗାୟକୀ, ଛୋକାର, ଭିକାରୀ, ହାକିମ, କବିରାଜ, ଓମେଦାର ଇତ୍ୟାଦି ଆପଣା ଆପଣା ପଦମର୍ଯ୍ୟାଦା ଓ ଅବସ୍ଥା ଅନୁସାରେ କେହି ଘୋଡ଼ା, କେହି ତଟୁ, କେହି ଡୁଲି ଆରୋହଣ କରି ଚାଲିଅଛନ୍ତି । କେହି କେହି ଲୋକେ ଗଧର ମଧ୍ୟ ମର୍ଯ୍ୟାଦା ରକ୍ଷାକରି ଅଛନ୍ତି । ପଦବ୍ରଜୀ ଅସଂଖ୍ୟ ।

 

ନବାବ ସାହେବଙ୍କ ଅଗ୍ରପଶ୍ଚାତ୍‌ ବାମ ଦକ୍ଷିଣ ଭାଗରେ ଶତ ଶତ ଉଷ୍ଟ୍ର ଜ୍ୱଳନ୍ତ ଅଙ୍ଗାରପୂର୍ଣ୍ଣ ତହିଁରେ ପ୍ରକ୍ଷିପ୍ତ ଝୁଣା ଗୁଗୁଳ ଚନ୍ଦନ ଲୋବାନରୁ ଉଦ୍‍ଭୂତ ଧୂମରାଶିଯୁକ୍ତ ଉମେଇକୁ କୁବ୍‌ଜ ପୃଷ୍ଠରେ ବହନ କରି ଚାଲିଅଛନ୍ତି । ପ୍ରଥମ ଦିବସରେ ଚାରିକୋଶ ମାତ୍ର ଯାତ୍ରାକରି ମୁର୍‍ଶିଦାବାଦ ପ୍ରାନ୍ତ ଦେଶରେ ବିଶ୍ରାମ କଲେ । ତହିଁ ଆରଦିନ ପ୍ରାତଃକାଳରେ ପୁନର୍ବାର କୁଚ । ଦିନମାନରେ ବେଳେ ମାତ୍ର କୁଚ ହୁଏ । କାହିଁ ସରଳ, କାହିଁ କୁଟିଳ ବିବିଧ ଭଙ୍ଗୀରେ ଯୋଜନବ୍ୟାପୀ ସୈନ୍ୟପ୍ରବାହ ଚାଲିଅଛନ୍ତି । ଅତି ସାବଧାନ, ନିୟମିତ ଶୃଙ୍ଖଳାବଦ୍ଧ, ନୀରବ ଭାବରେ ଯୋଗ୍ୟ ଶିକ୍ଷିତ ସେନାପତି ଦ୍ୱାରା ଚାଳିତ ହେଉଅଛନ୍ତି । ସୈନ୍ୟ ଶୀର୍ଷଭାଗ ଉତ୍କଳସୀମା ସ୍ପର୍ଶ କରିବାକୁ ଦଶାହ କାଳ ଅତୀତ ହେଲା । ରାୟବଣିଆ ଦୁର୍ଗେଶ୍ୱର ରାୟ ରାଘବ ରାଟସିଂହ ଜଗଦ୍ଦେବ ବୈରିଗଞ୍ଜନ ମାନଧାତା ସୈନ୍ୟସାମନ୍ତ ସହିତ ପାଛୋଟି ଯାଇ ଦାନ୍ତୋଣଠାରେ ମିଳିତ ହେଲେ ।

Image

 

–୧୨–

ହଳଦୀପଦା ଯୁଦ୍ଧ–ନବାବଙ୍କ ଦୁର୍ଦ୍ଦଶା

 

ନବାବୀ ଫୌଜର ଶୀର୍ଷଭାଗ ହଳଦୀପଦାଠାରେ ଉପସ୍ଥିତ । ସେହି ସମୟରେ ନବାବସାହେବ ସୁବର୍ଣ୍ଣରେଖା ରାଜଘାଟ ନାମକ ସ୍ଥାନରେ ବିରାଜମାନ ଥିଲେ । ପଞ୍ଚ ସହସ୍ର ମାତ୍ର ଅଶ୍ୱାରୋହୀ ସୈନ୍ୟ ସହିତ ବାଲେଶ୍ୱର ବନ୍ଦର ପଶ୍ଚିମାଂଶ ଭାସ୍କରଗଞ୍ଜ ନାମକ ସ୍ଥାନରେ ମରହଟ୍ଟା ଫୌଜଦାର ଭାସ୍କର ପଣ୍ଡିତ ଉପସ୍ଥିତ ଥିବାର ଗୁପ୍ତ ଗୋଇନ୍ଦା ସମ୍ବାଦ ଦେଲା । ବିପକ୍ଷ ନବାବ ସୈନ୍ୟ ସମାଗମ ସାମଚାର ପ୍ରାପ୍ତ ହୋଇଥିବାର ଜଣାଯାଏ ନାହିଁ । କାରଣ ସେମାନେ ନିଶ୍ଚେଷ୍ଟ ଭାବରେ ରହିଅଛନ୍ତି । ଉଭୟେ ପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କରେ ମଧ୍ୟ ଶତ୍ରୁ ସଞ୍ଚାରର ଚିହ୍ନ ମାତ୍ର ନାସ୍ତି । ନବାବ ସାହେବ ସମ୍ବାଦ ପାଇ ଅତ୍ୟନ୍ତ ଆନନ୍ଦିତ ହେଲେ । ବିଶାଳ ବାହିନୀ ପକାଇ ଅରାତି ଦଳକୁ ଏକାବେଳକେ ଦଳି ଦେବେ, ଉତ୍କଳ ଭୂମିରେ ସେମାନଙ୍କର ଚିହ୍ନ ମାତ୍ର ରହିବ ନାହିଁ । ବାଲେଶ୍ୱର ବନ୍ଦରଠାରେ ଉପସ୍ଥିତ ହୋଇ ଶତ୍ରୁ ସହିତ ଯୁଦ୍ଧ କରିବା ସକାଶେ ଅର୍ଦ୍ଧରାତ୍ରି ସମୟରେ ସେନାପତି ମୀରଜାଫର ନବାବଙ୍କଠାରୁ ହୁକୁମ ଘେନି ରମାନା ହେଲେ ।

 

ମକର ମାସ ଶେଷାଶେଷି । ଏହି ସମୟରେ ପ୍ରାଭାତିକ ଗଗନମଣ୍ଡଳ ପ୍ରାୟ କୁଜ୍‌ଝଟିକାଚ୍ଛନ୍ନ ହୁଏ । ତନ୍ନୀବନ୍ଧନ ଶୀତଟା ମଧ୍ୟ ଶେଷ ରାତ୍ରିରେ କିଛି ବେଶି ଜଣାଯାଏ ।

 

ନିଶା ଅବସାନ ପ୍ରାୟ । ଆକାଶମଣ୍ଡଳ ତିମିରାଚ୍ଛନ୍ନ । କୁଚ ସମୟ କିଞ୍ଚିତ୍‌ ବିଳମ୍ବ ଅଛି । ନବାବ ସୈନ୍ୟ ସ୍କନ୍ଧବାର ମଧ୍ୟରେ ସଚେତ ଭାବର ଆଭାସ ମିଳୁଅଛି । ଧର୍ମପରାୟଣ କେତେକ ପାଇକ ନିମାଜପାଠ ଆରମ୍ଭ କରିଅଛନ୍ତି, କେହି ବା ଉଜୁ କରୁଅଛି । ଥୋକେ ଉଦରପରାୟଣ ଗତରାତ୍ରି ଖାନାର ଅବଶିଷ୍ଟାଂଶ ନାସ୍ତା ନାମକ କର୍ମରେ ନ୍ୟସ୍ତ କରୁଅଛନ୍ତି । ଶୀତକାଳ ଶେଷରାତ୍ରି ନିଦ୍ରାର ମଧୁରତା କିଛି ବେଶି ଅନୁଭୂତ ହୁଏ, ଅଧିକାଂଶ ନିଦ୍ରାପରାୟଣ ପାଇକ କମ୍ବଳଟା ଭଲ କରି ଭିଡ଼ି ହୋଇ ଶୋଇ ପଡ଼ିଅଛନ୍ତି । ଆକାଶରୁ ବଜ୍ରପାତ ହେଲା ପରି ହଠାତ୍‌ ପଞ୍ଚ ସହସ୍ର ଅଶ୍ୱାରୋହୀ ମରହଟ୍ଟା ‘ବୋମ୍‌ ବୋମ୍‌ ମହାଦେଓ’ ଭୀଷଣ ଚିତ୍କାର କରି ନବାବଙ୍କ ସୈନ୍ୟ ଉପରେ ପଡ଼ି ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇଲେ । ଧନ୍ୟ ବର୍ଗୀ ଚାତୁରୀ ! ଧନ୍ୟ କ୍ଷିପ୍ରତା । ଏତେ ଶତ୍ରୁ ଆସି ଉପରେ ପଡ଼ିଲେଣି, ନବାବ ସେନାପତି ମୁହୂର୍ତ୍ତ ପୂର୍ବେ ସେଥିରେ ଶବ୍ଦ ମାତ୍ର ଅନୁଭବ କରି ପାରି ନାହାନ୍ତି । ନବାବଙ୍କ ସୈନ୍ୟଙ୍କୁ ଅସ୍ତ୍ରଧାରଣ କରିବାକୁ ଅବକାଶ ନାହିଁ । ହଠାତ୍‌ ନିଦ୍ରା ତ୍ୟାଗ କରି ଉଠିଅଛନ୍ତି, ଆକାଶ ମଧ୍ୟ ତିମିରାଚ୍ଛନ୍ନ । ଶତ୍ରୁ ଉପସ୍ଥିତ ଅନୁଭବ କରିବା ପୂର୍ବରୁ ଧରାଶାୟୀ ହେଉଅଛନ୍ତି । ଅର୍ଦ୍ଧଘଣ୍ଟା ମଧ୍ୟରେ ନବାବୀ ଆଗାଡ଼ିଫୌଜ ନିଃଶେଷ ପ୍ରାୟ ହୋଇଗଲେ । ତୁର୍କୀ ସୈନ୍ୟ ମଧ୍ୟରେ ସମ୍ବାଦ ପ୍ରଚାରିତ ହେବାରୁ ବିଷମ ବିଶୃଙ୍ଖଳା ଉପସ୍ଥିତ ହେଲା । ସମସ୍ତେ କିଂକର୍ତ୍ତବ୍ୟବିମୂଢ଼; ପ୍ରତିଯୁଦ୍ଧ ଦାନରେ ଅପାରଗ, ପଳାୟନ ପନ୍ଥା ମଧ୍ୟ ନାସ୍ତି । ମୀରଜାଫର ଜଣେ ପ୍ରବୀଣ ବହୁଦର୍ଶୀ ସେନାପତି, ଉପସ୍ଥିତ ବିଭ୍ରାଟରେ ଧୈଯ୍ୟଚ୍ୟୂତ ହେଲେ ନାହିଁ । ବହୁ କଷ୍ଟରେ ଅରାତି ଗତି ନିବାରଣେ ନିମନ୍ତେ ପ୍ରସ୍ତୁତ ହେବାକୁ ଲାଗିଲେ, ମାତ୍ର ଶୀଘ୍ର ସଫଳ କାମ ହୋଇ ପାରିଲେ ନାହିଁ । କାରଣ ଆଶୁ ସମର ସମ୍ଭାବନା ନଥିବାରୁ ତଦୁପଯୁକ୍ତ ସୈନ୍ୟର ସମାବେଶ ନଥିଲା । ଗୋଲନ୍ଦାଜ ସୈନ୍ୟ ଅଗ୍ରଭାଗରେ ଥିଲେ, ମାତ୍ର ତୋପ ଚଳାଇବାର ସୁଯୋଗ ନ ଥିଲା । ବର୍ଗୀମାନେ ଏତେ ନିକଟବର୍ତ୍ତୀ, ସ୍ଥାନେ ସ୍ଥାନେ ଏପରି ମିଶ୍ରିତ ଭାବରେ ଅଛନ୍ତି ଯେ, ତୋପ ଚାଳନା କଲେ ଶତ୍ରୁ ସହିତ ଆତ୍ମପକ୍ଷର ବିନାଶ ଅବଧାରିତ । ପଶ୍ଚାଦ୍‌ବର୍ତ୍ତୀ ଅଶ୍ୱାରୋହୀମାନଙ୍କୁ ଅଗ୍ରସର ହେବା ନିମନ୍ତେ ତୁର୍କ ସେନାପତି ଆଦେଶ ପ୍ରଦାନ କଲେ । ହେଲେହେଁ ପ୍ରୟୋଜନ ସମୟ ମଧ୍ୟରେ ସୈନ୍ୟଶ୍ରେଣୀ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ହୋଇପାରିଲେ ନାହିଁ । କାରଣ ମାର୍ଗ ଦୁଇ ପାର୍ଶ୍ୱ ଜଙ୍ଗଲପୂର୍ଣ୍ଣ, ସଂପ୍ରତି ସୈନ୍ୟ ସଞ୍ଚାଳନ ନିମନ୍ତେ ବିଂଶହସ୍ତ ମାତ୍ର ଜଙ୍ଗଲ କାଟି ମାର୍ଗ ପ୍ରସ୍ତୁତ କରାଯାଇଅଛି । ଅଗ୍ରଗାମୀ ଗୋଲନ୍ଦାଜ ପୟଦଲ ସୈନ୍ୟ ଆଡ଼ ହୋଇଯାଇ ଅଶ୍ୱାରୋହୀ ସୈନ୍ୟଙ୍କ ଗତି ସକାଶେ ଦକ୍ଷିଣ ପାର୍ଶ୍ୱରେ ମାର୍ଗ ପରିଷ୍କାର କରି ଦେବାର ପ୍ରୟାସ କଲେ । ତାହା ମଧ୍ୟ ନିତାନ୍ତ ନିରାପଦରେ ସମ୍ପନ୍ନ ହେଲା ନାହିଁ । ଅଶ୍ୱାରୋହୀ ସୈନ୍ୟମାନଙ୍କ କ୍ଷିପ୍ରତା ହେତୁରୁ ଅଶ୍ୱ ପଦାଘାତରେ ଅନେକ ପାଇକ ଗତାସୁ ହେଲେ । ଅଶ୍ୱାରୋହୀ ସୈନ୍ୟ ଶତ୍ରୁ ସମ୍ମୁଖୀନ ହେବାକୁ ପ୍ରାୟ ପ୍ରହରାଧିକ ସମୟ ଅତିବାହିତ ହେଲା । କୁଜ୍‍ଝଟିକା ସଂପୂର୍ଣ୍ଣରୂପେ ନିରାକୃତ ହୋଇଅଛି, ଗଗନମଣ୍ଡଳ ନିର୍ମଳ । ଆଶ୍ଚର୍ଯ୍ୟର ବିଷୟ, ଦେଖାଗଲା, ବର୍ଗୀର ଚିହ୍ନ ମାତ୍ର ନାହିଁ, କେବଳ ଅସଂଖ୍ୟ ମୃତ ତୁର୍କ ମଧ୍ୟରେ ସଘୋଟକ ଶତାର୍ଦ୍ଧସଂଖ୍ୟକ ମାତ୍ର ମୃତ ବର୍ଗୀ ପତିତ ରହିଅଛନ୍ତି । ବାଜପକ୍ଷୀ ଯେପରି କପୋତ ପଲରେ ପତିତ ହୋଇ ସେମାନଙ୍କ ବଧସାଧନ କରି ଉଡ଼ିଯାଏ, ବର୍ଗୀ ସେହିପରି କ୍ଷିପ୍ରଗତିରେ ଅନ୍ତର୍ଦ୍ଧାନ ହୋଇ ଚାଲି ଯାଇଅଛନ୍ତି ।

Image

 

–୧୩–

ଫୁଲଓଆର ଯୁଦ୍ଧ

 

ପ୍ରବୀଣ ସେନାପତି ମୀରଜାଫର ବୁଝିଲେ, ବର୍ତ୍ତମାନ କ୍ଷେତ୍ରଟା ବ୍ୟୂହରଚନା ଏବଂ ସୈନ୍ୟସଞ୍ଚାଳନ ପକ୍ଷରେ ଅସୁବିଧାଜନକ । ମରହଟ୍ଟା ହଟିଯାଇ ଫୁଲଓଆର ନାମକ ସ୍ଥାନରେ ଅବସ୍ଥାନ କରୁଥିବା ସମ୍ବାଦପ୍ରାପ୍ତ ହେଲେ । କଥିତ ସ୍ଥାନଟା ପ୍ରଶସ୍ତ ପ୍ରାନ୍ତର, ସୁତରାଂ ସମରାଭିନୟର ଉପଯୋଗୀ । ଦିବା ଦୁଇ ପ୍ରହର ସମୟରେ ଗୋଲନ୍ଦାଜ ଏବଂ ପୟଦଲ ଜଘିଂମାନଙ୍କୁ ଧରି ସେନାପତି ରମାନା ହେଲେ । ପଶ୍ଚାଦ୍‍ଭାଗ ରକ୍ଷା ନିମନ୍ତେ ଅଶ୍ୱାରୋହୀମାନଙ୍କ ପ୍ରତି ଆଦେଶ ରହିଲା । ସୈନ୍ୟଶ୍ରେଣୀ ଫୁଲଓଆରଠାରେ ଉପସ୍ଥିତ ହେବାକୁ ପ୍ରାୟ ସନ୍ଧ୍ୟା ଉପସ୍ଥିତ-। ପରାଜୟ, ଅନାହାର, ତଥା ପଥକ୍ଳାନ୍ତି ହେତୁରୁ ପାଇକମାନେ ନିସ୍ତେଜ ହୋଇ ପଡ଼ିଥିଲେ । କୋମର ଖୁଲାଇ ଆଦେଶ ପ୍ରଚାରିତ ହେଲା । ଫୁଲଓଆର ନଦୀ ଉତ୍ତର ଦକ୍ଷିଣ ଦୁଇ କୂଳ ଦୁଇ ପକ୍ଷ ସୈନ୍ୟ ଆବୋରି ରହିଅଛନ୍ତି । ନିଶାବସାନର କିଞ୍ଚିତ୍‌ ପୂର୍ବେ ପ୍ରତ୍ୟୁଷ ନିସ୍ତବ୍‌ଧତା ଭଙ୍ଗ କରି ଯୁଗପତ୍ ସହସ୍ର ଅଶ୍ୱନିପାତ ତୁଲ୍ୟ ଶବ୍ଦ କରି ନବାବଙ୍କ ଶତାଧିକ କମାଣ ଅଗ୍ନି ଉଦ୍‌ଗୀରଣ କଲା । ତୋପ ସଙ୍ଗରେ ତୋପ, ତୋପ ପଛରେ ତୋପ, ଅବିଶ୍ରାନ୍ତ ତୋପ ଚତୁର୍ଦ୍ଦିଗ ବାୟୁରାଶିରେ ପ୍ରତିଧ୍ୱନି ବ୍ୟାପ୍ତ ହୋଇ ପୃଥିବୀ ଏବଂ ଗଗନମଣ୍ଡଳ କମ୍ପିତ ହେଉଅଛି । ନିବିଡ଼ ଧୂମ-ରାଶିରେ ଗଗନମଣ୍ଡଳ ଆଚ୍ଛନ୍ନ, ଶତହସ୍ତ ଦୂରବର୍ତ୍ତୀ ପଦାର୍ଥ ଅଦୃଶ୍ୟ । ଅର୍ଦ୍ଧପ୍ରହର ଉତ୍ତାରେ ପଶ୍ଚାଦ୍‌ବର୍ତ୍ତୀ ସୈନ୍ୟଶ୍ରେଣୀ ଦକ୍ଷିଣ ଭାଗରେ ବର୍ଗୀ ଅଶ୍ୱାରୋହୀ ପତିତ ହୋଇ ସେନାବଧ ସାଧନରେ ପ୍ରବୃତ୍ତ ହେବାର ଦେଖି ସେନାପତି ଉପସ୍ଥିତ ହୋଇ ବର୍ଗୀ ପାଇକ ନଦୀର ଦକ୍ଷିଣ ଭାଗରେ କ୍ରୋଶବ୍ୟାପୀ ସ୍ଥାନ ଆବରଣ କରି ଲମ୍ବ ଭାବରେ ପଡ଼ିଥିବାର ଦେଖିଥିଲେ । ସେନାପତି ରାତ୍ର ଅନ୍ଧକାରରେ ପ୍ରଛନ୍ନ ଭାବରେ ଥାଇ ସାରା ରାତ୍ରି ଶ୍ରମ ସ୍ୱୀକାରପୂର୍ବକ ପଞ୍ଚାଶ ଗୋଟା ତୋପ ସେମାନଙ୍କ ଦିଗକୁ ମୁଖ କରାଇ ସଜାଇ ରଖିଥିଲେ । ତାହାଙ୍କର ଆଶା ଥିଲା, ସମସ୍ତ ମରହଟ୍ଟା ସୈନ୍ୟଙ୍କୁ ଏକାବେଳକେ ଧ୍ୱଂସ କରିଦେବ । ମାତ୍ର ବର୍ଗୀ ଚାତୁରୀରେ ସମସ୍ତ କଳ୍ପନା, ସମସ୍ତ ଆଶାଭରଷା ବ୍ୟର୍ଥ ହୋଇଗଲା । ତୁର୍କ ସେନାପତିଙ୍କୁ ଭୁଲାଇବା ସକାଶେ ବର୍ଗୀ ପାଇକମାନେ ସ୍ଥାନେ ସ୍ଥାନେ ରନ୍ଧନାଦି କାର୍ଯ୍ୟରେ ନିଯୁକ୍ତ ଥିବାର ଛଳନା କରି ଅଗ୍ନି ପ୍ରଜ୍ଜ୍ୱଳିତ କରାଉଥାନ୍ତି ଏବଂ ଥୋକେ ପାଇକ ବ୍ୟର୍ଥ ଗୋଳମାଳ କରୁଥାନ୍ତି । ଅବଶିଷ୍ଟ ସମସ୍ତ ବର୍ଗୀ ଏକ କ୍ରୋଶ ଉପରିଭାଗରେ ନଦୀ ପାର ହୋଇ ତୁର୍କ ସୈନ୍ୟଶ୍ରେଣୀର ଦକ୍ଷିଣ ଭାଗରେ ଉପସ୍ଥିତ ହେଲେ । ରାତ୍ରି ତୃତୀୟ ପ୍ରହର ସମୟରେ ନଦୀର ଦକ୍ଷିଣ କୂଳ ନିସ୍ତବ୍‌ଧ । ବର୍ଗୀ ନିଦ୍ରିତ ହୋଇ ପଡ଼ିଥିବା ନିସ୍ତବ୍‌ଧତାର କାରଣ ବୋଲି ସେନାପତିଙ୍କ ଅନୁମାନରେ ସାବ୍ୟସ୍ତ ହୋଇଥିଲା । ନବାବ ପକ୍ଷରେ ତୋପ ଆଓ୍ୱାଜ ସମୟ ଶେଷରାତ୍ରି । କୁହୁଡ଼ି ଏବଂ ପ୍ରତ୍ୟୁଷ ଅନ୍ଧକାରରେ ଆକାଶ ଆଚ୍ଛନ୍ନ, ସମ୍ମୁଖବର୍ତ୍ତୀ ପଦାର୍ଥ ଅଦୃଶ୍ୟ । ସେନାପତି ଭ୍ରାନ୍ତ ହୋଇ ବୃଥା ତୋପ ଚଳାଉଥିଲେ । ଆତ୍ମପକ୍ଷ ସୈନ୍ୟବିନାଶ ଦେଖି ତୋପ ମୁଖ ଫେରାଇବାକୁ ଆଦେଶ ଦେଲେ । ତୋପର କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ଚତୁର ବର୍ଗୀ ନଦୀ ପାର ହୋଇ ଅରାଡ଼ ନାମକ ସ୍ଥାନକୁ ପଳାୟନ କଲେ ।

 

ତୁର୍କ ଅଶ୍ୱାରୋହୀମାନେ ବର୍ଗୀମାନଙ୍କ ପଶ୍ଚାଦ୍ଧାବନ କରିଥିଲେ, ବିଜୟଲାଭର ସମ୍ଭାବନା ଥିଲା । କାରଣ ସେମାନଙ୍କ ସଂଖ୍ୟା ଅନେକ ଗୁଣରେ ନ୍ୟୂନ ଥିଲା, ଅରାଡ଼ ମଧ୍ୟ ଘଟଣାସ୍ଥଳରୁ ଦୁଇ କ୍ରୋଶରୁ ଅଧିକ ନୁହେଁ । ତଥାପି ତୁର୍କ ପଶ୍ଚାଦ୍ଧାବନ କରି ପାରିଲେ ନାହିଁ । ଫୁଲଓଆରଠାରୁ ଅରାଡ଼ ପର୍ଯ୍ୟନ୍ତ ପ୍ରାନ୍ତରଟା ସ୍ଥାନେ ସ୍ଥାନେ ସ୍ୱଳ୍ପ ଜଳବିଶିଷ୍ଟ ଏବଂ କର୍ଦ୍ଦମମୟ । ତୁର୍କ ଅଶ୍ୱାରୋହୀ ଏବଂ ତୋପ ଶଗଡ଼ର ବେଗଗମନ ପକ୍ଷରେ ଅସୁବିଧାଜନକ । ପ୍ରାନ୍ତରରୁ ଏକ କ୍ରୋଶ ଦୂରବର୍ତ୍ତୀ ପଶ୍ଚିମ ଭାଗରେ ସୁନ୍ଦର ମାର୍ଗ ତୁର୍କମାନଙ୍କର ଅଜ୍ଞାତ । ବର୍ଗୀ ସେହି ମାର୍ଗ ଅବଲମ୍ବନ କରି ପଳାଇଥିଲେ ।

 

ସେନାପତିଙ୍କ ଆଦେଶ ଅନୁସାରେ ପଙ୍କିଳ ପଡ଼ିଆ ମଧ୍ୟରେ ତୋପ ଶଗଡ଼ ଚଳିବା ଉପଯୋଗୀ ଗୋଟିଏ ରାସ୍ତା ଅବିଳମ୍ବେ ପ୍ରସ୍ତୁତ ହୋଇଗଲା । ତୁର୍କ ପାଇକ ଅରାଡ଼ ନାମକ ସ୍ଥାନରେ ଉପସ୍ଥିତ ହେବା ମାତ୍ରେ ପୁନର୍ବାର ଯୁଦ୍ଧାରମ୍ଭ ହେଲା । ବର୍ଗୀ ଯେଉଁ ସ୍ଥାନ ଅଧିକାର କରି ବ୍ୟୂହ ରଚନା କରିଥିଲେ, ସେ ସ୍ଥାନଟା ଅତି ଉଚ୍ଚ, ଏଥକୁ ସେମାନଙ୍କ ପକ୍ଷରେ ସୁବିଧାଜନକ ଥିଲା, ତଥାଚ ତୁର୍କ ତୋପଗୋଳା ସହ୍ୟ କରି ନ ପାରି ପଳାୟନ କଲେ ।

 

ରାତ୍ରି ଉପସ୍ଥିତ, ତୁର୍କ ସେନାପତି ଅରାଡ଼ରେ ବିଶ୍ରାମ କଲେ । ପ୍ରଭାତ କାଳରେ ବର୍ଗୀମାନଙ୍କ ଅନୁସରଣ କରିବା ନିମନ୍ତେ ତୁର୍କ ସେନାପତି ମନସ୍ଥ କରି ତତ୍ତୁଲ୍ୟ ଆୟୋଜନ କରିଥିଲେ । ମାତ୍ର ତାହାଙ୍କ ଯାତ୍ରା ପରିଶ୍ରମ ସ୍ୱୀକାର କରିବାକୁ ହେଲା ନାହିଁ । ପ୍ରାତଃକାଳରେ ବର୍ଗୀ ଉପସ୍ଥିତ ।

 

ସ୍ୱଳ୍ପସଂଖ୍ୟକ ବର୍ଗୀ ସୈନ୍ୟଦ୍ୱାରା ବିଶାଳ ତୁର୍କ ବାହିନୀ ପରାସ୍ତ ହେବାର ସଚରାଚର ଦୃଷ୍ଟିଗୋଚର ହୁଏ । ସେଥିର ଏକମାତ୍ର କାରଣ ଏହି, ବର୍ଗୀ ଅଶ୍ୱସମସ୍ତ କ୍ଷୀଣକାୟ, ଖର୍ବଶରୀର, କ୍ଷିପ୍ରଗତି, କଷ୍ଟସହିଷ୍ଣୁ । ସେମାନେ ବନ୍ୟ ମୃଗଯୂଥ ପରି ଅରଣ୍ୟ ପାର୍ବତ୍ୟ ସ୍ଥାନରେ ଗଳି ଗଳି ଲମ୍ଫ ପ୍ରଦାନପୂର୍ବକ ବାୟୁବେଗରେ ଧାବମାନ ହେବାକୁ ସମର୍ଥ । ଅଶ୍ୱର ଉପଯୁକ୍ତ ଆରୋହୀ । କ୍ଷିପ୍ରକାରିତା, ଚତୁରତା, କଷ୍ଟସହିଷ୍ଣୁତା ଏମାନଙ୍କର ନୈସର୍ଗିକ ଗୁଣ । ଏହି ସମସ୍ତ ଗୁଣ ସର୍ବଦା ଏମାନଙ୍କର ବିଜୟଲାଭର ସହାୟ ହୁଏ । ବର୍ଗୀମାନଙ୍କ ବେଶଭୂଷା ମଧ୍ୟ ତତ୍ତୁଲ୍ୟ । ଅଶ୍ୱଭୂଷା ମଧ୍ୟରେ ଲଗାମ ଡୋରି, ଅଶ୍ୱପୃଷ୍ଠରେ ଖଣ୍ଡିଏ କମଳ ଭିଡ଼ା ଥାଏ । ସେହି ଖୁଗ୍‌ରି କମଳ ଖଣ୍ଡିକରେ ଆରୋହୀଙ୍କ ଶୀତବସ୍ତ୍ର ଏବଂ ତମ୍ବୁ, ସବୁ କର୍ମ ଚଳେ । ଘୋଡ଼ା ପିଠିରେ ଗୋଟିଏ ଜାଉଁଳି ଥଳି ପଡ଼ିଥାଏ, ତାହାର ଏକ ପାର୍ଶ୍ୱରେ ଅଶ୍ୱ ଖାଦ୍ୟ, ଅନ୍ୟ ପାର୍ଶ୍ୱରେ ଆରୋହୀ ଖାଦ୍ୟ, ପରିବର୍ତ୍ତନ ସକାଶେ ଅଧିକ ଖଣ୍ଡିଏ ବସ୍ତ୍ର, ଗୋଟିଏ ଲୋଟା ପୂର୍ଣ୍ଣ ଥାଏ । ବର୍ଗୀ ପାଇକମାନଙ୍କ ଅସ୍ତ୍ର ଢାଲ, ତରବାରୀ, କଟାରୀ,ବର୍ଚ୍ଛା ଏବଂ ଆଗ୍ନେୟାସ୍ତ୍ର କଡ଼ାଚିନ । ବିଶ୍ରାମ ସମୟରେ ବର୍ଚ୍ଛା ପୋତି ଦେଇ ସେଥିରେ ଅଶ୍ୱକୁ ବନ୍ଧନ କରନ୍ତି । ବର୍ଷା ଖରା ସମୟରେ ପାଇକମାନେ ଅଶ୍ୱ ପେଟତଳେ ରହି ଆତ୍ମରକ୍ଷା କରନ୍ତି । ଏଣେ ନବାବୀ ଅଶ୍ୱ ସମସ୍ତ ଦୀର୍ଘକାୟ, ସ୍ଥୂଳଶରୀର, ଯତ୍ନପାଳିତ । ମୂଲ୍ୟବାନ୍‍ ଖୁଗ୍‍ରି ଚାରଜାମା ମୁଖପଟା ଲଗାମରେ ବିଭୂଷିତ । ବନ୍ଧୁର ଅରଣ୍ୟ ସ୍ଥାନ ପର୍ଯ୍ୟଟନରେ ଅନଭ୍ୟସ୍ତ, ଦୀର୍ଘ ପର୍ଯ୍ୟଟନରେ ଅଶକ୍ତ, ପ୍ରତ୍ୟେକ ଘୋଡ଼ାରେ ଦୁଇଜଣ ଲେଖାଏଁ ଚାକର ନିଯୁକ୍ତ ଥାନ୍ତି; ଜଣେ ଘାସୀ, ଅନ୍ୟ ଜଣେ ସାମଲ । ଆରୋହୀମାନେ ମଧ୍ୟ ତତ୍ତୁଲ୍ୟ ମହାର୍ଘ୍ୟ ବେଶଭୂଷାରେ ବିଭୂଷିତ । ବଡ଼ ବଡ଼ ଖାଁ ସାହେବମାନେ ଯୁଦ୍ଧଯାତ୍ରା ସମୟରେ ମଧ୍ୟ ଦାଢ଼ିରେ ଅତର ବିନ୍ଦୁ ସଂଲଗ୍ନ କରିବାକୁ ବିସ୍ମିତ ହୁଅନ୍ତି ନାହିଁ । ଖାଁ ସାହେବମାନେ ଯୁଦ୍ଧରେ ନିଯୁକ୍ତ ଥିବା ସମୟରେ ବବୁର୍ଚ୍ଚି ପଲାଓ, କାଲିଆ, କବାବ୍‌ ରାନ୍ଧିବାରେ ବ୍ୟସ୍ତ ଥାଏ । ବର୍ଗୀ ପାଇକମାନେ ଯୁଦ୍ଧ ସମାପ୍ତ ହେଲେ କିମ୍ବା ଘୋର ଯୁଦ୍ଧ ସମୟରେ ମୁଠାଏ ଶୁଷ୍କ ବୁଟ ଚର୍ବଣ କରିଦେଲେ ଆହାର ସମାପ୍ତ ହୁଏ । ଏହି ସମସ୍ତ କାରଣରୁ ବର୍ଗୀ ଅଧିକାଂଶ ସ୍ଥଳରେ ବିଜୟୀ ।

 

ସେନାପତି ମୀରଜାଫର୍‌ ଖାଁ ଗୋଲନ୍ଦାଜ ଏବଂ ଅଶ୍ୱାରୋହୀମାନଙ୍କ ସହିତ ଅରାଡ଼ ନାମକ ସ୍ଥାନରେ ଉପସ୍ଥିତ । ନବାବ ସାହେବ ଅଗ୍ରସର ହୋଇ ନାହାନ୍ତି, ରାଜଘାଟ ସ୍କନ୍ଧାବାରରେ ଅବସ୍ଥାନ କରିଅଛନ୍ତି । ଫୁଲଓଆର କୂଳଠାରୁ ସୁବର୍ଣ୍ଣରେଖା ନଦୀକୂଳ ପର୍ଯ୍ୟନ୍ତ ତୁର୍କ ସୈନ୍ୟମାନେ ଆପଣା ଆପଣା ସେନାପତି ଅଧୀନରେ ସ୍ଥାନେ ସ୍ଥାନେ ଖଟି କରି ରହିଅଛନ୍ତି । ନବାବ ଏବଂ ତତ୍‍ପକ୍ଷ ସେନାପତିମାନଙ୍କର ଧ୍ରୂବ ବିଶ୍ୱାସ, ଶତ୍ରୁ ସମ୍ମୁଖରେ । ସେଥିପାଇଁ ଅଗ୍ରବର୍ତ୍ତୀ ସୈନ୍ୟ ସମରସଜ୍ଜାରେ ପ୍ରସ୍ତୁତ ଥିଲେ । ଉଭୟ ପାର୍ଶ୍ୱ କିମ୍ବା ପଶ୍ଚାଦ୍‍ଭାଗରେ ଶତ୍ରୁର ଚିହ୍ନମାତ୍ର ନାହିଁ, ସେଥିରେ ନିଶ୍ଚିନ୍ତ ।

 

ବର୍ଗୀ ମନସବଦାର ଲଛମନଜୀ ଦୁଇ ହଜାର ମାତ୍ର ବର୍ଗୀପାଇକ ଘେନି ଅରାଡ଼ଠାରେ ସେନାପତି ମୀରଜାଫରଙ୍କ ସହିତ ଯୁଦ୍ଧ ଆରମ୍ଭ କଲେ । ନବାବ ପକ୍ଷମାନେ ଦୂରବର୍ତ୍ତୀ ସ୍ଥାନରେ ରହି କେବଳ ତୋପଦ୍ୱାରା ଯୁଦ୍ଧ ଚଳାଉଥାନ୍ତି । ଆଗ୍ନେୟ ଅସ୍ତ୍ରରେ ବର୍ଗୀଠାରୁ ତୁର୍କମାନେ ନିପୁଣ । ସେନାପତି ମୀରଜାଫର ଏପରି ଉତ୍ସାହ ଏବଂ ପ୍ରବଳ ବେଗରେ ତୋପ ଚଳାଇଲେ ଯେ, ବର୍ଗୀ ସହ୍ୟ କରିବାକୁ ଅସମର୍ଥ ହୋଇ କ୍ରମଶଃ ପଛଘୁଞ୍ଚା ଦେଉଥିଲେ, ଏହିପରି ପଛଘୁଞ୍ଚା ଦେଇ ପ୍ରାୟ ଦୁଇ କ୍ରୋଶ ଦୂରବର୍ତ୍ତୀ ବାଙ୍ଗିରିଆ ପର୍ଯ୍ୟନ୍ତ ହଟିଗଲେ । ଆଶ୍ଚର୍ଯ୍ୟର ବିଷୟ, ପ୍ରହରବ୍ୟାପୀ ଯୁଦ୍ଧରେ କାହାର ପକ୍ଷରୁ କୌଣସି ପ୍ରକାର ବିଶେଷ କିଛି ଅନିଷ୍ଟ ଘଟିଲା ନାହିଁ । ଯୁଦ୍ଧ ପ୍ରଣାଳୀ ଦୃଷ୍ଟିରେ ପ୍ରକାଶିତ ହେଲା, ପ୍ରକୃତ ଯୁଦ୍ଧ କରିବା ବର୍ଗୀଙ୍କର ଅଭିପ୍ରାୟ ନ ଥିଲା । ତୁର୍କ ସେନାପତିଙ୍କୁ ଅନ୍ୟମନସ୍କ କରିବା ଏବଂ ନବାବଙ୍କ ନିକଟରୁ ଦୂରବର୍ତ୍ତୀ ସ୍ଥାନକୁ ଆକର୍ଷଣ କରିନେବା ତାଙ୍କର ଉଦ୍ଦେଶ୍ୟ । ଠିକ୍‌ ଏହି ସମୟରେ ଦେଖାଗଲା, ସ୍ୱୟଂ ଭାସ୍କର ପଣ୍ଡିତ ଦଶସହସ୍ର ଅଶ୍ୱାରୋହୀ ସୈନ୍ୟ ସହିତ ଅତର୍କିତ ଭାବରେ ତୁର୍କସୈନ୍ୟ ଉପରେ ପତିତ ହୋଇ ସୈନ୍ୟଶୃଙ୍ଖଳା ଛିନ୍ନ ଭିନ୍ନ କରିଦେଲେ । ତୁର୍କ ସୈନ୍ୟ ବହୁଗୁଣରେ ଅଧିକ ଥିଲେ ମଧ୍ୟ ପରସ୍ପର ସାହାଯ୍ୟ କରିବାକୁ ଅବକାଶ ପାଇଲେ ନାହିଁ । ତୁର୍କ ସୈନ୍ୟଶୃଙ୍ଖଳା ମଧ୍ୟରେ ଏକ ଏକ ସ୍ଥାନରେ ଅଧିକ ପରିମାଣରେ ବର୍ଗୀ ପଡ଼ି ଛିନ୍ନ ଭିନ୍ନ କରିଦେଲେ । ସେନାପତିମାନଙ୍କର ସମବେତ ପରାମର୍ଶ କରିବାର ସୁଯୋଗ ରହିତ ହୋଇଗଲା । ନବାବଙ୍କ ଆଦେଶ ସେନାପତିମାନଙ୍କଠାରେ ପ୍ରବେଶ ହେବାର ଉପାୟ ରହିଲା ନାହିଁ । ଏକ ସେନାପତି ଅନ୍ୟ ସେନାପତିକୁ ସାହାଯ୍ୟ କରିବାର କିମ୍ବା ଅନ୍ୟଠାରୁ ସାହାଯ୍ୟ ପାଇବାରେ ଆଶା ରହିତ ହେଲା । ବର୍ଗୀ ଦୁଇ ତିନି ଦଳରେ ବିଭକ୍ତି ହୋଇ ତୁର୍କ ସୈନ୍ୟଶୃଙ୍ଖଳା ଛିନ୍ନ ଭିନ୍ନ କରୁଅଛନ୍ତି । ସେନାପତିମାନେ ଦେଖିଲେ, ଅଗ୍ରଭାଗରେ ବର୍ଗୀ, ପଶ୍ଚାଦ୍‍ଭାଗରେ ବର୍ଗୀ । ସ୍ତମ୍ଭିତ ଭାବରେ ଆପଣା ସ୍ଥାନରେ ରହି ଆତ୍ମରକ୍ଷା କରୁଥାନ୍ତି । ଅଧିକାଂଶ ସେନାପତିଙ୍କ ସୈନ୍ୟମାନେ ଅନାୟତ୍ତ ଭାବରେ ଛିନ୍ନ ଭିନ୍ନ ହୋଇ ବର୍ଗୀଙ୍କ ଦ୍ୱାରା ହତ ହେଲେ । ଭାସ୍କର ପଣ୍ଡିତ ଯେପରି ପ୍ରବଳ ବେଗରେ ରାଜଘାଟ ଦିଗକୁ ଧାବିତ ହେଉଥିଲେ, ସେଥିରେ ନବାବଙ୍କର ବଧ ବା ବନ୍ଧନ ନିଶ୍ଚିତ ଥିଲା । ରାୟବଣିଆ ଦୁର୍ଗର ଖଣ୍ଡାଏତ ଏବଂ ସୋସୋ ଗ୍ରାମରୁ ସମାଗତ ତୁର୍କ ଏବଂ ଖଣ୍ଡାଏତ ପାଇକଙ୍କ ହେତୁରୁ ନବାବ ସାହେବ ଏ ଯାତ୍ରାରେ ରକ୍ଷା ପାଇଗଲେ । ଉଲ୍ଲିଖିତ ପାଇକମାନେ ଘଟନା ସମ୍ୱନ୍ଧରେ ଅଭିଜ୍ଞ ଏବଂ ଅରଣ୍ୟ ଯୁଦ୍ଧରେ ଅଭ୍ୟସ୍ତ । ଏହି ପାଇକମାନେ ବନ୍ୟ ସଂକୀର୍ଣ୍ଣ ମାର୍ଗରେ ସ୍ଥାନେ ସ୍ଥାନେ ଅରଣ୍ୟ ମଧ୍ୟରେ ଗଳିଯାଇ ମରହଟ୍ଟାଙ୍କ ପଶ୍ଚାତ୍‍ ଏବଂ ପାର୍ଶ୍ୱଦେଶ ଆକ୍ରମଣ କଲେ । ଏ ପ୍ରକାର ଅସମ୍ଭାବିତ ରୂପେ ଆକ୍ରାନ୍ତ ହୋଇ ବର୍ଗୀ କିଞ୍ଚିତ୍‌ ବ୍ୟସ୍ତ ହୋଇପଡ଼ିଲେ । ଅତଃପର ପ୍ରବଳ ବେଗରେ ସମ୍ମୁଖକୁ ଧାବିତ ହୋଇପାରିଲେ ନାହିଁ । ଏହି ସମୟରେ ମନସବଦାର ସମସେର ଖାଁ ସାହସପୂର୍ବକ ବର୍ଗୀ ସମ୍ମୁଖ ଭାଗରେ ଦଣ୍ଡାୟମାନ । ପଶ୍ଚାତ୍‌, ପାର୍ଶ୍ୱ ସମ୍ମୁଖ ତିନି ଦିଗରୁ ଆକ୍ରାନ୍ତ ବର୍ଗୀ ଆକ୍ରମଣ ଛାଡ଼ି ଆତ୍ମରକ୍ଷାରେ ବ୍ୟସ୍ତ । ପଶ୍ଚାଦ୍‍ଦ୍ଭାଗରେ ଶତ୍ରୁ, ପଳାୟନର ଉପାୟ ନାହିଁ । ଅରଣ୍ୟମୟ ସ୍ଥାନ, ପଳାୟନ ସକାଶେ ମାର୍ଗମାତ୍ର ଅବଲମ୍ବନ । ଭାସ୍କର ପଣ୍ଡିତ ଦେଖିଲେ, ଆତ୍ମପକ୍ଷ କ୍ଷୟର କ୍ରମଶଃ ବୃଦ୍ଧି, ଶତ୍ରୁପକ୍ଷ ଅକ୍ଷୟର କାରଣ, ପାଇକମାନେ ବୃକ୍ଷ ଉହାଡ଼ରେ, ବୁଦାମୂଳରେ, ଲତାବିତାନରେ ପ୍ରଚ୍ଛନ୍ନଭାବରେ ଅସ୍ତ୍ରଚାଳନା କରୁଅଛନ୍ତି । କେହି ଅଶ୍ୱ ଉପରୁ, କେହି ସଘୋଟକ ବର୍ଗୀପାଇକ ଭୂତଳଶାୟୀ ହେଉଅଛନ୍ତି, ଅଳ୍ପସଂଖ୍ୟକ ପାଇକଦ୍ୱାରା ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ବର୍ଗୀ ଭୂପତିତ ହେଲେଣି । ଏହି ସମୟରେ ତୁର୍କ ପୟଦଲ ସିପାହୀମାନେ ବର୍ଗୀକୁ ଆକ୍ରମଣ କରିଥିଲେ ସେମାନଙ୍କ ବିନାଶ ଅନିବାର୍ଯ୍ୟ ହୋଇଥାନ୍ତା ମାତ୍ର ବର୍ଗୀର ଦୁର୍ଦ୍ଦଶା ନବାବ ସୈନ୍ୟ ମଧ୍ୟରେ ପ୍ରଚାରିତ ହୋଇ ପାରିଲା ନାହିଁ, ସେମାନେ ଭୟବିହ୍ୱଳ ହୋଇ ବହୁଦୂର ପର୍ଯ୍ୟନ୍ତ ବ୍ୟାପ୍ତ ହୋଇ ପଡ଼ିଥିଲେ । ପ୍ରତ୍ୟୁତ୍ପନ୍ନମତି ଭାସ୍କର ଦେଖିଲେ, ଯୁଦ୍ଧପ୍ରଣାଳୀ ପରିବର୍ତ୍ତନ ନ କଲେ ସମୂଳେ ବିନାଶର ସମ୍ଭାବନା । ଅଶ୍ୱ ପରିତ୍ୟାଗ ପୂର୍ବକ ଢାଲ ତରବାରୀ ଧରି ବନ ମଧ୍ୟରେ ଶତ୍ରୁ ସହିତ ଯୁଦ୍ଧ କରିବାକୁ ସଙ୍କେତ ପ୍ରଚାର କରିବାରୁ ନିମେଷ ମାତ୍ରେ ପଞ୍ଚ ସହସ୍ର ପାଇକ ଅଶ୍ୱ ପରିତ୍ୟାଗପୂର୍ବକ ଶତ୍ରୁ ସହିତ ଯୁଦ୍ଧ ଲିପ୍ତ ହେଲେ । ବୃକ୍ଷମୂଳ, ଗୁଳ୍ମପୂର୍ଣ୍ଣ ସ୍ଥାନ, ଲତାବିତାନ ସର୍ବତ୍ର ଘୋର ଯୁଦ୍ଧ ଲାଗିଅଛି । ତୁର୍କମାନଙ୍କ ବିଶାଳ ଲମ୍ବମାନ ଦାଢ଼ିରେ କଣ୍ଟକଶାଖା ଜଡ଼ିତ ହୋଇ ଗୁଚ୍ଛ ଗୁଚ୍ଛ କେଶ ଉତ୍ପାଟିତ ହେଉଅଛି, ତତ୍‌ପ୍ରତି ଦୃଷ୍ଟିନାହିଁ, ଯୁଦ୍ଧରେ ଉନ୍ମତ୍ତ, ‘ଆଲ୍ଲା ହୋ ଆକବ୍‌ର’ ‘ବୋମ୍‌ ବୋମ୍‌ ମହାଦେଓ’ ‘ଜୟ ଗଡ଼ଚଣ୍ଡୀ–ଚିତ୍କାର ଶବ୍ଦ ଓ ଜୀବନାନ୍ତକାଳୀନ ଆର୍ତ୍ତନାଦରେ ଅରଣ୍ୟଭୂମି ପରିପୂର୍ଣ୍ଣ ହେଲା । ବୃକ୍ଷଶାଖା ଲତାଜାଲ ନର ରକ୍ତରେ ରଞ୍ଜିତ ହୋଇ ପ୍ରସ୍ଫୁଟିତ ପଳାଶବନ ଆକାର ଧାରଣ କଲା । ଶବରାଶି ଓ ଛିନ୍ନହସ୍ତପଦ ମୁମୂର୍ଷୁ, ଲୋକରେ ଅରଣ୍ୟ ପରିପୂର୍ଣ୍ଣ । ପ୍ରହରବ୍ୟାପୀ ଯୁଦ୍ଧ ଉତ୍ତାରେ ରାୟବଣିଆ ପାଇକଦଳ ନିସ୍ତେଜ ହୋଇପଡ଼ିଲେ । ମରହଟ୍ଟା ପାଇକଦଳ ସଂଖ୍ୟାରେ ଅନେକ ଗୁଣରେ ଅଧିକ । ପଦଚାରୀ ବର୍ଗୀମାନେ ଅରଣ୍ୟ ମଧ୍ୟରେ ପ୍ରବେଶ କରି ଯୁଦ୍ଧରେ ନିଯୁକ୍ତ, ପଳାୟତ ପାଇକମାନଙ୍କୁ ଅଶ୍ୱାରୋହୀ ବର୍ଗୀମାନେ ବଧ କରୁଥାନ୍ତି । ବର୍ଗୀ ସଂପୂର୍ଣ୍ଣରୂପେ ବିଜୟଲାଭ କଲେ ମଧ୍ୟ ଭାସ୍କର ପଣ୍ଡିତ ଆପଣାକୁ ପରାଜିତ ବୋଲି ଜ୍ଞାନ କଲେ । ତାଙ୍କ ପକ୍ଷର ପ୍ରାୟ ପଞ୍ଚ ସହସ୍ର ଅଶ୍ୱାରୋହୀ ମୃତ୍ୟୁମୁଖରେ ପତିତ ହୋଇଅଛନ୍ତି । ଈଦୃଶ ଅପଚୟ ତାଙ୍କ ପକ୍ଷରେ କସ୍ମିନ୍‌ କାଳେ ଘଟନା ହୋଇନାହିଁ । ରାୟବଣିଆ ଖଣ୍ଡାଏତ ପାଇକମାନେ ଏହି ଅପଚୟର କାରଣ ବୋଲି ତାଙ୍କ ହୃଦୟରେ ଦୃଢ଼ବିଶ୍ୱାସ ଜାତ ହେଲା-। ସେ ପ୍ରତିହିଂସା ସାଧନ ନିମନ୍ତେ ମନ ମଧ୍ୟରେ ପ୍ରତିଜ୍ଞା କଲେ ।

 

ଭାସ୍କର ପଣ୍ଡିତ ଏହି ସମୟରେ ନବାବ ସୈନ୍ୟଶ୍ରେଣୀର ଅନୁଧାବନ କରିଥିଲେ ବିଜୟ ଲାଭର ସମ୍ଭାବନା ଥିଲା; ମାତ୍ର ସେ ଆପଣାକୁ ପରାଜିତ ଜ୍ଞାନ କରି ଯୁଦ୍ଧକ୍ଷେତ୍ର ପରିତ୍ୟାଗ ପୂର୍ବକ ପଳାୟନ କଲେ । ହତାବଶିଷ୍ଟ ଯୁଦ୍ଧକ୍ଳାନ୍ତ କ୍ଷୂଧାର୍ତ୍ତ ସୈନିକମାନଙ୍କୁ ପୁନର୍ବାର ଶୃଙ୍ଖଳବଦ୍ଧ କରିବାକୁ ସାର୍ଦ୍ଧ ପ୍ରହର ଅତିବାହିତ ହୋଇଗଲା । ଯୁଦ୍ଧକ୍ଷେତ୍ର ପରିତ୍ୟାଗ ସମୟରେ ପ୍ରାୟ ସନ୍ଧ୍ୟା ଅନ୍ଧକାର ଉପସ୍ଥିତ ।

 

ପ୍ରାଣାଧିକ ପ୍ରିୟତମ ସିରାଜଉଦ୍ଦୌଲା ସଙ୍ଗରେ ଥିବାରୁ ନବାବ ସାହେବ ଏହିପରି ଭୟବିହ୍ୱଳ ହୋଇ ପଡ଼ିଥିଲେ ଯେ, ରାଜଘାଟ ସ୍କନ୍ଧାବାର ପରିତ୍ୟାଗ କରି ଦିବାନିଶି ଯାତ୍ରାପୂର୍ବକ ଦାମୋଦର ନଦୀ କୂଳବର୍ତ୍ତୀ ତେବରା ନାମକ ସ୍ଥାନରେ ନିଃଶ୍ୱାସ ତ୍ୟାଗ କରିବାକୁ ଅବସର ପ୍ରାପ୍ତ ହେଲେ । ପଶ୍ଚାଦ୍‌ବର୍ତ୍ତୀ ଭଗ୍ନ ଛିନ୍ନ ବିଚ୍ଛିନ୍ନ ସୈନ୍ୟମାନଙ୍କୁ ସଂଗ୍ରହ କରି ସେନାପତି ମୀରଜାଫର ଏବଂ ସେନାପତି ମୁସ୍ତଫା ଚାରି ଦିବସ ଉତ୍ତାରେ ନବାବ ସହିତ ମିଳିତ ହେଲେ ।

Image

 

–୧୪–

ରାୟବଣିଆ ରଣ

 

ଦୂତର ଅସମ୍ମାନ, ଉପଯାଚିତ ମୈତ୍ରୀ ପ୍ରତ୍ୟାଖ୍ୟାନ, ରାୟବଣିଆର ସାମାନ୍ୟ ଜଣେ ଖଣ୍ଡାଏତର ଈଦୃଶ୍ୟ ଆସ୍ପର୍ଦ୍ଧା ପ୍ରବଳ ପ୍ରତାପ ବେରାରପତିଙ୍କ ପକ୍ଷରେ ଅସହନୀୟ । ଦ୍ୱିତୀୟତଃ, ବଙ୍ଗଦେଶମାର୍ଗ ନିଷ୍କଣ୍ଟକ କରିବା ସର୍ବାଗ୍ରେ କରଣୀୟ । ତୃତୀୟତଃ, ଗତ ଯୁଦ୍ଧ ବିଜୟର ବିଘ୍ନକାରୀ ଅବଶ୍ୟ ଶାସନୀୟ । ଉଦ୍ଦେଶ୍ୟ ସାଧନ ନିମିତ୍ତ ବେରାରପତିଙ୍କର ଦାକ୍ଷିଣାତ୍ୟ ଫୌଜଦାର ନୌଜୀ ରାଓ ଦଶ ସହସ୍ର ଅଶ୍ୱାରୋହୀ ପାଇକ ସହିତ ବାଲେଶ୍ୱର ବନ୍ଦରଠାରେ ଭାସ୍କର ପଣ୍ଡିତଙ୍କ ପଞ୍ଚବିଂଶତି ସହସ୍ର ଅଶ୍ୱାରୋହୀ ସହିତ ମିଳିତ ହୋଇଅଛନ୍ତି । ଚରଦ୍ୱାରା ଏହି ଅଶୁଭ ସମ୍ବାଦ ପ୍ରାପ୍ତ ହୋଇ ରାୟବଣିଆ ଦୁର୍ଗେଶ୍ୱର ଚିନ୍ତିତ । ପଞ୍ଚତ୍ରିଂଶତ ସହସ୍ର ଶିକ୍ଷିତ ଅଶ୍ୱାରୋହୀଙ୍କ ଆକ୍ରମଣ ନିବାରଣ ତାହାଙ୍କର କ୍ଷମତାତୀତ । ନବାବଙ୍କଠାରୁ ସାହାଯ୍ୟପ୍ରାପ୍ତି ଆଶା ରହିତ । ନବାବ ସାହେବ ନୂତନ ବଳ ସଂଗ୍ରହ ନ କରି ଅଗ୍ରସର ହେବାକୁ ଅସମର୍ଥ । ଆଶୁ ଯୁଦ୍ଧର ସମ୍ଭାବନା ନଥିବାରୁ ମାନଧାତାଙ୍କର ସମସ୍ତ ଉପଯୁକ୍ତ ଦଳେଇ ଦଳବେହେରା ନାୟକ ସହିତ ପ୍ରାୟ ସମସ୍ତ ପାଇକ ନବାବସାହେବଙ୍କ ସ୍କନ୍ଧାବାରରେ ଉପସ୍ଥିତ ରହିଅଛନ୍ତି । ସାହାଯ୍ୟ ପ୍ରାପ୍ତି ଦୂରେ ଥାଉ, ନବାବଙ୍କ ନିକଟକୁ ଉପସ୍ଥିତ ଦୁର୍ଯୋଗର ସମ୍ବାଦ ପ୍ରେରଣର ମଧ୍ୟ ଉପାୟ ନାହିଁ । ସହସା ମରହଟ୍ଟାମାନେ ସ୍ଥାନେ ସ୍ଥାନେ ଘାଟି କରି ସମ୍ବାଦ ଚଳାଚଳର ରାହା ବନ୍ଦ କରି ଦେଇଅଛନ୍ତି । ତଥାଚ ମାନଧାତା ନିରୁତ୍ସାହ ହେଲେ ନାହିଁ । ପାଞ୍ଚ ସହସ୍ର ମାତ୍ର ଦୁର୍ଗପ୍ରହରୀ ପାଇକଙ୍କ ସହାୟତାରେ ଦୁର୍ଗରକ୍ଷା କାରଣ କୃତନିଶ୍ଚୟ ହେଲେ । ଅଷ୍ଟାହ ଅବରୋଧ ଉତ୍ତାରେ ‘ବୋମ୍‍ ବୋମ୍‍ ମହାଦେଓ’ ବିକଟ ଚିତ୍କାର କରି ବର୍ଗୀ ଉପସ୍ଥିତ ହେଲେ । ପ୍ରାତଃକାଳରେ ଯୁଦ୍ଧାରମ୍ଭ ହେଲା । ଚତୁର୍ଦ୍ଦିଗରୁ ଦୁର୍ଗ ଆକ୍ରାନ୍ତ-। ମାତ୍ର ସିଂହଦ୍ୱାରର ଆକ୍ରମଣ ପ୍ରବଳତର । ବୃହତ୍ ବୃହତ୍ ଅଗ୍ନିମୟ ଲୌହଗୋଲକ ସିଂହଦ୍ୱାରର ବିଶାଳ କପାଟର ଲୌହ କୀଳକରେ କରକାଘାତ ତୁଲ୍ୟ ବାଜି ଛିନ୍ନ ଭିନ୍ନ ହେଉଅଛି । ଭୟଙ୍କର ଶବ୍ଦ କରି କପାଟ ଈଷତ୍‌ ମାତ୍ର କମ୍ପିତ ହେଉଅଛି । ଅସଂଖ୍ୟ ଗୋଲକ ପାଷାଣ ପ୍ରାଚୀରର ପାଦଦେଶସ୍ଥ ମୃତ୍‌ ପ୍ରାଚୀରରେ ପ୍ରୋତ୍‌ଥିତ ହୋଇ ଯାଉଅଛି । ତିନି ଦିବସ ବ୍ୟାପୀ ଯୁଦ୍ଧରେ ଦୁର୍ଗର କୌଣସି ପ୍ରକାର ଅନିଷ୍ଟ ଘଟିଲା ନାହିଁ । ଖଣ୍ଡାଏତମାନେ ପରିଖାକୂଳବର୍ତ୍ତୀ ବାଉଁଶ ମୁରୁଚା ପାଦଦେଶର ଅନ୍ତରାଳରେ ଶରୀର ଆଚ୍ଛନ୍ନ କରି ଅସ୍ତ୍ରଚାଳନା କରିବାରୁ ସେମାନଙ୍କ ପକ୍ଷରେ ଅପଚୟ ଘଟିଲା ନାହିଁ, ବର୍ଗୀ ବର୍ଗ ଭୂପତିତ ହେଉଅଛନ୍ତି । ବର୍ଗୀ ସିଂହଦ୍ୱାରଠାରେ ଏପରି ଉତ୍ସାହ, ଏପରି ସାହସ ସହିତ ଆକ୍ରମଣ କରୁଅଛନ୍ତି ଯେ, ଅର୍ଦ୍ଧକ୍ରୋଶବ୍ୟାପୀ ଭୂମି ଶବରାଶିରେ ପରିପୂର୍ଣ୍ଣ ହୋଇଗଲାଣି, ଭ୍ରୂକ୍ଷେପ ନାସ୍ତି, ଆକ୍ରମଣର ତ୍ରୁଟି ନାହିଁ । ଧାରାବାହିକରୂପେ ତିନିଦିବସ ପର୍ଯ୍ୟନ୍ତ ସଂଗ୍ରାମରେ ବିରାମ ନାହିଁ । ଚତୁର୍ଥ ଦିବସରେ ମାନଧାତା ଦେଖିଲେ, ଏତେ ବିନାଶରେ ମଧ୍ୟ ପତଙ୍ଗ ପଲ ପରି ବର୍ଗୀ ବେଷ୍ଟିତ ହୋଇ ରହିଅଛନ୍ତି । ଆତ୍ମପକ୍ଷର ଅଳ୍ପମାତ୍ର କ୍ଷତିକୁ ସେ ବିଶେଷ କ୍ଷତି ବୋଲି ଜ୍ଞାନ କଲେ । ତଥାଚ ସେ ଯେ ମାସବ୍ୟାପୀ କାଳ ଆତ୍ମରକ୍ଷା କରିବାକୁ ସମର୍ଥ ହେବେ, ସେ ବିଷୟରେ ସନ୍ଦେହ ନଥିଲା । ମାତ୍ର ଏହି ସମୟରେ ଗୋଟିଏ ବିଷମ ଦୁର୍ଯୋଗ ଘଟିଲା । ସିଂହଦ୍ୱାରା ଉପରେ ଗଡ଼ଚଣ୍ଡୀଙ୍କର ଯେଉଁ ବସନ୍ତବର୍ଣ୍ଣ ଶୁଭପତାକା ଉଡ଼ୁଥାଏ, ଶତ୍ରୁନିକ୍ଷିପ୍ତ ତୋପଗୋଳା ଆଘାତରେ ଦଣ୍ଡ ଭଗ୍ନ ହୋଇ ପତାକା ତଳେ ପଡ଼ିଗଲା । ଏହା ଗୋଟିଏ ଅଶୁଭ ଲକ୍ଷଣ ଅଟେ । ପତାକା ପତିତ ହେବାର ଦେଖି ମାନଧାତାଙ୍କ ମୁଖ ବିବର୍ଣ୍ଣ ହୋଇଗଲା, ପାଇକମାନେ ନିରୁତ୍ସାହ ହୋଇପଡ଼ିଲେ । ରାଣୀହଂସ ପୁରରେ ଭ୍ରାନ୍ତ ସମ୍ବାଦ ପ୍ରଚାରିତ ହେଲା–‘ମାନଧାତା ସ୍ୱୟଂ ପତିତ ହେଲେ’ । ହାହାକାର ଓ କ୍ରନ୍ଦନଧ୍ୱନିରେ ରାଣୀହଂସପୁର ପରିପୂର୍ଣ୍ଣ ହେଲା । ଠିକ୍‌ ଏହି ମୁହର୍ତ୍ତରେ ଅନ୍ୟ ଏକ ଭୟଙ୍କର ଦୁର୍ଯୋଗ ଉପସ୍ଥିତ । ଦୁର୍ଗର ଐଶାନ୍ୟକୋଣ ପରିଖା ବାହାର ବେତବଣରେ ପରିପୂର୍ଣ୍ଣ । ସେଇ ସ୍ଥାନଟା ଶତ୍ରୁଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ନ ଥିଲା, ମଧ୍ୟ ହୋଇନାହିଁ । ଏଥକୁ ସେ ସ୍ଥାନ ରକ୍ଷା ନିମନ୍ତେ ପାଇକମାନେ ଶିଥଳଯତ୍ନ ଥିଲେ । ପରିଖାଠାରୁ ଦୁର୍ଗପ୍ରାଚୀର ସହିତ ଅଭ୍ୟନ୍ତର କେତେଦୂର ପର୍ଯ୍ୟନ୍ତ ପାଞ୍ଚ ହାତ ଗଭୀର ମୃତ୍ତିକା ଭୟଙ୍କର ଶବ୍ଦରେ ଉଡ଼ିଯାଇ ଗୋଟିଏ ପ୍ରଶସ୍ତ ମାର୍ଗ ହୋଇଗଲା । ଶତ୍ରୁ ସୁଡ଼ଙ୍ଗ ଖୋଳି ତହିଁରେ ବାରୁଦ ପରିପୂର୍ଣ୍ଣ କରି ଅଗ୍ନିସଂଯୋଗ କରିଥିଲେ । ମରହଟ୍ଟା ସଙ୍ଗେ ସଙ୍ଗେ ଜଳସ୍ରୋତ ପରି ‘ବୋମ୍‍ ବୋମ୍‍ ମହାଦେଓ’ ଚିତ୍କାର କରି ଦୁର୍ଗ ମଧ୍ୟରେ ପ୍ରବେଶ କଲେ । ମହାଦେବୀ କ୍ରନ୍ଦନ ତ୍ୟାଗ କରିଅଛନ୍ତି । ବୀର ନାରୀ ପରି ଶତ୍ରୁ ଆଗମନବେଳେ ଅନାଇ ଦେଖିଲେ । ମୁହୁର୍ତ୍ତ ମଧ୍ୟରେ ତାଙ୍କ ମନରେ ଉଦୟ ହେଲା, ଆଉ କି ସକାଶେ ଜୀବନ ? ଜୀବନେଶ୍ୱର ଯାଇଅଛନ୍ତି, ଅବଶେଷରେ କି ଧର୍ମ ନଷ୍ଟ ହେବ ? ଗଡ଼ଚଣ୍ଡୀ ଦେବୀଙ୍କୁ ପ୍ରଣିପାତ ପୂର୍ବକ ଦେବୀଙ୍କ ଧଣ୍ଡା ମାଳ ଗଳାରେ ଲମ୍ବାଇ ବେଣ୍ଟ ପାଖରୀରେ ପ୍ରାଣତ୍ୟାଗ କଲେ । ଅନେକ ଅନେକ ପରିଜନ ମଧ୍ୟ ତାଙ୍କର ଅନୁଗାମିନୀ ହେଲେ ।

 

ଦୁର୍ଗ ଅଭ୍ୟନ୍ତରର ଦୁର୍ଯୋଗ ମାନଧାତାଙ୍କଠାରେ ଉପସ୍ଥିତ ହେଲା । ଦଳବେହେରା ହସ୍ତରେ ସିଂହଦ୍ୱାର ରକ୍ଷାର ଭାର ଦେଇ ଦୁର୍ଗ ମଧ୍ୟରେ ଉପସ୍ଥିତ ହେଲ । ସତୀ ମହାଦେବୀଙ୍କ ଚରମଗତି ବିଷୟ ବର୍ଣ୍ଣଗୋଚର ହେଲା । ଢାଲ ତରବାରୀ ଧରି ମତ୍ତ ମାତଙ୍ଗ ତୁଲ୍ୟ ବର୍ଗୀ ସମ୍ମୁଖରେ ଉଭା ହେଲେ । ଜୀବନାଶା ତ୍ୟାଗପୂର୍ବକ ଭୀଷଣ ଭାବରେ ତରବାରୀ ଘୂରାଉଛନ୍ତି । ଅସୀମ ସାହସ ସହିତ ପ୍ରବଳ ବେଗରେ ଅସ୍ତ୍ରଚାଳନା କୌଶଳରେ ଶତ ଶତ ବର୍ଗୀମସ୍ତକ ଭୂଲୁଣ୍ଠିତ ହେଲା । ଶତ୍ରୁ ଅସ୍ତ୍ରାଘାତ ନିବନ୍ଧନ ସ୍ୱଶରୀରନିଃସୃତ ଶୋଣିତ ଧାରାରେ ରକ୍ତବର୍ଣ୍ଣ ଦିଶୁ ଅଛନ୍ତି । ଅବିରଳ ରକ୍ତପାତ ଯୋଗୁଁ କ୍ରମଶଃ ଶରୀର ଅବସନ୍ନ ହୋଇ ଆସିଲା । ବାହ୍ୟଜ୍ଞାନ ନାହିଁ, ‘ମା ଚଣ୍ଡୀ’, ‘ମା ଚଣ୍ଡୀ’, ଚିତ୍କାର କରି ଅବଶେଷରେ ଶବରାଶି ଉପରେ ପଡ଼ିଗଲେ । ବର୍ଗୀ ହାବିଲଦାର୍‍ ଡାକିଦେଲା, ‘‘ସବଧାନ ! ଶତ୍ରୁକୁ ହତ୍ୟା କର ନାହିଁ, ସେନାପତିଙ୍କ ଆଜ୍ଞା–ତାହାର ଜୀବନରେ ପ୍ରୟୋଜନ’’ ।

Image

 

–୧୫–

ବିଚାର ଏବଂ ପ୍ରାଣ ଦଣ୍ଡ

 

ରାୟବଣିଆ ଦୁର୍ଗ ସଂପ୍ରତି ସମ୍ପୂର୍ଣ୍ଣରୂପେ ମହାରାଷ୍ଟ୍ର କରାୟତ୍ତ । ସମସ୍ତ ସମ୍ପତ୍ତି ଅପହୃତ ହୋଇଅଛି, ଦୁର୍ଗ ମଧ୍ୟରେ ଜୀବିତ ପ୍ରାଣୀ ମାତ୍ରର ଅଭାବ । ଦୁର୍ଗର ଅଭ୍ୟନ୍ତର ଏବଂ ଚତୁର୍ଦ୍ଦିଗ ବହିର୍ଭାଗ ସହସ୍ର ସହସ୍ର ଶବରାଶିରେ ପରିପୂର୍ଣ୍ଣ । ପୂତିଗନ୍ଧ ତଥା ଶ୍ୱାପଦ ପଶୁପକ୍ଷୀମାନଙ୍କ ବକିଟ ଚିତ୍କାରରେ ଭୟଙ୍କର ନରକବତ୍‌ ପ୍ରତୀୟମାନ ହେଉଅଛି ।

ଶ୍ରୀ ଶ୍ରୀ ଶ୍ରୀ ରାୟ ରାଘବ ରାୟଟସିଂହ ବୈରିଗଞ୍ଜନ ମାନଧାତା ବର୍ତ୍ତମାନ ମରହଟ୍ଟା ଫୌଜ ମଧ୍ୟରେ ବନ୍ଦୀ । ଆହତ ଶଯ୍ୟାଗତ ଥିବାରୁ ଏତାବତ୍‌କାଳ ତାହାଙ୍କର ବିଚାରକାର୍ଯ୍ୟ ସ୍ଥଗିତ ଥିଲା । ଆଦ୍ୟ ବିଚାରର ଦିନ । ମଧ୍ୟାହ୍ନ ସମୟ । ମହାରାଷ୍ଟ୍ର ସ୍କନ୍ଧାବାର ମଧ୍ୟସ୍ଥଳ ମଣ୍ଡପରେ ଭାସ୍କର ପଣ୍ଡିତ ବିରାଜମାନ । ସମ୍ମୁଖ ଭାଗ ଦୁଇ ପାର୍ଶ୍ୱରେ କିସନଜୀ ରାଓ, ଜୟନ୍ତ ରାଓ, ପ୍ରଶାନ୍ତ ଚେପେକାର, ଗୋପଳଜୀ ପ୍ରଭୃତି ସେନାପତି, ଚିଟକର ବହିଦାର, କାରକୁନ, କର୍ମଚାରୀବର୍ଗ ଉପବିଷ୍ଟ । ଆମ୍ଭମାନଙ୍କ ପୂର୍ବ ପରିଚିତ ଓକିଲ ଶିଓଶଙ୍କର ମାଲବୀର ମଧ୍ୟ ଉପସ୍ଥିତ ଅଛନ୍ତି । ଉନ୍ମୁକ୍ତ କୃପାଣହସ୍ତ ପଞ୍ଚାଶତ୍‌ ବେଷ୍ଟିତ ବଦ୍ଧହସ୍ତ ରାୟବଣିଆ ଦୁର୍ଗେଶ୍ୱର ମାନଧାତା ବିଚାରସ୍ଥଳକୁ ଆନୀତ ହେଲେ । ସେ ପିଞ୍ଜରାବଦ୍ଧ କ୍ରୋଧୋନ୍ମତ୍ତ ଶାର୍ଦ୍ଦୂଳ ପରି ପ୍ରଖର ଭାବରେ ଥରେ ମାତ୍ର ଭାସ୍କର ପଣ୍ଡିତଙ୍କୁ ଅନାଇ ଦେଇ ନିର୍ଭୀକ ନିମ୍ନମୁଖ ହୋଇ ସ୍ଥିର ଗମ୍ଭୀର ଭାବରେ ବିଚାରକ ସମ୍ମୁଖରେ ଉଭା ହୋଇଅଛନ୍ତି । ମାନଧାତାଙ୍କ ସହିତ ଆଉ ଗୋଟିଏ ବଦ୍ଧହସ୍ତ ବନ୍ଦୀ ମଧ୍ୟ ଆନୀତ ହୋଇଅଛି । ନାମ ରାୟଗୁରୁ ବନମାଳୀ ବାଚସ୍ପତି । ଅସଂଖ୍ୟ ଦର୍ଶକ ନୀରବ ଭାବରେ ଉଭା ହୋଇ ବିଚାରକାର୍ଯ୍ୟ ଦର୍ଶନ କରୁଅଛନ୍ତି । ଦରବାର ନିସ୍ତବ୍‌ଧ । ରାଜକୀୟ ଅଭିଯୋକ୍ତା ଓକିଲ ଗଣପତି ରାଓ ବୁଝାଇଦେଲେ, ‘‘ରାୟବଣିଆ ଗଡ଼ର ଖଣ୍ଡାଏତ ରାଘବ ରାୟଟସିଂହ ! ଶୁଣ, ତୁମ୍ଭେ ରାଜଦ୍ରୋହୀ । ମହାମହିମ ମହାରାଜା ଶ୍ରୀମାନ୍‌ ବେରାର ଅଧିପତିଙ୍କ ପ୍ରେରିତ ଓକିଲକୁ ଅସମ୍ମାନ କରିଅଛ । ବିଧର୍ମୀ ଯବନ ସହିତ ମିଳିତ ହୋଇ ରାଜକୀୟ ସୈନ୍ୟ ବିପକ୍ଷରେ ଅସ୍ତ୍ରଧାରଣ କରିଅଛ । ତୁମ୍ଭ କୃତ ଅପରାଧର ବିଚାର ହେବ ଏଥିରେ କି ଉତ୍ତର ଅଛି, ଦିଅ ।’’

ଦସ୍ୟୁତୁଲ୍ୟ ବନ୍ଦୀ ଏବଂ ଅସମ୍ମାନସୂଚକ ଭାଷାରେ ସମ୍ବୋଧନ କରାଯିବାରୁ ମାନଧାତାଙ୍କର କ୍ରୋଧ ଏତେଦୂର ଉଦ୍‍ବେଳିତ ହୋଇ ପଡ଼ିଥିଲା ଯେ, ସେ ଉତ୍ତର ଦେବାକୁ ଅସର୍ମଥ ହେଲେ । ପୂର୍ବବତ୍‌ ସ୍ଥିର ଅଟଳ ଭାବରେ ଉଭା ହୋଇ ଅଛନ୍ତି ।

ଓକିଲ ଶିଓଶଙ୍କର ମାଲବୀର କହିଲେ, ‘‘ଦେଖ ମାନଧାତା ! ଆମ୍ଭେ ରାୟବଣିଆଠାରୁ ବାହୁଡ଼ି ଆସି ସେନାପତି ଭାସ୍କର ପଣ୍ଡିତ ମହୋଦୟଙ୍କୁ ବୁଝାଇ ଦେଇଛୁ, ତୁମ୍ଭେ ସ୍ୱଂୟ କିଛି ମତପ୍ରକାଶ କରିନାହଁ । ତୁମ୍ଭର ରାୟଗୁରୁ ଏହି ବନ୍ଦୀ ବ୍ରାହ୍ମଣ ସମସ୍ତ କଥା କହିଅଛି । ବର୍ତ୍ତମାନ ତୁମ୍ଭେ ଶ୍ରୀଯୁକ୍ତଙ୍କଠାରେ କ୍ଷମାପ୍ରାର୍ଥନା କଲେ ପ୍ରାଣରକ୍ଷା ହୋଇପାରେ । ଏହି ବିପ୍ରାଧମ ପ୍ରାଣଦଣ୍ଡର ଯୋଗ୍ୟ ।’’

ଓକତିଲ ଶିଓଶଙ୍କର ମାଲବୀରଙ୍କ ବାକ୍ୟ ଶ୍ରବଣ କରି ରାୟଗୁରୁ ବନମାଳୀ ବାଚସ୍ପତି ଭୟରେ ବାତାହତ କଦଳୀବୃକ୍ଷ ପରି କମ୍ପିତ ହେଉଥାନ୍ତି । ପ୍ରହରୀମାନେ ତାଙ୍କୁ ଧରି ରଖି ନ ଥିଲେ ବୋଧକରୁଁ ଭୂପତିତ ହୋଇଥାନ୍ତେ ।

ମାନଧାତା ନିଜ ସମ୍ବନ୍ଧରା ନିଶ୍ଚିନ୍ତ ଥିଲେ, ବୋଧକରୁଁ କୌଣସି ଉତ୍ତର ଦେଇ ନ ଥାନ୍ତେ, ମାତ୍ର ରାୟଗୁରୁ ବନମାଳୀ ବାଚସ୍ପତିଙ୍କର ଅବସ୍ଥା ଦେଖି ସତେଜରେ କହିଲେ, ‘‘ଓକିଲ ! ତୁମ୍ଭେ ଭାସ୍କର ପଣ୍ଡିତଙ୍କୁ ବୁଝାଇଦିଅ, ଏହି ବ୍ରାହ୍ମଣ ନିର୍ଦ୍ଦୋଷ । ଆମ୍ଭ ଉପଦେଶ ଅନୁସାରେ ସମସ୍ତ କଥା କହିଅଛନ୍ତି । ତାଙ୍କ କଥିତ ସମସ୍ତ ବାକ୍ୟ ଆମ୍ଭର ଆତ୍ମକଥା ବୋଲି ଜାଣିବ । ନିଶ୍ଚୟ ଜାଣ, ଏହି ନିର୍ଦ୍ଦୋଷ ସତ୍‌କୁଳଜାତ ବ୍ରାହ୍ମଣର ପ୍ରାଣହାନି ହେଲେ ତାଙ୍କ ଅଭିସମ୍ପାତରେ ସମସ୍ତ ମହାରାଷ୍ଟ୍ର ଧ୍ୱଂସ ହୋଇଯିବ ।’’

ଓକିଲ ଶିଓଶଙ୍କର ମାଲବୀର କହିଲେ, ‘‘ଦେଖ ମାନଧାତା ! ବିନୀତ ହୁଅ, ସମର୍ଯ୍ୟାଦାରେ କଥା ବୋଲ, କ୍ଷମା ପ୍ରାର୍ଥନା କର, ଆମ୍ଭେ ତୁମ୍ଭ ପ୍ରାଣରକ୍ଷା ସକାଶେ ଅନୁରୋଧ କରିବୁଁ ।

ମାନଧାତା ଅବଜ୍ଞା ସହକାର କହିଲେ, ‘‘କ୍ଷମା, କ୍ଷମା ? କିଏ ବିଚାରକ ? କାହାଠାର କ୍ଷମା ପ୍ରାର୍ଥନା କରିବୁଁ ?’’

ଭାସ୍କର ପଣ୍ଡିତ ସକ୍ରୋଧରେ କହିଲେ, ‘‘ଦେଖ ଖଣ୍ଡାଏତ ! ତୁ ରାଜଦ୍ରୋହୀ–ତୁ ପ୍ରାଣଦଣ୍ଡର ଯୋଗ୍ୟ । ତୋହର ଯେବେ କିଛି କହିବାର ଥାଏ, ଶୀଘ୍ର ପ୍ରକାଶ କର ।’’

ମାନଧାତା କହିଲେ, ‘‘ରାଜଦ୍ରୋହୀ ? ରାଜା କିଏ ? ଗଜପତି ଗୌଡ଼େଶ୍ୱର ଚଳତ୍‌ବିଷ୍ଣୁ ରାଜରାଜେଶ୍ୱର । ଉତ୍କଳର ସମସ୍ତ ଦୁର୍ଗପତି, ସମସ୍ତ ଖଣ୍ଡାଏତ ରାଜାରାଜେଶ୍ୱର । ଗଜପତି ଗୌଡ଼େଶ୍ୱରଙ୍କ ଦତ୍ତ ସମ୍ପତ୍ତିରେ ପ୍ରତିପାଳିତ ଖଣ୍ଡାଏତମାନେ ରାଜଦ୍ରୋହୀ ନୁହନ୍ତି । ରାଜରାଜେଶ୍ୱରଙ୍କ ସିଂହାସନ ତଳେ ଚିରକାଳ ଅବତନମସ୍ତକ ଥିବେ ।’’

ଭାସ୍କର ପଣ୍ଡିତ–‘‘ଗଜପତି ବଂଶ ବର୍ତ୍ତମାନ ମହାମହିମ ବେରାର ଅଧିପତିଙ୍କର ଜଣେ ସାମାନ୍ୟ ପ୍ରଜା ମାତ୍ର । ରଘୁଜୀ ଭୋଁସଲା ଉତ୍କଳଖଣ୍ଡର ଏକମାତ୍ର ଅଧୀଶ୍ୱର । ତୁ ମହାରାଜାଙ୍କ ବିପକ୍ଷରେ ଅସ୍ତ୍ରଧାରଣ କରିଅଛୁ, ଏହି ବିପ୍ରଧମ ମହାରାଜାଧିରାଜାଙ୍କ ସମ୍ବନ୍ଧରେ ପ୍ରକାଶ୍ୟ ଦରବାରରେ ଅସମ୍ମାନସୂଚକ କଥା କହିଅଛି, ଦୁଇଜଣ ପ୍ରାଣଦଣ୍ଡର ଯୋଗ୍ୟ ।’’

ମାନଧାତା–‘‘ଶୁଣ ଭାସ୍କର ପଣ୍ଡିତ ! ଭାରତଖଣ୍ଡସ୍ଥ ସମସ୍ତ ନରପତିଙ୍କ ମୁକୁଟମଣି ମହାମହିମ ଗଜପତିଙ୍କ ପୂଣ୍ୟଭୂମି ଛାରଖାର କରି ଦେଲଣି । ଅସଂଖ୍ୟ ଶିଶୁହତ୍ୟା, ଅସଂଖ୍ୟ ନାରୀହତ୍ୟା କରିଅଛ, ବର୍ତ୍ତମାନ ଏହି ନିର୍ଦ୍ଦୋଷ ବ୍ରାହ୍ମଣର ରକ୍ତପାତ କଲେ ସର୍ବଶକ୍ତିମାନ୍‌ ପ୍ରଭୁଙ୍କଠାରୁ ଉଚିତ ଶାସ୍ତି ପ୍ରାପ୍ତ ହେବ ।’’

ଭାସ୍କର ପଣ୍ଡିତ ସହ୍ୟ କରିପାରିଲେ ନାହିଁ । ଅତ୍ୟାଚାରୀଠାରେ ତତ୍‌କୃତ ଅତ୍ୟାଚାର କାହାଣୀ କଥିତ ହେଲେ କ୍ରୋଧ ଜାତ ହେବା ସ୍ୱାଭାବିକ । ତାହା ସହିତ ପୁଣି ପବିତ୍ର ସର୍ବଶକ୍ତିମାନ୍‌ ପ୍ରଭୁଙ୍କ ନାମ ଉଚ୍ଚାରଣ ନିତାନ୍ତ ଅସହ୍ୟ ।

ଭାସ୍କର ପଣ୍ଡିତ ତୀବ୍ରସ୍ୱରରେ ଆଜ୍ଞା କଲେ–‘‘ଘାତକ ! ଆମ୍ଭ ସାକ୍ଷାତରେ ଏହାର ବଧ ସାଧନ କର ।’’ ସଭାସ୍ଥ ସମସ୍ତେ ନୀରବ ନିଃଶ୍ୱାସ ପକାଇ ମସ୍ତକ ଅବନତ କଲେ । ମାନଧାତା ଅଟଳ ଭାବରେ ଉଭାହୋଇ ଇଷ୍ଟଦେବ ନାମ ସ୍ମରଣରେ ନିମଗ୍ନ । ଘାତକ ଉପସ୍ଥିତ । ସେହି ମୁହୂର୍ତ୍ତରେ ରାୟବଣିଆ ବୀରବଂଶର ଶେଷ ପୁରୁଷ ସହିତ ନାମ ବିଲୁପ୍ତ ହେଲା ।

ହିନ୍ଦୁ ଦରବାରରେ ବ୍ରାହ୍ମାଣ ଅବଧ୍ୟ । ମୁକ୍ତି ଲାଭ କରି ରାୟଗୁରୁ ବନମାଳୀ ବାଚସ୍ପତି ପଳାୟନ କଲା ।

Image

 

–୧୬–

ଅନାଥା

 

ସୁବର୍ଣ୍ଣରେଖା ନଦୀର ଉତ୍ତରକୂଳରେ ମଧୁମଲକାନ୍ଥୀ ଗୋଟିଏ ପାଇକ ଗ୍ରାମ । ଏଥିରେ ପୁଅ ଭାୟା ବାସ୍ତରି ଘର । ସମସ୍ତେ ଏକ ଜାତି ଖଣ୍ଡାଏତ ପାଇକ । ଛିନ୍ନଭିନ୍ନ, ପତିତ, ପତନୋନ୍ମୁଖ, ଦଗ୍‌ଧ, ଅର୍ଦ୍ଧଦଗ୍‌ଧ ବଡ଼ ବଡ଼ ଆଟୁ ଘରଗୁଡ଼ିକ ଗତଗୌରବର ପରିଚାୟକ, ଅଧିକାଂଶ ଘର ଶୂନ୍ୟ । କେତେଗୁଡ଼ିଏ ଗୃହରେ ବୃଦ୍ଧା, ସ୍ତ୍ରୀ, ଶୀର୍ଣ୍ଣକାୟ ଭୟତ୍ରସ୍ତ ପୁରୁଷ, ବାଳକ ବଳିକା ବାସ କରି ରହିଅଛନ୍ତି । ଗ୍ରାମରେ ଜମି ବାସ୍ତରି ବାଟି । ନଦୀକୂଳିଆ ବନମଡ଼ା ଏଥକୁ ସବୁ ଜମିଗୁଡ଼ିକ କଳିନ୍ଦ ଦୋଫସଲି । ଜମିଗୁଡ଼ିକ ପାଇକ ଭାତିଆ । ଗ୍ରାମ ମୁଣ୍ଡରେ ପୁଷ୍କରିଣୀ, ଜଳ ଦର୍ପଣ ପରି ନିର୍ମଳ । ଘାଟ ବେକେ ଜଳ ପର୍ଯ୍ୟନ୍ତ ବାଲିସରା ଉପରେ ମହୁରାଳୀ ପଞ୍ଝା ପଞ୍ଝା ଝକ୍‌ ଝକ୍‌ କରି ପହଁରୁଥିବାର ବେଶ୍‌ ଦିଶେ । ପୁଷ୍କରିଣୀ ମଝିରେ ଦୀପଦଣ୍ଡୀ । ପୁଷ୍କରିଣୀଟା ବଉଳମାଳା ଦଳ ଓ ଧଳାକଇଁରେ ପୂର୍ଣ୍ଣ, ଲତା କଇଁ ମଧ୍ୟ ଦୁଇ ଚାରିଟା ଫୁଟିଅଛି । ତୋଠ ଆଡ଼ି ଉପରେ ବାଟ ପାଖରେ ମହାଦେବ ମନ୍ଦିର । ବିପରୀତ ଦିଗରେ ଓର ଓହଳା ଗୋଟିଏ ବରଗଛ । ପୁଷ୍କରିଣୀ କୂଳରେ ବଗୁଲା ବଗୁଲୀ ଦୁଇ ଗୋଟି ବସିଛନ୍ତି । ଯୋଡ଼ିଏ ମରାଳୀ ଜଳ ମଧ୍ୟରେ ପହଁରୁ ଅଛନ୍ତି ।

 

ସୂର୍ଯ୍ୟଦେବ ଅସ୍ତ ହୋଇ ଗଲେଣି, ଅନ୍ଧକାର ହୋଇ ନାହିଁ । ତୋଠ ବରଗଛ ମୂଳରେ ଗେଟିଏ ଯୁବତୀ ସ୍ତ୍ରୀ ମଳିନ ବେଶରେ ଗାଲରେ ହାତଦେଇ ବସି ବଗୁଲି ଯୋଡ଼ିକୁ ଏକ ଧ୍ୟାନରେ ଚାହିଁ ରହିଅଛି । ପକ୍ଷୀ ଦୁଇଗୋଟି ଲଗାଲଗି ହୋଇ ବସିଅଛନ୍ତି, ବେଳେ ବେଳେ ଥଣ୍ଟକୁ ଥଣ୍ଟ ଲଗାଲଗି କରି ଅସ୍ପଷ୍ଟ କୁଟୁରୁ କୁଟୁରୁ ଶବ୍ଦ କରୁଅଛନ୍ତି ! ସ୍ତ୍ରୀ ଲୋକଟି ମନ ମଧ୍ୟରେ ଚିନ୍ତା କଲା–ଏହି କ୍ଷୁଦ୍ର ପ୍ରାଣୀ ଗୁଡ଼ିକ ପୃଥିବୀରେ ଏକା ସୁଖୀ ! କେଉଁ ତପସ୍ୟାର ଫଳ ଭୋଗୁଅଛନ୍ତି । ଅନ୍ଧକାର ମାଡ଼ିଆସିଲା, ବିହଗଦମ୍ପତି ଅଦୃଶ୍ୟ ହେଲେ । ସ୍ତ୍ରୀ ଲୋକଟି ଦୀର୍ଘ ନିଶ୍ୱାସ ପକାଇ ଚିନ୍ତାକଲା, ‘ହା ବିଧାତା ! ମୋ କପାଳରେ ଏହା ଲେଖିଥିଲୁ ! ଜମିଦାରର ଝିଅ, ବାପା ମା’ର ଗୋଟିଏ, କେତେ ସୁଖରେ, କେତେ ଯତ୍ନରେ ମୋତେ ପାଳିଥିଲେ; ଆନନ୍ଦ ଉତ୍ସବରେ ଦିନ ଯାଉଥିଲା । ସବୁ ଯାଇଥିଲା; ଶେଷରେ ଯାହା ଆଶ୍ରୟରେ ଥିଲି; ଝିଅଠାରୁ ବଳି କରିଥିଲେ । ଭାବିଥିଲି ସେହିଠାରେ ସେହିପରି ଦିନ ସରିବ । ହା ବିଧେ ! ତାହା ମଧ୍ୟ ଛଡ଼ାଇନେଲୁ । ଦୂରାଚାର ମରହଟ୍ଟାମାନେ ଯେ ଗଡ଼ଦଖଲ କରିବେ, ମହାଦେବୀ ପୂର୍ବରୁ ଜାଣିଥିଲେ; ସେଥିସକାଶେ ସେ ଦିନେ ରାତ୍ରିରେ ଚାରିଜଣ ପୋଇଲୀ, ଚାରିଜଣ ପାଇକ ସାଙ୍ଗରେ ମୋତେ ଗଡ଼ ଗୁପ୍ତଦ୍ୱାର ଦେଇ ମଧୁପୁର ପାଇକ ଗାଁକୁ ପଠାଇଦେଲେ । କେତେ କାନ୍ଦିଲି, ଗୋଡ଼ତଳେ ପଡ଼ି କେତେ କହିଲି, ମହାଦେବୀ ପଛନ୍ତେ ସେହି ଗ୍ରାମକୁ ଆସିବାକୁ ଆଶ୍ୱାସ ଦେଲେ । ଶୁଣିଲି ଦେବୀ ବର୍ତ୍ତମାନ ସ୍ୱର୍ଗରେ । ଧିକ୍‌ ମୋ ବୁଦ୍ଧିକୁ ! କିପାଇଁ ତାଙ୍କୁ ଛାଡ଼ି ଆସିଲି ? ଦେବୀ ! ମା, ପ୍ରାଣରୁ ଅଧିକ କରିଥିଲ, କି ଅପରାଧ ଦେଖି ଛାଡ଼ିଗଲ ? ମଧୁପୁର ଗ୍ରାମର ପାଇକାଣୀମାନେ ଅମଙ୍ଗଳୀ ବୋଲି ଗାଳିଦେଇ ମତେ ଗ୍ରାମରୁ ତଡ଼ିଦେଲେ । ସେମାନଙ୍କ କଥା ସତ୍ୟ । ମୁଁ ଆଶ୍ରୟ ନେବାରୁ ରାୟବଣିଆ ଗଡ଼ ନାଶ ଗଲା, ମଧୁପୁରୁ ଗ୍ରାମରେ ପାଇକାଣୀମାନେ ବିଧବା ହେଲେ । ମୋତେ ଗାଳି ଦେଲେ, ସେମାନଙ୍କର ଦୋଷ ନାହିଁ, ସର୍ବସ୍ୱ ହରାଇ କାନ୍ଦି କାନ୍ଦି ବାୟାଣୀ ହୋଇଗଲେଣି । ମୋ ପହରା ବଡ଼ ମନ୍ଦ, ନିଶ୍ଚେ ମୁଁ ଅମଙ୍ଗଳୀ ।’’

 

‘‘କିଏ ଲୋ ତୁ ? ତୋ ଘର କେଉଁଠି ଲୋ ? କଣ ଖାଉଛୁ ଲୋ ? କ୍ୟାଁ ବସିଛୁ ଲୋ-?’’ ଉତ୍ତରର ପ୍ରତ୍ୟାଶା ନାହିଁ, ପ୍ରଶ୍ନ ଉପରେ ପ୍ରଶ୍ନ, ଅନର୍ଗଳ ପ୍ରଶ୍ନ, ପ୍ରଶ୍ନ ସଙ୍ଗେ ସଙ୍ଗେ ଆପଣାର ଅବସ୍ଥା ବର୍ଣ୍ଣନ । ସ୍ତ୍ରୀଲୋକଟି ଚମକି ପଡ଼ି ଅନାଇ ଦେଖିଲା, ପ୍ରଶ୍ନକାରିଣୀ ଗୋଟିଏ ଅତ୍ୟନ୍ତ ବୃଦ୍ଧା, ନିତାନ୍ତ ମଳିନ ଛିନ୍ନବସ୍ତ୍ର ପରିହିତା, ଦର୍ଶନବିହୀନା, ଅସ୍ଥିଚର୍ମମାତ୍ରାବିଶିଷ୍ଟା ,କମ୍ପିତଦେହା, ଅନାବୃତ ମସ୍ତକରେ କେତେ କେରା ତୈଳହୀନ କଙ୍କତିକାସ୍ପର୍ଶ ବର୍ଜିତ କ୍ଷୁଦ୍ର କାଉଁରିଆ ଝୋଟ ପରି ଶୁକ୍ଳବର୍ଣ୍ଣ କେଶ ଫରଫର ହୋଇ ଉଡ଼ୁଅଛି । ବାଁ କାଖରେ ଟୋକେଇଟିଏ, କମ୍ପିତ ଦକ୍ଷିଣ ହସ୍ତରେ ଖଣ୍ଡିଏ ବାଉଁଶ ଯଷ୍ଟି, ଈଷତ୍‌ ଅନ୍ଧକାରରେ ଆପଣା ଦେହର ବର୍ଣ୍ଣ ମିଳାଇ ଛିଡ଼ା ହୋଇଅଛି । ଏହି ବୃଦ୍ଧାଟି ଆମ୍ଭମାନଙ୍କ ବିଶେଷ ପରିଚିତା । ଦୁଇଗୋଟି ଭେଣ୍ଡିଆ ପୁଅ, ଦୁଇଗୋଟି ବୋହୁ ଏବଂ ଘରର ସମସ୍ତସମ୍ପତ୍ତି ହରାଇ ବାୟାଣୀ ହୋଇ ଯାଇଅଛି । ଏଇ ସେ ଜଗା ଫତେସିଂହର ମା । ବର୍ତ୍ତମାନ ଏହାକୁ ଦେଖିଲେ କିଏ କହିବ, ଏହାର ଘର ପରି ଘରଟିଏ ଥିଲା, ବୁଢ଼ୀର ଦିନରାତି ମୁହଁ ବନ୍ଦ ନାହିଁ; ସବୁବେଳେ କଳି କରୁଥାଏ, ଗ୍ରାମର ଯାହାକୁ ଦେଖେ, ତା ସହିତ କଳି ଲଗାଏ । ହେଲେ, ଗ୍ରାମ ଲୋକେ ଦେଖି ବାଟ ଆଡ଼େଇ ଯା’ନ୍ତି । କଳି କରିବା ପାଇଁ ସଚରାଚର ତାକୁ ଲୋକ ଘଟନ୍ତି ନାହିଁ । କୁକୁର, ବିରାଡ଼ି, ଗଛ, ପତ୍ର କାଉ, ଚିଲ ଯାହାକୁ ଭେଟେ, ତାହା ସହିତ କଳି । ମାତ୍ର ରାତି କଳିଟା ବଳିପଡ଼େ । ମଶା, ଓଡ଼ଶଗୁଡ଼ାକ ବଡ଼ କଳିଆ, ସାରା ରାତିଟା ବୁଢ଼ୀଟା ସାଙ୍ଗରେ ଲାଗିଥାନ୍ତି । ବୁଢ଼ୀ ବିଲକୁ ଘଷି ସାଉଁଟି ଯାଇଥିଲା; ଘରକୁ ଲେଉଟୁଅଛି-

 

ବୃକ୍ଷମୂଳୋପବିଷ୍ଟା ଅନାଥା ସ୍ତ୍ରୀ ଲୋକଟିକୁ ଚିହ୍ନାଇ ଦେବାକୁ ହେବ ନାହିଁ । ପାଠକମାନଙ୍କର ବିଶେଷ ପରିଚିତ ସେହି ଲଛମା ।

 

ଜଗା ଫତେସିଂହ ମା ଏବଂ ଲଛମା ମଧ୍ୟରେ ଯେଉଁ କଥାବର୍ତ୍ତା ଚାଲିଲା, ସେଥିରେ ସଂକ୍ଷିପ୍ତ ସାର ଏହିପରି–

 

ଲଛମା ବୁଢ଼ୀକୁ ଅନାଇ କହିଲା, ‘‘ନେହିଁ ମା । ହାମେ ତୁଚ୍ଛା ବସିଚ୍ଛେ, ତୁମ୍‌ ଚାଲିଯାଅ ମା ।’’

 

ବୁଢ଼ୀ–‘‘ହେଇଲୋ ହେଇ, ମଲା ଯା, ଏଟା ତ ମରହଟ୍ଟା ପୁଣି ଅଇଲାଣି । ଦଖ-ଦଖ ୟାର ଛଇ ଦଖ, ଆଜି ମାଇକିନିଆ ବେଶ ଧରି ଆସିଛି । ତୋ ଘୋଡ଼ା କାହିଁ ଲୋ ?’’

 

ଲଛମା–‘‘ନାହିଁ ମା, ହାମ୍‍ ମରହଟ୍ଟା ନାହିଁ, ହାମ ବଡ଼ା ଦୁଃଖିନୀ, ଗାଳି ଦେ ନା ମା, ଗୋସା କର ନା ମା !’’

 

ବୁଢ଼ୀ–‘‘ଚିନିଛି ଲୋ ଚିନିଛି, ତୋ ଚତୁରପଣ ବାନ୍ଧି ରଖ । ତୁ ମରହଟ୍ଟା ନୋହୁ ତ ଏପରି ବଙ୍କା ବଙ୍କା କଥା କହୁଛୁ କ୍ୟାଁ । ଆଉ କଣ ନବୁ ଆସିଛୁ । ନିଆଁ ନେ, ପାଉଁଶ ଅଛି ଆ ଆ, ବୋଝେ ପାଉଁଶ ନବୁ ଆ । ସେତିକିବେଳେ ପୁଅ ଦିଟାକୁ କହିଲି ‘ଆରେ ଆସ ବୋହୂ ଯୋଡ଼ାକୁ ଘେନି ବଣକୁ ପଳେଇଯିବା, ମାଲମତା ଗଲା ତ ଗଲା । ସେ ଘରବୁଡ଼ା ନିଆଁଖିଆ ପୋଡ଼ାମୁହାଁ ନଈଶୁଆ ମରହଟ୍ଟାଙ୍କ ସାଙ୍ଗରେ ଲଗାନା ।’ ଅଳ୍ପାଇସିଏ, ଗାଁ ପାଇକଙ୍କ ବୋଲରେ ମାତି ପାରିଲାପଣ କରି ଫରି ଖଣ୍ଡା ଧରି ଲଢ଼େଇ କରିଗଲେ, ମୋ ବୋଲ ନ ମାନି ଗଲେ, ସିମିତି ମଲେ ! ମର ମର, ଆଚ୍ଛା କରି ମର, ଆହୁରି ମର ।’’

 

ଲଚ୍ଛମା–‘‘ନାହିଁ ମା, ହାମେ ମରହଟ୍ଟା ନାହିଁ, ମରହଟ୍ଟାର ହାମ ଦୁଷମନ ।’’ ଲଛମା ଭଲ କରି ଓଡ଼ିଆ କହିପାରେ ନାହିଁ, ତା ଓଡ଼ିଆ କଥା ସହିତ ହିନ୍ଦୀ ମିଶିଯାଏ ।

 

ବୁଢ଼ୀ–‘ଆଲୋ ରଖ, ବାନ୍ଧି ରଖ । ମୋତେ ଆଉ କିଏ କରି ପାଇଛୁ ପରା ! ମୋତେ ଦି’କୋଡ଼ି କି ପାଞ୍ଚ କୋଡ଼ି, ଚାରି କାହାଣ ବୟସ ହେଲା । ଦି’ମରେଇ ଧାନ ଫାଟି ପଡ଼ୁଥିଲା, ଗୁହାଳେ ଗାଈ ଭରା, ଦିଟା ବୋହୂ ସର୍ଗତରା, ସୁନା, ରୂପା ଝଲମଲ, ଦୁଧ ଦହି ଭାସୁଥିଲା । ମୋର ସେ ବଉଳା ଗାଈଟା କାହିଁ ଲୋ ? ମୋ ଗାଈ ଦୁଧ ଖାଈ ଗଣ୍ଡିଟି କେମନ୍ତ ମୋଟ କରିଛି ଦେଖ, ଆ–ରଙ୍ଗ ଦେଖ, ହାତରେ ସୁନାବଳା, ପାଟଶାଢ଼ୀ ପିନ୍ଧିଛି । ତୁ ଇମିତି କରି ଲୁଗା କ୍ୟାଁ ପିନ୍ଧିଛୁ ଲୋ-। ତୁ ମାଈ ନା ଅଣ୍ଡିରା ଲୋ ?’’

 

ଲଛମା–‘ମା ! ମୋତେ ଏଇସି କଞ୍ଚି କଥା କହନା, ହାମ ମରହଟ୍ଟା ନାହିଁ, ସଚ୍‍ କହୁଛେ-।’’

 

ବୁଢ଼ୀ–‘‘ମାରିବୁ, ମାରିବୁ, ମୋତେ ମାରିବୁ ? ଅଇଲୁ ମାଇଲୁ ?’’ ବୁଢ଼ୀ ବାଡ଼ି ଉଞ୍ଚାଇ ମାରିବାକୁ ଯିବାରୁ ଲଛମା ଘୁଞ୍ଚିଗଲା । ବୁଢ଼ୀ ଗାଳି ଦେଇ ଦେଇ ଗ୍ରାମ ଆଡ଼କୁ ଚାଲିଗଲା ।

 

ବୁଢ଼ୀ ଚାଲିଯିବା ଉତ୍ତାରେ ଲଛମା ଆପଣା ଜୀବନକୁ ଧିକ୍‌କାର ଦେଇ କହିଲା, ‘‘ଯେଉଁଠାକୁ ଗଲି ଦୂର ଦୂର କରି ତଡ଼ିଲେ । ଧିକ୍‍ ମୋ ଜୀବନକୁ । ଏବେ କାହିଁ ଯିବି ? ଜଗତରେ ମୁଣ୍ଡ ଗୁଞ୍ଜିବାକୁ ଥାନ ନାହିଁ । ଏତିକି ନୁହେଁ, ସେହି ପାପିଷ୍ଠ ମରହଟ୍ଟା ହାତରେ ଯେବେ ପଡ଼େଁ, ସର୍ବନାଶ ! ଜୀବନରେ ପ୍ରୟୋଜନ କଣ ? ମହେଦେବୀ ପରଲୋକରେ ଅଛନ୍ତି, ତାଙ୍କୁ ତ ଭେଟିବି-? ମହାଦେବୀ ବେଣ୍ଟ ପୋଖରୀରେ ପ୍ରାଣତ୍ୟାଗ କରିଅଛନ୍ତି । ଏହି ତ ପୋଖରୀ । ଆଉ କିପାଁ ?’’

 

ଲଛମା ଆକାଶକୁ ଅନାଇଲା, ଗ୍ରହନକ୍ଷତ୍ର ସମସ୍ତଙ୍କୁ ଭଲକରି ଦେଖିଲା । ଚତୁର୍ଦ୍ଦିଗକୁ ଭଲ କରି ଅନାଇ ହାତ ଯୋଡ଼ି ନେତ୍ର ମୁଦ୍ରିତ କରି ପ୍ରାର୍ଥନା କଲା, ‘‘ହେ ଜଗଦୀଶ ! ଗଙ୍ଗାମାତା !’’

 

ଠିକ୍‌ ଏହି ସମୟରେ ଶବ୍ଦ ଶୁଭିଲା–

‘‘ନେହିଁ ମା, ହାମ୍‌ ଲୋକ ମରହଟ୍ଟା ନେହିଁ, ଦେଖ୍‌ତେ ହୋ, ଦୋଠୋ ଦୁଃଖୀ ବୁଢ଼ୀଆ–’’

 

ଲଛମା ଚମକିପଡ଼ି ଅନାଇଲା, ଦେଉଳ ମଧ୍ୟରୁ ଶବ୍ଦ ଆସୁଅଛି । ଏ ତ ମୋ ମା’ର ସେହି ଅମୃତମୟ ବଚନ । କଣ ଇଏ, କିଏ କଥା କହିଲା ? ମୋର କି ଭ୍ରମ ? ମୁଁ କି ଚାହିଁ ସ୍ୱପ୍ନ ଦେଖୁଅଛି ? ଦୁଇ ହାତରେ ଚକ୍ଷୁ ମୁଖ ଆଉଁସି ଦେଉଳ ଆଡ଼କୁ ଅନାଇଲା, ପୁନର୍ବାର ଶବ୍ଦ–‘‘ହା ରେ ବାଦଲରେ ! ହା ରେ ମେରି ଖମିନ୍ଦ ରେ ! ହା ମେରି କ୍ୟା ହୁଆରେ !’’ ନିଶ୍ଚୟ ନିଶ୍ଚୟ ମୋ ମା’ର ଅମୃତମୟ ବାଣୀ । ଏ କ’ଣ ? କେବଳ ମୋ ମା’ର ନୁହେଁ, ଶାଶୁଙ୍କର ମଧ୍ୟ କଥା ଶୁଭୁଛି । ଦେଉଳ ଦ୍ୱାରା ମୁକୁଳା, କାହିଁ କେହି ତ ନାହିଁ ! ଏହିଲାଗେ ତ ଦେବତା ଦର୍ଶନ କରି ଅଇଲି, କେହି ନାହିଁ ।

 

ପୁନର୍ବାର ଶବ୍ଦ–

‘‘ହା ଜଗଦୀଶ ! ତେରି ଝାଙ୍କିପର ଆୟେଥେଁ, ତେରି ଏହି ମର୍‍ଜି ହୁଆ, ଜଗଦୀଶ !’’

 

ଏ ତ ମୋ ଶାଶୁଙ୍କ କଥା । ଲଛମା ଲଣ୍ଡଭଣ୍ଡ ହୋଇ ମନ୍ଦିର ପାଖକୁ ଧାଇଁଗଲା । ହାୟ-! ଶୂନ୍ୟ–ଅପୂଜିତ ଶକ୍ତି ଉପରେ ଶିବଲିଙ୍ଗ ବିରାଜିତ, ଜନପ୍ରାଣୀ ନାସ୍ତି, ମନ୍ଦିର ଅଭ୍ୟନ୍ତର ଅନ୍ଧକାରମୟ । ଲଛମା ମନ୍ଦିର ସାରା ଅଣ୍ଡାଳି ଅଣ୍ଡାଳି ଦେଖିଲା, ପ୍ରତ୍ୟେକ ସ୍ଥାନ ତିନି ଚାରି ଥର କରି ଅଣ୍ଡାଳିଲା । ବାରମ୍ବାର ଶିବଲିଙ୍ଗ ହାତରେ ପଡ଼ୁଥାନ୍ତି । ଅବଶେଷରେ ନିରାଶ ହୋଇ ବାଡ଼କୁ ଆଉଜି ଲଠ କରି ବସିପଡ଼ିଲା । ହାତ ଯୋଡ଼ି ଦେବତାଙ୍କ ଉଦ୍ଦେଶ୍ୟରେ ନମସ୍କାର କରି କହିଲା, ‘‘ହେ ଦେବ ! ଆଉ ଥରେ ଅନୁଗ୍ରହ କର, ଆଉ ବେଳେ ସେହି କଥା ଶୁଣାଅ, ଆଉ ଥରେ ସେହି ଅମୃତମୟ କଥା ଶୁଣି ପ୍ରାଣ ଶୀତଳ ହେଉ ।’’ ବରମ୍ବାର ଏହି କଥା କହୁଥାଏ, କଥା କହିବାର ଶକ୍ତି ମଧ୍ୟ ବିଲୁପ୍ତ, ହାତ ଯୋଡ଼ି ଅନ୍ଧକାର ମଧ୍ୟରେ ଦେବବିଗ୍ରହ ପ୍ରତି ନିରୀକ୍ଷଣ କରିଥାଏ । ମନ୍ଦିର ଅନ୍ଧକାର, ମଧ୍ୟ ତାହାର ହୃଦୟ ତତୋଽଧିକ ଅନ୍ଧକାରପୂର୍ଣ୍ଣ, ବୁଦ୍ଧିବୃତ୍ତି ବିଚଳିତ, ସଂଲଗ୍ନ କିଛି କଥା ମନକୁ ଆସୁ ନାହିଁ । ଏହି ଅବସ୍ଥାରେ କେତେବେଳଯାଏ ରହିଲା ଜାଣିବାର ତାହାର ଶକ୍ତି ନାହିଁ । ଅଜ୍ଞାତସାରରେ ନିଦ୍ରା ଆସି ତାହାର ଗ୍ରୀବାକୁ ବକ୍ର କରିଦେଲା । ଏ ଅବସ୍ଥାରେ କି ନିଦ୍ରା ଆସେ ? ହେଲେ ଲଛମା ନିଦ୍ରିତା ।

 

ଲଛମା ସ୍ୱପ୍ନରେ ଦେଖିଲା–ଅତି ରମଣୀୟ ବସନ୍ତାନିଳ ପ୍ରବାହିତ । ଚିତ୍ତବିନୋଦନ, ସୁଖମୟ, ସୁଗନ୍ଧଯୁକ୍ତ ପ୍ରସ୍ଫୁଟିତ ପାରିଜାତ କୁସୁମରେ ପୂର୍ଣ୍ଣ ନନ୍ଦନକାନନ ମଧ୍ୟରେ ଦେବଦେବୀ ଯାତ୍ରୀମାନେ ଗୋଲୋକଧାମକୁ ଯାଉଅଛନ୍ତି । ଲଛମା ଗୋଟିଏ ରତ୍ନମୟ ଦୋଳାରେ ସ୍ୱାମୀ ବାମ ପାର୍ଶ୍ୱରେ ବସି ସେମାନଙ୍କ ସଙ୍ଗରେ ଯାଉଅଛି । କିଛି ଦୂର ପରମ ସୁଖରେ ଯାଉଁ ଯାଉଁ ଅସଂଖ୍ୟ ଭୀଷଣଦଂଷ୍ଟ୍ରା ବନ୍ୟ ବରାହ ଆସି ଆକ୍ରମଣ କଲେ, ଭୟବିହ୍ୱଳ ଯାତ୍ରୀମାନେ ଛିନ୍ନଭିନ୍ନ ହୋଇ ପଳାୟନ କଲେ । ଲଛମା ଦୋଳାରୁ ଖସିପଡ଼ି ପଳାଇବାକୁ ଲାଗିଲା । ମାର୍ଗ ମଧ୍ୟରେ ଗୋଟିଏ ଦେବୀ ବସିଥିଲେ, ଲଛମାକୁ ପଣତ କାନିରେ ଘୋଡ଼ାଇ ରଖିଲେ । ପୁନର୍ବାର ବରାହଯୂଥ ଉପସ୍ଥିତ, ଦେବୀ ରକ୍ଷା କରିବାକୁ ଅସର୍ମଥ ହେଲେ । ଲଛମା ଭୟରେ ପଳାଉଅଛି–ଦିନ ନାହିଁ, ରାତ୍ରି ନାହିଁ, ଅବିଶ୍ରାନ୍ତ ପଳାୟନ । କେତେ ଗ୍ରାମ, କେତେ ନଗର, କେତେ ନଦୀ, କେତେ ନାଳ ମାର୍ଗରେ ପଡ଼ିଲା । ଲଛମା ଅବିଶ୍ରାନ୍ତ ଧାଇଁଅଛି । ଅବଶେଷରେ ଗୋଟିଏ ଦେବ ନଗରୀରେ ଉପସ୍ଥିତ ହେଲା । ଦେବଦୂତମାନେ ଧାଇଁ ଆସି ବରାହମାନଙ୍କୁ ବଧ କଲେ । ଅନେକ ଗୁଡ଼ିଏ ଦେବ କନ୍ୟା ସେ ସ୍ଥାନରେ ଭ୍ରମଣ କରୁଥିଲେ । ପତିବ୍ରତା ଅଇଲେ–ସତୀ ଅଇଲେ–ସଧବା ଅଇଲେ, ଏହି ପ୍ରକାର ସମ୍ବୋଧନ କରି ଆଦର ପୂର୍ବକ ତାହାକୁ ଘେନିଗଲେ । ଲଛମାର ସ୍ୱାମୀ ଏକ ରତ୍ନମୟ ସିଂହାସନରେ ବିରାଜିତ, ଦେବ କନ୍ୟାମାନେ ତାଙ୍କୁ ବାମପାର୍ଶ୍ୱରେ ବସାଇଦେଲେ । ଠିକ୍‌ ଏହି ସମୟରେ ଗୋଟିଏ ଟେଁଟେଁୟା ପକ୍ଷୀ ନୈଶ ଆକାଶରେ ନିସ୍ତବ୍‌ଧତା ଭଙ୍ଗ କରି ‘କି-ଏ-ରେ, କି-ଏ-ରେ’ ଡାକି ଦେଉଳ ଉପରଦେଇ ଉଡ଼ିଗଲା । ଗୋଟିଏ ଚାତକ ବରଗଛ ଉପରେ ବସି ଡାକୁଥାଏ, ‘ସ-ଅ-ତୀ, ସ-ଅ-ତୀ’ । ପକ୍ଷୀମାନଙ୍କ ଶବ୍ଦରେ ଲଛମାର ନିଦ୍ରା ଭଗ୍ନ ହେଲା । ନିଦ୍ରା ଆଳସ୍ୟରେ ତାକୁ ଜଣାଗଲା, ସେହି ଦେବକନ୍ୟାମନେ କହୁଅଛନ୍ତି, ‘ସ-ଅ-ତୀ, ସ-ଅ-ତୀ’ । ତାକୁ ସ୍ୱପ୍ନ ସତ୍ୟ ପରି ଜଣା ଯାଉଥିଲା । ଅଳ୍ପକ୍ଷଣ ଉତ୍ତାରେ ପ୍ରକୃତ ଚେତନା ବସିଲା, ଭାଳିଲା–‘କଣ ଇଏ ? ଏ କି ଦେବମାୟା ? ଦେବକନ୍ୟାମାନେ କହୁଛନ୍ତି, ମୁଁ ସତୀ । ମୁଁ କି ସତୀ ? ସତୀ କିଏ ? ହେ ଭଗବାନ, ହେ ମହାଦେବ, ତୁମ୍ଭେ ଜାଣ, ଜନ୍ମକାଳରୁ ଆଜିଯାଏ କିଛି କଳୁଷିତ କାର୍ଯ୍ୟ କରିନାହିଁ-। କେବେ ମିଥ୍ୟା କଥା କହି ନାହିଁ, କାହାରି ମନରେ କଷ୍ଟ ଦେଇ ନାହିଁ, କାହାରି ଅମଙ୍ଗଳ କାମନା କରି ନାହିଁ, ମା’ଙ୍କ ଆଜ୍ଞାରେ ଦେବ ବ୍ରାହ୍ମଣ ପୂଜିଅଛି, ଆଉ ସ୍ୱାମୀ ହୃଦୟର ଦେବତା, ସର୍ବଦା ତାଙ୍କର ଚରଣ ସେବା କରି ଆପଣାକୁ ଧନ୍ୟ ଜ୍ଞାନ କରୁଥିଲି, ତାଙ୍କ ଆଜ୍ଞା କେବେ ଅବଜ୍ଞା କରି ନାହିଁ, ବିବାହ ରାତ୍ରିଠାରୁ ତାଙ୍କୁ ହୃଦୟ ସିଂହାସନରେ ସ୍ଥାପନ କରିଅଛି । ବାକ୍ୟରେ, ଦେହରେ କିମ୍ବା କାର୍ଯ୍ୟରେ ପତି ଦେବତାଙ୍କ ଅପ୍ରିୟ କାର୍ଯ୍ୟ କରିନାହିଁ । ହେ ଦେବ ! ମୁଁ କ୍ଷୁଦ୍ରପ୍ରାଣୀ, ଆଶୀର୍ବାଦ କର, ମୁଁ ପତିବ୍ରତା ହୁଏ । ମା କହିଥିଲେ ମଧ୍ୟ ପୁରାଣରେ ଶୁଣିଅଛି, ସତୀ ପତିବ୍ରତାମାନେ ସଧବା-। ସୀତା, ସାବିତ୍ରୀ, ଶକୁନ୍ତଳା ସମସ୍ତେ ପତିବ୍ରତା, ସମସ୍ତେ ସଧବା । ହେ ଦେବତା ! ମୋ ପ୍ରଭୁଙ୍କୁ ମିଳାଇ ଦିଅ, ପ୍ରଭୁଙ୍କୁ ଖୋଜିବାକୁ ବଳ ଦିଅ, ମୁଁ ଚତୁର୍ଦ୍ଦିଗରେ ତାଙ୍କ ଛାୟାରୂପ ଦେଖୁଅଛି, ନୟନ-ପ୍ରତିମା ରୂପେ ପ୍ରତି ନିମେଷରେ ମୋ ନେତ୍ରରେ ଭାସୁ ଅଛନ୍ତି ।’ ଲଛମା ପୁରାଣରେ ଶୁଣିଥିଲା, ଦୁର୍ଘଟନା ସତୀମାନଙ୍କ ପରୀକ୍ଷା, ସତୀମାନେ ବିପଦ ସମୟରେ ଧୈର୍ଯ୍ୟଚ୍ୟୁତ ହୁଅନ୍ତି ନାହିଁ । ସତୀଧର୍ମ ସତୀମାନଙ୍କର ରକ୍ଷାକାରୀ, ସତୀମାନେ ଅସାଧ୍ୟ ସାଧନରେ ସମର୍ଥ । ଭାବିଲା-‘ମୁଁ କିମ୍ପା ଆତ୍ମଘାତିନୀ ହୋଇ ଜୀବନକୁ କଳଙ୍କିତ କରିବି ? ମୋହରି ଉପରେ ବଂଶ ବିରଜାବାଈ, ପଦ୍ମିନୀ ସତୀମାନେ କେତେ କଷ୍ଟ ସହି କେତେ କୌଶଳରେ ସ୍ୱାମୀ ଲାଭ କରିଅଛନ୍ତି । ଏ ଶରୀର ମନ ପ୍ରଭୁଙ୍କୁ ସମର୍ପଣ କରିଅଛି, ପ୍ରଭୁଙ୍କ ସମ୍ପତ୍ତି କିପରି ବିନଷ୍ଟ କରିବି ? ମୋ ପ୍ରଭୁ ମୋତେ ଅନ୍ୱେଷଣ କରୁଅଛନ୍ତି, ମୁଁ ତାଙ୍କୁ ଖୋଜିବାକୁ ଯିବି । ଅବଶ୍ୟ ଭେଟ ହେବ, ଏକଲିଙ୍ଗ ଭେଟ କରାଇ ଦେବ । ମୋର ବର୍ତ୍ତମାନ ଦୁଇଗୋଟି କର୍ତ୍ତବ୍ୟ–ସ୍ୱାମୀଙ୍କ ଅନ୍ୱେଷଣ, ପିତୃହନ୍ତା ମରହଟ୍ଟାର ବଧସାଧନ । ଶତ୍ରୁ ଅସଂଖ୍ୟ, ପ୍ରବଳ, ମୁଁ ଅନାଥା, ଏକାକିନୀ । ଚିନ୍ତା ନାହିଁ, ଭୟଭଞ୍ଜନ ମଧୁସୂଧନ ସହାୟ ହେବେ, କୁଳଦେବତା ଏକଲିଙ୍ଗ ରକ୍ଷା କରିବେ, ସାଧୁ କାର୍ଯ୍ୟରେ ପ୍ରଭୁ ସହାୟ ହୁଅନ୍ତି । ଶତ୍ରୁ ଅସଂଖ୍ୟ, ସମସ୍ତଙ୍କୁ ମାରିପାରିବି ନାହିଁ । ସେମାନଙ୍କ ମୂଳ ସର୍ଦ୍ଦାର, ଯାହା ଆଜ୍ଞାରେ ସମସ୍ତେ ଚାଳିତ, ତାହାକୁ ହତ୍ୟା କରିବି । ନରହତ୍ୟା ? ପିତୃଘାତୀକୁ ବିନାଶ କର୍ତ୍ତବ୍ୟ, ଶତ ସହସ୍ର ଲୋକଙ୍କ ହତ୍ୟାକାରୀକୁ ବଧ କରିବା ପୂଣ୍ୟକାର୍ଯ୍ୟ । ଲଛମା ଅଣ୍ଡାଳି ଅଣ୍ଡାଳି ଶିବଲିଙ୍ଗର ମସ୍ତକ ସ୍ପର୍ଶ କରାଇ ପ୍ରାର୍ଥନା କଲା, ‘‘ଦେବ ! ହେ ଅନାଥନାଥ ! ହେ ପ୍ରଭୋ ! ସହାୟ ହୁଅ । ପ୍ରଭୋ ! ମୁଁ ଯଦି ସତୀ ହୁଏଁ, ଯଦି ତୁମ୍ଭ ପ୍ରତି ମୋର ଭକ୍ତି ଥାଏ, ସହାୟ ହୁଅ । ଅନାଥ, ଅଜ୍ଞାନା, ଅବଳା ବାଳିକାକୁ ରକ୍ଷାକର । ଶିଶୋଦୀୟ ରାଠୋର ବଂଶର କୁଳଦେବତା ହେ ଏକଲିଙ୍ଗ ! ମୁଁ ଅକୁଳ ସମୁଦ୍ରରେ ଭାସୁଅଛି, ରକ୍ଷାକର ।’’ ଲଛମା ଶିବଲିଙ୍ଗକୁ ସାଷ୍ଟାଙ୍ଗ ପ୍ରଣିପାତ କଲା । ସେହି ସମୟରେ ଲଛମା ଅପୂର୍ବ ବଳ, ଅପୂର୍ବ ଶାନ୍ତି, ଅପୂର୍ବ ଜ୍ଞାନ ସ୍ୱର୍ଗରାଜ୍ୟରୁ ପ୍ରାପ୍ତ ହେଲା ପରି ଅନୁଭବ କଲା ।

 

ଅଦ୍ୟାବଧି ଚାରିଦିବସ ହେଲା ଲଛମା ଆହାର–ନିଦ୍ରା–ବିବର୍ଜିତା, ମାତ୍ର ତଜ୍ଜନିତ କ୍ଳେଶ ଅନୁଭବ କରି ନ ଥିଲା । ହଠାତ୍‌ ତାହାର ପଣତ କାନିରେ ବନ୍ଧା ପୁଟୁଳିରେ ହାତ ପଡ଼ିଲା । ସେଥିରେ କି ପଦାର୍ଥ ବନ୍ଧା ଅଛି, ଲଛମା ଏ ପର୍ଯ୍ୟନ୍ତ ସେଥିପ୍ରତି ମନୋଯୋଗ କରି ନାହିଁ । ଲଛମା ଯେତେବେଳେ ଉଆସରୁ ଆସିଲା, ମହାଦେବୀ ତାହାର ପଣତ କାନିରେ କଣ ବାନ୍ଧିଦେଇ କହିଥିଲେ, ‘‘ମା ଭୋକ ଲାଗିଲେ ଖାଇବୁ, ମୋ ରାଣ ।’’ ସେହି ଅମୃତମୟ ସ୍ନେହବାକ୍ୟ ମନରେ ପଡ଼ିବାରୁ ତାହା ନେତ୍ରରୁ ଲୋତକପାତ ହେଲା । କାନି ଫିଟାଇ ଦେଖିଲା, ପ୍ରାୟ ଦୁଇମାଣ ଚୁଡ଼ା ଏବଂ କେତେଗୁଡ଼ିଏ ଖଜା । ଆଉ କେତେଗୁଡ଼ିଏ କଠିନ ପଦାର୍ଥ ତାହା ହାତକୁ ଲାଗିଲା । ଗଣି ଦେଖିଲା, ସଂଖ୍ୟା କୋଡ଼ିଏ । ସ୍ପର୍ଶଦ୍ୱାରା ଅନୁଭବ କଲା, ସୁନା ମୋହର ।

 

ଲଛମା ଖାଦ୍ୟଗୁଡ଼ିକ ଦେବତାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ କରି ଘାଟରେ ଜଳଯୋଗ କଲା ।

Image

 

–୧୭–

ପଳା-ମରହଟ୍ଟା

 

ମଧୁମଲ୍ଲ କାନ୍ଥୀରେ ସବୁଦିନେ ଯେପରି ରାତି ପାହେ, ଆଜି ମଧ୍ୟ ସେହିପରି ପାହିଅଛି-। ଜଗା ଫତେସିଂହ ମା ପ୍ରତିଦିନ ପ୍ରାତଃକାଳରେ ଟୋକେଇଟିଏ କାଖେଇ କମ୍ପିତ ହସ୍ତରେ ବାଉଁଶବାଡ଼ି ଖଣ୍ଡିଏ ଧରି ଠୁକୁରୁ ଠୁକୁରୁ କରି ଘଷି ଗୋଟାଇବାକୁ ବିଲକୁ ବାହାରେ, ଆଜି ମଧ୍ୟ ସେହିପରି ବାହାରିଅଛି । ସବୁବେଳେ ବର୍‌ ବର୍‌ କରି ଯାହାକୁ ତାହାକୁ ଗାଳି ଦେବାଟା ତ ତାହାର ଅଭ୍ୟାସ । ଆଜି ମଧ୍ୟ ସେହିପରି ବର୍‌ ବର୍‌ ହୋଇ ଚାଲିଅଛି । ସେହି ତୋଠ ବରମୂଳରେ ଠିଆହେଲା, ବୋଧକରୁଁ, କାଲି କଥାଟା ମନରେ ପଡ଼ିଗଲା । ବାଡ଼ି ଭରା ଦେଇ ଛିଡ଼ା ହେଲା, ଗଛ ମୂଳକୁ ଭଲକରି ଅନାଇଲା, ଚାରିଆଡ଼କୁ ଅନାଇଲା, କେହି ନାହିଁ । ତାହା ମୁଖଭଙ୍ଗୀରୁ ଜଣାଯାଏ, କିଛି କ୍ଷୂର୍ଣ୍ଣ ହେଲା । ସେହି ସ୍ତ୍ରୀଟିକୁ ଭେଟିଥିଲେ ଆଉ ଥରେ ଭଲକରି କଳି ଲଗାଇ ଶାନ୍ତି ଲାଭ କରିଥାନ୍ତା । ତଥାପି ସେ ବରମୂଳକୁ ଅନାଇ ସ୍ତ୍ରୀଲୋକଟି ଉଦ୍ଦେଶ୍ୟରେ ଖୁବ୍‌ ଥରେ କଳିକଲା ।

 

ହାଲ ବର୍ତ୍ତମାନକୁ ଗ୍ରାମ ଲୋକେ ସନ୍ଧ୍ୟା ଉତ୍ତାରେ ଯେପରି ତୁନ୍‌ତାନ୍‌ ହୋଇ ଶୋଇପଡ଼ନ୍ତି, ଗତ ରାତ୍ରିରେ ସେମାନଙ୍କ ଅଦୃଷ୍ଟରେ ସେଇଟା ଘଟି ନାହିଁ । ଭାରି ଗୋଟାଏ ଅରିଷ୍ଟ ଘଟି ଯାଇଅଛି । ଜଗା ଫତେସିଂହ ମା ଲଛମାକୁ ଗାଳି ଦେଇ ସାରି ଘରକୁ ଯାଇ ତାହା ଘର ପିଣ୍ଡାରେ ଦୁଇଗୋଟି ବୁଢ଼ୀ ବସିଥିବାର ଦେଖିଲା । ଭାରି ଖପା ହୋଇ ସେମାନଙ୍କ ସାଙ୍ଗରେ କଳି ଲଗାଇଲା, ବାଡ଼ି ଉଞ୍ଚାଇ ବାଡ଼େଇବାକୁ ଧାଇଁଲା । ସ୍ତ୍ରୀଲୋକ ଦିଓଟି କାକୁତିମିନତି ଦ୍ୱାରା ନିଜ ନିଜ ନିର୍ଦ୍ଦୋଷତା ସାବସ୍ତ୍ୟ କରାଇବା ନିମନ୍ତେ ନାନାପ୍ରକାର ଯୁକ୍ତି ଏବଂ ପ୍ରମାଣ ପ୍ରୟୋଗ କରିବାକୁ ଲାଗିଲେ । ହେଲେ ଫତେସିଂହ ମାଆର କାହିଁରେ କର୍ଣ୍ଣପାତ ନାହିଁ । କେବଳ ଗାଳି, ଅନର୍ଗଳ ଗାଳି-। ଗାଳିର ଭାଷାଟା ଏହି–‘ପୋଡ଼ାମୁହିଁଏ, ଅଳପାଇସେ, ନିଆଁଖାଇଏ, ମୋ ମାଲମତା ଲୁଟି ନେଲ, ପୁଅମାନଙ୍କୁ ମାରି ପକେଇଲ, ବୋହୂଗୁଡ଼ାଙ୍କୁ ଧରି ଘେନିଗଲ, ଇତ୍ୟାଦି ଇତ୍ୟାଦି । ଏକ ପକ୍ଷରୁ ବିରକ୍ତି ଅନ୍ୟପକ୍ଷରୁ ବିନୟ, କେହି କାହାରି କଥା ବୁଝିବାକୁ ନାହିଁ । ବାୟାଣୀ ବାଡ଼େଇବାକୁ କହିବାରୁ ବୃଦ୍ଧା ଦିଓଟି ବିକଳରେ ସ୍ୱାମୀ ପୁତ୍ରଙ୍କ ନାମ, ଈଶ୍ୱରଙ୍କ ନାମ ଉଚ୍ଚାରଣ କରି ଏପରି ଉଚ୍ଚ ସ୍ୱରରେ କାନ୍ଦି ପକାଇଲେ ଯେ ତୋଠ ମନ୍ଦିର ମଧ୍ୟରେ ପ୍ରତିଧ୍ୱନି ହୋଇଥିଲା । ମନ୍ଦିରଟା ଜଗା ଫତେସିଂହ ଘରଠାରୁ ଦୁଇଶ କଦମରୁ ବେଶୀ ଦୂରବର୍ତ୍ତୀ ନୁହେଁ, ମଧ୍ୟରେ ଦୁଇଟା ଘର ବ୍ୟବଧାନ ମାତ୍ର । ଫତେସିଂହ ମା କଳିରେ କ୍ଳାନ୍ତ ହୋଇ ବର୍‌ ବର୍‌ ହୋଇ ଘରକୁ ବାହାରିଲା । ପଡ଼ୋଶୁଣୀ ରାଜୀବ ରାଉତର ବିଧବା ଭଉଣୀ ରାଧିକା ଅଳ୍ପ ଦୂରରେ ଛିଡ଼ା ହୋଇ ଫତେସିଂହ ମାଆର କାର୍ଯ୍ୟକଳାପ ଦେଖୁଥିଲା । ବିଦେଶିନୀ ଦିଓଟିଙ୍କୁ ରକ୍ଷା କରିବାକୁ ଇଚ୍ଛା; ମାତ୍ର କଳିର ଅଂଶ ପାଇବା ଭୟରେ ଭରସି ପାଖ ପଶି ପାରିନାହିଁ । ଫତେସିଂହ ମା’ର ଦୃଷ୍ଟି ରାଧିକା ଉପରେ ପଡ଼ିଗଲା, କହିଲା, ‘‘ଚାହିଁଛୁ କଣ ଲୋ, ଏହି ତ ଦୁଇଟା, ଆଉ ଗୋଟାଏ ମରହଟ୍ଟା ଆସି ତୋଠ ବରମୂଳରେ ବସିଲାଣି । ଆଉ ଘରେ ନିଆଁ ଅଛି, ପାଉଁଶ ଅଛି, ନେବେ ।’’ ରାଧିକା ଥରି ଥରି ପଚାରିଲା, ‘‘ଏଁ, କଣ ଲୋ, ତୋଠଯାଏ ଆସିଲେଣି ?’’ ରାଧିକା ତୋଠ ଯାଏ ଚାଲି ଯାଇଥିଲେ ପ୍ରକୃତ ମରହଟ୍ଟାର ପରିଚୟ ପାଇଥାନ୍ତା । ହେଲେ ବାଘ ଆସିଅଛି, ସତ୍ୟ ମିଥ୍ୟା ପ୍ରମାଣ ନିମନ୍ତେ ତାହା ପାଖକୁ ଯାଇ ଦେଖିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ପ୍ରକୃତରେ ରାଧିକା କିଛି ବୁଦ୍ଧମତୀ ବୋଲି ଗ୍ରାମରେ ପରିଚିତା । ମୁହୂର୍ତ୍ତ ମଧ୍ୟରେ ସିଦ୍ଧାନ୍ତ କରି ପକାଇଲା । ବାୟାଣୀ ବୁଢ଼ୀଟା ବୁଝିପାରି ନାହିଁ, ମରହଟ୍ଟା ହଜାର ହଜାର ଆସନ୍ତି, ନିକୁଛରେ ହଜାରେ ଆସିଥିବେ, ଘୋଡ଼ାରେ ଚଢ଼ି ଆସିଥିବେ । ଗୋଟାଏ ଉତ୍କଟ ରଡ଼ି କଲା–ପଳା ରେ, ପଳା ରେ ! ହଜାରେ ମରହଟ୍ଟା ଘୋଡ଼ାରେ ଚଢ଼ି ତୋଠଯାଏ ଅଇଲେଣି–ବିଦ୍ୟୁତ୍‌ ରାତିରେ ଗାଁ ଏମୁଣ୍ଡ ସେମୁଣ୍ଡ ଚହଳ ପଡ଼ିଗଲା । ସମସ୍ତଙ୍କ ମୁଖରେ ଏକ କଥା–‘ପଳାରେ, ପଳାରେ ମରହଟ୍ଟା’ ଯେ ଯେଉଁଠାରେ ଥିଲା ପାଟିକରି ପଳାଇଲା । କିଏ ତୋରାଣି ମନ୍ଦିଏ ପିଉଥିଲା, ଦରପିଆ, ଦରପିଆ ହୋଇ ଧାଇଁଛି ହାତ ଧୋଇବାକୁ ତର କାହିଁ ? କିଏ ଶୋଇବା ପାଇଁ ହେଁସଟା ପାରୁଥିଲା, କିଏ ଘର ଖରକୁଥିଲା, କିଏ ହଡ଼ାଟାକୁ ବାନ୍ଧୁଥିଲା, କିଏ କଥା କହୁଥିଲା, କିଏ କଥା ଶୁଣୁଥିଲା, ଠା ଜାଗାରୁ ପାଟି କରି ଧାଇଁଛନ୍ତି । ଗୋଟିଏ ମାଇକିନିଆ ପିଲାଟା ମୁହଁରେ ଭାତ ଦିଟା ଗୁଞ୍ଜି ଦେଉଥିଲା, ଡେବିରି ହାତରେ ପିଲାଟାର ଡେଣା ଧରି ଧାଇଁଛି, କାଖେଇବାକୁ ଅବସର ନାହିଁ । ପିଲାଟା ଭେଁ ଭେଁ କରି ରଡ଼ି ଛାଡ଼ିଛି । ମା ରଡ଼ି ଛାଡ଼ିଛି–‘ପଳା, ମରହଟ୍ଟା !’ ଦଣ୍ଡକ ମଧ୍ୟରେ ଗ୍ରାମଟା ନିସ୍ତବ୍‌ଧ ହୋଇଗଲା । ରାତ୍ରି ଅନ୍ଧକାର, ଗ୍ରାମର ଅର୍ଦ୍ଧକ୍ରୋଶ ଦୂରରେ ବଣ । ଏହି ଅନ୍ଧକାର ବା ବଣ ଗ୍ରମାବାସୀଙ୍କ ପକ୍ଷରେ ସୌଭାଗ୍ୟ ବା ଦୁର୍ଭାଗ୍ୟରେ କାରଣ ହୋଇଥିଲା । କାରଣ ସେମାନଙ୍କୁ ଅଧିକା ବାଟ ଧାଇଁବାକୁ ପଡ଼ିଲା ନାହିଁ । ବଣରେ ବାଘ ଭାଲୁ, ଅନ୍ଧକାରରେ ଭିତରକୁ ପଶୁଛି କିଏ ? ବଣ ଧାର ବୁଦା ମୂଳରେ ସମସ୍ତେ ଗାଦିଗୁଦି ତୁନି ହୋଇ ବସିଛନ୍ତି । କାହାରି ପାଟିରେ କଥା ନାହିଁ । କେହି ମାଇକିନିଆ କଅଁଳା ପିଲା ମୁହଁରେ ସ୍ତନଟା ଗୁଞ୍ଜି ଦେଇ ସାବଧାନରେ ଧୀରେ ଧୀରେ ମୁଣ୍ଡଟା ଥାପୁଡ଼ି ଦେଉଛି, କାରଣ ପିଲା କାନ୍ଦଣା ଶୁଣି ମରହଟ୍ଟା ଧାଇଁ ଆସିବାର ସମ୍ପୂର୍ଣ୍ଣ ସମ୍ଭାବନା । ମଶା ଡାଆଁଶ ଗୁଡ଼ାକ ଭଣଭଣ ହୋଇ ଦେହରେ ଲାଗିଛନ୍ତି, ପଟ୍‌କରି ଚାପୁଡ଼ାଏ ମାରିବାକୁ ବାଟ ନାହିଁ, କାଳେ ମରହଟ୍ଟା ଶୁଣି ପାରିବେ । ହାୟ ! ହାୟ ! ଏଠାରେ ମଧ୍ୟ ଶାନ୍ତି ନାହିଁ । ପଲେ ମରହଟ୍ଟା ଘୋଡ଼ା ଧଡ଼ ଧଡ଼ କରି ବଣଟାକୁ ଦୁଲକାଇ ଦେଇ ଧାଇଁଗଲେ । ଆଉ କି ରକ୍ଷା ଅଛି ? ଦେ ପଳା-ପଳା-ପଳା ! ନିବିଡ଼ ଅନ୍ଧକାର ମଧ୍ୟରେ ଧାଇଁଛନ୍ତି । କଣ୍ଟା ଖୁଞ୍ଚ ଲାଗି ଲୁଗାପଟା ଫାଳ ଫାଳ ହୋଇ ଚିରିଗଲାଣି । ଗୋଡ଼ ହାତ ଚିରି ଆମ୍ପୁଡ଼ି ହୋଇ ଯାଇ ଝରଝର ହୋଇ ରକ୍ତ ବହୁଛି । ଆରେ, ବାଘ ଭାଲୁ ? ବାଘ ସିନା ଗୋଟାଏ ଯୋଡ଼ାଏ ମନୁଷ୍ୟ ଖାଇବ, ମରହଟ୍ଟା ହାତରୁ ଯେ କାହାରି ରକ୍ଷା ନାହିଁ । ବଣରେ ବାଘ ଭାଲୁ ଗୁଡ଼ାକ ଭାଳିଥିବେ, ଆଜି ଏ କି ବିପଦ ? ସେମାନେ ଗ୍ରାମବାସୀଙ୍କ ପରି ବୁଦ୍ଧିମାନ ହୋଇଥିଲେ ମନରେ କରନ୍ତେ, ଅତ୍ୟାଚାରୀ ମରହଟ୍ଟାଙ୍କ ଯୋଗେ ବଣରେ ମଧ୍ୟ ଶାନ୍ତି ନାହିଁ । ଆମ୍ଭମାନଙ୍କୁ ସମସ୍ତ କଥା ବୁଝି ସୁଝି ଲେଖିବାକୁ ହୁଏ, ଉତ୍ତମରୂପେ ଅନୁସନ୍ଧାନ କରି ବୁଝିଅଛୁଁ ଯେ, ପ୍ରକୃତ ମରହଟ୍ଟା ଘୋଡ଼ା ବଣକୁ ଯାଇ ନାହାନ୍ତି, ପଲେ ହରିଣ ଚରି ଚରି ଆସୁଥିଲେ, ମନୁଷ୍ୟ ଗନ୍ଧପାଇ ତ୍ରସ୍ତହୋଇ ଭୟରେ ପଳାଇଗଲେ । ଗ୍ରାମବାସୀମାନେ ଥକିପଡ଼ି ବଣ ମଧ୍ୟରେ ଗୋଟିଏ ନିରାପଦ ସ୍ଥାନରେ ବସିଲେ । ଅନେକ ଧାଁ ଦୌଡ଼, ଅନେକ କଷ୍ଟରେ କାଳ ରାତ୍ରିଟା କଟିଗଲା । ପ୍ରଭାତ ହେଲା, ସୂର୍ଯ୍ୟୋଦୟ ହେଲା, ସମସ୍ତ ମୁହଁ ଚାହାଁଚାହିଁ ହେଲେ । ଭୟଙ୍କର ବିପଦରୁ ପ୍ରାଣରକ୍ଷା ହେଲା, ଏବେ ଉପାୟ କଣ କରାଯିବ ? ଅନେକ ତର୍କ ବିତର୍କ, ଅନେକ ବାଦାନୁବାଦ ଉତ୍ତାରେ ସ୍ଥିର ହେଲା, ଆଗେ ମରହଟ୍ଟା ହାଲ ବୁଝିବା ପ୍ରୟୋଜନ । ଚାରି ଜଣ ସାହସୀ ଲୋକେ ଅଣ୍ଟାଭିଡ଼ି ବଣ ପ୍ରାନ୍ତ ପର୍ଯ୍ୟନ୍ତ ଆସି ଗୋଟାଏ ଉଚ୍ଚ ଶାଳଗଚ୍ଛ ଉପରେ ଚଢ଼ି ଅନାଇଲେ । ଗ୍ରାମ ନିସ୍ତବ୍‌ଧ, ଜନପ୍ରାଣୀ ନାସ୍ତି । ଗ୍ରାମ ପଛପଟରେ ମରହଟ୍ଟା ଲୁଚି ଥାଇପାରେ । ସେହି ସାହସୀ ପୁରୁଷମାନେ ବଣ ବୁଦା ଉହାଡ଼ରେ ଲୁଚି ଲୁଚି ବୁଲିଯାଇ ଆଉ ଗୋଟାଏ ଗଛରେ ଚଢ଼ି ଭଲକରି ଅନାଇଲେ । ପଛପଟ ମଧ୍ୟ ସେହିପରି ନିର୍ଜନ । ବାହୁଡ଼ି ଲୋକମାନଙ୍କୁ ସମ୍ବାଦ ଦେଲେ । ଅତି ଧୀରେ ସାବଧାନରେ ଚାରିଆଡ଼କୁ ଚାହିଁ ଚାହିଁ ଆଗେ ପୁରୁଷ, ପଛେ, ସ୍ତ୍ରୀମାନେ ବଣରୁ ବାହାରିଲେ । ଧୀରେ ଧୀରେ ଗ୍ରାମରେ ପଶିଲେ, ମରହଟ୍ଟାର ଚିହ୍ନମାନ ନାସ୍ତି । ମରହଟ୍ଟା କାହିଁ ଗଲେ ? ଘରଦ୍ୱାରା ଅଣ୍ଡାଳି କିଛି ନ ପାଇ ଚାଲିଗଲେ । କେହି କହିଲା ବଣରେ ଲୁଚିଅଛନ୍ତି, କେହି ମରହଟ୍ଟା ଅସ୍ତିତ୍ୱ ସନ୍ଦେହ କଲା । ରାୟବଣିଆ ଦୁର୍ଗକୁ ଯୁଦ୍ଧ କରିବାକୁ ଯାଇଥିବା ବିଷୟ ପ୍ରମାଣ କରାଇବା ନିମନ୍ତେ କେହି କେହି ଯୁକ୍ତି ପ୍ରୟୋଗ କରିବାକୁ ଲାଗିଲେ । କେହି କେହି କ୍ଷୁଦ୍ର କ୍ଷୁଦ୍ର ବକ୍ତୃତା କରି ପ୍ରମାଣ କରାଇଲେ, ଜଗା ଫତେସିଂହ ମା ବୁଢ଼ୀ ମିଥ୍ୟାବାଦିନୀ । ଗ୍ରାମବାସୀଙ୍କର ଏତେ ଦୁର୍ଦ୍ଦଶା ହେଲେ ଫତେସିଂହ ମା ନିଶ୍ଚିନ୍ତ । ସାରା ରାତି ଆପଣା ଘରେ ମଶାଓଡ଼ଶଙ୍କ ସଙ୍ଗରେ ମାମୁଲି କଳିର ତ୍ରୁଟି ହୋଇ ନାହିଁ । ତାହାକୁ ମରହଟ୍ଟା ସମ୍ବନ୍ଧରେ ପ୍ରଶ୍ନ କରାଯାଇଥିଲା; ମାତ୍ର ଯେ ପଚାରେ ସେ ଗାଳିଖାଏ । ବାୟାଣୀଟାକୁ ପଚାରିଲେ କଣ ହେବ ? ସମସ୍ତେ ତୁନି ହେଲେ ।

 

ବିଦେଶିନୀ ବୁଢ଼ୀ ଦୁଇଗୋଟି ତୋଠ ବରଗଛ ମୂଳରେ ବସିଛନ୍ତି । କାହିଁ ଯିବେ ? ଉପବାସ, ଚାଲିଯିବାର ଶକ୍ତି ନାହିଁ । ବରଗଛ ମୂଳରେ ଯେଉଁଠାରେ ଲଛମା ବସିଥିଲା, ଠିକ୍‌ ସେହି ସ୍ଥାନରେ ବସିଅଛନ୍ତି । ପ୍ରଶ୍ନ କରି ଗ୍ରମାବାସୀମାନେ ସେମାନଙ୍କ ଅବସ୍ଥା ଅବଗତ ହେଲେ । ପଶ୍ଚିମ ଦେଶୀୟ ଜଗନ୍ନାଥଯାତ୍ରୀ, ଗୋଡ଼ିଖାଲଠାରେ ଡକାଇତି, ସଙ୍ଗୀ ଆତ୍ମୀୟଙ୍କ ବିନାଶ, ସର୍ବସ୍ୱ ଲୁଣ୍ଠନ, ମରହଟ୍ଟା ଫୌଜ ମଧ୍ୟରେ ବନ୍ଦୀ–ବୃଦ୍ଧା ଅକର୍ମଣ୍ୟ ଥିବାରୁ ପରିବର୍ଜନ, ସମସ୍ତ ବିଷୟ ପ୍ରକାଶ କଲେ । ଗ୍ରାମର ସମସ୍ତେ କିଛି ଜଗା ଫତେସିଂହ ମା ନୁହନ୍ତି, ଦୟାଳୁ ଲୋକେ ସେମାନଙ୍କୁ ଘେନିଯାଇ ଆଶ୍ୱସ୍ତ କରାଇଲେ ।

Image

 

–୧୮–

ପାନରା

 

ନବାବଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ମରହଟ୍ଟା ଫୌଜଦାର ଭାସ୍କର ପଣ୍ଡିତ ସୈନ୍ୟ ସଂଗ୍ରହରେ ନିଯୁକ୍ତ । ହଳଦିପଦାଠାରେ ବର୍ତ୍ତମାନ ତାଙ୍କର ଡେରା ପଡ଼ିଛି । ଅର୍ଥପିପାସା ମହା ଭୟଙ୍କରୀ । ସେହି ଅର୍ଥ ସଂଗ୍ରହ କରିବା ନିମନ୍ତେ ମାନବ ସଙ୍କଟସଙ୍କୁଳ ସ୍ଥାନକୁ ମଧ୍ୟ ଯିବା ପାଇଁ ସଙ୍କୁଚିତ ହୁଏ ନାହିଁ । ସୈନ୍ୟମାନଙ୍କୁ ସାମୟିକ ସାମଗ୍ରୀମାନ ବିକ୍ରୟ କରି ଅର୍ଥ ସଂଗ୍ରହ କରିବା ନିମନ୍ତେ ବେପାରୀମାନେ ନାନାରୂପ ଦ୍ରବ୍ୟ ଘେନି ଫୌଜ ସଂଗେ ସଂଗେ ଭ୍ରମଣ କରୁଥାନ୍ତି । ମରହଟ୍ଟା ଫୌଜ ମଧ୍ୟରେ ଗୋଟିଏ ନୂଆ ବେପାରୀ ଦେଖାଯାଉଅଛି । ବେପାରୀଟା ପାନରା । ଗୁଆଗୁଣ୍ଡି ପାନ ଧୂଆଁପତ୍ର ବିକ୍ରୟ ବ୍ୟବସାୟ । ଫୌଜ ଗୋଳମାଳ ଲୋକ ଗହଳ ମଧ୍ୟରେ କିଏ କାହାକୁ ପଚାରୁଛି ? ଆକାର ପ୍ରକାରରୁ ଜଣାଯାଏ, ଲୋକଟା ପଶ୍ଚିମ ଦେଶୀୟ । ବୟସ ଅନ୍ଦାଜ ତିରିଶ ତଳ, ହେଲେ ମୁଛ ଦାଢ଼ି ଉଠି ନାହିଁ ଅବା କ୍ଷୌରକରା । ପହରଣ ମାଲକଛି, ଚାରି ପାଞ୍ଚଟା ଅଙ୍ଗା ଉପରେ ଲଗାଇଛି; ଭାରି ଗ୍ରୀଷ୍ମରେ ମଧ୍ୟ ଅଙ୍ଗା ବୋଝ ଛାଡ଼ିନାହିଁ । ମୁଣ୍ଡରେ ଗୋଟାଏ ଭାରି ଢାଲିଆ ପଗଡ଼ି । ନିଜ ଫୌଜଦାରଙ୍କ ତମ୍ବୁଠାରେ ଏହାର ବେଶୀ କାରବାର । କବି ବୋଲିଛନ୍ତି–ବିଦ୍ୟା, ବପୁ, ବାକ୍ୟ, ବସ୍ତ୍ର ଏବଂ ବିଭବ ଏହି ପଞ୍ଚ ବକାରରେ ମାନବ ଗୌରବଭାଜନ ହୁଏ । ହେଲେ, ‘‘ପ୍ରାୟେଣ ସାମଗ୍ର୍ୟବିଧୌ ଗୁଣାନାଂ ପରାଂମୁଖୀ ବିଶ୍ୱସୃଜଃ ପ୍ରବୃତ୍ତି ।’’ ସବୁ ପ୍ରକାର ପ୍ରାୟ ସମସ୍ତ ଭାଗ୍ୟରେ ଘଟେ ନାହିଁ । ଫୌଜଦାରଙ୍କ ଶରୀରରକ୍ଷୀ ପାଇକମାନଙ୍କର ପାନରା ପ୍ରତି ଭାରି ଆଦର । ଲୋକଟା ଦେଖିବାକୁ ସୁନ୍ଦର, ଲୁଗାପଟା ଦିଖଣ୍ଡ ମଧ୍ୟ ସେହିପରି, କଥାଗୁଡ଼ାକ ଓଡ଼ିଆ ମିଶା ହିନ୍ଦୀ–ସୁମଧୁର; ବିଶେଷରେ ମାଲଗୁଡ଼ିକ ବେଶୀ ଶସ୍ତା । କାଳି ବାସି ଦେବାକୁ ମନା ନାହିଁ । କାହାରି ଅଣ୍ଟାରେ ପଇସା ନାହିଁ, ମାହାଳିଆ ଚାରିଖିଲ ଖାଇଯାଉ । ପାନରା ସଖାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଫୌଜଦାରଙ୍କ ଡେରା ଚାରିପାଖରେ ବୁଲି ବୁଲି ପାନ ବିକ୍ରୟ କରେ । ରାତ୍ରିରେ କେଉଁଠାରେ ରହେ, କ’ଣ ଖାଏ, ଲୋକଙ୍କୁ ଅଗୋଚର । ଫୌଜଦାର ଉତ୍ତର ଦିଗକୁ ଯୁଦ୍ଧଯାତ୍ରା କଲେ, ପାନରା ସଂଗେ ସଂଗେ ଚାଲିଥାଏ ।

Image

 

–୧୯–

ମୀର ହବିବ୍

 

ମୀର ହବିବ୍ ନବାବ ଆଲିବର୍ଦ୍ଦି ଖାଁଙ୍କର ଜଣେ ଅନ୍ୟତମ ସେନାପତି, ଜନ୍ମସ୍ଥାନ ପାରସ୍ୟ ଦେଶରେ । ମୀର ହବିବ୍ ଗୋଟିଏ ଦରିଦ୍ରର ପୁତ୍ର । ପିଲାକାଳଟା ଦାଣ୍ଡେ ଦାଣ୍ଡେ ବୁଲି ବୁଲି ଯାଇଅଛି, ଚାଟଶାଳୀ ସ୍ପର୍ଶ କରିନାହାନ୍ତି । ନାମ ଲେଖି ଜାଣି ନ ଥିବାରୁ ଏ ଉତ୍ତାରେ ବଡ଼ ହରବରରେ ପଡ଼ିଥିଲେ । ପିଆଦାପଣ କରି ପେଟ ପୋଷିବା ଉଦ୍ଦେଶ୍ୟରେ ହିନ୍ଦୁସ୍ଥାନକୁ ଆଗମନ, ହେଲେ ତାଙ୍କର ବୃଦ୍ଧିଶକ୍ତି ଅସାଧାରଣ । ମୀର୍ ହବିବ୍ ବଳିଷ୍ଠ ଶରୀର, ନିରଳସ, କାର୍ଯ୍ୟଦକ୍ଷ । ଯେ ସମସ୍ତ ଗୁଣ ଥିଲେ କମଳା ମାନବକୁ ଆଲିଙ୍ଗନ କରନ୍ତି, ତାଙ୍କ ଦେହରେ ସେ ସମସ୍ତ ଗୁଣ ବର୍ତ୍ତମାନ ଥିଲା । ହେଲେ ମାନବ ମାତ୍ରକେ ଦୋଷ ଗୁଣଯୁକ୍ତ । ନିରବଚ୍ଛିନ୍ନ ସଦ୍‌ଗୁଣସମ୍ପନ୍ନ ବା ନିରବଚ୍ଛିନ୍ନ ଦୁର୍ଗୁଣଯୁକ୍ତ ମାନବ ଜଗତରେ ଦୁର୍ଲ୍ଲଭ । କେବଳ ଦୋଷ ଗୁଣର ତାରତମ୍ୟ ମାନବକୁ ମହତ୍ ବା ନୀଚ ବୋଲି ପରିଚିତ କରାଏ; ଦୋଷ ମଧ୍ୟରେ ମୀର୍ ହବିବ୍ ଭୟଙ୍କର କ୍ରୋଧୀ, କ୍ଷମାଗୁଣବର୍ଜ୍ଜିତ ଏବଂ ହିଂସାପରାୟଣ ।

 

ମୀର ହବିବ୍ ପ୍ରଥମେ ମୁର୍‌ଶିଦାବାଦ ନବାବ ସରକାରରେ ପିଆଦା ପଣରେ ନିଯୁକ୍ତ ଥିଲେ । ସ୍ୱକୀୟ କାର୍ଯ୍ୟଦକ୍ଷତା ବଳରେ ଉନ୍ନତି ଲାଭ କରି ଜମାଦାର, ହାବିଲଦାର, ମନସବ୍‍ଦାର, ଅବଶେଷରେ ବେହାରର ଶାସନକର୍ତ୍ତା ପଦରେ ନିଯୁକ୍ତ ହୋଇଥିଲେ । ଶେଷୋକ୍ତ ପଦରେ ନିଯୁକ୍ତ ଥିବା ସମୟରେ ନବାବ ଦରବାର ସହିତ ମନାନ୍ତର ଘଟିଲା । ମନାନ୍ତରର କାରଣ ନବାବଙ୍କ ସେନାପତି ମୀରଜାଫର, ମୁସ୍ତାଫା ଖାଁ, ଓମରା ଗୋଲାମ ରସୁଲ, ହବିବୁଲା, ରହେମାନ, ଅବଦୁଲ ଶୋଭାନ୍‍ ଖାଁ ପ୍ରଭୃତି ପାରିଷଦମାନେ ଆଭିଜାତ ଏବଂ ସିଆ ଦଳଭୁକ୍ତ । ପକ୍ଷାନ୍ତରେ ମୀର ହବିବ୍ ଆଭିଜାତ୍ୟହୀନ ପୁଣି ସୁନ୍ନିଦଳ ପକ୍ଷପାତୀ । ଦରବାରରେ କିଞ୍ଚିତ୍ ଅବଜ୍ଞାତ ହେବାରୁ ଭୟଙ୍କର କ୍ରୋଧ ହେଲା । ପାରିଷଦମାନଙ୍କୁ ଶାସନ କରିବା ଅଥବା ସ୍ୱକୀୟ ବାହୁବଳରେ ମୁର୍‍ଶିଦାବାଦ ନବାବ ତକ୍ତ ଅଧିକାର ଉଦ୍ଦେଶ୍ୟରେ ସେ ମରହଟ୍ଟା ସହିତ ମିଳିତ ହୋଇଥିଲେ । ମୀର ହବିବ୍ ସେହି ସମୟରେ ପାଞ୍ଚ ହଜାର ପାଇକ ସହିତ ମେଦିନୀପୁରରେ ବାସ କରୁଥିଲେ । ଖଡ଼ଗପୁରଠାରେ ଭାସ୍କର ପଣ୍ଡିତଙ୍କ ସହିତ ତାଙ୍କର ଭେଟ ହେଲା । ମିଳିତ ବର୍ଗୀ ତୁର୍କ ସୈନ୍ୟକୁ ଦୁଇ ଦଳରେ ବିଭକ୍ତ କରି ନବାବଙ୍କୁ ଉଭୟ ପାର୍ଶ୍ୱରୁ ଆକ୍ରମଣ କରିବା କଥା ସ୍ଥିର ହେଲା ।

Image

 

–୨୦–

ମୁସ୍ତାଫା ଖାଁ

 

ନବାବ ଫୌଜର ଦ୍ୱିତୀୟ ସେନାପତିଙ୍କ ନାମ ମୁସ୍ତାଫା ଖାଁ, ନିବାସ ପଞ୍ଜାବ । ତାଙ୍କର ନିମ୍ନପଦସ୍ଥ କେତେଜଣ ହାବିଲଦାର, ଜମାଦାର ମଧ୍ୟ ପଞ୍ଜାବ ନିବାସୀ । ଏହି ପଞ୍ଜାବୀ ମହାବୀରମାନେ ବର୍ତ୍ତମାନ ନବାବଙ୍କ ପ୍ରତି କିଞ୍ଚିତ୍ ବିମୁଖ । କାରଣ ଗନ୍ତାଘରେ ଟଙ୍କା ନିଅଣ୍ଟ ଥିବାରୁ କେତେ ମାସ ହେଲା ମାସହରା ପାଇନାହାନ୍ତି । ଅନ୍ୟତର ବିଶେଷ କାରଣ, ସୈନ୍ୟ ଶ୍ରେଣୀର ଅଗ୍ରଭାଗ ଅଧିକାର କରି ଚାଳନା କରିବା ଗୌରବର ବିଷୟ । ନବାବ ଏହି ଗୌରବାନ୍ୱିତ ପଦଟି ମୀର୍‌ଜାଫରଙ୍କୁ ଅର୍ପଣ କରି ଅନ୍ୟାୟ କାର୍ଯ୍ୟ କରିଅଛନ୍ତି । ନ୍ୟାୟ ଅନୁସାରେ ସେହି ଗୌରବାନ୍ୱିତ ପଦଟି ମୁସ୍ତାଫାଙ୍କର ପ୍ରାପ୍ୟ ଥିଲା । ମଧ୍ୟ ସେ ବୟସ ବଂଶ, ପଦମର୍ଯ୍ୟାଦାରେ ମୀର୍‌ଜାଫର ଠାରୁ ଶ୍ରେଷ୍ଠତର ଅଟନ୍ତି । ମୁସ୍ତାଫା ଖାଁ ଏବଂ ଆଲିବର୍ଦ୍ଦି ଖାଁଙ୍କ ମଧ୍ୟରେ ମନୋମାଳିନ୍ୟ ବିଷୟ ମୀର ହବିବଙ୍କଠାରେ ଅବିଦିତ ନଥିଲା । ସେଥି ସକାଶେ ମୀର ହବିବ୍ ସାହସ କରି ବର୍ଗୀପକ୍ଷ ଅବଲମ୍ବନ କରିବା ନିମନ୍ତେ ମୁସ୍ତାଫା ଖାଁଙ୍କୁ ପରାମର୍ଶ ଦେଇଥିଲେ । ଟାଳମଟାଳ କରି ମୁସ୍ତାଫା ଖାଁ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଜବାବ ଦେଇନାହାନ୍ତି । ନବାବଙ୍କ ଭୀଷଣ ପରାଜୟର ଏହା ଅନ୍ୟତମ କାରଣ ଅଟେ ।

Image

 

–୨୧–

ନୈଶ ସମର

 

ମରହଟ୍ଟା କ୍ଷିପ୍ରକାରୀ, ସେମାନଙ୍କ କାର୍ଯ୍ୟପ୍ରଣାଳୀ ଗତିବିଧି ବିପକ୍ଷ ଅପରିଜ୍ଞାତ ଏବଂ ସେମାନେ ଅଭିପ୍ରାୟ ଗୋପନରେ ସମର୍ଥ । ଏହି ସମସ୍ତ କାରଣରୁ ବିଜୟଲକ୍ଷ୍ମୀ ସର୍ବଦା ସେମାନଙ୍କୁ ଆଲିଙ୍ଗନ କରିଥାନ୍ତି । ନିଶୀଥ ସମୟ, ଜଗତ ନିସ୍ତବ୍ଧ । ଦାମୋଦର ନଦୀକୂଳସ୍ଥ ମହିଷରେଖା ଗ୍ରାମର ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ ନବାବ ଆଲିବର୍ଦ୍ଦି ଖାଁଙ୍କ ବିଶାଳବାହିନୀ ନିଦ୍ରାଦେବୀଙ୍କ କ୍ରୋଡ଼ରେ ବିଶ୍ରାମଲାଭ କରୁଅଛନ୍ତି । କେତେକ ମୁହୂର୍ତ୍ତ ପୂର୍ବେ ନବାବଙ୍କ ଗୁପ୍ତ ଗୋଇନ୍ଦା ଖଡ୍‌ଗପୁରଠାରୁ ବାହୁଡ଼ି ଆସି ସମ୍ବାଦ ଦେଇଅଛି, ବର୍ଗୀମାନଙ୍କର ଯୁଦ୍ଧଯାତ୍ରାର ଆୟୋଜନ ନାହିଁ । ନବାବ ସାହେବ ନିଶ୍ଚିନ୍ତରେ ନିଦ୍ରା ଯାଇଅଛନ୍ତି ।
 

ନୈଶ ଆକାଶର ନିସ୍ତବ୍ଧତା ଭଙ୍ଗ କରି ଗୁଡୁମ୍ ଗୁଡୁମ୍ ଶବ୍ଦରେ ତୋପ ପଡ଼ିଲା । ତୋପ ସଙ୍ଗରେ ତୋପ, ତୋପ ପଛରେ ତୋପ, ଅବିଶ୍ରାନ୍ତ ଅବିରଳ ଭାବରେ ତୋପ ଡାକୁଅଛି । ଆକାଶରୁ କରକାପାତ ସମାନରେ ଅସଂଖ୍ୟ ଅଗ୍ନିମୟ ଗୋଲକ ନବାବ ସୈନ୍ୟ ମଧ୍ୟରେ ବୁଣି ପଡ଼ୁଅଛି । ନବାବ ସ୍କନ୍ଧାବାରରେ ଭୟଙ୍କର ଦୁର୍ଯୋଗ ଏବଂ ବିଶୃଙ୍ଖଳା ଉପସ୍ଥିତ । ଅଗ୍ନିମୟ ଗୋଳାଘାତରେ ତମ୍ବୁଗୁଡ଼ିକ ଛିନ୍ନଭିନ୍ନ ହୋଇ ସ୍ଥାନେ ସ୍ଥାନେ ବସ୍ତ୍ରରାଶି ପ୍ରଜ୍ୱଳିତ ହେଉଅଛି । ଭୟବିହ୍ୱଳ ହସ୍ତୀ, ଅଶ୍ୱ, ଉଷ୍ଟ୍ର, ଗର୍ଦଭ, ବଳୀବର୍ଦ୍ଦ ପଶୁମାନେ ବନ୍ଧନରଜ୍ଜୁ ଛିନ୍ନ କରି ଅନ୍ଧକାର ମଧ୍ୟରେ ପ୍ରଚଣ୍ଡ ବେଗରେ ଧାବିତ ହେଉଅଛନ୍ତି । ପଶୁ ପଦାଘାତରେ ବହୁ ସୈନ୍ୟ ବିନଷ୍ଟ । ନବାବ ଏବଂ ସେନାପତିମାନେ ଜାଗରିତ ହୋଇ ବିଷମ ବିଭ୍ରାଟ ପ୍ରତ୍ୟକ୍ଷ କଲେ, ଅପ୍ରତ୍ୟାଶିତ ଅତର୍କିତ ଭାବରେ ସହସା ଉପସ୍ଥିତ ଭୟଙ୍କର ଦୁର୍ଯୋଗ ସମୟରେ ମଧ୍ୟ ଧୈର୍ଯ୍ୟଚ୍ୟୁତ ହେଲେ ନାହିଁ, ସାଧ୍ୟାନୁସାରେ ସୈନ୍ୟ ଶୃଙ୍ଖଳାବଦ୍ଧ କରାଇବାକୁ ଲାଗିଲେ । ବିପକ୍ଷ ତୋପ-ନିର୍ଗତ ଧୂମରାଶି ନୈଶ ଅନ୍ଧକାରକୁ ନିବିଡ଼ତର କରି ପକାଇଅଛି । ଶତ୍ରୁ କେଉଁ ସ୍ଥାନରେ ତାହାର ସ୍ଥିରତା ନାହିଁ । କେବଳ ଶବ୍ଦକୁ ଲକ୍ଷ୍ୟ କରି ଗୋଲନ୍ଦାଜମାନେ ବୃଥା ତୋପ ଚଳାଇବାକୁ ଲାଗିଲେ । ପ୍ରତି ନିମେଷରେ ନବାବ ପକ୍ଷର ଅପର୍ଯ୍ୟାପ୍ତ ଅପଚୟ ଘଟୁଅଛି । ବର୍ଗୀବର୍ଗ ଅକ୍ଷୂର୍ଣ୍ଣଭାବରେ ରହିଅଛନ୍ତି-। ମରହଟ୍ଟାମାନେ ରାତ୍ରି ଅନ୍ଧକାରରେ ପ୍ରଚ୍ଛନ୍ନ ଭାବରେ ଆସି ନଦୀର ବିପରୀତ କୂଳସ୍ଥିତ ଉଚ୍ଚ ବୃକ୍ଷଡାଳରେ ତୋପ ସମସ୍ତ ବନ୍ଧନପୂର୍ବକ ନବାବ ସୈନ୍ୟକୁ ଲକ୍ଷ୍ୟକରି ଚଳାଉଥାନ୍ତି-। ଅନ୍ୟ ବର୍ଗୀମାନେ ନଦୀ କାନ୍ଥି ଉହାଡ଼ରେ ଶରୀର ଗୋପନ କରି ନୀରବ ଭାବରେ ରହିଥାନ୍ତି । ଏଥକୁ ନବାବଚାଳିତ ଅଗ୍ନି ଗୋରିକ ସେମାନଙ୍କର କିଛିମାତ୍ର ଅନିଷ୍ଟ ସାଧନରେ ସମର୍ଥ ହେଲା ନାହିଁ । ଅବଶେଷରେ ତୁର୍କ ସୈନ୍ୟମାନେ ଆତ୍ମପକ୍ଷୀୟ ମୃତ ଭୂପତିତ ପ୍ରାଣୀମାନଙ୍କୁ ପଦରେ ଦଳନ କରି ଛତ୍ରଭଙ୍ଗପୂର୍ବକ ପଳାୟନ କରିବାକୁ ଲାଗିଲେ । ପଳାୟନ କାର୍ଯ୍ୟଟା ମଧ୍ୟ ନିରାପଦରେ ସାଧିତ ହେଲା ନାହିଁ । ମୀର ହବିବ୍‌ ଏକ ଅଂଶ ବର୍ଗୀସୈନ୍ୟ ସହିତ ପଶ୍ଚାତ୍‍ଭାଗସ୍ଥିତ ମାର୍ଗ ଅବରୋଧ କରି ବସିଥିଲେ । ସେହି ଦିଗକୁ ପଳାୟିତ ତୁର୍କମାନଙ୍କୁ ଦିବାଲୋକ ଦେଖିବାକୁ ହେଲାନାହିଁ । କ୍ରମଶଃ ଏହି ଭୟଙ୍କର ନିଶା ଅବସାନ ହେଲା, ଶେଷରାତ୍ରିରେ ଈଷତ୍‌ ଅନ୍ଧକାର ଆକାଶକୁ ଆଚ୍ଛନ୍ନ କରି ରଖିଅଛି । ନବାବ ଚାହିଁ ଦେଖିଲେ, ଆତ୍ମପକ୍ଷ ଜନପ୍ରାଣୀ ଶୂନ୍ୟ ଏକାକୀ ହସ୍ତୀ ଉପରେ ବସିଛନ୍ତି, ପତକାବାହୀ ଦୁଇଗୋଟି ବିଶାଳକାୟ କରୀ ସମ୍ମୁଖରେ ଦଣ୍ଡାୟମାନ । ହସ୍ତୀମାନେ ସୁଶିକ୍ଷିତ, ଅବିଶ୍ରାନ୍ତ କୁଳିଶନାଦୀ ତୋପ ଶବ୍ଦରେ ମଧ୍ୟ ହସ୍ତୀପଲ ଶାସନରେ ବିଚଳିତ ହୋଇନାହାନ୍ତି । ନବାବଙ୍କ ଈଦୃଶ ଶୋଚନୀୟ ଅବସ୍ଥା ଦେଖି ନଦୀର ବିପରୀତ ଦିଗସ୍ଥିତ ବୃକ୍ଷାରୋହୀ ସଶସ୍ତ୍ର ଦୁଇଶତ ବର୍ଗୀ ‘ବୋମ୍‍ ବୋମ୍‍ ମହାଦେଓ’ ଚିତ୍କାର କରି ସ୍ୱଳ୍ପତୋୟା ନଦୀ ଅତିକ୍ରମପୂର୍ବକ ଧାଇଁ ଆସିଲେ । ନବାବ ଅସହାୟ, ଏକାକୀ, ବିପକ୍ଷ ବହୁସଂଖ୍ୟକ, ବିନାଶ ଅନିବାର୍ଯ୍ୟ । ହେଲେ ‘‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ ?’’ ନବାବଙ୍କ ସମ୍ମୁଖବର୍ତ୍ତୀ ପତାକାବାହୀ ଦୁଇଗୋଟି ହସ୍ତୀଙ୍କ ବିଶାଳ ଦଂଷ୍ଟ୍ରରେ ପରିଷ୍କୃତ ଲୌହଶୃଙ୍ଖଳ ବେଷ୍ଟିତ ଥାଏ । ହସ୍ତୀମାନେ ସେହି ଶୃଙ୍ଖଳକୁ ଝମ୍‌ ଝମ୍‌ କରି ଚାଲୁଥାନ୍ତି । ଏଥକୁ ସେମାନଙ୍କ ଆନନ୍ଦ ଜାତ ହୁଏ, ଦୀର୍ଘ ମାର୍ଗ ପର୍ଯ୍ୟଟନରେ ମଧ୍ୟ କ୍ଳାନ୍ତି ବୋଧ କରନ୍ତି ନାହିଁ । ପତାକାବାହୀ ହସ୍ତୀମାନେ ଅପରିଚିତ ଲୋକର ଗନ୍ଧ ପାଇ ଏବଂ ବିପକ୍ଷ ନିକ୍ଷିପ୍ତ ବର୍ଚ୍ଛାଘାତରେ ଉନ୍ମତ୍ତବତ୍‌ ହୋଇଗଲେ । ଦନ୍ତସଂଲଗ୍ନ ଶୃଙ୍ଖଳକୁ ଥୋରିହସ୍ତରେ ଧରି ଏପରି ପ୍ରଚଣ୍ଡଭାବରେ ବୁଲାଇବାକୁ ଲାଗିଲେ ଯେ, ସେହି ଶୃଙ୍ଖଳାଘାତରେ ବିପକ୍ଷମାନେ ଧରାଶାୟୀ ହୋଇପଡ଼ିଲେ । ସେହି ସମୟରେ ଆହୁରି ମଧ୍ୟ ଗୋଟିଏ ବିଚିତ୍ର ଘଟନା ସଂଘଟିତ ହେଲା । ହସ୍ତୀଦ୍ୱୟ ସମ୍ମୁଖବର୍ତ୍ତୀ ଶତ୍ରୁ ନାଶରେ ନିଯୁକ୍ତ ଥିଲାବେଳେ ଚାରିଜଣ ବଳିଷ୍ଠ ବର୍ଗୀ ଅନ୍ୟପାର୍ଶ୍ୱରୁ ବୁଲି ଆସି ନବାବଙ୍କ ଉପରେ ବର୍ଚ୍ଛାଘାତ କଲେ-। ନବାବ ଆଲିବର୍ଦ୍ଦି ଭୀତ ଚକିତ ଭାବରେ ସେମାନଙ୍କୁ ଚାହିଁ ରହିଥାନ୍ତି । ଦେଖିଲେ, ଜଣେ ମରହଟ୍ଟା ତାହାଙ୍କ ପ୍ରତି ଲକ୍ଷ୍ୟ ରଖି ପ୍ରବଳ ବେଗରେ ବର୍ଚ୍ଛା ନିକ୍ଷେପ କରିବା ସମୟରେ ଗୋଟିଏ ନିପୁଣ ସ୍ଥିରହସ୍ତ ନିକ୍ଷିପ୍ତ ତୀକ୍ଷ୍‌ଣମୁନ ବର୍ଚ୍ଛା ଆସି ବିପକ୍ଷରେ ଦକ୍ଷିଣ ନାଟି ଭେଦ କରିଯିବାରୁ ସେ ଲୋକଟା ବର୍ଚ୍ଛା ସହିତ ହଠାତ୍‌ ତଳେ ପଡ଼ିଗଲା । ସେହି ସମୟରେ ଅନ୍ୟ ତିନି ଜଣ ବର୍ଚ୍ଛାଧାରୀ ବର୍ଗୀ ଭୀଷଣ ବେଗରେ ନବାବଙ୍କ ନିକଟକୁ ଧାଇଁ ଆସିଲେ । ଏମାନଙ୍କର ଅନ୍ୟ ଦିଗକୁ ଦୃଷ୍ଟିପାତ ନାହିଁ, କେବଳ ହସ୍ତୀପୃଷ୍ଠସ୍ଥ ନବାବଙ୍କୁ ଲକ୍ଷ୍ୟ କରି ଧାଇଁଅଛନ୍ତି । ଅଦ୍ଭୁତ ଘଟନା ! ଦୈବପ୍ରେରିତ ତୁଲ୍ୟ ଜଣେ ବଳିଷ୍ଠ ଯୁବକ ନବାବଙ୍କ ଆରୂଢ଼ ହସ୍ତୀର ପଶ୍ଚାଦ୍ଭାଗରୁ ଧାଇଁଆସି ନିମେଷ ମଧ୍ୟରେ ସେହି ବର୍ଗୀ ତିନି ଜଣଙ୍କର ମସ୍ତକ ଛେଦନ କରି ପକାଇଲା । ସମସ୍ତ ଶତ୍ରୁ ବିନଷ୍ଟ ହୋଇଅଛନ୍ତି, ନବାବ ନିରାପଦ, ମହାରାଷ୍ଟ ସୈନ୍ୟ ମଧ୍ୟରେ ଏ ବିଷୟ ପ୍ରଚାର ହେବା ପୂର୍ବେ ନବାବ ପଳାୟନ କଲେ । ପଳାୟନ ସମୟରେ କୃତଜ୍ଞ ନବାବ ସେହି ଅପରିଚିତ ପ୍ରାଣରକ୍ଷାକାରୀ ଯୁବକଟିକୁ ସ୍ୱକୀୟ ହସ୍ତୀପୃଷ୍ଠରେ ଆପଣା ପାର୍ଶ୍ୱରେ ବସାଇ ନେବାକୁ ବିସ୍ମୃତ ହେଲେ ନାହିଁ । ଏତେବେଳକୁ ଦିବାଲୋକ ପ୍ରକାଶିତ ହେଲାଣି । ଧୀର ସୁଶୀତଳ ସମୀରଣ ପ୍ରବାହିତ ହେଉଅଛି । ସମବେତ ତିନିଗୋଟି ବିଶାଳକାୟ କରୀ ଥୋରହସ୍ତ ଓ ପୁଚ୍ଛ ଉତ୍ତୋଳନପୂର୍ବକ ପ୍ରଚଣ୍ଡ ବେଗରେ ଧାଇଁଅଛନ୍ତି-। ନବାବ ଅନାଇ ଦେଖିଲେ, ସମସ୍ତ ପ୍ରାନ୍ତର ଶ୍ମଶ୍ରୁମୟ, ବୃକ୍ଷପତିତ ତାଳଫଳ ପରି ଅସଂଖ୍ୟ ନରମସ୍ତକ ବିଲୁଣ୍ଠିତ ହେଉଅଛି । ହାହାକାର, କ୍ରନ୍ଦନ ବିଳାପରେ ପ୍ରାନ୍ତରେ ପରିପୂର୍ଣ୍ଣ । ସ୍ଥାନେ ସ୍ଥାନେ ସଦ୍ୟଃପତିତ ଉଷ୍ଣ ରୁଧିରରେ ଭୂମି କର୍ଦ୍ଦମମୟ ହୋଇ ଯାଇଅଛି । ଗୋଳାଘାତ ପିଷ୍ଟ ପ୍ରାଣୀଶରୀରର ମାଂସରାଶି ସ୍ଥାନେ ସ୍ଥାନେ ଗଦା ହୋଇଅଛି; ମନୁଷ୍ୟ ବା ପ୍ରାଣୀ ଆକାରର ଚିହ୍ନ ମାତ୍ର ନାହିଁ । ଆହାତ ଭୂପତିତ ଥୋକେ ଲୋକ ଭୂମିଭରା ଦେଇ ଉଠିବାକୁ ଚେଷ୍ଟା କରୁଅଛନ୍ତି, ମାତ୍ର ଉତ୍‌ଥାନ ଶକ୍ତି ରହିତ । କେହି ଦୟାମୟ ପ୍ରଭୁଙ୍କ ନାମ, କେହି ଜ୍ଞାତିବନ୍ଧୁ ନାମ ଧରି ଚିତ୍କାର କରୁଅଛନ୍ତି । ବହୁସଂଖ୍ୟକ ଲୋକ ପାଣି ପାଣି ବୋଲି ଡାକ ପାରୁଅଛନ୍ତି । କାହିଁ ବା ମନୁଷ୍ୟ, ଅଶ୍ୱ, ହସ୍ତୀ, ଶବରାଶି ଉପର୍ଯ୍ୟୁପରି ଗଦାହୋଇ ପଡ଼ିଅଛନ୍ତି । ଆହତ ଭୂଲୁଣ୍ଠିତ ପଶୁମାନଙ୍କ ପ୍ରବଳ ପଦାଘାତରେ ଭୂପତିତ ଅର୍ଦ୍ଧମୃତ ଲୋକମାନେ ପ୍ରାଣତ୍ୟାଗ କରୁଅଛନ୍ତି । ଭୟତ୍ରସ୍ତ, ହସ୍ତୀପଲ-ଅଙ୍କୁଶାଘାତ-ଅସହିଷ୍ଣୁ କରୀତ୍ରୟ ଆହତ ଲୋକମାନଙ୍କୁ ପଦରେ ଦଳିତ କରି ପ୍ରଚଣ୍ଡ ବେଗରେ ଧାବମାନ ହେଉଅଛନ୍ତି । ମନୁଷ୍ୟ ଉଦର ଓ ମସ୍ତକଗୁଡ଼ା ପଟ୍‌ ପଟ୍‌ ମଡ଼୍‌ ମଡ଼୍‌ କରି ଦଳି ହୋଇଯାଉଅଛି । ନବାବସାହେବ ତଳକୁ ଚାହିଁପାରିଲେ ନାହିଁ, ଆତ୍ମପକ୍ଷୀୟ ଲୋକମାନଙ୍କ ଦୁର୍ଦ୍ଦଶା ଦେଖି ଆଖି ବୁଜି ପକାଇଲେ ।

 

ନବାବଙ୍କ ପଳାୟନର ଅବ୍ୟବହିତ ପରେ ବର୍ଗୀବର୍ଗ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେଲେ । ସେହି ସମୟରେ ସେମାନେ ଅନୁଧାବନ କରିଥିଲେ ନବାବଙ୍କ ରକ୍ଷାର ଉପାୟ ନ ଥିଲା । ମାତ୍ର କେତେଗୁଡ଼ିଏ କାରଣରୁ ସେମାନେ ପଶ୍ଚାଦ୍ଧାବନରୁ ନିବୃତ୍ତ ହେଲେ । ପ୍ରଥମତଃ, ସେମାନେ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେବା ସମୟକୁ ନବାବ ଦୃଷ୍ଟିପଥରୁ ବହିର୍ଭୂତ ହୋଇଥିଲେ, ଏଥକୁ କେଉଁ ଦିଗକୁ ନବାବ ପଳାୟନ କରିଅଛନ୍ତି, ସ୍ଥିର କରିପାରିଲେ ନାହିଁ । ଦ୍ୱିତୀୟତଃ, ମୀର ହବିବ୍‌ ନିକଟରେ ନ ଥିବାରୁ ତାଙ୍କ ସହିତ ପରାମର୍ଶ ବିନା ଭାସ୍କର ପଣ୍ଡିତ କର୍ତ୍ତବ୍ୟ ନିରୂପଣ କରିବାକୁ ଅସମର୍ଥ ହେଲେ । ତୃତୀୟତଃ, ନବାବଙ୍କ ପରିତ୍ୟକ୍ତ ପର୍ବତ ପ୍ରମାଣ ଖାଦ୍ୟରାଶି, ଅପର୍ଯ୍ୟାପ୍ତ ବହୁମୂଲ୍ୟ ସମ୍ପତ୍ତି, ଅସଂଖ୍ୟ ପଶୁ ପ୍ରାପ୍ତ ହୋଇ ବର୍ଗୀବର୍ଗ ଏପରି ଉଲ୍ଲସିତ ହୋଇଥିଲେ ଯେ, ନବାବଙ୍କ ଅନୁସରଣ ସେମାନଙ୍କ ମନରେ ଉଦିତ ହେବାକୁ ସୁଦ୍ଧା ଅବସର ପ୍ରାପ୍ତ ହେଲା ନାହିଁ ।

Image

 

–୨୨–

Unknown

ତାହାର ନାମ ବାଦଲ ସିଂହ

 

ବହୁ କ୍ରୋଶ ମାର୍ଗ ଅତିକ୍ରମ କରି ନବାବ ସାହେବ ସ୍ୱପକ୍ଷୀୟ ପାଇକମାନଙ୍କ ସହିତ ମିଳିତ ହେବାକୁ ରାତ୍ରି ଉପସ୍ଥିତ ହୋଇଥିଲା । ପଥଶ୍ରାନ୍ତ ପାଇକମାନେ ଏକ ଅନାବୃତ ପ୍ରାନ୍ତର ମଧ୍ୟରେ ଅନାହାରରେ ପଡ଼ିଅଛନ୍ତି । ସେମାନଙ୍କର ଧ୍ରୁବ ବିଶ୍ୱାସ ଥିଲା, ନବାବ ସାହେବ ବନ୍ଦୀ ବା ବିନଷ୍ଟ । ଏଥକୁ ସେମାନେ ନିତାନ୍ତ ମ୍ରିୟମାଣ ହୋଇ ପଡ଼ିଥିଲେ । ବର୍ତ୍ତମାନ ନବାବଙ୍କୁ ସମ୍ମୁଖରେ ଦେଖି ‘‘ଆଲ୍ଲା ହୋ ଆକବର’’ ବୋଲି ଚିତ୍କାର କରିବାକୁ ଲାଗିଲେ ।

 

ନବାବ ସାହେବ ହସ୍ତୀରୁ ଓହ୍ଳାଇ ଗୋଟିଏ ବୃକ୍ଷମୂଳରେ ବସିଅଛନ୍ତି । ଜଗତ୍‌ ଅନ୍ଧକାରାବୃତ, ତୁର୍କମାନେ ନିଦ୍ରାରେ ଅନାୟତ୍ତ ହୋଇ ତଳେ ପଡ଼ିଗଲେଣି । ନବାବଙ୍କ ନେତ୍ରରେ ନିଦ୍ରା ନାହିଁ । ସେହି ପ୍ରାଣଦାତା ଯୁବକଟି ପାର୍ଶ୍ୱରେ ବସିଅଛି । ନିଶିଯାପନ ନିମନ୍ତେ ନବାବ ସାହେବ ସେହି ଯୁବକଟି ସହିତ କଥୋପକଥନ କରୁଅଛନ୍ତି । ନବାବଙ୍କ ପ୍ରଶ୍ନାନୁସାରେ ସେହି ଯୁବକ ଆତ୍ମ-ଇତିହାସ ଏହିପରି ବର୍ଣ୍ଣନା କଲା-

 

ତାହାର ନାମ ବାଦଲ ସିଂହ, ପିଲାକାଳରୁ ପିତୃହୀନ, ବିଧବା ମାତା ସହିତ ଶ୍ୱଶୁର ଘରେ ଥିଲା । ଶ୍ୱଶୁର ଧେଓଁକଳ ସିଂହ ଜଣେ ସାମାନ୍ୟ ଜମିଦାର, ନିବାସ ରୋହିଲା ଖଣ୍ଡ; ଶ୍ୱଶୁର, ଶାଶୁ, ସ୍ତ୍ରୀ ଓ ଅନ୍ୟାନ୍ୟ ଲୋକଙ୍କ ସହିତ ଜଗନ୍ନାଥ ଦର୍ଶନ ନିମନ୍ତେ ଯାଉଥିଲେ । ଗୋଡ଼ିଖାଲଠାରେ ବର୍ଗୀମାନେ ସମସ୍ତଙ୍କୁ ବଧ କରି ସର୍ବସ୍ୱ–ଲୁଣ୍ଠନ କରି ନେଇଅଛନ୍ତି । ସେ ମଧ୍ୟ ବିଷମ ଆହତ ହୋଇଥିଲା, ମାତ୍ର ଆୟୁର୍ବଳ ଥିବାରୁ ରକ୍ଷା ପାଇଅଛି । ଡକାଇତି ପରଦିନ ତାହାର ଚେତନା ଆସିବାରୁ କଷ୍ଟେମଷ୍ଟେ ଯାଇ ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ଆଶ୍ରୟ ନେଲା । ଦୟାଳୁ ଗ୍ରମାବାସୀଙ୍କ ଯତ୍ନ ଏବଂ ଚିକିତ୍ସାରେ ଆରୋଗ୍ୟ ଲାଭ କରିଅଛି । ସେ ଇଷ୍ଟଦେବ ଏକଲିଙ୍ଗଙ୍କ ନାମରେ ଶପଥ କରିଅଛି, ବର୍ଗୀସର୍ଦ୍ଦାର ଭାସ୍କର ପଣ୍ଡିତକୁ ସ୍ୱହସ୍ତରେ ବଧ କରି ତାହାର ରୁଧିରରେ ପିତୃତର୍ପଣ କରିବ, ନଚେତ୍‌ ଆତ୍ମଘାତୀ ହେବ । ହେଲେ, ନିଃସହାୟ ନିଃସମ୍ବଳ, ଏଣେ ବିପକ୍ଷ ବିଷମ କ୍ଷମତାଶାଳୀ । ଏହି ଅସାଧ୍ୟ ସାଧନ ନିମନ୍ତେ ବନାବ ସାହେବଙ୍କ ସହାୟତାରେ ପ୍ରୟୋଜନ-। ନବାବଙ୍କଠାରେ ପରିଚିତ ହେବା କିମ୍ବା ଅନୁଗ୍ରହ ପ୍ରାପ୍ତ ହେବା ତାହା ପରି ଦରିଦ୍ର ପକ୍ଷରେ ଅସମ୍ଭବ, ମାତ୍ର ଦୃଢ଼ ଯତ୍ନ ଅସାଧ୍ୟ ସାଧନ କରେ, ଏହି ବିଶ୍ୱାସରେ ସେ କେତେଦିନ ହେଲା ଦିବାରାତ୍ରି ନବାବସାହେବଙ୍କର ଅବିଚ୍ଛେଦ ଅନୁସରଣ କରି ଅବକାଶ ଅନ୍ୱେଷଣ କରୁଥିଲା । ଅଧ୍ୟବସାୟୀ ଲୋକଙ୍କୁ ଭଗବାନ୍‌ ସହାୟ ହୁଅନ୍ତି, ତାହାର ଯତ୍ନ ଆଂଶିକ ସଫଳ ହୋଇଅଛି ।

 

ଯୁବକ ପ୍ରାଣଦାତା, ଏଥକୁ ହିତକାରୀ ବନ୍ଧୁ । ପୁଣି ତାହାର ଲକ୍ଷ୍ୟ ନବାବଙ୍କ ପକ୍ଷରେ ନିତାନ୍ତ ଅନୁକୂଳ । ନବାବ ସାହେବ ଅତ୍ୟନ୍ତ ଆନନ୍ଦିତ ହୋଇ ତତ୍‌କ୍ଷାଣାତ୍‌ ତାହାକୁ ହଜାରେ ପାଇକ ଉପରେ ହାବିଲଦାର ପଦରେ ନିଯୁକ୍ତ କଲେ । ରାଜପ୍ରିୟ ଲୋକ ସାଧାରଣରେ ମାନନୀୟ-। ନବାବ ଫୌଜ ମଧ୍ୟରେ ବାଦଲ ସିଂହ ଅଳ୍ପକାଳ ମଧ୍ୟରେ ବିଶେଷ ପରିଚିତ ହୋଇଗଲା । ବର୍ଗୀ ଖଡ଼୍‌ଗାଘାତରେ ତାହାର ଗୋଟିଏ କାନ କଟି ଯାଇଥିଲା; ଏଣୁ ସମସ୍ତେ ତାହାକୁ କାନକଟା ହାବିଲଦାର ବୋଲି ଡାକନ୍ତି ।

Image

 

–୨୩–

ନବାବ ଏବଂ ମୁସ୍ତାଫ ଖାଁ

 

‘ମନ୍ଦ ଭାଗ୍ୟ ବେଳକୁ, ବିଧାତା ଅବଳକୁ ନୃପତି ଦାଣ୍ଡରେ ଭିକାରି ।’ ବଙ୍ଗ, ବିହାର ଓଡ଼ିଶାର ସୁବାଦାର ହଜରତ୍‌ ଆଲିବର୍ଦ୍ଦି ଖାଁ ବର୍ତ୍ତମାନ ଭୟତ୍ରସ୍ତ, ପଳାୟତ । ମହିଷରେଖା କ୍ଷେତ୍ରରେ ନବାବଙ୍କ ସମସ୍ତ ସମ୍ପତ୍ତି ସହିତ ତମ୍ୱୁ ମଧ୍ୟ ବର୍ଗୀ ହସ୍ତଗତ । ଉଲବାଡ଼ିଆ ନାମକ ସ୍ଥାନରେ ଗୋଟିଏ ଅତି କ୍ଷୁଦ୍ର ପୁରାତନ ଛିନ୍ନ ମହାରୀବାସ ଅଯୋଗ୍ୟ ତମ୍ବୁ ମଧ୍ୟରେ ନବାବ ରହିଅଛନ୍ତି । ଅନ୍ୟାନ୍ୟ ସେନା ସେନପତିମାନଙ୍କର ଅନାବୃତ ଭୂଶଯ୍ୟା । ନବାବ ସାହେବ ଅତି କଷ୍ଟରେ ପ୍ରାଣାଧିକ ପ୍ରିୟତମ ବାଳକ ସିରାଜଉଦ୍ଦୌଲ୍ଲା ସକାଶେ ଦୁଇ ଖଣ୍ଡି ରୋଟି ସଂଗ୍ରହ କରିଥିଲେ, ସେଥିରୁ ଅର୍ଦ୍ଧଖଣ୍ଡ ଏବଂ ଏକ ବଦନା ପାଣିରେ କ୍ଷୁଧା ନିବୃତ୍ତ କରିଅଛନ୍ତି । ରାତ୍ରି ଏକ ପ୍ରହର ସମୟରେ ହରକରା ସମ୍ବାନ ଦେଲା, ଶତ୍ରୁମାନେ ଅନୁସରଣ କରି ଆସି ଏକ କ୍ରୋଶ ଦୂରରେ ଡେରା ଗାଡ଼ି କରିଅଛନ୍ତି । ଏହା ମଧ୍ୟ ଗୁପ୍ତ ଭାବରେ ସମ୍ବାଦ ପାଇଲେ ଯେ, ଅଧିକାଂଶ ସେନା, ସମସ୍ତ ସେନାପତି ବିଦ୍ରୋହୀ ହୋଇ ଗଲେଣି, ଆଉ ରକ୍ଷା ନାହିଁ, ନିଧନ ନିଶ୍ଚିତ । ନିଦ୍ରାଗତ ବାଳକ ସିରାଜଉଦ୍ଦୌଲାକୁ ଅନାଇଲେ । ତାହାଙ୍କ ନେତ୍ରରୁ କେତେ ବିନ୍ଦୁ ଲୋତକ ବହି ପଡ଼ିଲା । ସେହି ମୁହୁର୍ତ୍ତରେ ମରହଟ୍ଟା ଆକ୍ରମଣ କରିଥିଲେ ନବାବଙ୍କ ବିନାଶ ଅନିବାର୍ଯ୍ୟ ହୋଇଥାନ୍ତା । ହେଲେ ତାହାଙ୍କ ସୌଭାଗ୍ୟବଳ, ଦୁଇଗୋଟି କାରଣରୁ ସେମାନେ ଆକ୍ରମଣ କଲେ ନାହିଁ ।

 

 

ପ୍ରଥମ–ମୀର ହବିବ୍‍ଙ୍କ ମନ୍ତ୍ରଣାରେ ନବାବ ପକ୍ଷରେ କେତେଜଣ ସେନାପତି ବିଦ୍ରୋହୀ ହୋଇଅଛନ୍ତି, ସେମାନେ ବର୍ଗୀପକ୍ଷ ଅବଲମ୍ବନ କଲେ ବିନା ଯୁଦ୍ଧ, ବିନା ରକ୍ତପାତରେ ନବାବ ପରାସ୍ତ ହେବେ । ମାତ୍ର ଯୁଦ୍ଧାରମ୍ଭ କଲେ ଏହି ସହଜଲଭ୍ୟ ସୁଯୋଗଟି ହସ୍ତ ବହିର୍ଭୂତ ହେବ ।

 

ଦ୍ୱିତୀୟ–ନବାବସାହେବ ଉପାୟନ୍ତର ନ ଦେଖି ସନ୍ଧିପ୍ରସ୍ତାବ କରି ବର୍ଦ୍ଧମାନରେ ଦେବାନ ଜାନକୀରାମଙ୍କୁ ଭାସ୍କର ପଣ୍ଡିତଙ୍କ ନିକଟକୁ ପଠାଇଥିଲେ । ସେଥିରେ ମରହଟ୍ଟା ପକ୍ଷର ଅନେକ ଅର୍ଥଲାଭ ହେବାର ପ୍ରଲୋଭନ ମଧ୍ୟ ଥିଲା । ହେଲେ ଭାସ୍କର ପଣ୍ଡିତ ସନ୍ଧିସର୍ତ୍ତରେ ଯେ ସମସ୍ତ ପ୍ରସ୍ତାବ କରିଅଛନ୍ତି, ତାହା ନବାବଙ୍କ ପକ୍ଷରେ ନିତାନ୍ତ ଗ୍ଳାନିକର । ଯାହାହେଉ, ଭାସ୍କର ପଣ୍ଡିତ ସେଥିରେ ଗୋଟିଏ ଶେଷ ଉତ୍ତର ପାଇବାକୁ ଆଶା କରି ରହିଅଛନ୍ତି ।

 

ନୀରବ ନିଶୀଥ, ଜଗତ ନିସ୍ତବ୍‌ଧ, ଦିଗନ୍ତ ତମସାବୃତ-ବିଶ୍ୱବ୍ରହ୍ମାଣ୍ଡ ଅନ୍ଧକାର ସମୁଦ୍ରରେ ନିମଗ୍ନ । ନବାବ ଆଲିବର୍ଦ୍ଦି ଖାଁଙ୍କ ହୃଦୟ ତତୋଽଧିକ ଅନ୍ଧକାରମୟ । ନେତ୍ରରେ ନିଦ୍ରା ନାହିଁ । ସିରାଜଉଦ୍ଦୌଲ୍ଲା ଶଯ୍ୟାପାର୍ଶ୍ୱରେ ବସି ଚିନ୍ତା କରୁଅଛନ୍ତି, ଚିତ୍ତ ବିଚଳିତ, ଚିନ୍ତାର ଇୟତ୍ତା ନାହିଁ, କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ପାରୁନାହାନ୍ତି । ନବାବ ତମ୍ୱୁ ମଧ୍ୟରୁ ମୁହଁ ଗଳାଇ ଦେଖିଲେ-ସମସ୍ତ ଦିଗ ଅନ୍ଧକାରପୂର୍ଣ୍ଣ, ଅନ୍ଧକାର ସମୁଦ୍ର ଉପରେ ଶୁକ୍ଳ ଫେନଖଣ୍ଡନିଭ କ୍ଷୁଦ୍ର ବୃହତ୍‌ ଅନନ୍ତ ନକ୍ଷତ୍ର ଭାସୁଅଛନ୍ତି । ସହସ୍ର ମାନବର ନିଶ୍ୱାସ ଶବ୍ଦ ଈଷତ୍‌ ଅନୁଭୂତ ହେଉଅଛି । ଦୂରକୁ ଅନାଇ ଦେଖିଲେ, ପ୍ରାୟ ଏକ କ୍ରୋଶ ଦୂର ପ୍ରାନ୍ତର ମଧ୍ୟରେ କେତେଗୋଟି କ୍ଷୀଣାଲୋକ ଦୃଷ୍ଟ ହେଉଅଛି । ଗୋଟିଏ ଲୋହିତବର୍ଣ୍ଣ ବୃହତ୍‌ ଆଲୋକ ଊର୍ଦ୍ଧ୍ୱାଧୋଭାବରେ ଘୂର୍ଣ୍ଣିତ ହେଉଅଛି । ପ୍ରବୀଣ ନବାବ ବୁଝିଲେ, ଏହା ବର୍ଗୀ ସ୍କନ୍ଧବାରର ଅଭୟସୂଚକ ସାଙ୍କେତିକ ଚିହ୍ନ । ବର୍ଗୀ ଅଭୟ ପ୍ରଦାନପୂର୍ବକ ନବାବ ସୈନ୍ୟମାନଙ୍କୁ ଆତ୍ମପକ୍ଷ ଅବଲମ୍ବନ କରିବା ନିମନ୍ତେ ଆହ୍ୱାନ କରୁଅଛି । ବର୍ଗୀପକ୍ଷ ଅବଲମ୍ବନ କରି ଉପସ୍ଥିତ ବିପଦରୁ ଉଦ୍ଧାର ପାଇବାକୁ ସର୍ବସ୍ୱାନ୍ତ, ଶ୍ରମକ୍ଲାନ୍ତ, କ୍ଷୁତ୍‌ପିପାସାର୍ତ୍ତ ଅଧିକାଂଶ ସୈନ୍ୟ ସେନାପତିଙ୍କର ଇଚ୍ଛା; ମାତ୍ର ପବିତ୍ର ଇସଲାମ୍‍ଧର୍ମାବଲମ୍ବୀ ଅନ୍ନଦାତା ନବାବଙ୍କୁ ପରିତ୍ୟାଗ ପୂର୍ବକ ବିଧର୍ମୀ କାଫେର ପକ୍ଷ ଅବଲମ୍ବନ କରିବା ନିତାନ୍ତ ଗ୍ଳାନିକର କଥା ଅଟେ । ଅଧିକନ୍ତୁ ଉପରିସ୍ଥ ସେନାପତିମାନେ ବର୍ଗୀପକ୍ଷ ଅବଲମ୍ବନ କରି ନ ଥିବାରୁ ସୈନ୍ୟମାନେ ଇତସ୍ତତଃ ହୋଇ ବିପକ୍ଷ ପକ୍ଷାବଲମ୍ବୀ ହୋଇ ପାରିନାହାନ୍ତି ।

 

ତମ୍ବୁଦ୍ୱାରଠାରେ ନବାବ ସ୍ଥିର ଭାବରେ ଛିଡ଼ା ହୋଇ ମରହଟ୍ଟା ସ୍କନ୍ଧବାରକୁ ଲକ୍ଷ୍ୟ କରି ଚିନ୍ତାକଲେ, ବୋଧକରୁଁ, ଆମ୍ଭଙ୍କୁ ଆଉ ଦିବାଲୋକ ଦେଖିବାକୁ ହେବନାହିଁ । ଏହି ଘୋର ଅନ୍ଧକାର ମଧ୍ୟରେ ବର୍ଗୀ ପ୍ରଚ୍ଛନ୍ନ ଭାବରେ ଆସି ଆମ୍ଭମାନଙ୍କୁ ବିନାଶ କରିବ । ନୈରାଶ୍ୟସୂଚକ ନିଃଶ୍ୱାସ ପକାଇ ମନ ମଧ୍ୟରେ ସର୍ବ ଶକ୍ତିମାନ୍‌ ଦୟାମୟ, ବିପଦଭଞ୍ଜନ ପ୍ରଭୁଙ୍କ ଶ୍ରୀଚରଣ ଧ୍ୟାନ କରିବାକୁ ଲାଗିଲେ । ସ୍ୱର୍ଗୀୟ ଆଦେଶରୂପେ ଚକିତ ଭାବରେ ସେନାପତି ମୁସ୍ତାଫାଙ୍କ ନାମ ତାଙ୍କର ମନ ମଧ୍ୟରେ ଖେଳିଗଲା । ନବାବ ଚିନ୍ତାକଲେ, ମୁସ୍ତାଫା ସାହସୀ ଋଣକୁଶଳୀ, ପ୍ରବୀଣ ବହୁଦର୍ଶୀ, ମଧ୍ୟ ତାଙ୍କ ସୈନ୍ୟମାନେ ସୁଶିକ୍ଷିତ, ଅନୁଗତ, କର୍ତ୍ତବ୍ୟପରାୟଣ । ମରହଟ୍ଟା ସୈନ୍ୟ ଋଣନିପୁଣ ସତ୍ୟ, ହେଲେ ମୁସ୍ତାଫାର ସମକକ୍ଷ ନୁହନ୍ତି, କାରଣ ସେମାନଙ୍କ ମଧ୍ୟରେ ଶୃଙ୍ଖଳା ନାହିଁ । ବର୍ତ୍ତମାନ ମୁସ୍ତାଫା ବିନା ଆମ୍ଭର ଗତ୍ୟନ୍ତର ନାହିଁ । ଏପରି ମୁସ୍ତାଫାକୁ ଅସମ୍ମାନ କରି ଗର୍ହିତ କାର୍ଯ୍ୟ କରିଅଛୁ-। ବର୍ତ୍ତମାନ ମୁସ୍ତାଫା ମେହରବାନୀ କରି ସହାୟ ହେଲେ ପରିତ୍ରାଣର ସମ୍ପୂର୍ଣ୍ଣ ସମ୍ଭାବନା । ହେଲେ ମୁସ୍ତାଫା କି ବର୍ତ୍ତମାନ ଆମ୍ଭ କଥା ଶୁଣିବ ? ଅସମୟରେ ପୁତ୍ର ଯେ ପର ହୁଏ ! ଦେଖାଯାଉ, ଥରେ ଭଲରୂପେ ତାହାକୁ ଧରୁଁ । ‘‘ଧନ କର୍ପଣ୍ୟ ସେବା ଫଳେ, କିବା ଅସାଧ୍ୟ ମହୀତଳେ ?’’ ଏହି କଥା ମନରେ କରି ନବାବ କିଞ୍ଚିତ୍‌ ଆଶ୍ୱସ୍ତ ହେଲେ । ତାହାଙ୍କ ଦେହରେ ନୂତନ ରୂପେ ବଳ ସଞ୍ଚାରିତ ହେଲା । ସେତେବେଳେ ତ୍ରିଯାମାର ତୃତୀୟ ପ୍ରହର ଅତୀତପ୍ରାୟ । ନବାବ ନିଦ୍ରିତ ନାତି ସିରାଜଉଦ୍ଦୌଲ୍ଲାକୁ ଉଠାଇଲେ, ବାମ ହସ୍ତରେ ତାହାର ଦକ୍ଷିଣହସ୍ତ ଧାରଣ କରି ସେହି ନିବିଡ଼ ଅନ୍ଧକାର ମଧ୍ୟରେ ମୁସ୍ତାଫା ତମ୍ବୁକୁ ଲକ୍ଷ୍ୟ କରି ବାହାରିଲେ । ମୁସ୍ତାଫା ମଧ୍ୟ ଘୋଡ଼ାଘାସି–ନିବାସର ଉପଯୁକ୍ତ ଗୋଟିଏ ତମ୍ବୁ ମଧ୍ୟରେ ଶୟନ କରି ରହିଛନ୍ତି । ମୁସ୍ତାଫା ନିଦ୍ରାଭିଭୂତ, ଆଲିବର୍ଦ୍ଦି ଶଯ୍ୟାପାର୍ଶ୍ୱରେ ବସି ତାହାଙ୍କୁ ଜାଗରିତ କଲେ । ସୁପ୍ତାତ୍‌ଥିତ ମୁସ୍ତାଫା ଅନ୍ନଦାତା ପ୍ରଭୁ ସଖା-ସହାୟ ବଙ୍ଗ-ବିହାର-ଓଡ଼ିଶାର ନବାବ ଆଲିବର୍ଦ୍ଦି ଖାଁଙ୍କୁ ଦୌହିତ୍ର ସହିତ ଆପଣା ପାର୍ଶ୍ୱରେ ଦୀନଭାବରେ ଦଣ୍ଡାୟମାନ ଥିବାର ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ । କିଞ୍ଚିତ ଅପ୍ରତିଭ ମଧ୍ୟ ହେଲେ । ଗୋଟିଏ ଉଚ୍ଚାସନରେ ନବାବ ଏବଂ ସିରାଜଉଦ୍ଦୌଲ୍ଲାଙ୍କୁ ବସାଇ ହାତଯୋଡ଼ି ଜଣାଇଲେ, ‘ଜାହାଁପାନା ! ଏ ଗୋଲାମ ପ୍ରତି କି ଆଜ୍ଞା ହେଉଅଛି ?’’ ନବାବ ସଶ୍ରୁ ନୟନରେ ଅତି କରୁଣ ଭାଷାରେ କହିଲେ, ‘‘ଦୋସ୍ତ ମୁସ୍ତାଫା ! ଆଉ କଣ କହିବି ? ମୋ କହିବାର କଥା ସବୁ ଶେଷ ହୋଇଅଛି । ଶୁଣ ଦୋସ୍ତ ! ମନୁଷ୍ୟର ପ୍ରାଣଠାରୁ ପ୍ରିୟତର ଜଗତରେ ଆଉ କିଛି ନାହିଁ । ହେଲେ, ମୋ ଜୀବନ ବର୍ତ୍ତମାନ ପକ୍ଷରେ ନିତାନ୍ତ ଭାରବତ୍‌ ହୋଇ ପଡ଼ିଅଛି । ମୋ ପକ୍ଷରେ ମୃତ୍ୟୁ ବାଞ୍ଛନୀୟ । ଦୋସ୍ତ ! ମୁଁ ବେଶ ଜାଣୁଅଛି, ଆଉ କହିବାକୁ ହେବ ନାହିଁ, ତୁମେ ମୋ ପ୍ରତି ବିରକ୍ତ, ଯେବେ ମୋ ବିନାଶ କାମନା କର, ଭଲ କଥା । ସେଥିସକାଶେ ଏତେ ହରବର କିମ୍ପାଇଁ–ଏତେ ସନ୍ତାସନ୍ତି କ୍ୟାଁ ? ଏହିଠାରେ ଶେଷ କରିଦିଅ । ସତ କଥା, ମୁଁ ତୁମ୍ଭଠାରେ ଅପରାଧୀ, ମୋ ପାପର କି ଅନ୍ୟରୂପ ପ୍ରାୟଶ୍ଚିତ୍ତ ନାହିଁ ? ମୁସଲମାନଠାରୁ କି ମୁସଲମାନ କ୍ଷମା ପାଇବାର ଯୋଗ୍ୟ ନୁହେଁ-? ଦୋସ୍ତ ! ପବିତ୍ର ଇସଲାମ୍‌ ଧର୍ମକୁ ସ୍ମରଣ କର; ମୁସଲମାନ ହୋଇ ମୁସଲମାନର ଗୌରବ ରକ୍ଷା କର । ମୁଁ ଆଉ ସନ୍ତାପିତ ହୋଇପାରିବି ନାହିଁ । (ନବାବ ଆପଣା ହସ୍ତର ତରବାରୀ ମୁସ୍ତାଫା ସମ୍ମୁଖକୁ ପକାଇ ଦେଇ କହିଲେ) ଆଉ କିଛି ଆବଶ୍ୟକ ନାହିଁ, ମୁସ୍ତାଫା-! ଢେର୍‌ ହେଲାଣି, ମୁଁ ତୁମ୍ଭ ଆଗରେ ଅଛି, ଏହି ମୋ ନୟନପ୍ରତିମା ସିରାଜଉଦ୍ଦୌଲ୍ଲା ତୁମ ଆଗରେ ରହିଅଛି, ଦୁଇ ଜଣଙ୍କୁ ଶେଷ କରିଦିଅ, ବିଧର୍ମୀ କାଫେର ହାତଯାଏ ରଖନାହିଁ । ମାତ୍ର ହେ ମୁସ୍ତାଫା ! ହେ ଦୋସ୍ତ ! ଆମ୍ଭମାନଙ୍କ ବହୁକାଳ ଦୋସ୍ତଦାରି ଯେବେ ତୁମ୍ଭ ମନରେ ଥାଏ–ମୁଁ ଯେବେ କେବେ କିଛି ତୁମ୍ଭର ଉପକାର କରିଥାଏ, ଅଥବା କିଛି ନ ହେଉ, ତୁମ୍ଭ ନିଜ ଉଦାରତା ଗୁଣରେ ମୋହର ଅପରାଧ ଯେବେ ମାର୍ଜନ କରିପାର, ଜାତୀୟ ଗୌରବ ରକ୍ଷା କରିବାକୁ ଯେବେ ତୁମ୍ଭର ଇଚ୍ଛାଥାଏ, ତେବେ ଆସ, କୋରାଣ ସରିଫ ସ୍ପର୍ଶ କରି ବୋଲ, ମୋତେ ତ୍ୟାଗ କରିବ ନାହିଁ-। ମୋର ବୋଲିବାର ଏତିକି ମାତ୍ର । ବର୍ତ୍ତମାନ ଭାସ୍କର ପଣ୍ଡିତ ସହିତ କି ରୂପ ବ୍ୟବହାର କରିବାକୁ ହେବ, ମୋତେ ଉପଦେଶ ଦିଅ । ତୁମ୍ଭେ ମୋ ଅଭିପ୍ରାୟ ଜାଣ । ବର୍ଗୀ ସନ୍ଧି ବିଷୟରେ ଯେ ସମସ୍ତ ଗ୍ଳାନିକର ପ୍ରସ୍ତାବ କରିଅଛି; ସେଥିରେ ସମ୍ମତ ହେବା ମୋପକ୍ଷରେ କଷ୍ଟକର–ମୁଁ କ୍ୟାଁ, ମୁସଲମାନ ପକ୍ଷରେ ତାହା ଅସହ୍ୟ ।’’

 

ନବାବଙ୍କ କାରୁଣ୍ୟରେ ମୁସ୍ତାଫା ବିଚଳିତ ହେଲେ । ତାଙ୍କ କଠିନ ପ୍ରାଣ ବିଚଳିତ ହୋଇଗଲା । କି ଉତ୍ତର ଦେବେ, କିଛି ସ୍ଥିର କରି ପାରିଲେ ନାହିଁ । କେତେ ମୁହୂର୍ତ୍ତ କାଷ୍ଠପ୍ରତିମା ପରି ଛିଡ଼ା ହୋଇ ରହିଲେ । ଏ ଉତ୍ତାରେ ବିନୀତ ଭାବରେ କହିଲେ-‘ପ୍ରଭୋ ! କ୍ଷମା କରନ୍ତୁ, କିଛିକାଳ ଅବକାଶ ଦେଉନ୍ତୁ, ସ୍ୱଦେଶୀୟ କର୍ମଚାରୀଙ୍କ ସହିତ ପରାମର୍ଶ କରି ଏ ବିଷୟରେ ଉତ୍ତର ଦେବି । ସେମାନଙ୍କ ସଙ୍ଗରେ ବିଚାର ନ କରି କିଛି କଥା କହିପାରୁ ନାହିଁ ।’’ ନବାବ ବ୍ୟଗ୍ର ଭାବରେ କହିଲେ ‘‘ହେଉ, ତାହା ହେଉ, ସେହିପରି କର, ମୋର ଏଥିରେ କିଛି ଆପତ୍ତି ନାହିଁ ।’’

 

ମୁସ୍ତାଫା ଖାଁ ତତକ୍ଷାଣାତ୍‌ ଲୋକ ପଠାଇ ହାବିଲଦାର ସମସେର୍‌ ଖାଁ, ଜମାଦାର ସର୍ଦ୍ଦାର ଖାଁ, ମନସବ୍‌ଦାର ଅବଦୁଲ ଶୋଭାନ୍‌ ଖାଁ, ଅବଦୁଲ ରହିମାନ ପ୍ରଭୁତିଙ୍କୁ ଡକାଇ ଆଣିଲେ-। ସେମାନେ ଉପସ୍ଥିତ ହୁଅନ୍ତେ ମୁସ୍ତାଫା ଖାଁ ନବାବଙ୍କୁ ଅନାଇ କହିଲେ, ‘‘ହଜୁର ଜାହାଁପନା ! ମୋତେ ଯେ ସମସ୍ତେ କଥା କହିଅଛନ୍ତି, ଏମାନଙ୍କୁ ମଧ୍ୟ ସେହି ସମସ୍ତ କଥା ବୋଲନ୍ତୁ-।’’ ନବାବ ଇତିପୂର୍ବେ ମୁସ୍ତାଫାକୁ ଯେ ସମସ୍ତ କଥା କହିଥିଲେ, ସେମାନଙ୍କୁ ମଧ୍ୟ ସେହିପରି କହିଲେ । ଯୋଦ୍ଧାବର୍ଗ ସେ ସମସ୍ତ କଥା ଶୁଣି ନିରୁତ୍ତର ହୋଇ ବସିଲେ । ମୁସ୍ତାଫା କହିଲେ–ଭାଇମାନେ ! ଉତ୍ତର ଦିଅ ।’’

 

ସମସ୍ତଙ୍କ ଅନୁମତି ଗ୍ରହଣ କରି ସମସେର ଖାଁ, ସରଦାର ଖାଁ କହିଲେ, ‘‘ଆମ୍ଭେମାନେ କଣ କରିବୁଁ ? ଆପଣ ହେଲେ ଜାତିର ସର୍ଦ୍ଦାର; ଆମ୍ଭମାନଙ୍କର ସେନାପତି; ଆପଣଙ୍କ ମତରେ ଆମ୍ଭମାନଙ୍କ ମତ ଜାଣିବେ, ଆପଣଙ୍କ ଆଜ୍ଞା କେଭେଁ ଅବଜ୍ଞା କରି ନାହୁଁ, ବର୍ତ୍ତମାନ ମଧ୍ୟ ସେହି କଥା ।’’

 

ଶରଣାଗତ ଅନ୍ନଦାତା ନବାବଙ୍କ କାତର ବଚନ ଶୁଣି ଏବଂ ତାହାଙ୍କ ନେତ୍ରରୁ ଅନର୍ଗଳ ପ୍ରବାହିତ ଅଶ୍ରୁଧାରା ଦେଖି ଅତି କଠୋର ହୃଦୟ ନରଶୋଣିତପିପାସୁ ସମରାଭିଳାଷୀ ମୁସ୍ତାଫାଙ୍କ ହୃଦୟ ବିଗଳିତ ହୋଇଗଲା । ସମସେର ଖାଁ, ସର୍ଦ୍ଦାର ଖାଁ, ଅବଦୁଲ ଶୋଭାନ୍ ପ୍ରଭୃତି ସ୍ୱଦେଶୀୟ ଯୋଦ୍ଧାମାନଙ୍କୁ ସମ୍ବୋଧନ କରି କହିଲେ, ‘‘ଭାଇମାନ, ଯାହା ହେବାର ହୋଇଯାଇଛି, ପରୁଣା କଥା ପାସୋରି ପକାଅ । ଭାଇମାନେ, ମୁଁ ସରଳ ହୃଦୟରେ ପବିତ୍ର କୋରାନ ସରିଫ୍‍ ସ୍ମରଣ କରି କହୁଛି; ଆଜିଠାରୁ–ଏଇ ମୁହୂର୍ତ୍ତଠାରୁ, ମୋହର ଏବଂ ମୋହର ପୁତ୍ର କନ୍ୟାଙ୍କ ମସ୍ତକ ପ୍ରଭୁପଦରେ ବିକ୍ରୟ କଲି । ଆଜିଠାରୁ ମୋ ଦେହର ପ୍ରତ୍ୟେକ ରକ୍ତ ବିନ୍ଦୁରେ ପ୍ରଭୁଙ୍କର ଅଧିକାର । ଏହା ପ୍ରଭୁଙ୍କ ଦତ୍ତ ସମ୍ପତ୍ତି । ଭାଇମାନେ ! ମୁଁ ଦୃଢ଼ରୂପେ କହୁଅଛି, ଏହା ମୋହର ହୃଦୟର ଅନ୍ତଃସ୍ଥଳର କଥା ଜାଣିବେ । ଭାଇମାନେ, ତୁମ୍ଭମାନଙ୍କ ପରି ଶଏଜଣ ବୀର ଯଦି ପାଏଁ, ସେହି ଶହେ ଖଣ୍ଡ ତରବାରୀରେ ଗୋଟିଏ ରାଜ୍ୟ ଦଖଲ କରିପାରେ । ଭାଇମାନେ, ନିରାଶ ହୁଅ ନାହିଁ । ବର୍ତ୍ତମାନ ମଧ୍ୟ କୋଡ଼ିଏ ହଜାର ସବାର ହାଜର ଅଛନ୍ତି । ସେମାନଙ୍କୁ ଚଳାଇ ନେଲେ ଶତ୍ରୁମାନଙ୍କୁ ଖଣ୍ଡବିଖଣ୍ଡ କରି ପକାଇବେ । ଭାଇମାନେ ! ପୂର୍ବେ କହିଅଛି, ପୁନର୍ବାର କହୁଅଛି, ଗତ କଥା ବିସ୍ମୃତ ହୁଅ । ମୁଁ ମନର କଥା କହିଲି, ତୁମ୍ଭମାନଙ୍କ କଥା ଫେଇ ବୋଲ ।’’ ମୁସ୍ତାଫାଙ୍କ କଥା ଶୁଣି ସମସ୍ତେ ଏକ ବାକ୍ୟରେ କହିଲେ, ‘‘ଭାଇ ସାହେବ, ସେନାପତି ସାହେବ ! ଆମ୍ଭମାନଙ୍କର ଅଧିକ କିଛି ବୋଲିବାର ନାହିଁ । ଆପଣଙ୍କର ମତରେ ଆମ୍ଭମାନଙ୍କ ମତ ଜାଣିବେ । ଏହା ନିଶ୍ଚୟ କଥା । ଆପଣଙ୍କ ଏବଂ ମୁନିବ ନବାବ ସାହେବଙ୍କ ବିଶ୍ୱାସ ସକାଶେ କହୁଅଛୁଁ, ଏଥିରେ ସାକ୍ଷୀ କୋରାଣ ସରିଫ୍‌ ।’’

 

ତୃଷାର୍ତ୍ତ ସୁଶୀତଳ ଜଳଧାରପ୍ରାପ୍ତ ହେଲା, ଅମୃତଭାଣ୍ଡ କ୍ଷୂଧାର୍ତ୍ତର ହସ୍ତଗତ ହେଲା, ଭଗ୍ନପୋତ ଅକୂଳ ସମୁଦ୍ରରେ ଭାସମାନ ନାବିକ କୂଳପ୍ରାପ୍ତ ହେଲା, ନିବିଡ଼ ଅମାନିଶାରେ ସହସା ଚନ୍ଦ୍ରୋଦୟ ହେଲା । ନବାବ ଆଶ୍ୱସ୍ତ ହେଲେ । ମନ ମଧ୍ୟରେ ନବାବ ଚିନ୍ତାକଲେ–ମୁସ୍ତାଫା ନିଷ୍ଠୁର ସତ୍ୟ, ମୁସ୍ତାଫା ଭୟଙ୍କର କ୍ରୋଧୀ ସତ୍ୟ; ମାତ୍ର ମୁସ୍ତାଫା ବୀର, ମୁସ୍ତାଫା ଯୋଦ୍ଧା ଏବଂ ସତ୍ୟବାଦୀ-। ଇସଲାମ ଧର୍ମ ପ୍ରତି ତାହାର ଦୃଢ଼ ବିଶ୍ୱାସ । ମାନବ ଜାତିର ସୁମହତ୍‌ ଗୁଣ ସ୍ୱଜାତି-ବାତ୍ସଲ୍ୟ, ସ୍ୱଜାତି ଗୌରବ ରକ୍ଷଣରେ ମୁସ୍ତାଫା ତତ୍ପର । ଏ ଉତ୍ତାରେ ମେଲାଣି ଘେନି ନବାବ ବିଶ୍ରାମ ନିମନ୍ତେ ସିରାଜକୁ ଧରି ଡେରାକୁ ବାହୁଡ଼ିଲେ । ମୁସ୍ତାଫା ସଙ୍ଗେ ସଙ୍ଗେ ଆସି ଡେରା ଦ୍ୱାରରେ ନବାବଙ୍କୁ ଛାଡ଼ିଗଲେ । ଆମ୍ଭେମାନେ ବୋଲିବାକୁ ବିସ୍ମୃତ ହୋଇଅଛୁଁ, ସେହି କାନକଟା ହିନ୍ଦୁ ହାବିଲଦାର ନବାବଙ୍କ ଶରୀରରକ୍ଷକ ରୂପେ ଛାୟାସ୍ୱରୂପ ସଙ୍ଗେ ସଙ୍ଗେ ରହିଅଛି ।

Image

 

–୨୪–

ମନ୍ତ୍ରଣା

 

ନିଶା ଅବସାନ, ସୂର୍ଯୋଦୟ ପୂର୍ବେ ନବାବ ଉଜୁକରି ପ୍ରାତଃକାଳିକା ଉପାସନା ସମାପ୍ତ କଲେ । ପୁନଶ୍ଚ ମନରେ ସଂଶୟ ଭଞ୍ଜନ ନିମନ୍ତେ ଆଜିମାବାଦର ଉଜୀର ଗୋଲାମ କାଦରଙ୍କୁ ମୁସ୍ତାଫା ନିକଟକୁ ପଠାଇଲେ । ଉଜୀର ବାହୁଡ଼ି ଆସି ସମ୍ବାଦ ଦେଲେ, ମୁସ୍ତାଫାଙ୍କ ପ୍ରତିଜ୍ଞା ଅଟଳ-

 

ନବାବଙ୍କ ଡେରାରେ ସମର-ସମିତି ଆହୂତ ହେଲା । ମୁସ୍ତାଫା, ସମସେର ଖାଁ ସର୍ଦ୍ଦାର ଖାଁ, ମୀରଜାଫର, ଅବଦୁଲ ଶୋଭାନ୍‌ ଖାଁ, ଅବଦୁଲ କାଦର, ବାଦଲ ସିଂହ ଓରଫେ କାନକଟା ହାବିଲଦାର ଏବଂ ସ୍ୱୟଂ ନବାବ ଉପସ୍ଥିତ । ସଭ୍ୟସଂଖ୍ୟା ଆଠଜଣ । ନବାଗତ ଜଣେ କାଫରକୁ ଗୁପ୍ତ ମନ୍ତ୍ରଣା ସ୍ଥଳରେ ଉପସ୍ଥିତ ଥିବାର ଦେଖି ତୁର୍କ ସେନାପତିମାନେ ପରସ୍ପର ଚାହାଁଚୁହିଁ ହେଲେ । ନବାବ ସାହେବ ସେମାନଙ୍କର ଅଭିପ୍ରାୟ ଜାଣି ଗତ ଦିବସରେ ସମସ୍ତ ଘଟଣା ବିସ୍ତାରିତ ରୂପେ ବର୍ଣ୍ଣନା କଲେ । ତୁର୍କ ସେନାପତିମାନେ ହୃଦୟଙ୍ଗମ କଲେ ମହିଷରେଖାଠାରେ ବାଦଲ ଉପସ୍ଥିତ ନ ଥିଲେ ନବାବଙ୍କୁ ବର୍ତ୍ତମାନ ଏଠାରେ କେହି ଦର୍ଶନ କରିବାକୁ କ୍ଷମ ହୁଅନ୍ତା ନାହିଁ । ବାଦଲ ସିଂହ ସମସ୍ତଙ୍କୁ ସଲାମ କରି କହିଲେ, ‘‘ଖାଁ ସାହେବମାନେ ! ଶୁଣ, ମୋ ହୃଦୟର କଥା ଶୁଣ, ମୋହର ପ୍ରତିଜ୍ଞା କଥା ଶୁଣ । ଆପଣମାନଙ୍କ ହିସାବରେ ମୁଁ ଜଣେ କାଫେର, ମାତ୍ର ଖାଁ ସାହେବମାନେ ! କାଫେରଙ୍କର ମଧ୍ୟ ଏକ ସର୍ବଶକ୍ତିମାନ ଈଶ୍ୱର ଅଛନ୍ତି । ସେହି ଈଶ୍ୱର ଅନ୍ୟ କେହି ନୁହନ୍ତି, ତୁମ୍ଭ ମାନଙ୍କର ଆଲ୍ଲାତାଲ୍ଲା । ମୁଁ ସେହି ଆଲ୍ଲାତାଲ୍ଲା ନାମ ଧରି ଆପଣମାନଙ୍କର ନିକଟରେ ଶରଣ ପଶିଲି–ଆପଣଙ୍କମାନଙ୍କଠାରୁ ସାହାଯ୍ୟ ପାଇବାପାଇଁ ଶରଣ ପଶିଲି । ମୁଁ ଜମିଦାର ପୁତ୍ର, ଅର୍ଥର ଭିଖାରି ନୁହେଁ । ଆଉ ପାଦସମ୍ଭ୍ରମ–ମୋହର ପାର୍ଥିବ ସମସ୍ତ ବାସନା ସମାପ୍ତ ହୋଇଛି । (ବାଦଲ ସିଂହ ଆପଣା ବସ୍ତ୍ର ମଧ୍ୟରୁ ଖଣ୍ଡେ ତୀକ୍ଷ୍‌ଣ ଛୁରୀକା ଦେଖାଇ କହିଲେ) ମୁଁ ଈଶ୍ୱରଙ୍କ ନାମ ଧରି କୁଳଦେବତାଙ୍କ ନାମ ଧରି ପ୍ରତିଜ୍ଞା କରିଅଛି, ପିତା ହତ୍ୟାକାରୀ, ମାତୃଘାତୀ ପାପିଷ୍ଠ ବର୍ଗୀ ସର୍ଦ୍ଦାରର ହୃଦୟ ରକ୍ତରେ ପିତୃତର୍ପଣ କରି ତପସ୍ୟା ନିମନ୍ତେ ହିମାଳୟ ଆଶ୍ରମକୁ ଯିବି । ଯେବେ କାର୍ଯ୍ୟ ସାଧନରେ ଅକୃତକାର୍ଯ୍ୟ ହୁଏ, ଏହି ଅସ୍ତ୍ରଦ୍ୱାରା ଆତ୍ମଘାତୀ ହେବି । ଖାଁ ସାହେବମାନେ ! ମୁଁ ପିଲା, ଆପଣମାନେ ପିତୃତୁଲ୍ୟ । ଆଜିଠାରୁ ଆପଣମାନେ ମୋହର ଧର୍ମପିତା ହେଲେ । ଏହି ଆଶୀର୍ବାଦ କରନ୍ତୁ, ଆତ୍ମକୃତ ପ୍ରତିଜ୍ଞା ପାଳନରେ ଯେବେ କିଞ୍ଚିତ୍‌ ମାତ୍ର ଶୈଥିଲ୍ୟ କରେ, ତେବେ ଯେପରି ମୋ ମସ୍ତକରେ ବଜ୍ରପାତ ହେବ, ମୁଁ ଯେମନ୍ତ ଅନନ୍ତ ନରକ–ଭୋଗୀ ହେବି ।’’

 

ବାଦଲ ସିଂହ ଆପଣା ପିତୃମାତୃ ନାମ ସ୍ମରଣ ସମୟରେ ସରୋଷ କରୁଣ ଭାବରେ କଥା କହୁଥିଲା । ହଠାତ୍‌ ତାହାର ଭାବାନ୍ତର ଉପସ୍ଥିତ ହେଲା । ପଦାହତ ଭୁଜଙ୍ଗପରି ନିଃଶ୍ୱାସ ତ୍ୟାଗ କରିବାକୁ ଲାଗିଲା । ତାହା ନେତ୍ରରୁ ଅଗ୍ନି ସ୍ଫୁଲିଙ୍ଗ ଜାତ ହେବା ପରି ଜଣାଗଲା । କାହାର ନାମ ମନରେ ଉଦିତ ହେଲା ? ହୃଦୟେଶ୍ୱରୀ କଥା ? ଶତ୍ରୁ ତାକୁ ହରଣ କରିଅଛି, ଏହା ପ୍ରତ୍ୟେକ ପୁରୁଷ ପକ୍ଷରେ, ବିଶେଷତଃ କ୍ଷତିୟ ପକ୍ଷରେ ଅସହ୍ୟ ।

 

ସମସ୍ତ କଥା କର୍ଣ୍ଣଗୋଚର କରି ଖାଁ ସାହେବମାନେ ବାଦଲ ସିଂହକୁ ଆଶ୍ୱାସ ଦେଇ ପାଖରେ ବସାଇଲେ ।

 

ସଭାର କାର୍ଯ୍ୟାରମ୍ଭ ହେଲା ।

ପ୍ରଶ୍ନ–ବର୍ଗୀ ସହିତ ସନ୍ଧି ବା ବିଗ୍ରହ, ବର୍ତ୍ତମାନ କ୍ଷେତ୍ରରେ କେଉଁ ମାର୍ଗ ଅବଲମ୍ବନୀୟ ?

 

ମୁସ୍ତାଫା କହିଲେ–‘‘କାଫେର ସହିତ ମିଳିତ ହେବା ମୋହର ମଧ୍ୟ ଇଚ୍ଛାବିରୁଦ୍ଧ । ହେଲେ, ବିଚାର କରି ଦେଖନ୍ତୁ ବର୍ତ୍ତମାନ ଅବସ୍ଥାରେ ଯୁଦ୍ଧ ଆମ୍ଭମାନଙ୍କ ପକ୍ଷରେ ଅନୁକୂଳ କି ନାହିଁ-? ସୈନ୍ୟମାନଙ୍କୁ ଯୁଦ୍ଧ କ୍ଷେତ୍ରକୁ ଆହ୍ୱାନ, ମୃତ୍ୟୁମୁଖକୁ ପ୍ରେରଣ ମାତ୍ର । ସେମାନେ ଧାଇଁ ଧାଇଁ ଥକି ପଡ଼ିଛନ୍ତି । ଆହାର କଥା ତେଣିକି ଥାଉ, ତୃଷା ସମୟରେ ଜଳବିନ୍ଦୁ ମାତ୍ର ପ୍ରାପ୍ତ ହୋଇନାହାନ୍ତି । ଏଣେ ସମସ୍ତ କମାଣ, ସମସ୍ତ ଗୋଳାବାରୁଦ ଶତ୍ରୁ ହସ୍ତଗତ । ଦେହ ସାମର୍ଥହୀନ, ତହିଁରେ ପୁଣି ଅସ୍ତ୍ରାଭାବ । ଏ କ୍ଷେତ୍ରରେ ଯୁଦ୍ଧର ଆୟୋଜନ ବିନାଶର କାରଣ ବୋଲି ଆମ୍ଭର ବିଶ୍ୱାସ । ବର୍ତ୍ତମାନ ଫୌଜ ମଧ୍ୟରେ ପାଇକ ଲସ୍କର ପ୍ରଭୃତି ଲକ୍ଷାବଧି ଲୋକ ରହିଅଛନ୍ତି । ସେମାନଙ୍କପାଇଁ ହଠାତ୍‌ ଖାଦ୍ୟସଂଗ୍ରହ କରିବା ନିତାନ୍ତ ସହଜ କଥା ନୁହେଁ । ଅଗ୍ରପଶ୍ଚାତ୍‌ ଚିନ୍ତାକରି ମୁଁ ସ୍ଥିର କରିଅଛି, ସହସା ସମରାରମ୍ଭ ଅନୁଚିତ ।’’

 

ନବାବ କହିଲେ–ଭାସ୍କର ପଣ୍ଡିତ କ୍ରୋଧରେ ଟଙ୍କା ପୁଣି ଚୌଥ ସରଦଶମୁଖୀ ସକାଶେ ବର୍ଦ୍ଧମାନ ମେଦିନୀପୁର ଦୁଇଜିଲ୍ଲା ଲେଖିନେବାକୁ କହୁଅଛି । ଏହା ମଧ୍ୟ ତାହାର ପ୍ରସ୍ତାବ ଯେ ମୀର ହବିବ୍‍ ପୂର୍ବବତ୍‌ ବେହାରର ଶାସନକର୍ତ୍ତା ହୋଇ ରହିବ । ଏଣେ ଦେଖନ୍ତୁ, ବାଲାଜି ରାଓ ହୁଲକାର ଚୌଥ ସକାଶେ ବେହାର ଅଞ୍ଚଳରେ ଉତ୍ପାତ ଆରମ୍ଭ କଲାଣି, ଭାସ୍କର ପଣ୍ଡିତକୁ ଟଙ୍କା ଦେବାର ଶୁଣିଲେ ସେ ମଧ୍ୟ ଭଲକରି କାନପାତି ବସିବ । ଗନ୍ତାଘର କଥା ତ ଜାଣ, ଯେଉଁ ପାଇକମାନେ ପ୍ରାଣ ଦେବାକୁ ଆସିଛନ୍ତି, ନ ଖାଇ ନ ପିଇ, ଖରା ନାହିଁ, କାକର ନାହିଁ, ଉଦୁଆଁ ପଦାରେ ପଡ଼ି କଷ୍ଟ ସହୁଅଛନ୍ତି, ସେମାନଙ୍କ ପରିବାରମାନେ କି ଉପବାସରେ ମରିବେ ?

 

ମୁସ୍ତାଫା କହିଲେ–କେଭେଁ ନୁହେଁ, କେଭେଁ ନୁହେଁ, କଦାଚ ଆମ୍ଭେ ଏପରି ପ୍ରସ୍ତାବରେ ସମ୍ମତ ହୋଇ ନ ପାରୁଁ । ମୁସଲମାନେ ବୀରମାନେ ଉପବାସରେ ବଲବଲ କରି ଚାହିଁ ରହିଥିବେ, ଆଉ କାଫେର ଆସି ଠେଙ୍ଗା ଦେଖାଇ ଥଳି ବାନ୍ଧି ଘେନିଯିବ, ଏହା ନିତାନ୍ତ ଅସହ୍ୟ ।

 

ଅନେକ ତର୍କବିତର୍କ ଉତ୍ତାରେ ସ୍ଥିର ହେଲା, କୌଣସି ରୂପେ ଟାଳଟୁଳ କରି ଦୁଇ ଚାରିଦିନ ଯୁଦ୍ଧ ସ୍ଥଗିତ ରଖାଯାଉ । ରସଦ୍‌ ତୋପ ଗୋଳାବାରୁଦ ଆଣିବା ନିମନ୍ତେ ଦ୍ରୁତଗାମୀ ଦୂତ ମୁର୍‍ଶିଦାବାଦ ଯାଆନ୍ତୁ । ସେନାପତି ମୀରଜାଫର ହଳଦୀପଦା ଯୁଦ୍ଧରେ ଆହତ, ଆରୋଗ୍ୟଲାଭ ନିମନ୍ତେ, ମୁର୍‍ଶିଦାବାଦ ଯାଆନ୍ତୁ । ଆରୋଗ୍ୟଲାଭ ଉତ୍ତାରେ ଆଉ କିଛି ପାଇକ ସଂଗ୍ରହ କରି ପୁନର୍ବାର ଫୌଜ ସହିତ ମିଳିତ ହେବେ ।

 

ସମସେର ଖାଁ କହିଲେ–ନବାବଙ୍କ ପକ୍ଷ ପରିତ୍ୟାଗ କରି ବର୍ଗୀ ପକ୍ଷରେ ମିଳିତ ହେବେ, ଏହି ଭାବରେ କେତେ ଜଣ ହାବିଲଦାର ଭାସ୍କର ପଣ୍ଡିତଙ୍କୁ ଜାଲ ଚିଠି ଲେଖନ୍ତୁ । ଭାସ୍କର ସେମାନଙ୍କ ପ୍ରତ୍ୟାଶାରେ ଯୁଦ୍ଧ ସ୍ଥଗିତ ରଖିବେ ।

 

ମୁସ୍ତାଫା କିଞ୍ଚତ୍‌ ବିରକ୍ତି ଭାବରେ କହିଲେ, ‘‘ଏପରି କାଫେରୀ କାର୍ଯ୍ୟରେ ସମ୍ମତ ହେବାକୁ ଆମ୍ଭେ ନାରାଜ ।’’

 

ସମସେର ଖାଁ କିଞ୍ଚିତ୍‌ ଅପ୍ରତିଭ ହୋଇ କହିଲେ, ‘‘ନାହିଁ, ନାହିଁ ଆମ୍ଭେ ମତଲବ ହାସଲ ନିମନ୍ତେ ଏପରି ପ୍ରସ୍ତାବ କରିଥିଲୁ ।’’

 

ପଶ୍ଚାତ୍‍ ପ୍ରକାଶ ପାଇଲା, ନବାବ ଏବଂ ସମସେର ଖାଁ ମନ୍ତ୍ରଣା କରି ଏହିପରି କାର୍ଯ୍ୟ କରିଥିଲେ ।

 

ଅବଶେଷରେ ସଭାର ସିଦ୍ଧାନ୍ତ ଅନୁସାର ସନ୍ଧିର ପ୍ରସ୍ତାବ ଘେନି ଜାନକୀରାମ ଭାସ୍କର ପଣ୍ଡିତ ନିକଟକୁ ପ୍ରେରିତ ହେଲେ । ତାହାଙ୍କୁ ଉପଦେଶ ଦିଆଯାଇଥିଲା, ଯେପରି ଶୀଘ୍ର କଥା ମୀମାଂସା ନ ହୁଏ ।

Image

 

–୨୫–

ଅବସାଦ-ଅବସାନ

 

ସମସ୍ତ ବିଷୟ ବନ୍ଦୋବସ୍ତ ହେଲା ସତ୍ୟ ମାତ୍ର କ୍ଷୂଧାପିପାସାରେ ସୈନ୍ୟମାନେ ଜୀର୍ଣ୍ଣ ଶୀର୍ଣ୍ଣ, ଯୁଦ୍ଧ କରିବା ଥାଉ, ଚଳତ୍‌ଶକ୍ତି ରହିତ । ଘୋଡ଼ାଗୁଡ଼ିକ ଦୁଇ ଦିବସକାଳ ତୃଣଟିଏ ପର୍ଯ୍ୟନ୍ତ ଦନ୍ତରେ ଛେଦନ କରି ନାହାନ୍ତି । ମୁସ୍ତାଫା, ସମସେର ଏବଂ ସର୍ଦ୍ଦାର ଖାଁ ପ୍ରଭୃତି ନଅ ଜଣ ପଞ୍ଜାବୀ ବୀର ଅଧସେର ଧାନୁଆ ମୋଟା ଚାଉଳ, ଅଧସେର ବାସି ପଚା ମାଂସ ଗୋଟିଏ ଆଟିକାରେ ସିଝାଇ ଭକ୍ଷଣ କରିଅଛନ୍ତି । ଖୋଦ ନବାବଙ୍କର ମଧ୍ୟ ସେହି ଦଶା । ଗ୍ରୀଷ୍ମାବସାନ ଉତ୍ତାରେ ବୃଷ୍ଟିଧାରା ପତନ ପୂର୍ବେ ଗଗନମଣ୍ଡଳ ମେଘାବୃତ ହୁଏ, ଈଷତ୍‌ ସୁଶୀତଳ ବାୟୁ ପ୍ରବାହିତ ହୁଏ । ଗତ ରାତ୍ରି ଅନ୍ଧକାର ସହିତ ନବାବ ସାହେବଙ୍କ ଅବସାଦ କଥଞ୍ଚିତ୍ ଅବସାନ ହେଲା ପରି ଜଣାଯାଏ । କାରଣ ତାହାଙ୍କର ବଡ଼ ବଡ଼ ଅମୀର ସେନାପତିମାନେ ଖଣ୍ଡେ ଖଣ୍ଡେ ପଚାମାଂସ ମୁହଁରେ ଦେବାକୁ ପାଇଅଛନ୍ତି । ଗତକାଲି ସୈନ୍ୟମାନେ ରାତ୍ରିସାରା ବାଟ ଅବାଟ ନ ମାନି ଧାଇଁଥିଲେ, ତୃଷାରେ ଛାତି ଫାଟିଅଛି । ଅନେକ ପାଇକ ଜଳାଭାବରେ ମୃତ୍ୟୁମୁଖରେ ପତିତ ହୋଇ ଅଛନ୍ତି । ଗନ୍ତବ୍ୟ ମାର୍ଗରେ ଜଳବିନ୍ଦୁ ମାତ୍ର ଅଭାବ ଥିଲା । ଅଦ୍ୟ ଦିବାଲୋକରେ ସୈନ୍ୟମାନେ ନିର୍ମଳ ଜଳପୂର୍ଣ୍ଣ କେତେଗୋଟି ପୁଷ୍କରିଣୀ ପାଇଲେ । ବାଟୋଇମାନଙ୍କ ଉପକାର ନିମନ୍ତେ ହିନ୍ଦୁ ଧନବନ୍ତ ଲୋକମାନେ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଏହି ସମସ୍ତ ପୁଷ୍କରିଣୀ ଖୋଳାଇ ଦେଇଅଛନ୍ତି । ପୁଷ୍କରିଣୀର ଅନତିଦୂରରେ ଆମ୍ରକାନନ । ବସନ୍ତ କାଳ, ବକୁଳ ଏବଂ କୋମଳ ପତ୍ରରେ ବୃକ୍ଷମାନ ଅବନତ ହୋଇ ପଡ଼ିଅଛନ୍ତି । ଆମ୍ରକାନନର କିଞ୍ଚିତ୍‌ ଦୂରରେ ସାମନ୍ୟ ପ୍ରକାର ଅରଣ୍ୟ ଭୂଇଁ ବରକୋଳି ଏବଂ ବନ୍ୟ ବେଲରେ ପରିପୂର୍ଣ୍ଣ । ନବାବ ସୈନ୍ୟମାନେ ସେହି ସମସ୍ତ ଫଳ ପତ୍ର ଆମ୍ରବକୁଳ ଭକ୍ଷଣ ଏବଂ ଜଳପାନ ଦ୍ୱାରା ବଳ ସଞ୍ଚୟ କଲେ । ତୃଣଭକ୍ଷଣ, ଜଳପାନ ଓ ଭୂଲୁଣ୍ଠନ ଦ୍ୱାରା ଅଶ୍ୱମାନଙ୍କର କ୍ଲାନ୍ତି ଦୂର ହୋଇଅଛି ।

Image

 

–୨୬–

ସହସା-ସମର

 

ବର୍ଗୀ ବୁଝିଲେ, ସମସ୍ତ ଚାତୁରୀ । ବଳସଞ୍ଚୟ ନିମନ୍ତେ ତୁର୍କ ସନ୍ଧିର ପ୍ରସ୍ତାବ କରିଅଛି, ପ୍ରକୃତ ସନ୍ଧି କରିବା ତାହାର ଉଦ୍ଦେଶ୍ୟ ନୁହେଁ । ତୁର୍କ ସେନାପତିମାନେ ବର୍ଗୀ ପକ୍ଷ ଅବଲମ୍ବନ କରିବା ପ୍ରସ୍ତାବ ମଧ୍ୟ ପ୍ରତାରଣାମୟ । ଖାଦ୍ୟ ଏବଂ ସମରୋପକରଣ ସଂଗ୍ରହ ନିମନ୍ତେ ମୁର୍‍ଶିଦାବାଦକୁ ସବାର ଯାଇଥିବା ଭାସ୍କର ପଣ୍ଡିତଠାରେ ଅବିଦିତ ରହିଲା ନାହିଁ । ଦଗାବାଜ ତୁର୍କର ପ୍ରତାରଣାରେ ଭୁଲି ରହିବା ଜ୍ଞାନହୀନତାର କାର୍ଯ୍ୟ ଅଟେ । ସନ୍ଧିର ପ୍ରସ୍ତାବ କରି ରାତ୍ରି ଯୋଗେ ତୁର୍କଫୌଜ ରମାନା ହେବାରୁ ବର୍ଗୀଙ୍କ ମନରେ ସମସ୍ତ ସଂଶୟ ଜାତ ହେଲା । ସଂଶୟ ଜାତ ହେବା ମାତ୍ରେ ଯୁଦ୍ଧଯାତ୍ରା । ତୁର୍କକୁ ଧରିବାକୁ ରାତ୍ରି ଉପସ୍ଥିତ । ତୁର୍କ ପାଇକମାନେ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ ପଡ଼ିଅଛନ୍ତି । ବର୍ଗୀବର୍ଗ ପ୍ରାନ୍ତର ପାର୍ଶ୍ୱବର୍ତ୍ତୀ ବଡ଼ ବଡ଼ ଅଶ୍ୱତ୍‍ଥ ବଟବୃକ୍ଷ ଡାଳ ଉପରେ ତୋପବାନ୍ଧି ତୁର୍କ ଉପରକୁ ଚଳାଇବାକୁ ଲାଗିଲେ । ଏଣେ ତୁର୍କ ଦେହରେ କିଞ୍ଚିତ୍‌ ବଳ ସଞ୍ଚିତ ହୋଇଅଛି । ମୁସ୍ତାଫା, ସର୍ଦ୍ଦାର ଖାଁ ତିନି ଦଳ ସୈନ୍ୟ ଘେନି ତିନି ଦିଗରୁ ବର୍ଗୀଙ୍କୁ ଆକ୍ରମଣ କଲେ । ନୈଶ୍ୟ ଅନ୍ଧକାରରେ ଉଭୟ ପକ୍ଷରୁ ବିଷମ ସମର ସଂଘଟିତ ହେଲା । ଦିଗ୍‌ବିଦିଗ ଜ୍ଞାନ ନାହିଁ, ଲକ୍ଷ୍ୟାଲକ୍ଷ୍ୟ ଜ୍ଞାନ ନାହିଁ, ଭୟଙ୍କର ରୂପେ ଉଭୟ ପକ୍ଷରୁ ଅସ୍ତ୍ର ଚଳୁଛି । କେହି ବା ଭ୍ରାନ୍ତ ହୋଇ ଆତ୍ମପକ୍ଷ୍ୟ ବିନାଶରେ ପ୍ରବୃତ୍ତ । ଆତ୍ମପକ୍ଷର କେତେଜଣ ପ୍ରଧାନ ଲୋକ ଆହତ ହେବାରୁ ବର୍ଗୀବର୍ଗ କିଞ୍ଚିତ୍‌ ନିସ୍ତେଜ ହୋଇ ପଡ଼ିଲେ । କ୍ଷୁଦ୍ର କ୍ଷୁଦ୍ର ଦଳରେ ବିଭକ୍ତ ହୋଇ ତୁର୍କମାନଙ୍କୁ ଆକ୍ରମଣ କଲେ । ଉଭୟ ପକ୍ଷ କ୍ଳାନ୍ତ ଏବଂ ରାତ୍ରି ଅନ୍ଧକାରରେ ଭ୍ରାନ୍ତ, ବାରମ୍ବାର ଶୃଙ୍ଖଳାଚ୍ୟୁତ ହେଉଅଛନ୍ତି । ମାତ୍ର ଅନାୟତ୍ତ, ଅସ୍ତ୍ରଚାଳନା ସ୍ଥଗିତ ରଖିଲେ ପରାଜୟ ନିଶ୍ଚିତ । ସୈନ୍ୟଶୃଙ୍ଖଳା ରକ୍ଷା ନିମନ୍ତେ ବର୍ଗୀବର୍ଗ ସମ୍ମୁଖ ଆକ୍ରମଣ ତ୍ୟାଗ କରି ଦୁଇ ପାର୍ଶ୍ୱକୁ ଦୁଇ ଭାଗରେ ବିଭକ୍ତ ହୋଇଗଲେ । ତୁର୍କମାନଙ୍କୁ ନିଶ୍ୱାସ ତ୍ୟାଗ କରିବାକୁ ଅବକାଶ ମିଳିଲା । ସେମାନେ ଯୁଦ୍ଧ କରୁ କରୁ ପଛଘୁଞ୍ଚା ଦେବାକୁ ଲାଗିଲେ । ସାରା ରାତ୍ରି ଏବଂ ପର ଦିବସ ଦିବା ଏକ ପ୍ରହର ପର୍ଯ୍ୟନ୍ତ ଯୁଦ୍ଧ ଏବଂ ଯାତ୍ରା ଦୁଇ କାର୍ଯ୍ୟ ଚଳୁଥାଏ । ତୁର୍କ ନିତାନ୍ତ ନିସ୍ତେଜ ହୋଇ ପଡ଼ିଲେଣି । ଆଉ ପ୍ରହରବ୍ୟାପୀ ଯୁଦ୍ଧ ହୋଇଥିଲେ ସେମାନଙ୍କର ପତନ ବିନା ଗତ୍ୟନ୍ତର ନ ଥିଲା । ମାନବ ଜାତିର ଶୁଭାଶୁଭ ଅଲକ୍ଷ୍ୟ ଭାବରେ ଉପସ୍ଥିତ ହୁଏ । ଉଭାଡ଼ିଆ ନାମକ ସ୍ଥାନରେ ବର୍ଗୀମାନେ ହଠାତ୍‌ ଗଙ୍ଗାମାତାଙ୍କ ଦର୍ଶନ ପାଇ ଅତ୍ୟନ୍ତ ଆନନ୍ଦିତ ହୋଇପଡ଼ିଲେ । ତୁର୍କ ତ ନିସ୍ତେଜ ହୋଇ ପଡ଼ିଲେଣି, ଅଳ୍ପକ୍ଷଣ ଉତ୍ତାରେ ତାହାକୁ ବିନାଶ କରାଯିବ । ମାତ୍ର ଗଙ୍ଗାମାତା କପାଳ ଗୁଣରେ ସ୍ୱୟଂ ଦର୍ଶନ ଦେଇଛନ୍ତି, ତାହାଙ୍କୁ ଆରାଧନା ନ କରି ଚାଲିଯିବା ଅଧର୍ମ । ନୀତିବେତ୍ତାମାନେ ବୋଲି ଅଛନ୍ତି, ଶତ୍ରୁ ଯେତେ ଦୁର୍ବଳ ହେଉ, ତାହାକୁ ଉପେକ୍ଷା କରିବା ଉଚିତ ନୁହେଁ । ଆହୁରି ମଧ୍ୟ ନୀତିବେତ୍ତାମାନେ ବୋଲି ଅଛନ୍ତି, ଆରବ୍‌ଧ କର୍ମ ପରିସମାପ୍ତି ପର୍ଯ୍ୟନ୍ତ ସଚେଷ୍ଟ ରହିବାର ଉଚିତ । ଯାହାହେଉ, ବର୍ଗୀମାନେ ଯୁଦ୍ଧତ୍ୟାଗପୂର୍ବକ ଜାହ୍ନବୀକୂଳରେ ବିଶ୍ରାମ କରିବାକୁ ଲାଗିଲେ ।

 

ଏଣେ ତୁର୍କମାନେ ଗତିଶକ୍ତିରହିତ, ବିପକ୍ଷମାନଙ୍କୁ ନିବୃତ୍ତ ଦେଖି କ୍ଳାନ୍ତଭାବରେ ପ୍ରାନ୍ତର ମଧ୍ୟରେ ପଡ଼ିଗଲେ ।

Image

 

–୨୭–

ବାଦଲ ସିହଂର ମନ୍ତ୍ରଣା, ମୁସ୍ତାଫାର ଗୋସା ଏବଂ ଯୁଦ୍ଧ

 

ଅନାବୃତ୍ତ ବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ ତୁର୍କ ପଡ଼ିଅଛନ୍ତି । ମଧ୍ୟାହ୍ନ କାଳ, ପ୍ରଚଣ୍ଡ ରୌଦ୍ର । ସାରା ରାତ୍ରି ପରିଶ୍ରମ, ଅନାହାର, ପୁଣି ପ୍ରଚଣ୍ଡ ସୂର୍ଯ୍ୟକିରଣରେ ଜୀବନ୍ମତ । ଏଥିପୂର୍ବେ ବର୍ଗୀବର୍ଗ ସେ ସ୍ଥାନକୁ ଯାଇ ସମସ୍ତ ଲୁଣ୍ଠନ କରି ନେଇଅଛନ୍ତି । କ୍ଷେତ୍ରରେ ଶସ୍ୟ, ଗ୍ରାମବାସୀଙ୍କ ସମ୍ପତ୍ତି ସମସ୍ତ ଅପହୃତ ହୋଇଅଛି । ଯାହା ନେଇ ପାରି ନ ଥିଲେ, ଅଗ୍ନିସଂଯୋଗରେ ସେ ସମସ୍ତ ଦଗ୍‌ଧ କରି ଦେଇ ଯାଇଅଛନ୍ତି । ଗ୍ରାମସକଳ ଶୂନ୍ୟ । ଜୀବନ ସମ୍ଭ୍ରମ ରକ୍ଷା ନିମନ୍ତେ ଲୋକ ସପରିବାର ପଳାୟନ କରିଅଛନ୍ତି । ଶୀତଋତୁରେ କ୍ଷେତ୍ର ଶସ୍ୟପୂର୍ଣ୍ଣ, ଲୋକଙ୍କ ଗୃହ ଧନଧାନ୍ୟରେ ପୂର୍ଣ୍ଣ ଥାଏ । ବର୍ଗୀ-ବାହନ ଅଶ୍ୱମାନଙ୍କ ଆହାରୀୟ ଅଭାବ ଥାଏ ନାହିଁ । ଉପଯୁକ୍ତ କାଳ ଜାଣି ବର୍ଗୀ ଏହି ଅନୁକୂଳ କାଳରେ ଯୁଦ୍ଧ ଯାତ୍ରା ଅବା ଲୁଣ୍ଠନଯାତ୍ରା କରିଥାଆନ୍ତି ।

 

ବର୍ଗୀ–ପରିତ୍ୟକ୍ତ ଏବଂ ଅର୍ଦ୍ଧଦଗ୍‌ଧ ଶସ୍ୟ ବା ଫଳମୂଳ ସଂଗ୍ରହକରି ତୁର୍କ ପାଇକମାନେ କଥଞ୍ଚିତ୍‌ରୂପେ ପ୍ରାଣ ଧାରଣ କଲେ । ତାହା ମଧ୍ୟ ସମସ୍ତଙ୍କ ଭାଗ୍ୟରେ ଘଟି ନାହିଁ । ଦଗ୍‌ଦ ଚାଳ ଉପରୁ ଅର୍ଦ୍ଧଦଗ୍‌ଧ କଖାରୁ, ଲାଉ, ଶିମ୍ବ, ପୋଇ ପ୍ରାପ୍ତ ହୋଇ ବଡ଼ ବଡ଼ ଖାଁ ସାହେବମାନେ ଅତି ଉପାଦେୟ ଜ୍ଞାନ କରି ଭୋଜନ କରିଅଛନ୍ତି ।

 

ମୁସ୍ତାଫା ଏକ ସ୍ଥାନରେ ଗାଲରେ ହାତ ଦେଇ ବସିଅଛନ୍ତି । ବାଦଲ ସିଂହ ତାଙ୍କ ସମୀପରେ ଉପସ୍ଥିତ ହୋଇ ସଲାମ କଲେ ।

 

ମୁସ୍ତାଫା ପଚାରିଲେ–‘‘କି ବାଦଲା, କି ଖବର ?’’ ବାଦଲ ସିଂହ କହିଲେ–‘‘ଖାଁ ସାହେବ-! ମୋ ଗୋସ୍ତାକି ମାଫ୍‌ କର, ମୁଁ ସହ୍ଲା ଦେବାକୁ ଆସି ନାହିଁ ଆପଣଙ୍କୁ କିଛି କଥା ଜଣାଇବାକୁ ଆସିଛି-। ମୁଁ ପିଲା–ଆପଣ ହେଲେ ମୁରବି, ଆପଣଙ୍କୁ କିଛି କଥା ଜଣାଇବାକୁ ଆସିଛି-। ମୁଁ ପିଲା–ଆପଣ ହେଲେ ମୁରବି, ଆପଣଙ୍କୁ କିଛି କଥା କହିପାରେ ? ଆଚ୍ଛା, ମୁଁ ପଚାରେଁ, ଆମ୍ଭେମାନେ କି ଏହିପରି ପଳାଇ ବୁଲୁଥିବା ? ଆଉ କେତେଦିନ ପଳାଇବାକୁ ବଳ ଅଛି-? ଦୁଷ୍‌ମନ୍‌ ଆମ୍ଭମାନଙ୍କର ମୁହଁରୁ ରୋଟି ଛଡ଼ାଇ ଖାଇ ଗୋଡ଼ଇବେ, ଆମ୍ଭମାନେ ପଳାଉଥିବା, ବେଶ୍‌ କଥା । ଆଚ୍ଛା, ମୃତ୍ୟୁ ଯେବେ ନିଶ୍ଚୟ, ଆସନ୍ତୁ ତରବାରୀ ଧରି ସମ୍ମୁଖ ଯୁଦ୍ଧରେ ବୀର ପରି ମରୁଁ, ଧାଇଁ ଧାଇଁ ଅନାହାରରେ କ୍ୟାଁ ମରିବୁଁ ? ଆପଣ ନ ହୁଏ ବୋଲନ୍ତୁ, ଆମ୍ଭମାନଙ୍କ ପକ୍ଷରେ ଏହା ଉଚିତ କାର୍ଯ୍ୟ ହେଇଅଛି କି ?’’

 

ମୁସ୍ତାଫା ସମସ୍ତ କଥା ଶୁଣି କିଛିକ୍ଷଣ ବାଦଲ ମୁହଁକୁ ଚାହିଁ ରହିଲେ । ସମସେର ଖାଁ, ସର୍ଦ୍ଦାର ଖାଁ ପ୍ରଭୃତି ସେନାପତିମାନଙ୍କୁ ଡକାଇ ଭାରି ଗୋସ୍‌ସା ହୋଇ କହିଲେ–‘‘ଭାଇମାନେ ! ଏହି ହିନ୍ଦୁ ହାବିଲଦାର କଣ କହୁଛି ଶୁଣ । ହା ଆଲ୍ଲା-ଆକବର ! ଆମ୍ଭମାନଙ୍କୁ ଧିକ୍‍, ମୁସଲମାନ ଧର୍ମକୁ ଧିକ୍‍ ! ଅଥବା ଆମ୍ଭେମାନେ ମୁସଲମାନ କୁଳର କୁଳାଙ୍ଗାର, କାବୁଲର କଳଙ୍କ, କୋରାଣ ସରିଫ୍‍ ଝୁଠା, ବୃଥା ଜୁମା ମସଜିଦ୍‌ରେ ନମାଜ ପଢ଼ିଥିଲୁଁ ! ହିନ୍ଦୁ କାଫେର ବିଲୁଆ ପରି ପଛେ ପଛେ ଗୋଡ଼ାଇଥିବ, ଆଉ ଆମ୍ଭେମାନେ ଠେକୁଆ ପରି ପଳାଇ ବୁଲୁଥିବୁଁ । ତୁଚ୍ଛାଟାରେ ନବାବ ଆମ୍ଭମାନଙ୍କୁ ପୋଷି ଅଛନ୍ତି । ମୁର୍‍ଶିଦାବାଦରେ କିପରି ମୁହଁ ଦେଖାଇବୁଁ, କାବୁଲର ଲୋକେ କଣ କହିବେ ? ଆଉ ସହ୍ୟ ହେଉନାହିଁ । ଆସ, ଧର ତରବାରୀ, ନୋହିଲେ ପଡ଼ିଥାଅ, କାଫର ଆସି ଗୋଟି ଗୋଟି କରି ଜଭେ କରୁ ।’’

 

ସେନାପତିମାନେ ଶୁଣି ନିତାନ୍ତ ଉତ୍ତେଜିତ ହୋଇ ପଡ଼ିଲେ । ଦୀନ୍‌ ଦୀନ୍‌ ଚିତ୍କାର କରି ହଜାର ହଜାର ତୁର୍କ ତରବାରୀ ଧରି ଡେଇଁ ପଡ଼ିଲେ ।

 

ଏଣେ ସମରବିଜୟୀ ବର୍ଗୀ ଆନନ୍ଦରେ ଉନ୍ମତ୍ତ । ତୁର୍କ ପଳାଇଯାଇ କେଉଁଠାରେ ପଡ଼ିଅଛି, ଅନାହାରରେ କେଉଁଠାରେ ହେଲେ ପଡ଼ିଆରେ ପଡ଼ି ମରିଯିବ ଅଥବା ମରିଗଲାଣି । ଓପରଓଳି ଯାଇ ସେମାନଙ୍କୁ ନିର୍ମୂଳ କରିଦେବା କଠିନ କଥା ନୁହେଁ । ଭାଗ୍ୟଗୁଣରେ ପତିତପାବିନୀ ଭାଗୀରଥୀ ପାଇଅଛନ୍ତି, ଅବଗାହନ କରି ଶରୀର ଶୀତଳ କରିବେ, ଜନ୍ମାର୍ଜିତ ପାପ ବିଧୌତ ହେବ । ନବାବଠାରୁ ଶଗଡ଼ ଶଗଡ଼ ଗହମ ଚୂନା, ଶଗଡ଼ ଶଗଡ଼ ଗୁଡ଼, ଶଏ ଶଏ ମହଣ ଘିଅ ପର୍ବତ ପ୍ରମାଣେ ଡାଲି, ଚାଉଳ, ପିଆଜ, ମସଲା, ପାଇଅଛନ୍ତି । କେତେ ଦିନ ହେଲା ଭୋଜନର ଠିକଣା ନାହିଁ, ଆଜି କି ଆନନ୍ଦରେ ଦିନ, ତୀର୍ଥ ଜଳରେ ସ୍ନାନ, ତହିଁ ଉତ୍ତାରେ ଇଚ୍ଛାନୁସାରେ ଉପାଦେୟ ଭୋଜନ ।

 

ଶତ୍ରୁକ୍ଷୟ, ବିପୁଳ ସମ୍ପତ୍ତି ଲାଭ, ସୌଭାଗ୍ୟର ସୀମା ନାହିଁ । ସମ୍ପଦବେଳେ ଚାରିଆଡ଼ୁ ସୁଖଗୁଡ଼ିକ ଆସି ଠୁଳ ହୋଇପଡ଼େ । ଏଡ଼େ ସୁସମୟରେ ଆଉ ଲଢ଼େଇ କଥା କିଏ ମନରେ ପକାଏ ? ପାଇକମାନେ ଆପଣା ଆପଣା ଅସ୍ତ୍ରଶସ୍ତ୍ର ଫୋଫାଡ଼ି ଦେଇ ‘ବୋମ୍‌ ବୋମ୍‌ ମହାଦେଓ, ଜୟ ମାତଃ ଗଙ୍ଗେ’ ଚିତ୍କାର କରି ଗଙ୍ଗା ଗର୍ଭକୁ ଡେଇଁ ପଡ଼ିଲେ । କେହି ସ୍ନାନରେ ନିଯୁକ୍ତ, କେହି ସ୍ନାନରେ ଉଦ୍ୟୋଗ କରୁଅଛି । କେହି କେହି ଆକଣ୍ଠ ଗଙ୍ଗା ଜଳରେ ଶରୀର ମଜ୍ଜନ ଏବଂ ଗଙ୍ଗାସ୍ତବ ପାଠ, ଦୁଇ କାର୍ଯ୍ୟ–ଅର୍ଥାତ୍‌ ଦେହ ଏବଂ ଆତ୍ମା ଉଭୟଙ୍କର ପବିତ୍ରତା ସମ୍ପାଦନରେ ନିଯୁକ୍ତ ଅଛନ୍ତି । କେହି ରୋଟି ସେକୁଛି, କାହାରି କାହାରି ଡାଲି ଛୁଙ୍କା ହୋଇଗଲାଣି, ଟକରମକର କରି କାହାର ଭାତହାଣ୍ଡି ଡାକୁଅଛି, କେହି କେହି ପେଟ ବିକଳିଆ ରୋଟି ସେକୁ ସେକୁ ଅଧାଅଧି ସାରି ଦେଲାଣି । କେତେଗୁଡ଼ିଏ ଲୋକଙ୍କର ପତର ପାଣି ହୋଇଅଛି । କେହି ଲୋକ ଗଙ୍ଗାକୂଳରେ ଦାନ୍ତ ଘଷୁଁ ଘଷୁଁ ଗତ ରାତ୍ରି ଯୁଦ୍ଧରେ ଆପଣା ବୀରତ୍ୱ କଥା ସାଙ୍ଗକୁ ଶୁଣାଇ ଦେଉଅଛି । ଶ୍ରୋତା କହିଲା–‘‘ଆରେ ଭାଇ ! ତୁ କଣ ଜାଣିଛୁ ? ମୋ ହାବୁଡ଼ରେ ପଡ଼ିଗଲା, ଏକା ନିଶ୍ୱାସର ସତେଇଶଟା ତୁର୍କ ଦାଢ଼ି ଧରି କଦଳୀ ଗଛ ହାଣିଲା ପରି କଚ କଚ କରି ହାଣି ପକାଇଲି-।’’ ବଡ଼ ବଡ଼ ସେନାପତିମାନେ ବସି ଲୁଣ୍ଠିତ ମୁଦ୍ରା ବିଭାଗର ବ୍ୟବସ୍ଥା ଏବଂ ଖରଚର ବଜେଟ ତୟାର କରୁଅଛନ୍ତି ।

 

ଅଇଲା ରେ, ଅଇଲା ରେ, ତୁର୍କ ଅଇଲା ରେ ! ବର୍ଗୀ ପଲରେ ଭୟଙ୍କର ଚହଳ ପଡ଼ିଗଲା । ପ୍ରାୟ ପନ୍ଦର ହଜାର ଘୋଡ଼ା ଚଢ଼ି ତୁର୍କ ଖଣ୍ଡା ଓଲାଡ଼ି ବିଦ୍ୟୁତ୍‍ ବେଗରେ ପଡ଼ିଗଲେ । ସୂର୍ଯ୍ୟକିରଣ ଲାଗି ଖଣ୍ଡା ଝକ ଝକ କରୁଅଛି । ନିୟମ ନାହିଁ, ଶୃଙ୍ଖଳା ନାହିଁ, ମାରିବେ ବା ମରିବେ, ଏହି ଭାବରେ ତୁର୍କ ଦଳ ବର୍ଗୀ ଉପର ପଡ଼ିଅଛନ୍ତି । ଏମନ୍ତ ସମୟରେ ତୁର୍କ ଯେ ଆସିବ, ଛାୟାରୂପେ ମଧ୍ୟ ବର୍ଗୀ ମନରେ ଉଦିତ ହୋଇ ନାହିଁ । ସମସ୍ତେ ନିଶ୍ଚିନ୍ତ ଥିଲେ, ଶତ୍ରୁ ଆସି ଉପରେ ପଡ଼ିଲାଣି, ଖଣ୍ଡାଟି ଧରିବାର ଅବକାଶ ନାହିଁ । ବର୍ଗୀ ମଧ୍ୟରେ ଯେ ଯେଉଁଠାରେ ଥିଲା, ପଳାଇଅଛି-। କେହି ଗଙ୍ଗାଜଳରୁ ଉଠି ଓଦା ଲୁଗାରେ ଧାଇଁଅଛି, କାହାରି ପାଟିରେ ରୋଟି, କାହା ପାଟିରେ ଭାତ ଅଛି, କାହାର ଅଇଁଠା ହାତ, କାହାର ମୃତ୍ତିକାଶଙ୍କର ପଡ଼ିଛନ୍ତି, ପୂଜା ଅଧାଅଧି, ଧାଇଁ ଅଛନ୍ତି-। ଖଣ୍ଡାଟି ଧରିବାର ବେଳ ନାହିଁ । ଦୀନ୍‌ ଦୀନ୍‌ ଚିତ୍କାର କରି ତୁର୍କ ଯାହାକୁ ପାଉଅଛି, ହାଣୁଅଛି । ବର୍ଗୀ ପାଟି ଫିଟିବାକୁ ନାହିଁ, କେବଳ ଧାଇଁ ଅଛନ୍ତି । କେତେ ତୁର୍କ ଖଣ୍ଡାରେ ଗଲେ, କେତେ ବର୍ଗୀ ତ୍ରାସରେ ଗଙ୍ଗା ଜଳରେ ପଡ଼ି ବୁଡ଼ିମଲେ । ବଡ଼ ବଡ଼ ବର୍ଗୀ ସେନାପତିମାନେ ସୈନ୍ୟ ସମ୍ଭାଳିବେ କଣ, ଆପେ ବଞ୍ଚିଲେ ବାପର ନାମ ।

 

ମହିଷରେଖା କ୍ଷେତ୍ରରେ ତୁର୍କ ନିକଟରୁ ବର୍ଗୀ ଯେ ସମସ୍ତ ସମ୍ପତ୍ତି ନେଇଥିଲେ, ଭଲ ଖାତକ ସାହୁକୁ ମୂଳ କଳନ୍ତର ଗଣିଦେଲା ପରି ସେ ସମସ୍ତ ପଦାର୍ଥ ଏବଂ ଆପଣା ପକ୍ଷରୁ କିଛି ସମ୍ପତ୍ତି ଦେଇ ଭଲଲୋକ ପରି ପଳାଇଗଲେ । ବର୍ଗୀ ଯେପରି ବିଶୃଙ୍ଖଳ ଭାବରେ ପଳାୟନ କରୁଥିଲେ, ତୁର୍କ ପଶ୍ଚାଦ୍ଧାବନ କରିଥିଲେ ସେମାନଙ୍କ ପରିଣାମ ଫଳ କଣ ହୋଇଥାନ୍ତା, ବୋଲାଯାଇ ନ ପାରେ । ହେଲେ, ଧାଇଁବାକୁ ତୁର୍କମାନଙ୍କର ବଳ ବା ଇଚ୍ଛା ନାହିଁ ।

 

ତୁର୍କ ଦେଖିଲେ, ଭାତ ଡାଲି, ରୋଟି ତରକାରି ସମସ୍ତ ପ୍ରସ୍ତୁତ । ଅନେକ ସ୍ଥଳରେ ବର୍ଗୀ ଭଲ ଖାନସମା ପରି ବାଢ଼ିବୁଢ଼ି ଥୋଇଦେଇ ଯାଇଅଛି । କେତେ ଦିନର ଉପବାସ, ଆଉ ବିଳମ୍ବ କ୍ୟାଁ ? ଆଲ୍ଲା ମାଲିକ, ଆଲ୍ଲା ଦେନେବାଲା । ଚଟପଟ ଘୋଡ଼ାରୁ ଡେଇଁପଡ଼ି କେହି ପାଛୁଡ଼ା, କେହି ପଗଡ଼ି ମେଲାଇ ଦେଲେ, ପାଞ୍ଚ-ପାଞ୍ଚ, ଦଶ-ଦଶ, ଚାରି-ଚାରି ବସିଯାଇ ‘ବିସ୍‌ମିଲା ରହେମାନ, ରହିମ’ ମନ୍ତ୍ର ପଢ଼ି ନାସ୍ତା ନାମକ କାର୍ଯ୍ୟ ଆରମ୍ଭ କରିଦେଲେ ।

 

ତୁର୍କ ଫଉଜ ସହିତ ହିନ୍ଦୁ ହାବିଲଦାର ବାଦଲ ସିଂହ ଅଗ୍ରଣୀ ହୋଇ ଆସିଥିଲେ । ସେ ଆନନ୍ଦ ଏବଂ ଉତ୍ସାହ ସହିତ ବୈରି ବିନାଶ କାର୍ଯ୍ୟରେ ନିଯୁକ୍ତ ଥିବା ସମୟରେ ପଳାତକ ବର୍ଗୀ ଲସ୍କର ମଧ୍ୟରେ ଗୋଟିଏ ଯୁବକ ପଳାୟନ କରୁଥିବାର ଦେଖିଲେ । ସେ ଯୁବକର ଆକୃତି ଦେଖିଲା ଉତ୍ତାରେ ସେ ଆଉ ଅସ୍ତ୍ରଧାରଣ କରି ନାହାନ୍ତି । ବିଜୟୀ ତୁର୍କମାନେ ଆନନ୍ଦ ଉତ୍ସବ କରିବା ସମୟରେ ସେ ଗଙ୍ଗା କୂଳରେ ଅନ୍ୟମନସ୍କ ହୋଇ ବସିଥାନ୍ତି ।

Image

 

–୨୮–

ନବାବ କାଟୋୟାରେ

 

ନବାବ ଆଲିବର୍ଦ୍ଦି ଖାଁ ଜଣେ ପ୍ରବୀଣ ଲୋକ । ସେ ବୁଝିଲେ, କେବଳ ଦୈବ ସହାୟରେ ବିଜୟୀ ହୋଇ ଅଛନ୍ତି । ବର୍ଗୀ କିଞ୍ଚିନ୍ମାତ୍ର ସଚେଷ୍ଟ ଥିଲେ ବିଜୟର ସମ୍ଭାବନା ନ ଥିଲା । ଯାହାହେଉ, ଭାଉଡ଼ିଆ କ୍ଷେତ୍ରଟା ସେନା ସମାବେଶର ଅନୁକୂଳ ନୁହେଁ; ଏଠାରେ ରହିଲେ ନିଧନ ନିଶ୍ଚିତ । ପରଦିନ ପ୍ରାତଃକାଳରେ କାଟୋୟା ଅଭିମୁଖରେ ଯାତ୍ରା କଲେ । ଏହି ଯାତ୍ରା ମଧ୍ୟ ନିରାପଦରେ ଘଟିଲା ନାହିଁ । ବର୍ଗୀ ପଳାଇ ଯାଇ ଚାରି କ୍ରୋଶ ଦୂରରେ ସମବେତ ହୋଇଥିଲେ । ସେନାପତିମାନେ କ୍ଷୁଦ୍ର କ୍ଷୁଦ୍ର ଦଳରେ ବିଭକ୍ତ ହୋଇ ନବାବଙ୍କୁ ଆକ୍ରମଣ କଲେ । ମାର୍ଗ ମଧ୍ୟରେ ନାନା ସ୍ଥାନରେ ସମର ସଙ୍ଘଠିତ ହେଲା । ହେଲେ କାହାରି ପକ୍ଷରୁ ବିଶେଷ କିଛି ଅପଚୟ ହୋଇନାହିଁ । କାରଣ, ବର୍ଗୀମାନେ ସମ୍ମୁଖୀନ ହୋଇ ଉପଯୁକ୍ତ ରୂପେ ଯୁଦ୍ଧ କରି ନାହାନ୍ତି । ବର୍ଗୀମାନଙ୍କ ଯୁଦ୍ଧର ଗୋଟିଏ ନିୟମ ଏହି–ଶତ୍ରୁ ସୈନ୍ୟଶ୍ରେଣୀର ଯେଉଁସ୍ଥାନ ଦୁର୍ବଳ, ହଠାତ୍‌ ସେହି ସ୍ଥାନ ଆକ୍ରମଣ କରି ବିପକ୍ଷ ପକ୍ଷର ଶୃଙ୍ଖଳା ଭାଙ୍ଗି ଦିଅନ୍ତି, ଅନ୍ୟ ସୈନିକମାନେ ସେ ସ୍ଥାନ ରକ୍ଷା ନିମନ୍ତେ ଉପସ୍ଥିତ ହେବା ମାତ୍ରେ ପଛଘୁଞ୍ଚା ଦେଇ ପଳାୟନ କରନ୍ତି । ଯାହାହେଉ, ମାର୍ଗ ମଧ୍ୟରେ ସଙ୍ଘଠିତ ନାନା ବିଘ୍ନ ଅତିକ୍ରମ ପୂର୍ବକ ନବାବ କଟୋୟାରେ ଉପସ୍ଥିତ ହେଲେ ।

 

ଦିବାନିଶି ପରି ମାନବମାନଙ୍କୁ ସୁଖ ଦୁଃଖ ଦୁଇ ଗୋଟି ଭୋଗ କରିବାକୁ ହୁଏ । ନିରବଚ୍ଛିନ୍ନ ଦୁଃଖ ବିଧାତା ମାନବ ଅଦୃଷ୍ଟରେ ଲିପିବଦ୍ଧ କରି ନାହାନ୍ତି । ଦୁଃଖ କାହାରି ବାଞ୍ଛନୀୟ ନୁହେଁ, ସୁଖାଭିଳାଷ ମନୁଷ୍ୟ ଜାତିର ନୈସର୍ଗିକ ଧର୍ମ । ତଥାଚ ମନୁଷ୍ୟ ସମୟ ବିଶେଷର ଦୁଃଖଭୋଗୀ ହୁଏ । ଏହା ବିଧାତାଙ୍କର ଦୁର୍ଲଘଂନୀୟ ବିଧାନ । ଫରାସୀ ସମ୍ରାଟ ନେପୋଲିଅନ ବୋଲିଅଛନ୍ତି, ‘‘ମାନବ ! ତୁମ୍ଭେ ଚିରସୁଖୀ ବା ଚିରଦୁଃଖୀ, ଜୀବନକାଳରେ ତୁମ୍ଭର ଏ କଥା ବୋଲିବାର ଅଧିକାର ନାହିଁ ।’’ ଆମ୍ଭେମାନେ ପୂର୍ବେ ବୋଲିଅଛୁଁ ସୁଖଦୁଃଖ ଦୁଇ ଗୋଟି ଦିବାରାତ୍ରି ପରି । ଦିବସରେ ସର୍ବତ୍ର ଆଲୋକ-ଘରେ ଆଲୋକ, ବାହାରେ ଆଲୋକ-ଆଲୋକ ଯତ୍ର ତତ୍ର । ସେହିପରି ନିଶି ତିମିର ସର୍ବତ୍ର ବ୍ୟାପ୍ତ ।

 

ନବାବ ଯଥେଷ୍ଟ କଷ୍ଟ ଭୋଗ କଲେଣି, ବର୍ତ୍ତମାନ ଭାଗ୍ୟଚକ୍ରର ପରିବର୍ତ୍ତନ ସମୟ ଉପସ୍ଥିତ । ନବାବ କାଟୋୟାରେ ଉପସ୍ଥିତ ହୋଇ ନିଶ୍ୱାସ ତ୍ୟାଗ କରିବାକୁ ଅବସର ପ୍ରାପ୍ତ ହେଲେ-। କାଟୋୟା ସ୍କନ୍ଧାବାର ସ୍ଥାପନର ଉପଯୁକ୍ତ ସ୍ଥାନ । ଅଜୟ ଏବଂ ଭାଗୀରଥୀ ନଦୀ ପରିଖାରୂପେ ଏହାକୁ ପ୍ରାୟ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛି । ସହସା ଶତ୍ରୁ ଆଗମନର ସମ୍ଭାବନା ବିରଳ । ନବାବ ଉପସ୍ଥିତ ହେବାମାତ୍ରେ ଶତ ଶତ ଶଗଡ଼ ଡାଲି, ଚାଉଳ, ଗହମଚୂନା, ଆଳୁ, କଦଳୀ, ଘିଅ, ଗୁଡ଼, ପିଆଜ, ରସୁଣ, ଏବଂ ପଲକୁ ପଲ ଛେଳି, ମେଣ୍ଢା, ଭାରକୁ ଭାର କୁକୁଡ଼ା ଆସି ଉପସ୍ଥିତ ହେଲା । ଏହି ସକଳ ସରଞ୍ଜାମ ସକାଶେ ନବାବ ଭାଉଡ଼ିଆଠାରୁ ପ୍ରଧାନ ସରବରାକାର ଜମିଦାରମାନଙ୍କଠାରୁ ଚିଠି ପଠାଇଥିଲେ । ନବାବଙ୍କ ମନୋରଞ୍ଜନ ସକାଶେ ମହାଜନ ବେପାରୀମାନେ ମଧ୍ୟ ଶଗଡ଼କୁ ଶଗଡ଼ ଖାଦ୍ୟଦ୍ରବ୍ୟ ଘେନି ସଙ୍ଖୁଳିବାକୁ ଆସି ଉପସ୍ଥିତ ହେଲା । ସ୍ତୂପାକାର ଖାଦ୍ୟଦ୍ରବ୍ୟ ଦେଖି ପାଇକମାନେ ଆନନ୍ଦରେ ଚିତ୍କାର କରିବାକୁ ଲାଗିଲେ । ଧୋବା ମହାରମାନେ ଖେଚଡ଼ି ସକାଶେ ଘିଅ ଆଣିବା ନିମନ୍ତେ କଂସା ପିତ୍ତଳ ଧରି ପଡ଼ିକାର ନିକଟକୁ ଧାଇଁବାର ଦେଖାଗଲା ।

 

ନବାବ ଅନାଇ ଦେଖିଲେ, ସର୍ବତ୍ର ସୌଭାଗ୍ୟ, ସର୍ବତ୍ର ପ୍ରତୁଳ । ମହିଷରେଖା କ୍ଷେତ୍ରରେ ବର୍ଗୀ ତାହାଙ୍କର ଯେ ସମସ୍ତ କମାଣ, ଯେ ସମସ୍ତ ଗୋଳାଗୁଳି, ଯେ ସମସ୍ତ ଡେରାଦଣ୍ଡା, ଯେ ସମସ୍ତ ଖାଦ୍ୟ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଛଡ଼ାଇ ଘେନି ଯାଇଥିଲେ, ସେ ସମସ୍ତ ବାହୁଡ଼ି ଆସିଅଛି । ପୁଣି ବର୍ଗୀ ପକ୍ଷରୁ ଅଧିକା କିଛି ଆସିଅଛି । ପୁନଃ ପୁନଃ ପରାଜୟ ଏବଂ ଅନାହାରରେ ପାଇକମାନେ ଦୁର୍ବଳ ଏବଂ ନିରୁତ୍ସାହ ହୋଇ ପଡ଼ିଥିଲେ, ବର୍ତ୍ତମାନ ଦୁଇ ଗୁଣ ସବଳ, ଦୁଇ ଗୁଣ ଉତ୍ସାହିତ ହୋଇ ପଡ଼ିଅଛନ୍ତି । ସୁଖ ଉପରେ ସୁଖ । ସେନାପତି ମୀର୍‌ଜାଫର ଦଶ ସହସ୍ର ଘୋଡ଼ାଚଢ଼ା ପାଇକ ଘେନି ମୁର୍‍ଶିଦାବାଦରୁ ତାହାଙ୍କଠାକୁ ରମାନା ହୋଇଥିବାର ସମ୍ବାଦ ପ୍ରାପ୍ତ ହେଲେ । ନବାବଙ୍କ ଆନନ୍ଦର ସୀମା ନାହିଁ । ଅରାତିର ଅପଚୟ, ଆତ୍ମପକ୍ଷର ଉନ୍ନତି ଦେଖି ଆନନ୍ଦିତ ହେବା ମାନବ ଜାତିର ନୈସର୍ଗିକ ଧର୍ମ ।

Image

 

–୨୯–

ଆକ୍ଷେପ ଏବଂ ଆଶ୍ୱାସ

 

ମରହଟ୍ଟା ସୈନ୍ୟମାନେ ଭୟରେ ବିହ୍ୱଳ । ଭାସ୍କର ପଣ୍ଡିତ ଗଣ୍ଡହସ୍ତ, ଚିନ୍ତାନିମଗ୍ନ । ଭାସ୍କର ପଣ୍ଡିତ ଭାଳିଲେ, ହାୟ ! ଏ କଣ ହେଲା ? ଶତ୍ରୁକୁ ଧରୁ ଧରୁ ହାତରୁ ଖସିଗଲା ? ଆଲିବର୍ଦ୍ଦି ବଡ଼ ଭାଗ୍ୟବାନ୍‍ । ତାହାର ଲକ୍ଷାଧିକ ସୈନିକ ଛିନ୍ନଭିନ୍ନ କରିଦେଲି, ତାହାରି କମାଣ, ତାହାରି ବାରୁଦ, ତାହାରି ଗୁଳିରେ ତାହାର ସେନା ବିନାଶ କଲି । ବାଲେଶ୍ୱରର ଫୁଲଉଆର ନଦୀକୂଳଠାରୁ ଗଙ୍ଗାନଦୀ କୂଳ ଯାଏ ଘଉଡ଼ି ଆଣିଲି । ସମସ୍ତ ଟଙ୍କା, ସମସ୍ତ ଦ୍ରବ୍ୟ ଛଡ଼ାଇ ନେଲି । ହାୟ ଏତେ ଆଶା, ଏତେ ଭରସା, ସବୁଥିରୁ ନିରାଶ ହେଲି । ହାୟ ! ହାୟ ! ଦିନକ ମଧ୍ୟରେ ସବୁ ନେଉଟି ଗଲା । ଏବେ ତାହା ଆଗରେ ପର୍ବତ ପ୍ରମାଣ ଖାଦ୍ୟଦ୍ରବ୍ୟ, କାଣ୍ଡିମରା ଟଙ୍କାର ଅଭାବ ନାହିଁ, ମୁର୍‍ଶିଦାବାଦରୁ ପୁଣି ନୂଆ ପାଇକ ଆସିଲାଣି । ତାହାର ଏବେ ସବୁଆଡ଼େ ବାଟ ମୁକୁଳା, ଯାହା ଲୋଡ଼ିବ ତାହା ପାଇବ । ହାୟ ! ଏତେ କଷ୍ଟ ସହିଲି, ଏତେ ବିପଦରେ ପଡ଼ିଲି, ଏତେ ପ୍ରାଣପଣ କରି ଯୁଦ୍ଧକଲି, ସବୁ ବୃଥା ଗଲା । ଆଉ ଆଲିବର୍ଦ୍ଦିକୁ କିଏ ଆଣ୍ଟିବ ? ମୋହର କମାଣ ନାହିଁ, ବାରୁଦ ନାହିଁ, ଟଙ୍କା ନାହିଁ, ଖଣ୍ଡା ନାହିଁ । ଏ ସବୁ ତ ଥାଉ, ମୂଳରେ ଖାଇବାକୁ ନାହିଁ । ଲୁଟି ଆଣିବାକୁ ଗ୍ରାମ ମଧ୍ୟ ନାହିଁ, ବଙ୍ଗଳାଦେଶ ପଡ଼ିଆ ପଡ଼ିଅଛି, ଯୁଦ୍ଧ ଗୋଳମାଳରେ ପ୍ରଜାମାନେ ଗ୍ରାମ ଛାଡ଼ି ପଳାଇ ଯାଇଅଛନ୍ତି । ଆମ୍ଭ ପାଇକମାନେ ଅମାନିଆ ହୋଇଗଲେଣି । ସେମାନଙ୍କର ଅବା ଅପରାଧ କଣ ? କେତେ ମାସ ହେଲା ପାଇସାଏ ବର୍ତ୍ତନ ପାଇବାକୁ ନାହିଁ । ଧାଇଁ ଧାଇଁ ଥକିଲେଣି, ସେମାନଙ୍କୁ ଆଉ କଣ କହିବୁ ? ମୁସ୍ତାଫା, ମୀର୍‍ଜାଫର ସମସ୍ତଙ୍କୁ ଜିଣିଥିଲେ । ଏହି ହିନ୍ଦୁ ହାବିଲଦାରଟା କିଏ ? ଏଟାର ନାମ ତ ଶୁଣା ନ ଥିଲା, ଏହି ପାଷାଣ୍ଡ ମୋ ବିଜୟର ଅନ୍ତରାୟ ହୋଇଅଛି । ଏଟା ନ ଥିଲେ ମହିଷରେଖାଠାରେ ତ ସବୁ କଥା ଛିଣ୍ଡିଥାନ୍ତା । ଗଙ୍ଗାକୂଳରେ ପରାଜୟର କାରଣ ଏଇ ସ୍ୱଜାତି ବିଦ୍ରୋହୀ ହିନ୍ଦୁ । ଏହିପରି ପାଷଣ୍ଡମାନଙ୍କ ଯୋଗେ ତ ହିନ୍ଦୁ ଧର୍ମ ଲୋପ ପାଇବାକୁ ବସିଅଛି । ନାହିଁରେ ବାପା ନାହିଁ, ଆଉ ଲୋଡ଼ା ନାହିଁ । ତୁଛାଟାରେ ବଙ୍ଗଳା ଦେଶରେ ରହି ଆଉ ଆଉ କଣ ହେବ ? ବାଟେ ବାଟେ ଦେଶକୁ ବାହୁଡ଼ିଯିବା ଭଲ ।

 

ଭାସ୍କର ପଣ୍ଡିତ ଆପଣାର ଅଭିପ୍ରାୟ ସୈନ୍ୟମାନଙ୍କ ମଧ୍ୟରେ ଘୋଷଣା କରିଦେଲେ ।

 

ଏହି ସମସ୍ତ କଥାଶୁଣି ମୀର ହବିବ୍‌ କହିଲେ, ‘‘ପଣ୍ଡିତଜୀ ! ଏ କଣ କରୁଅଛନ୍ତି ? ଏହା କି ବୀରର କଥା । ଗୋଟାଏ ଯୁଦ୍ଧରେ ହଟିଯାଇ ଏପରି ନିରାଶ ହୋଇ ପଡ଼ିଲେ ? ଦେଖନ୍ତୁ ତ ନବାବର ଧୈର୍ଯ୍ୟ ? ଆପଣ କଣ ବୁଝିଲେ ? ନବାବ ଏତେ ହାରି ହାରି ସିନା ଥରେ ଜିଣିଲା ? ସ୍ଥିର ହେଉନ୍ତୁ, ଧୈର୍ଯ୍ୟ ଧରନ୍ତୁ, ପୁନର୍ବାର ଜୟୀ ହେବେ । ଆପଣଙ୍କର କଣ କ୍ଷତି ହୋଇଅଛି ? ଶତ୍ରୁଠାରୁ ଯାହା ପାଇଥିଲେ, ସେତିକି ସିନା ଛଡ଼ାଇ ନେଇଅଛି । ପୁନର୍ବାର ଛଡ଼ାଇ ଆଣିବି, ଏଥିପାଇଁ ଭାବନା କଣ ? ଦେଖନ୍ତୁ କେତେକାଳ ପରିଶ୍ରମ କରି କେଡ଼େ ଅଧିକାର ପାଇଅଛନ୍ତି । ଋଷିକୂଲ୍ୟା କୂଳଠାରୁ ଗଙ୍ଗାକୂଳ ପର୍ଯ୍ୟନ୍ତ ବୃହତ୍‌ ରାଜ୍ୟ ବର୍ତ୍ତମାନ ଆପଣଙ୍କ କରାୟତ୍ତ । ଯୁଦ୍ଧତ୍ୟାଗ କଲେ ଏହା କରି ପାରିବେ କି ? ଛି ! ଛି ! ଛି ! ଏ ବୁଦ୍ଧି ଛାଡ଼ନ୍ତୁ । ଓଡ଼ିଶା ଖଣ୍ଡାଏତମାନେ ଆପଣଙ୍କୁ କଣ ବୋଲିବେ । ଛାଡ଼ନ୍ତୁ, ଏ କଥା । ସେନାପତିଙ୍କ ବଳରେ ସୈନ୍ୟମାନଙ୍କ ବଳ । ଦେଖନ୍ତୁ, ପାଇକମାନେ କିପରି ନିସ୍ତେଜ ହୋଇ ପଡ଼ିଲେଣି । ଆସନ୍ତୁ , ଅଣ୍ଟା ଭିଡ଼ନ୍ତୁ, ପୁନର୍ବାର କଣ କରିବି ଦେଖିବେ ।’’

 

ଭାସ୍କର ପଣ୍ଡିତ ଆପଣା ପକ୍ଷର ସମସ୍ତ କଥା ବର୍ଣ୍ଣନା କରି ମୀରହବିବ୍‍କୁ କହିଲେ–‘‘ବର୍ତ୍ତମାନ କ୍ଷେତ୍ରରେ ପ୍ରବଳ ଶତ୍ରୁ ସହିତ ଯୁଦ୍ଧ କରିବ ସାଧ୍ୟାତୀତ ।’’

 

ମୀର ହବିବ୍‌ କହିଲେ, ‘‘ଏଥିପାଇଁ ଆପଣ ଏପରି ନିରାଶ ହୋଇ ପଡ଼ିଅଛନ୍ତି । ସହଜ ମାର୍ଗରେ ସମସ୍ତେ ଚାଲିଯାନ୍ତି, ଅସାଧ୍ୟ ସାଧନ କରିବା ବୀରତ୍ୱ । ସତ୍ୟ କଥା, ଆପଣଙ୍କଠାରେ କିଛି ନାହିଁ, ଟଙ୍କାରେ କଣ ନ ହୁଏ । ଆପଣଙ୍କ ହାତରେ ଟଙ୍କା ନାହିଁ, ମୁଁ ଦେବି । ଯେତେ ଟଙ୍କା ଲୋଡ଼ା, ମୋ’ଠାରୁ ଗଣି ନିଅନ୍ତୁ । ଏ ଉତ୍ତାର ମୋ କଥା ନ ଶୁଣି ଆପଣ ଯେବେ ବାହୁଡ଼ି ଯିବେ, ମୁଁ ବେରାର ଅଧିପତି ରଘୁଜୀ ଭୋଁସଲାଙ୍କୁ ଭାଷା ଲେଖିବି, ଆପଣ ସେନାପତି ପଦରେ ଅଯୋଗ୍ୟ, ବଙ୍ଗୋତ୍କଳ ଦେଶରେ ବର୍ଗୀ ଗୌରବ ବିନାଶକାରୀ ।’’

 

ଭୀତି ଏବଂ ମୈତ୍ରୀରେ ଭାସ୍କର ପଣ୍ଡିତ ଭୀତ ଓ ଆଶ୍ୱସ୍ତ ହେଲେ । ବର୍ଗୀ ଫୌଜରେ ମୀର ହବିବଙ୍କର ବିଶେଷ ପ୍ରତିପତ୍ତି । କାରଣ, ତାହାଙ୍କ ବୁଦ୍ଧି କୌଶଳରେ, ତାହାଙ୍କ ବୀରତ୍ୱରେ ବର୍ଗୀବର୍ଗ ଅନେକ କ୍ଷେତ୍ରରେ ବିଜୟୀ । ବର୍ଗୀ ପାଇକମାନେ ମୀର ହବିବଙ୍କ କଥାରେ ପୋଷକତା କରିବାରୁ ନବାବ ସହିତ ପୁନର୍ବାର ଯୁଦ୍ଧ କରିବା କଥା ସ୍ଥିର ହେଲା ।

 

ମରହଟ୍ଟା ସ୍କନ୍ଧବାରଠାରୁ ମୁର୍‌ଶିଦାବାଦ ପ୍ରାୟ କୋଡ଼ିଏ କ୍ରୋଶ ଦୂର । ମୀର ହବିବ୍‌ ନବାବଙ୍କ ଅଜ୍ଞାତସାରରେ ପଞ୍ଚଦଶ ସହସ୍ର ଦ୍ରୂତଗାମୀ ଅଶ୍ୱାରୋହୀ ସୈନ୍ୟସହିତ ମୁର୍‍ଶିଦାବାଦ ଯାତ୍ରା କଲେ । ପ୍ରଭାତ ସମୟରେ ଅତର୍କିତ ଭାବରେ ଉପସ୍ଥିତ ହୋଇ ଜଗତ୍‌ ସେଠଙ୍କ କୋଠି ଲୁଣ୍ଠନପୂର୍ବକ ନଗଦ ଦୁଇ କ୍ରୋର ଟଙ୍କା ଏବଂ ଅନ୍ୟାନ୍ୟ ଅନେକ ବହୁମୂଲ୍ୟ ଦ୍ରବ୍ୟ ପ୍ରାପ୍ତ ହେଲେ । ନବାବଙ୍କ ଭବନ ତାଦୃଶ ସୁରକ୍ଷିତ ନ ଥିଲା । ନବାବଙ୍କ ଭାଇ ହାଜି ଅହମ୍ମଦ ଖାଁ ଉଆସ ଏବଂ ଗନ୍ତାଘର ରକ୍ଷା କରୁଥିଲେ । ମୀର ହବିବ୍‌ ଇଚ୍ଛା କରିଥିଲେ ଅଧିକାର କରି ପାରିଥାନ୍ତେ; ହେଲେ ତାହାଙ୍କର ସାହସ ଆଣ୍ଟିଲା ନାହିଁ ।

 

ମୀର ହବିବଙ୍କ ଗୁପ୍ତଯାତ୍ରା ନବାବଙ୍କଠାରେ ଅବିଦିତ ରହିଲା ନାହିଁ । ହରକରା ସମ୍ବାଦ ଦେବା ମାତ୍ରେ ନବାବ କାଟୋୟା ପରିତ୍ୟାଗପୂର୍ବକ ମୁର୍‍ଶିଦାବାଦ ଯାତ୍ରା କଲେ ।

Image

 

–୩୦–

ପାନରାର ଉଦ୍ୱେଗ

 

ନବାବ ଫୌଜ ମଧ୍ୟରେ ନବନିଯୁକ୍ତ ହିନ୍ଦୁ ହାବିଲଦାରର ଶୌର୍ଯ୍ୟ-ବୀର୍ଯ୍ୟ-କାର୍ଯ୍ୟ କାହାଣୀ ବର୍ଗୀ ମଣ୍ଡଳୀରେ ଅବିଦିତ ରହିଲା ନାହିଁ । ସମସ୍ତେ ଅବଗତ ହେଲେ, ହିନ୍ଦୁ ହାବିଲଦାର ମନ୍ତ୍ରଣା ଏବଂ ବାହୁବଳରେ ନବାବ ବିଜୟୀ । ହାବିଲଦାରର ଘର ରୋହିଲାଖଣ୍ଡ, ହାବିଲଦାର ଯୁବକ । ଯୁଦ୍ଧକ୍ଷେତ୍ରରେ ବର୍ଗୀପକ୍ଷରୁ ଯେଉଁମାନେ ତାହାକୁ ଦେଖିଲେ, ତାହାର ରୂପ ସମ୍ବନ୍ଧରେ ମଧ୍ୟ ନାନାରୂପ ବର୍ଣ୍ଣନା କଲେ । ଆମ୍ଭମାନଙ୍କ ପୂର୍ବପରିଚିତ ସେହି ତାମ୍ବୁଳ ବିକ୍ରେତା ପାନେରା ମରହଟ୍ଟା ଫୌଜ ସଙ୍ଗେ ସଙ୍ଗେ ରହିଅଛି । ନିୟମିତରୂପେ ନିରୂପିତ ସ୍ଥାନରେ ତାହାର କାରବାର ଚଳୁଅଛି । ଆଜକୁ କେତେଦିନ ହେଲା ଲୋକେ ତାହାକୁ କିଛି ଅନ୍ୟମନସ୍କ ଦେଖୁଅଛନ୍ତି । କେହି ପାନ ମାଗିଲେ ଚୂନ ଦିଏ, ଗୁଆ ମାଗିଲେ ଚୂଆ ଦିଏ, ସଉଦା ଦେଇ ପଇସା ନେବାକୁ ଭୁଲେ । ଲୋକ ବିଶେଷରେ ପାନଖିଲ ଲାଞ୍ଚ ଦେଇ ମହିଷରେଖା ଯୁଦ୍ଧ କଥା, ଗଙ୍ଗାକୂଳ ଯୁଦ୍ଧ କଥା ଶୁଣେ । ସବୁ କଥା ମଧ୍ୟରେ ନବାବ ପକ୍ଷରେ ହିନ୍ଦୁ ହାବିଲଦାରର କଥା ଶୁଣିବା ତାହାର ଆଗ୍ରହ । କେବଳ ସେହି କଥା ଶୁଣିବା ସକାଶେ ଲୋକମାନଙ୍କୁ ଯୁଦ୍ଧପ୍ରସଙ୍ଗ ପ୍ରଶ୍ନ କରେ, ହେଲେ, ସୁସ୍ପଷ୍ଟରୂପେ କେବଳ ସେ ହିନ୍ଦୁ ହାବିଲଦାର କଥା ପଚାରିବାର କେହି ଶୁଣି ନାହିଁ । ପାନରା ଦିନକରେ ନିର୍ଜନରେ ବସି ଚିନ୍ତାକଲା, ‘ହେ ପ୍ରଭୋ, ହେ ଦୟାମୟ ! ସେତେ କି ମୋ ପ୍ରତି କୃପା କଲ ? ମୋ ଭାଗ୍ୟ କି ସୁପ୍ରସନ୍ନ ହେବ ? ପୁଣି କି ସେହି ଶ୍ରୀଚରଣ ଦର୍ଶନ କରିବି ? ତୁମ୍ଭ ଇଚ୍ଛା ପ୍ରଭୋ ! ଦୟାମୟ ବିପଦଭଞ୍ଜନ ! ତୁମ୍ଭ ଦୟାମୟ ନାମ ସାର୍ଥକ ହେଉ ।’

 

ପାନରା ଚିନ୍ତା କଲା, ‘ନିବାସ ରୋହିଲାଖଣ୍ଡ, ଲୋକେ ରୂପର ଯେପରି ବର୍ଣ୍ଣନା କରୁଅଛନ୍ତି, ପ୍ରତ୍ୟେକ କଥା ମିଳୁଅଛି, ନାମ କଣ ? ହିନ୍ଦୁ ହାବିଲଦାର ! ହିନ୍ଦୁ ହାବିଲଦାର ତ ନାମ ନୁହେଁ । ଆଚ୍ଛା ଏତେ କଥା କ୍ୟାଁ । ନିଜେ ଯାଇ ଦେଖିଆସିଲେ ତ ସବୁ ସନ୍ଦେହ ଦୂର ହେବ । ନବାବ ବର୍ତ୍ତମାନ ମୁର୍‍ଶିଦାବାଦରେ । ସୈନ୍ୟ ସେନାପତି ସମସ୍ତେ ସେହି ସ୍ଥାନରେ ଥିବେ । ‘ଶୁଭସ୍ୟ ଶୀଘ୍ରମ୍‌ ।’ ପାନରା ସେହି ମୁହର୍ତ୍ତରେ ଯାତ୍ରାରମ୍ଭ କଲା । ମାତ୍ର ମୁର୍‍ଶିଦାବାଦ ତାକୁ ଯିବାକୁ ପଡ଼ିଲା ନାହିଁ । ମାର୍ଗ ମଧ୍ୟରେ ମନର ସନ୍ଦେହ ଦୂର ହେଲା । ହିନ୍ଦୁ ହାବିଲଦାରର ନାମ କାନକଟା ହାବିଲଦାର; ମଧ୍ୟ ସେହି ଲୋକଟାର କାନ ନାହିଁ ।

 

ପାନରା ଭାବିଲା, ‘ଛି ! ଛି ! ମୁଁ କାହିଁରେ ଭୁଲିଲି ! ଆଜକୁ ଚାରି ଦିନ ହେଲା ଭ୍ରାନ୍ତିରେ ଭ୍ରମୁଅଛି । ବର୍ତ୍ତମାନ ସେହି ଦୁରାଚାର କିଛି ଅନ୍ୟମନସ୍କ କିମ୍ବା ଅସାବଧାନ । କିଏ ଜାଣେ ଏହି ଚାରି ଦିନ ମଧ୍ୟରେ ମୋତେ ସୁଯୋଗ ମିଳିଥାନ୍ତା । ମୁଁ କୁଳଦେବତାକୁ ଭଗବାନ୍‍ ଏକଲିଙ୍ଗଙ୍କ ନାମ ଧରି ପ୍ରତିଜ୍ଞା କରିଅଛି, ଜୀବନର ଏକ ମୁହୂର୍ତ୍ତ କାଳ ବୃଥା କାଟିବି ନାହିଁ, ଉଦ୍ଦେଶ୍ୟ ସାଧନରେ ସଚେଷ୍ଟା ଥିବି । ମୋ ଉଦ୍ଦେଶ୍ୟ ଅତୀବ ଭୀଷଣ, ଅତୀବ ଦୁରୂହ ହେଲେ ପ୍ରଭୁ ସାହା ହେବେ, ପ୍ରଭୁ ବଳ-ବିକ୍ରମ ବିତରଣ କରିବେ ।’

 

ପାନରା ଆପଣା ପୂର୍ବସ୍ଥାନକୁ ପ୍ରତ୍ୟାବୃତ୍ତ ହେଲା ।

Image

 

–୩୧–

ବର୍ଗୀ ବିଶ୍ରାମ

 

ନବାବ ଆଲିବର୍ଦ୍ଦି ଖାଁ କାଟୋୟା ପରିତ୍ୟାଗ କରିବା ମାତ୍ରେ ଭାସ୍କର ପଣ୍ଡିତ ସେ ସ୍ଥାନ ଅଧିକାର କରି ବସିଲେ । କାଟୋୟା ସୈନ୍ୟ ସାମାବେଶ ପକ୍ଷରେ ସମ୍ପୂର୍ଣ୍ଣ ଉପଯୋଗୀ । ଆଜକୁ ତିନିମାସ ହେଲା ବର୍ଗୀ ଏ ସ୍ଥାନରେ ବିଶ୍ରାମ କରି ସମରକ୍ଳାନ୍ତି ଦୂର କରୁଅଛନ୍ତି । ବର୍ଦ୍ଧମାନ, ବୀରଭୂମି, ବାଙ୍କୁଡ଼ା, ବରାକର ପ୍ରଭୃତି ସମସ୍ତ ସ୍ଥାନ ବର୍ଗୀ ହସ୍ତଗତ । ଲୋକ ବୁଝିଲେ, ବର୍ଗୀ ବଙ୍ଗେଶ୍ୱର ହେଲେ; ମାତ୍ର ଭାସ୍କର ପଣ୍ଡିତ ଆଶାନୁରୂପ ଅର୍ଥଲାଭରୁ ବଞ୍ଚିତ । ଭାସ୍କର ଭୟଙ୍କର ଅର୍ଥପିଶାଚ, ଅର୍ଥ ତାଙ୍କର ସର୍ବସ୍ୱ । ପାଇକମାନଙ୍କ ଅତ୍ୟାଚାରରେ ପ୍ରଜାମାନେ ଦେଶତ୍ୟାଗୀ, ଗୃହତ୍ୟାଗୀ ହୋଇଅଛନ୍ତି । ଅର୍ଥ କାହୁଁ ଆସିବ ? ସମସ୍ତ ଧନବନ୍ତ ହିନ୍ଦୁ ମୁସଲମାନ ଆପଣା ଆପଣା ସମ୍ପତ୍ତି ଘେନି କଲିକତାରେ ଇଂରେଜମାନଙ୍କ ଆଶ୍ରୟରେ ରହିଅଛନ୍ତି । ଏକା କଲିକତା ଲୁଣ୍ଠନ କଲେ ବିପୁଳ ବିତ୍ତ ହସ୍ତଗତ ହେବାର ସମ୍ଭାବନା, କିନ୍ତୁ କେତେ ଗୋଟି କାରଣରୁ ଭାସ୍କର ପଣ୍ଡିତ ଇଂରେଜମାନଙ୍କ ବିପକ୍ଷରେ ଅସ୍ତ୍ରଧାରଣ କରିନାହାନ୍ତି । ସଂଖ୍ୟାରେ ଇଂରେଜ ସ୍ୱଳ୍ପ ସତ୍ୟ, ମାତ୍ର ସେମାନଙ୍କ ଶୁଭ୍ର ସୈନିକ ସୁଶିକ୍ଷିତ, ସମରସମର୍ଥ, ଆଗ୍ନେୟାସ୍ତ୍ର ପରିଚାଳନାରେ ଅଦ୍ୱିତୀୟ, ପୁଣି ମାନ୍ଦ୍ରାଜ ପ୍ରଦେଶରେ ସେମାନଙ୍କର ଅନେକ ସୈନିକ ଅବସ୍ଥାନ କରୁଥିବାର ସମ୍ବାଦ ପ୍ରଚାରିତ ଅଛି । ପ୍ରୟୋଜନ ସମୟରେ ଘଟଣା ସ୍ଥଳରେ ସେମାନଙ୍କର ଉପସ୍ଥିତି ବିଳମ୍ବ ହୁଏ ନାହିଁ । ଏହା ମଧ୍ୟ ପ୍ରଚାରିତ ଥିଲା ଯେ, ସେମାନଙ୍କ ରାଜା ଜର୍ଜ ଅଦ୍ୱିତୀୟ ସମ୍ରାଟ, ଅନନ୍ତ ସମୁଦ୍ରର ଅଧିପତି, ଜଳଯୁଦ୍ଧରେ ତାହାଙ୍କ ସମକକ୍ଷ କେହି ନାହିଁ । ଏଥକୁ କଲିକତା ଲୁଣ୍ଠନ ଆପାତତଃ ଲାଭଜନକ ହେଲେ ହେଁ ପରିଣାମ ଭୟଙ୍କର । ଅଦ୍ୟାବଧି ବର୍ଷ ତ୍ରୟବ୍ୟାପୀ ବିପକ୍ଷତାରେ ଆଲିବର୍ଦ୍ଦି ବଶୀଭୂତ ହୋଇପାରି ନାହିଁ । ଏଥି ଉତ୍ତାରେ ଇଂରେଜ ସହିତ ସମରାରମ୍ଭ କରିବା ବର୍ଦ୍ଧିଷ୍ଣୁ ବିପଦମାର୍ଗ ବିସ୍ତାର କରିବା ତୁଲ୍ୟ ହେବ । ଅଗ୍ରପଶ୍ଚାତ୍‌ ଦୁଇ ଦିଗର ଶତ୍ରୁ ସହିତ ଯୁଦ୍ଧ କରିବା ସହଜସାଧ୍ୟ ନୁହେଁ । ଏହି ସମସ୍ତ କଥା ଚିନ୍ତାକରି କଲିକତା ଆକ୍ରମଣରୁ ନିବୃତ୍ତ ହେଲେ । କି ଉପାୟରେ ସମର୍ଥ ଶତ୍ରୁ ଆଲିବର୍ଦ୍ଦି ନିହତ ଓ ମୁର୍‍ଶିଦାବାଦ ଧନାଗାର ହସ୍ତଗତ ହେବ, ଭାସ୍କର ପଣ୍ଡିତ ପ୍ରତିନିୟତ ଏହି ଚିନ୍ତାରେ ନିମଗ୍ନ । ତାଙ୍କ ଅଦ୍ୱିତୀୟ ସହାୟ ମନ୍ତ୍ରଣାଦାତା ମୀର ହବିବ ସହସା ମୁର୍‍ଶିଦାବାଦ ଆକ୍ରମଣ ବିଲୁଣ୍ଠନ କରିବା ସକାଶେ ପ୍ରତିଦିନ ପରାମର୍ଶ ଦେଉଥାନ୍ତି । ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିଥିଲେ ସଫଳକାମ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଥିଲା, ମାତ୍ର ନାନା କାରଣରୁ ମନ୍ତ୍ରଣା କାର୍ଯ୍ୟରେ ପରିଣତ ହୋଇପାରି ନାହିଁ ।

Image

 

–୩୨–

ସମ୍ପେଦ ବିପଦେ ନବାବ

 

ଭୀଷଣ ବର୍ଗୀ ଯୁଦ୍ଧରୁ ନବାବ ଅକ୍ଷତ ଦେହରେ ବାହୁଡ଼ିବେ, ଏ ଆଶାକୁ ମୁର୍‍ଶିଦାବାଦବାସୀମାନେ ମନ ମଧ୍ୟରେ ସ୍ଥାନ ଦେଇ ନ ଥିଲେ । ଆପେ ନବାବ ମଧ୍ୟ ଯୁଦ୍ଧଯାତ୍ରା ସମୟରେ ଜୀବନାଶା ପରିତ୍ୟାଗ କରିଥିଲେ । ନବାବ ଅକ୍ଷତ, ସୁସ୍ଥ ଦେହରେ ପ୍ରତ୍ୟାଗତ ହୋଇଅଛନ୍ତି । ଆଜି ମୁର୍‍ଶିଦାବାଦ ଆନନ୍ଦ-ଉତ୍ସବରେ ପରିପୂର୍ଣ୍ଣ । ପୁଷ୍ପମାଳା ପତାକା, ଚୂତପଲ୍ଲବମାଳାରେ ରାଜମାର୍ଗ ପରିଶୋଭିତ । ସ୍ଥାନେ ସ୍ଥାନେ ମହୁରୀ କାହାଳୀ ପୁରବୀରାଗିଣୀ ଆଳାପ କରି ରୋଶନ ଚୌକୀ ବାଜୁଅଛି । ହିନ୍ଦୁମାନଙ୍କ ଦ୍ୱାର ଦେଶରେ କଦଳୀବୃକ୍ଷ ରୋପିତ ପୂର୍ଣ୍ଣକୁମ୍ଭ ସ୍ଥାପିତ ହୋଇଅଛି । ଖ୍ୟାତନାମା ମୌଲବୀ ସାହେବମାନେ ଅତର ସୁବାସିତ ମହାର୍ଘ ବସନରେ ଭୂଷିତ ହୋଇ ନବାବ ସାହେବଙ୍କ ଦୁଆ ମନାଇବା ସକାଶେ ଚଞ୍ଚଳପଦରେ ମସ୍‌ଜିଦକୁ ଲକ୍ଷ୍ୟ କରି ଚାଲିଅଛନ୍ତି । ସର୍ବସ୍ଥାନ ଗୀତ ବାଦ୍ୟ ଆନନ୍ଦ ଉତ୍ସବରେ ପରିପୂର୍ଣ୍ଣ । ଧନଶାଳୀ ଲୋକମାନେ ଦରିଦ୍ରମାନଙ୍କୁ ଅକାତରେ ଅର୍ଥ ବିତରଣ କରୁଅଛନ୍ତି । କି ସମ୍ଭ୍ରାନ୍ତ, କି ସାମନ୍ୟ ନଗରବାସୀ ସମସ୍ତେ ନବାବଙ୍କୁ ଦର୍ଶନ କରିବା ସକାଶେ ଆନନ୍ଦ ମନରେ ଧାବିତ । ସିଂହଦ୍ୱାରଠାରେ ନବାବ ହସ୍ତୀରୁ ଓହ୍ଲାଇ ସମାଗତ ସମସ୍ତ ଲୋକଙ୍କୁ ଯଥାଯୋଗ୍ୟ ସାଦର ସମ୍ଭାଷଣ ଦ୍ୱାରା ଆପ୍ୟାୟିତ କରି ଦୌହିତ୍ର ସିରାଜଉଦ୍ଦୌଲାର ହସ୍ତ ଧାରଣ ପୂର୍ବକ ମହଲକୁ ବିଜେ କଲେ । ବେଗମ ସାହେବା ବନ୍ଦୀମାନଙ୍କ ସହିତ ଆସି ସସମ୍ଭ୍ରମରେ ପାଛୋଟି ଘେନିଗଲେ । ସର୍ବସାଧାରଣଠାରୁ ବେଗମ ସାହେବା ବିଶେଷ ଆନନ୍ଦିତା । ନବାବଙ୍କ ଯୁଦ୍ଧଯାତ୍ରା ଦିବସରୁ ସେ ଜୀବନ୍ମୃତା ତୁଲ୍ୟ ପଡ଼ି ରହିଥିଲେ । ଜୀବନବଲ୍ଲଭଙ୍କୁ ପାଇ ପ୍ରକୃତ ଜୀବନ ପ୍ରାପ୍ତ ହୋଇଅଛନ୍ତି । ହାସ୍ୟକୌତୁକ, ଗୀତବାଦ୍ୟ, ଆନନ୍ଦ ଉତ୍ସବରେ ବେଗମ ମହଲ କମ୍ପିତ ହେଉଅଛି । ବେଗମ ସାହେବା ସିରାଜଉଦ୍ଦୌଲାକୁ କୋଳରେ ବସାଇ ବାରମ୍ବାର ମୁଖ ଚୁମ୍ବନ କରିବାକୁ ଲାଗିଲେ । ନବାବ ଆଲିବର୍ଦ୍ଦି ଖାଁଙ୍କର ଅନ୍ୟ ସହସ୍ର ଦୁର୍ଗୁଣ ଥାଉ ପଛକେ, ଗୋଟିଏ ସୁମହତ୍‌ ଗୁଣ ଥିଲା, ସେ ଏକପତ୍ନୀବ୍ରତ । ବହୁପତ୍ନୀପ୍ରିୟ ମୁସଲମାନ ନବାବ ମଣ୍ଡଳୀରେ ଏହା ଗୋଟିଏ ବିଚିତ୍ର ଦୃଶ୍ୟ । ଏଥକୁ ପ୍ରକୃତ ଦାମ୍ପତ୍ୟ ପ୍ରେମର ଦେବଦୁର୍ଲ୍ଲଭ ସୁଖଭୋଗ ତାହାଙ୍କ ପକ୍ଷରେ ସୁଲଭ ଥିଲା । ବେଗମ ସାହେବା ଆଜି ସମସ୍ତ ଦିନ ବ୍ୟାପୀ ଅର୍ଥ ବିତରଣ ଦ୍ୱାରା ଆପଣାର ଧନାଗାର, ବସ୍ତ୍ରାଗାର ଶୂନ୍ୟ କରି ପକାଇଲେଣି ।

 

ହାବିଲଦାର, ସର୍ଦ୍ଦାର, ମନସବଦାର, ଜମାଦାର, ସିପାହୀମାନେ ଦୁଷମନ୍‌ ମାରି ଜଙ୍ଗ୍‌ ଫତେ କରି ଫେରିଅଛନ୍ତି । ବିବିମାନଙ୍କର ଆନନ୍ଦରେ ସୀମା ନାହିଁ । ନାସ୍ତା ସକାଶେ ମିଠାଇ, ମୋହନଭାଗ, କଚୁରୀ, ପରୋଟା, ସିମାଇ, ଖିରଣୀ ପ୍ରସ୍ତୁତ କରି ସାରି ପଲାଓ, ସୁରୁଆ, ଖେଚଡ଼ି ରାନ୍ଧିବାକୁ ବସିଯାଇ ଅଛନ୍ତି । ପକ୍ଷାଧିକକାଳ ଏହିପରି ଆନନ୍ଦ ଉତ୍ସବ, ନୃତ୍ୟ, ଗୀତ, ଖାନା ଜାଫତ ମାଫତରେ କଟିଗଲା ।

 

ଆମ୍ଭମାନଙ୍କର ଆଦିପିତା ପ୍ରଥମ ଦିବସ ସୂର୍ଯ୍ୟୋଦୟ ଦେଖି ଭାଳିଥିବେ, ଏହି ଦୀପ୍ତିମୟ ପଦାର୍ଥ ସର୍ବଦା ଗଗନ ମଣ୍ଡଳରେ ବିରାଜିତ ଥିବ, ପୃଥିବୀ ଏହିପରି ଆଲୋକିତ ହୋଇ ରହିଥିବ । ମାତ୍ର ସାୟାହ୍ନ ସମୟରେ ସେ ସୂର୍ଯ୍ୟାସ୍ତ ଦେଖି ଅବଶ୍ୟ ଚମତ୍କୃତ, ଭୀତ ହୋଇ ପଡ଼ିଥିବେ । ଅଧିକନ୍ତୁ ରଜନୀର ଅନ୍ଧକାର ସମାଗମ ଦେଖି ମନରେ ଭାଳିଥିବେ, ପୃଥିବୀ ଚିରକାଳ ଅନ୍ଧକାରବ୍ୟାପ୍ତ ହୋଇ ରହିବ । ଯେଉଁ ସୂର୍ଯ୍ୟ ଅସ୍ତ ଗଲେ ତାଙ୍କର ଆଉ ଉଦୟ ହେବ ନାହିଁ । ସେହିପରି ଆମ୍ଭେମାନେ ସୁଖ ସମୟରେ ଏପରି ଉନ୍ନତ ହୋଇପଡ଼ୁ ଯେ, ଅତଃପର ଯେ ଦୁଃଖ ଆସୁଅଛି, ଏ କଥା ମନ ମଧ୍ୟରେ ସ୍ଥାନ ଦେବାକୁ ଅବସରର ଅଭାବ ହୁଏ । ଦୁଃଖ ସମୟରେ ମଧ୍ୟ ସେହିପରି ନୈରାଶ ଆସି ଆମ୍ଭମାନଙ୍କର ହୃଦୟକୁ ଆଚ୍ଛନ୍ନ କରି ରଖେ ।

 

ମୁର୍‍ଶିଦାବାଦରେ ଏତେ ଯେ ଆନନ୍ଦ, ଏତେ ଯେ ଉତ୍ସବ, ସବୁ ପ୍ରସ୍ଫୁଟିତ ଶେଫାଳିକା କୁସୁମବତ୍‌ ହଠାତ୍‌ ଅନ୍ତର୍ହିତ ହୋଇଗଲା । ଘୋର ବିପଦ ! ତିନି ଦିଗରୁ ତିନି ପ୍ରବଳ ପରିପନ୍ଥୀ ଉପସ୍ଥିତ ।

 

ପ୍ରଥମ ଶତ୍ରୁ–ପ୍ରବଳ ପ୍ରଧାନ ଶତ୍ରୁ ଭାସ୍କର ପଣ୍ଡିତ । ସେ ତ ଲାଗି ରହିଅଛନ୍ତି ।

 

ଦ୍ୱିତୀୟ ଶତ୍ରୁ–ବାଲାଜୀ ରାଓ ହୁଲକାର ଚୌଥ ଆଦାୟ ନିମନ୍ତେ ବେହାର ପ୍ରଦେଶରେ ଲୁଟପାଟ ଆରମ୍ଭ କରିଅଛନ୍ତି ।

 

ତୃତୀୟ ଶତ୍ରୁ–ଦିଲ୍ଲୀ ବାଦସାହାଙ୍କ କାରକୁନ । ବଙ୍ଗଳା, ସୁବାର ରାଜସ୍ୱ ଦୁଇବର୍ଷ ହେଲା ଦିଲ୍ଲୀ ଗନ୍ତାଘରେ ପୈଠ ନ ହେବାରୁ ବାଦସାହ ସରକାରରୁ ପରୁଆନା ଆଣି କାର୍‌କୁନ ମୁର୍‍ଶିଦାବାଦରେ ଜୁଲମ ଲଗାଇଅଛନ୍ତି ।

 

ନବାବଙ୍କ ଭାବନାର ଇୟତ୍ତା ନାହିଁ । ଅଭାବବେଳେ ସର୍ବତ୍ର ଅଭାବ । ଗନ୍ତାଘର ଅର୍ଥାଭାବ । ପ୍ରଜାଙ୍କଠାରୁ ଖଜଣା ଅସୁଲ ହେବାର ସମ୍ଭାବନା ନାହିଁ । ମୂଳରେ ମାନବାଭାବ, ଖଜଣାଦେବ କିଏ ? ଯେଉଁ ପ୍ରଜାମାନେ ନିତାନ୍ତ ମାୟା ନ ଛାଡ଼ି ପୈତୃକ ଭିଟାରେ ପଡ଼ି ରହିଅଛନ୍ତି, ସେମାନେ ସର୍ବସ୍ୱାନ୍ତ । ଦେଶର କୃଷିଯୋଗ୍ୟ ସମସ୍ତ ଜମି ପତିତ । ପ୍ରତିବିଧାନ ନ ହେଲେ ଭବିଷ୍ୟତରେ ମଧ୍ୟ ଅର୍ଥାଗମର ଉପାୟ ନାହିଁ । ଜଗତ୍‌ ସେଠ୍‍ ଠାରୁ ଧାର କରଜ କରି ଅଭାବ ମୋଚନ କରନ୍ତେ, ମୀର ହବିବ ସେ ମାର୍ଗରେ କଣ୍ଟକପାତ କରି ଯାଇଅଛି ।

 

ନବାବ ଆଲିବର୍ଦ୍ଦି ଖାଁ ପ୍ରବୀଣ ଧୈର୍ଯ୍ୟଶୀଳ ଲୋକ । ଏହି ବିପଦସଙ୍କୁଳ ସମୟରେ ବିଚଳିତ ହେଲେ ନାହିଁ । ଦିଲ୍ଲୀ ବାଦସାହାଙ୍କଠାକୁ ଅର୍ଜିକଲେ, ‘‘ପ୍ରଭୋ ! ବର୍ଗୀବର୍ଗ ସୁବା ମଧ୍ୟରେ ଉତ୍ପାତ ଲଗାଇ ଅଛନ୍ତି, ରାଜ୍ୟ ଅରଣ୍ୟମୟ, ଆପଣଙ୍କ ରାଜସ୍ୱ କିପରି ଆଦାୟ କରିବି ?’’

 

ବାଦସାହା ନବାବଙ୍କ ଆବେଦନର ସତ୍ୟତା ପ୍ରମାଣ ପାଇଁ ରାଜସ୍ୱ ମହକୁବ ରଖିଲେ । ଅଧିକନ୍ତୁ ତାହାଙ୍କୁ ପାଇକଦ୍ୱାରା ସାହାଯ୍ୟ ଦେବା ନିମନ୍ତେ ଅଯୋଧ୍ୟା ସୁବାଦାରଙ୍କ ନିକଟକୁ ପରୁଆନା ପଠାଇଲେ । ନବାବ କିଞ୍ଚିତ୍‌ ଆଶ୍ୱସ୍ତ ହେଲେ । ତଥାପି ଦୁଇ ପ୍ରବଳ ଶତ୍ରୁ ବର୍ତ୍ତମାନ । ଗୋଟିଏ ଶତ୍ରୁକୁ ଶାସନ କରି ହେଉନାହିଁ, ଦୁଇଗୋଟି ଶତ୍ରୁ ସହିତ ଯୁଦ୍ଧ କରିବା ସହଜସାଧ୍ୟ ନୁହେଁ-

 

ମନ୍ତ୍ରୀମାନଙ୍କ ମନ୍ତ୍ରଣାନୁସାରେ ହୁଲକାର ସହିତ ସନ୍ଧି କରିବାର ସିଦ୍ଧାନ୍ତ ହେଲା । ନାନାରୂପ ଉପାଦେୟ ଉପହାର ସହିତ ଜାନକୀରାମ, ସର୍ଦ୍ଦାର ଖାଁ ଦୁଇ ଜଣ ସନ୍ଧିପ୍ରସ୍ତାବ କରିବା ସକାଶେ ହୁଲକାରଙ୍କ ନିକଟକୁ ପ୍ରେରିତ ହେଲେ । ରୋଗୀର ବାଞ୍ଛିତ ବୈଦ୍ୟର ବ୍ୟବସ୍ଥା । ହୁଲକାରଙ୍କର ତାହାହିଁ ଇଚ୍ଛା । ବିନା ଯୁଦ୍ଧ, ବିନା ରକ୍ତପାତ, ବିନା ପରିଶ୍ରମରେ ଯେବେ ଅର୍ଥଲାଭ ହେଲା, ଏଥୁ ବଳି ସୁଖର କଥା ଆଉ କଣ ଅଛି ?

 

ରାଜମହଲ ନିକଟରେ ନବାବ ଏବଂ ହୁଲକାରଙ୍କ ମଧ୍ୟରେ ଭେଟ ହେଲା । ନବାବ ସାହେବ କେତେକ ଉପାଦେୟ ଦ୍ରବ୍ୟ ଉପହାର ଦେଇ ମଧୁର ବାକ୍ୟରେ ତାହାଙ୍କୁ ସାନ୍ତ୍ୱନା କରିବାକୁ ଲାଗିଲେ । ମାତ୍ର ହୁଲକାର କେବଳ କଥାରେ ଭୁଲିବାର ଲୋକ ନୁହନ୍ତି, ତାଙ୍କର ଲକ୍ଷ୍ୟ ଅର୍ଥ ପ୍ରତି । ଏଣେ ତାଙ୍କ ବାସନା ପୂର୍ଣ୍ଣ କରିବା ନିମନ୍ତେ ନବାବ ଆପାତତଃ ଅକ୍ଷମ । ଅବଶେଷରେ ସ୍ଥିର ହେଲା, ହୁଲକାରଙ୍କ ଓକିଲ ମୁର୍‍ଶିବାଦରେ ରହିବେ, ଚାରିମାସ ଉତ୍ତାରେ ସନ୍ଧି ସର୍ତ୍ତ ଅନୁସାରେ ଏକ କ୍ରୋରର ଟଙ୍କା ଘେନି ପଶ୍ଚାତ୍ ରମାନା ହେବେ ।

 

ବାଲାଜୀ ହୁଲକାର ସସୈନ୍ୟ ସ୍ୱଦେଶକୁ ରାମାନା ହେଲେ ।

 

ଏଣେ ବେରାର ଫୌଜଦାର ଭାସ୍କର ପଣ୍ଡିତ ଏତାବତ୍ କାଳ ନିଶ୍ଚେଷ୍ଟ ଭାବରେ କାଟୋୟାରେ ଦିନ କାଟୁଥିଲେ । ସମ୍ପ୍ରତି ହୁଲକାର ନବାବଙ୍କଠାରୁ ଏକ କ୍ରୋର ଟଙ୍କା ଘେନି ଯିବାର ଶୁଣି ସମରାୟୋଜନ କରିବାକୁ ଲାଗିଲେ ।

Image

 

–୩୩–

ନବାବ ବାଦଲସିଂହ ବାଗ୍‌ବିତଣ୍ଡା

 

ରାତ୍ରି ପ୍ରହରକେ ଅତୀତ ପ୍ରାୟ, ନବାବ ସାହେବଙ୍କ ମହଲସ୍ଥ ଏକ ନିଭୃତ ପ୍ରକୋଷ୍ଠ ମଧ୍ୟରେ ଦୁଇ ଜଣ ଲୋକ ବସି ଅତି ସଂଗୋପନରେ କଥୋପକଥନ କରୁଛନ୍ତି । ତୃତୀୟ ଲୋକ ନାହିଁ । ଦ୍ୱାରଦେଶରେ ଉନ୍ମୁକ୍ତ କୃପାଣହସ୍ତ ପ୍ରହରୀ ସାବଧାନତା ସହିତ ସ୍ୱକାର୍ଯ୍ୟ ସାଧନରେ ନିଯୁକ୍ତ-

 

‘ଦେଖ ହାବିଲଦାର ବାଦଲସିଂହ, ଆମ୍ଭ ଦୁଇ ଜଣଙ୍କର ଏକମାତ୍ର ଉଦ୍ଦେଶ୍ୟ ଭାସ୍କର ପଣ୍ଡିତଙ୍କର ନିଧନ ସାଧନ । ମାତ୍ର ବର୍ତ୍ତମାନ ଆମ୍ଭର ଯାଦୃଶ ଅବସ୍ଥା, ସନ୍ଧି ବ୍ୟତୀତ ଗତ୍ୟନ୍ତର ନାହିଁ ।’’

 

ନବାବ ଆଲିବର୍ଦ୍ଦି ଖାଁ ଏହି କଥା କହିବାରୁ ବାଦଲ ସିଂହ କିଞ୍ଚିତ୍‌ ଉତ୍ତେଜିତ ହୋଇ କହିଲେ, ‘‘ହଜୁର ଜାହାଁପନା ! ମୋ ଗୋସ୍ତାକି ମାଫ ହେଉ, ତେବେ ମୋ ଇସ୍ତଫା ଗ୍ରହଣ କରନ୍ତୁ, ମୁଁ ଚାଲିଯାଏଁ । ହଜୁର ହୁକୁମ କରୁଅଛନ୍ତି ଦୁଇ ଜଣଙ୍କର ଉଦ୍ଦେଶ୍ୟ ଏକା, ନାହିଁ ସେକଥା ନୁହେଁ । ହୁଜୁରଙ୍କ ଉଦ୍ଦେଶ୍ୟ ରାଜ୍ୟଶାସନ, ମୋ ଉଦ୍ଦେଶ୍ୟ ବୈର ସାଧନ । ହଜୁର ହଜାର ଉପାୟରେ ଦୁଷ୍‌ମନର ମେହେରବାନି କ୍ରୟ କରନ୍ତୁ, ମୁଁ ଚାଲିଯାଏଁ । ମୁଁ ଏହି କଥା ମନ ମଧ୍ୟରେ ପୋଷଣ କରି ଯାଏଁ–ବଙ୍ଗ, ବିହାର, ଓଡ଼ିଶାର ସୁବାଦାର ପ୍ରତିଶ୍ରୁତି ପାଳନରେ ଉଦାସୀନ । ଜଗତ୍‌ ଜାଣନ୍ତୁ, ନବାବ ସାହେବ ହୀନବଳ, ତାଙ୍କର ସ୍ୱକୀୟ ଶକ୍ତି କିଛି ମାତ୍ର ନାହିଁ, ଦୁଷ୍‌ମନଠାରୁ କୃପା କ୍ରୟ କରି ରାଜ୍ୟଶାସନ କରୁଅଛନ୍ତି । କଲିକତାର ଇଂରେଜ ବଣିକମାନେ ଜାଣନ୍ତୁ, ଭୟ ପ୍ରଦର୍ଶନ ଦ୍ୱାରା ନବାବଙ୍କଠାରୁ ଟଙ୍କା ଅସୁଲ କରିନେବା କିମ୍ବା କିଞ୍ଚିତ୍‌ ବଳ ବିକ୍ରମ ପ୍ରକାଶ କରି ନବାବୀ ତକ୍ତ ହସ୍ତଗତ କରିବା ଶକ୍ତ କଥା ନୁହେଁ । ଦିଲ୍ଲୀ ବାଦସାହ ଜାଣନ୍ତୁ, ଉପଯୁକ୍ତ ଲୋକ ହସ୍ତରେ ନବାବୀ ନ୍ୟସ୍ତ ହୋଇନାହିଁ ।’’

 

ନବାବ ସାହେବ କହିଲେ, ‘‘ବାଦଲ ! ତୁମ୍ଭେ ଧୈର୍ଯ୍ୟଧରି ରହ, ସମୟରେ ତୁମ୍ଭ ଅଭୀଷ୍ଟ ସାଧନ ସକାଶେ ସହାୟ ହେବୁଁ । ଆମ୍ଭ ନିକଟରୁ ଚାଲି ଯାଇ ଏକାକୀ କ’ଣ କରିବ ?’’

 

ବାଦଲ ସିଂହ–ମୁଁ ଏକାକୀ ନୁହେଁ, ସର୍ବଶକ୍ତିମାନ ଭଗବାନ ଏକଲିଙ୍ଗ ମୋହର ସହାୟ-। ମୋହର ଉଦ୍ଦେଶ୍ୟ ଯେବେ ସାଧୁ ହୁଏ । ପ୍ରଭୁ ମୋର ସହାୟ ହେବେ । ସାଧୁ ସଂକଳ୍ପରେ ସର୍ବଶକ୍ତିମାନ ପ୍ରଭୁ ସହାୟ ହୁଅନ୍ତି । ମାନବର ଭରସା ବିଡ଼ମ୍ବନା ମାତ୍ର । ଦୃଷ୍ଟାନ୍ତ ସଂଗ୍ରହ କରିବା ସକାଶେ ଅଧିକ ଦୂର ଯିବାକୁ ହେବ ନାହିଁ । ମୁଁ ପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରିଅଛି–ପିତୃଘାତୀକୁ ସ୍ୱହସ୍ତରେ ବଧ କରିବି ନଚେତ୍‌ ଆତ୍ମଘାତୀ ହେବି । କ୍ଷତ୍ରିୟଜାତି ସତ୍ୟବାଦୀ; କ୍ଷତ୍ରିୟର ପ୍ରତିଜ୍ଞା ଅଟଳ, କୌଣସି ପ୍ରକାର ବାଧାବିଘ୍ନ, କୌଣସି ପ୍ରକାର ପ୍ରଲୋଭନ ମୋତେ ପ୍ରତିଜ୍ଞା ପାଳନରୁ ବିଚଳିତ କରାଇ ପାରିବ ନାହିଁ । ଆପଣ ସତ୍ୟ ପ୍ରତିଜ୍ଞା କରି ଯାହା କହିଥିଲେ, ଆଜି ସେଥିରେ ଅନ୍ୟଥାଚରଣ କରିବାକୁ କୁଣ୍ଠିତ ହେଲେ ନାହିଁ, ଅଥବା ରାଜପୁରୁଷ ପକ୍ଷରେ ଏହା ବିଚିତ୍ର ନୁହେଁ । ରାଜନୀତି ସ୍ୱଭାବରେ ବହୁରୂପା; ଏଥକୁ ରାଜପୁରୁଷମାନଙ୍କୁ ବହୁରୂପ ଧାରଣ କରିବାକୁ ହୁଏ । ମାତ୍ର ମୋ କଥା ସ୍ୱତନ୍ତ୍ର । ମୁଁ ଅନ୍ନଦାସ ହୋଇ ଆପଣଙ୍କ ନିକଟରେ ଚାକିରି କରିପାରିବି ନାହିଁ । ଏହିକ୍ଷଣି ମୋ ଇସ୍ତଫା ଗ୍ରହଣ କରନ୍ତୁ ।

 

ବାଦଲସିଂହ ମୁଖରୁ ଏହି ସମସ୍ତ କଥା ଶୁଣି ନବାବ ବିରକ୍ତି ହେଲେ ନାହିଁ, ବରଞ୍ଚ ଲଜ୍ଜିତ ହେଲେ ।

 

ନବାବ ଚିନ୍ତାକଲେ, ବାଦଲ ଆପଣା ପ୍ରାଣପ୍ରତି ନିର୍ମମ । ଯେଉଁ ଲୋକ ମୃତ୍ୟୁକୁ ଭୟ ନ କରେ, ସେ ଜଗତରେ ନିର୍ଭୀକ । ନବାବ ଆହୁରି ମଧ୍ୟ ଚିନ୍ତା କଲେ, ବାଦଲ ଧନାଭିଳାଷୀ ନୁହେଁ କିମ୍ବା ପଦମର୍ଯ୍ୟାଦା ଲାଭ ନିମନ୍ତେ ଆମ୍ଭଠାରେ ଚାକିରି କରିନାହିଁ । ଏ କ୍ଷେତ୍ରରେ ସେ କିମ୍ପାଇଁ ଅସଦ୍‌ବ୍ୟବହାର ପାଇଁ ଆମ୍ଭଙ୍କୁ ଅସମ୍ମାନ ନ କରିବ ?

 

ନବାବ ମନରେ ଉଦୟ ହେଲା, ବାଦଲସିଂହ ପିଲା, ଆମ୍ଭ ଅଧୀନସ୍ଥ ଲୋକ; ତାହାଠାରେ ପ୍ରତିଜ୍ଞା ପାଳନରେ ବିମୁଖ ହେଲୁଁ, ଲଜ୍ଜାକର କଥା ।

 

ନବାବ ଆହୁରି ମନ ମଧ୍ୟରେ ଭାଳିଲେ, ବାଦଲସିଂହ ହିନ୍ଦୁ କାଫେର, ପ୍ରତିଜ୍ଞା ପାଳନରେ ଅଟଳ । ମୁଁ ମୁସଲମାନ ବାଚ୍ଚା ହୋଇ ବାଚ ବିଚଳିତ ହେଲି, ଛି!

 

ଏହି ସମସ୍ତ କଥା ଚିନ୍ତାକରି ନବାବ କହିଲେ, ‘‘ବାଦଲ ! ତୁମ୍ଭେ ପିଲାଲୋକ, କଥା ନ ବୁଝି ଆମ୍ଭ ପ୍ରତି ବିରକ୍ତ ହେଉଅଛ । ଦେଖ, ଆଜକୁ ତିନି ବର୍ଷ ହେଲା ବର୍ଗୀ ଆମ୍ଭ ସଙ୍ଗରେ ଲାଗିଅଛି । ଆମ୍ଭକୁ ସର୍ବସ୍ୱାନ୍ତ କରି ପକାଇଲାଣି । ଦେଖ, ଆମ୍ଭର କମାଣ ନାହିଁ, ବନ୍ଧୁକ ନାହିଁ, ଖାଇବାକୁ ମଧ୍ୟ ମୁଠାଏ ନାହିଁ, ଗନ୍ତାଘରଶୂନ୍ୟ ଦେଖି କାଳିବାସି କେହି ଦେଉ ନାହାନ୍ତି । ରାଜ୍ୟ ଲଣ୍ଡ ଭଣ୍ଡ, କାହାକୁ ଘେନି କ’ଣ ଧରି ଯୁଦ୍ଧ କରିବୁଁ ? ଆହୁରି ଦେଖ, ନିବାଶିତ ଚିନ୍ତା, ଯୁଦ୍ଧକ୍ଷେତ୍ରରେ ଅନାହାର, ଅନିଦ୍ରାରେ ଦେହ ଭାଙ୍ଗିଗଲାଣି; ଆଉ ଶକ୍ତି ନାହିଁ । ଦେଖ ବାଦଲ, ଆମ୍ଭ ଶରୀର ଦେଖ, ଆମ୍ଭେ କି ସହଜରେ ସନ୍ଧି କରିବାକୁ ସ୍ୱୀକୃତ ହୋଇଅଛୁ ? ଯୁଦ୍ଧକ୍ଷେତ୍ରର ଅବସ୍ଥା ତୁମ୍ଭକୁ ବୋଲିବାକୁ ହେବ ନାହିଁ । ସେହି ସଙ୍କଟ ସମୟରେ ତୁମ୍ଭେ ସହାୟ ହୋଇନଥିଲେ ଆଜି କଣ ହୋଇଥାନ୍ତା ! ପ୍ରକୃତ କଥା ବାଦଲ, ତୁମ୍ଭ ପ୍ରତିଜ୍ଞା ଶୁଣି ଆମେ କେଡ଼େ ଦିଲ୍‌ ବାନ୍ଧିଥିଲୁ, କଣ କରିବୁ ? ନାଚାର ।’’

 

ବାଦଲ ସିଂହ କିଞ୍ଚିତ୍‌ ଅପ୍ରତିଭ, ବିନୀତ ହୋଇ କହିଲେ, ‘‘ଜାହାଁପନା, ହଜୁର ! ଦୁଷମନ୍‌ ବିନାଶର କି ଅନ୍ୟ କିଛି ଉପାୟ ନାହିଁ ?’’

 

ଏ ଉତ୍ତାରେ ନବାବ ଓ ବାଦଲ ସିଂହ ଦୁଇଜଣ ଅନେକ ରାତ୍ରି ପର୍ଯ୍ୟନ୍ତ ଅତି ସଂଗୋପନରେ ବସି ମନ୍ତ୍ରଣା କଲେ । ଏତେ ସାବଧାନ, ଏତେ ଅନୁଚ୍ଚ ସ୍ୱରରେ କଥୋପକଥନ ହେଲେ ଯେ, ଅନ୍ୟ ପ୍ରାଣୀର ଅଗୋଚର । ଅବଶେଷରେ ନବାବ କହିଲେ, ‘‘ପାରିବ ତ ?’’

 

ବାଦଲ ସିଂହ, ‘‘ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ । ଜାହାଁପନା, ମୁଁ ଧର୍ମ ଅଧର୍ମ ଜାଣେ ନାହିଁ, ନ୍ୟାୟ ଅନ୍ୟାୟ ଜାଣେ ନାହିଁ । ଏତିକି ଜାଣେ ପିତୃଘାତୀ ମୋହର ବଧ୍ୟ । ସ୍ୱହସ୍ତରେ ପିତୃହନ୍ତାକୁ ବଧ କରିବି, ଏହା ହିଁ ମୋହର ପ୍ରତିଜ୍ଞା । ପିତୃବୈର ସାଧନକୁ ମହା ପୂଣ୍ୟକର ବିଷୟ ଜ୍ଞାନ କରେଁ-। ଯେନ ତେନ ପ୍ରକାରେଣ ଶତ୍ରୁ ନିପାତ ସାଧନ ଧର୍ମଶସ୍ତ୍ରର ବିଧାନ । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କୌଶଳରେ ଜରାସନ୍ଧକୁ ବିନାଶ କରିଥିଲେ ।’’

 

ନବାବ, ‘‘ସେନାପତି ମୁସ୍ତାଫା ଏଥିରେ ସମ୍ମତ ହେବେ କି ନାହିଁ ମୋହର ସନ୍ଦେହ ଅଛି-।’’

 

ବାଦଲ–‘‘ଆପଣଙ୍କ କାବୁଲି କିସମିସବାଲା ସେନାପତିଙ୍କୁ ଭଲକରି ଚିହ୍ନିଲିଣି । ଭୁକିଲା କୁକୁର ମୁହଁରେ ମାଂସ ଖଣ୍ଡେ ଗୁଞ୍ଜି ଦେଲେ ତୁନି ।’’

Image

 

–୩୪–

ସନ୍ଧିପ୍ରସ୍ତାବ–ଚତୁରେ ଚାତୁରୀ

 

କାଟୋୟାଠାରେ ଭାସ୍କର ପଣ୍ଡିତଙ୍କ ତମ୍ବୁ ମଧ୍ୟରେ ନବାବ ପ୍ରେରିତ ଦେବାନ ଜାନକୀରାମ, ପଞ୍ଚ ପ୍ରହରୀ, ମନସବଦାର ସର୍ଦ୍ଦାର ଖାଁ ଏବଂ ସ୍ୱୟଂ ଭାସ୍କର ପଣ୍ଡିତ ତିନି ଜଣ ବସି ସନ୍ଧି ସମ୍ବନ୍ଧରେ କଥୋପଥନ କରୁଅଛନ୍ତି । ଅନେକ ତର୍କ ବିତର୍କ, ଅନେକ ବାଦାନୁବାଦ ଅନେକ କଥୋପକଥନ ଉତ୍ତାରେ ଜାନକୀରାମ କହିଲେ, ‘‘ଦେଖିବା ହେଉ ପଣ୍ଡିତଜୀ, ମୁଁ ହିନ୍ଦୁ । ହିନ୍ଦୁ ହିନ୍ଦୁର ମଙ୍ଗଳ କାମନା କରିବା ସ୍ୱାଭାବିକ । ଅପରନ୍ତୁ ମୁଁ ନବାବସାହେବଙ୍କ ବର୍ତ୍ତନଗ୍ରାହୀ ଭୃତ୍ୟ, ଏଥକୁ ତାଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରିବା ମଧ୍ୟ ମୋ ପକ୍ଷରେ ଅବଶ୍ୟ କର୍ତ୍ତବ୍ୟ । ବର୍ତ୍ତମାନ ମୁଁ ଉଭୟ ପକ୍ଷର ମଙ୍ଗଳସାଧକ କାର୍ଯ୍ୟ ପ୍ରତି ଦୃଷ୍ଟି ରଖି ବୋଲୁଅଛି, ମିଳନ ସର୍ବାଂଶରେ ଶ୍ରେୟଃପ୍ରଦ ଅଟେ । ବିଚାର କରି ଦେଖନ୍ତୁ, ଏଥି ବିଷୟରେ ବରଞ୍ଚ ଆପଣଙ୍କ ପକ୍ଷରେ ଅଧିକତର କଷ୍ଟଲାଭର ସମ୍ଭାବନା । ସୁଲଭ ନିଶ୍ଚିତ-ଲାଭ ତ୍ୟାଗପୂର୍ବକ ସଙ୍କଟସଙ୍କୁଳ ଅନିଶ୍ଚିତ ଲାଭ ପ୍ରତ୍ୟାଶ୍ୟା କରିବା ଜ୍ଞାନସମ୍ପନ୍ନ ଲୋକ ପକ୍ଷରେ କଦାଚ ଅନୁମୋଦନୀୟ ନୁହେଁ । ନବାବ ସାହେବଙ୍କ ପକ୍ଷରୁ ସନ୍ଧି ପ୍ରସ୍ତାବର ଉଦ୍ଦେଶ୍ୟ ଆପଣଙ୍କ ପରି ଜ୍ଞାନୀ ଲୋକଠାରେ ସଠିକ ବ୍ୟାଖ୍ୟା କରିବା ନିଷ୍ପ୍ରୟୋଜନ । ବର୍ଷତ୍ରୟ ବ୍ୟାପୀ ଯୁଦ୍ଧରେ ଉଭୟ ପକ୍ଷର ବଳ ବଳ ଉଭୟ ପକ୍ଷଠାରେ ଅବିଦିତ ନାହିଁ । ଏ କ୍ଷେତ୍ରରେ ଆପଣ ସହଜରେ ଅନୁଭବ କରିପାରନ୍ତି, କି ସକାଶେ ସନ୍ଧି ବାଞ୍ଛନୀୟ । ଆଉ ଜୟ ପରାଜୟ କେବଳ ବଳାବଳ ପ୍ରତି ନିର୍ଭର କରେ ନାହିଁ । ବିଜୟଲକ୍ଷ୍ମୀ ସମ୍ପୂର୍ଣ୍ଣ ଦୈବାଧୀନା । ଅପରନ୍ତୁ ବର୍ତ୍ତମାନ ଦେଶରେ ଯେ ପ୍ରକାର ଅବସ୍ଥା, ଜୟ ପରାଜୟ ଉଭୟକୁ ତୁଲ୍ୟ ଜ୍ଞାନ କରିବାକୁ ହେବ । ବଙ୍ଗଦେଶ ମାନବଶୂନ୍ୟ ହୋଇ ପଡ଼ିଲାଣି, ଆଉ କିଛିଦିନ ଯୁଦ୍ଧ ଚଳିଲେ ବନ୍ୟ ଜନ୍ତୁର ବାସୋପଯୋଗୀ ହୋଇପଡ଼ିବ । ବିଜିତ ବିଜନ ରାଜ୍ୟ ହସ୍ତଗତ ହେବା ବିଡ଼ମ୍ବନା ମାତ୍ର । ଆପଣଙ୍କ ପରି ନବାବ ସାହେବ ମଧ୍ୟ ପ୍ରଥମରେ ସନ୍ଧିର ପକ୍ଷପାତୀ ନଥିଲେ । ଆମ୍ଭେମାନେ ପ୍ରକୃତ ଘଟନା ବୁଝାଇ ଦେବାରୁ ସମସ୍ତ ବିଷୟ ତାଙ୍କର ହୃଦୟଙ୍ଗମ ହେଲା ।’’

 

ଧାରାଶ୍ରାବଣ, ଉପଯୁକ୍ତ ସ୍ଥାନାଭାବ ହେତୁରୁ ବର୍ଗୀ ପାଇକମାନେ ବ୍ୟାକୁଳ ହୋଇ ପଡ଼ିଲେଣି, ବର୍ଗୀ ଜୀବନ ସ୍ୱରୂପ ଅଶ୍ୱଗୁଡ଼ିକ କାଦୁଅରେ ଛିଡ଼ା ହୋଇ ସେମାନଙ୍କ ଗୋଡ଼ରେ ରସବାତ ଫୁଟି ପଡ଼ିଲାଣି । ଭାଗୀରଥୀ ଏବଂ ଅଜୟ ନଦ ବର୍ଦ୍ଧିତ ହୋଇ ବିଗ୍ରହ ବିଷୟରେ ବିଶେଷ ବିଘ୍ନ ଉପସ୍ଥିତ କରାଇଅଛି । ବାଲେଶ୍ୱର ବନ୍ଦରଠାକୁ ବାହୁଡ଼ିଯିବେ କି ନବାବଙ୍କଠାରେ ସନ୍ଧିପ୍ରସ୍ତାବ କରିବେ, ଏହି ବିଷୟ ଘେନି ଭାସ୍କର ପଣ୍ଡିତ ଅଧୀନସ୍ଥ ସେନାପତିମାନଙ୍କ ସହିତ ପରାମର୍ଶରେ ନିଯୁକ୍ତ ଥିଲେ, ଇତ୍ୟବସରେ ନବାବ ପକ୍ଷରୁ ସନ୍ଧିର ପ୍ରସ୍ତାବ ଉପସ୍ଥିତ ହେବାରୁ ଅତ୍ୟନ୍ତ ଆନନ୍ଦିତ ହେଲେ । ମନ ମଧ୍ୟରେ ଚିନ୍ତା କଲେ ଭାଗ୍ୟ ସୁପ୍ରସନ୍ନ ହେଲେ ଈଦୃଶ ସୁଯୋଗ ଉପସ୍ଥିତ ହୁଏ, ଆମ୍ଭମାନଙ୍କ ପକ୍ଷରେ ଏପରି କେତେ ଦୁଃଖଜନକ ବା ସୁଖକର ବିଷୟ କଦାଚିତ ଉପସ୍ଥିତ ହୁଏ, ଯାହାକୁ ଆମ୍ଭେମାନେ ବୀପରିତ ଭାବରେ ଗ୍ରହଣ କରୁଁ, ଅର୍ଥାତ୍‌ ଦୁଃଖକର ବିଷୟ ସୁଖଜନକ ଏବଂ ସୁଖଜନକ ବିଷୟ କଷ୍ଟକର ବୋଲି ଆମ୍ଭମାନଙ୍କର ପ୍ରତ୍ୟୟ ହୁଏ । ଭବିଷ୍ୟତର ନିବିଡ଼ାନ୍ଧକାର ମଧ୍ୟରେ ନିହିତ ବିଷୟ ଦର୍ଶନରେ ମାନବ ଚିରାନ୍ଧ ।

 

ଭାସ୍କର ପଣ୍ଡିତ ଆପଣାର ଅଭିପ୍ରାୟ ଗୋପନ ରଖି ଏବଂ ସନ୍ଧି ବିଷୟରେ ଈଷତ୍‌ ଅସମ୍ମତିସୂଚକ ଭାବପ୍ରକାଶ କରି କହିଲେ, ‘‘ଅବଶ୍ୟ ବିଗ୍ରହ କାହାରି ବାଞ୍ଛନୀୟ ନୁହେଁ, ତେବେ ଆପଣାର ପ୍ରାପ୍ୟାଂଶ ସହଜରେ କେହି ପରିତ୍ୟାଗ କରିବାକୁ ସମ୍ମତ ହୁଏ ନାହିଁ । ଆପଣମାନେ ବିଜ୍ଞ, ବହୁଦର୍ଶୀ ରାଜନୀତିଜ୍ଞ, ଉଭୟ ପକ୍ଷର ମଙ୍ଗଳ କାମନା କରି ସ୍ୱେଚ୍ଛାପ୍ରେରିତ ହୋଇ ସନ୍ଧି ପ୍ରସ୍ତାବ କରୁଅଛନ୍ତି । ଆଶା କରୁଁ, ସର୍ବାଗ୍ରେ ଏ ବିଷୟ ମୀମାଂସା କରିବାକୁ ଯତ୍ନଶୀଳ ହେବେ ।’’

 

ଜାନକୀରାମ–ଅବଶ୍ୟ ଆପଣଙ୍କ ପ୍ରସ୍ତାବ ଅସଙ୍ଗତ ନୁହେଁ । ଏହା ତ ସନ୍ଧିର ପ୍ରଧାନ ଅଙ୍ଗ; ମାତ୍ର ପ୍ରଣୟ ମିଳନ ସ୍ଥଳରେ ଉଭୟ ପକ୍ଷକୁ କିଛି କିଛି କ୍ଷତି ସ୍ୱୀକାର କରିବାକୁ ହୁଏ ।

 

ଭାସ୍କର ପଣ୍ଡିତ–ମାତ୍ର ନ୍ୟାଯ୍ୟ ପ୍ରାପ୍ୟ ପରିତ୍ୟାଗ କରିବା କାହାରି ପକ୍ଷରେ ସୁବିଧାଜନକ ନୁହେଁ । ବେରାରପତିଙ୍କ ପ୍ରାପ୍ୟ ଟଙ୍କାଟା ନବାବସାହେବ ଦେବାକୁ ସ୍ୱୀକୃତ ହେଲେ ଏହିକ୍ଷଣି ସନ୍ଧି ବିଷୟରେ ସମ୍ମତ ହେବୁଁ ।

 

ଜାନକୀରାମ–ଆପଣ କିରୂପ ସର୍ତ୍ତରେ ସନ୍ଧି କରିବାକୁ ସମ୍ମତ ?

 

ଭାସ୍କର ପଣ୍ଡିତ–ଆପଣ ଯେ ସ୍ଥଳରେ ସ୍ପଷ୍ଟରୂପେ ପ୍ରଶ୍ନ କରୁଅଛନ୍ତି, ଇତସ୍ତତଃ ନ କରି ସ୍ପଷ୍ଟରୂପେ ସେଥିରେ ଉତ୍ତର ଦେବା ଆବଶ୍ୟକ । ବାଲେଶ୍ୱର, ବାଙ୍କୁଡ଼ା, ବର୍ଦ୍ଧମାନ, ହୁଗୁଳୀ ଏ ସମସ୍ତ ମହାରାଷ୍ଟ୍ରପତିଙ୍କ ବିଜିତ ପ୍ରଦେଶ, ଏଥି ସମ୍ବନ୍ଧରେ କୌଣସି କଥା ବୋଲିବାର ନାହିଁ । ବଙ୍ଗଳାର ଅନ୍ୟାନ୍ୟ ପ୍ରଦେଶ ଏବଂ ବେରାର ପ୍ରଦେଶ ପାଇଁ ଚୌଥସ୍ୱରୂପ ଦୁଇ କୋଟି ଟଙ୍କା ନବାବ ସାହେବ ଦେବାକୁ ସ୍ୱୀକୃତ ହେଲେ ସନ୍ଧି ସକାଶେ ସିନ୍ଧିଆକୁ ଅନୁରୋଧ କରିପାରୁଁ ।

 

ଜାନକୀରାମ–ଆପଣଙ୍କ ଦାବୀ ଅସଙ୍ଗତ ନୁହେଁ, ତେବେ ଏ ବିଷୟରେ ମୀମାଂସାର ଭାର ଆପଣଙ୍କ ପ୍ରତି ନିର୍ଭର କରେ । ବିଚାର କରନ୍ତୁ, ହୁଗୁଳୀ କୌଣସି ଦିନ ମହାରାଷ୍ଟ୍ର ବିଜିତ ସ୍ଥାନ ନୁହେଁ । ଅଧିକନ୍ତୁ ଦୁଇ ରାଜଶକ୍ତି ଏଡ଼େ ଅଦୂରବର୍ତ୍ତୀ ସ୍ଥାନରେ ଅବସ୍ଥାନ କଲେ ନାନା ସମୟରେ ନାନା କାରଣରେ ମନୋମାଳିନ୍ୟ ସଂଘଟିତ ହେବାର ସମୂର୍ଣ୍ଣ ସମ୍ଭାବନା । ଆଉ ବିହାର ଚୌଥ ସକାଶେ ହୁଲକାର ବାଲାଜୀ ରାଓ ଏକ କ୍ରୋର ଟଙ୍କା ଗ୍ରହଣ କରିଅଛନ୍ତି ।

 

ଭାସ୍କର ପଣ୍ଡିତ–ନବାବ ସାହେବଙ୍କ ମନସ୍ତୁଷ୍ଟି ସକାଶେ ଆମେ ହୁଗୁଳୀର ଦାବି ତ୍ୟାଗ କରି ପାରୁଁ । ଆଉ ହୁଲକାର ବାଲାଜୀ ରାଓଙ୍କର ନ୍ୟାଯ୍ୟ ଦାବି କିଛି ମାତ୍ର ନଥିଲା । ସେ ଅକାରଣ ଏତେ ଟଙ୍କା ଗ୍ରହଣ କରିଅଛନ୍ତି ।

 

ଜାନକୀରାମ ସନ୍ଧି ସଂସ୍ଥାପନ ସମୟରେ ସଙ୍ଗତ ଅସଙ୍ଗତ ବିଷୟ ସମାଲୋଚନା କରାଯାଏ ନାହିଁ, କେବଳ ମୈତ୍ରୀ ରକ୍ଷା ନିମନ୍ତେ ହୁଲକାରଙ୍କୁ ଦାବି ଟଙ୍କା ପ୍ରଦତ୍ତ ହୋଇଅଛି ।

 

ଭାସ୍କର ପଣ୍ଡିତ–ଅବଶ୍ୟ, ଆପଣମାନେ ବିଜ୍ଞ, ଶାନ୍ତିପ୍ରିୟ, ଆପଣମାନଙ୍କ ଯତ୍ନ ଓ ପରିଶ୍ରମ ଦ୍ୱାରା ହୁଲକାର ଓ ନବାବ ମଧ୍ୟରେ ଯେ ସନ୍ଧି ସଂସ୍ଥାପିତ ହୋଇଅଛି, ସେଥିରେ ସଂଶୟ ନାହିଁ । ଆଶାକରୁଁ, ପ୍ରସ୍ତାବିତ ସନ୍ଧି ବିଷୟରେ ଆପଣମାନେ ବେରାରପତିଙ୍କ ସକାଶେ କିଞ୍ଚିତ୍‌ ପରିଶ୍ରମ ସ୍ୱୀକାର କରିବେ । ସନ୍ଧି ସମ୍ବନ୍ଧରେ ଆମ୍ଭେ ସମ୍ମତ ଅଛୁଁ ଜାଣିବେ ।

 

ଜାନକୀରାମ–ନିଶ୍ଚୟ, ଆମ୍ଭେମାନେ ପ୍ରାଣପଣେ ଯତ୍ନ କରିବୁଁ । ଆମ୍ଭେମାନଙ୍କର ଧ୍ରୁବ ବିଶ୍ୱାସ, ନବାବସାହେବ ଏବଂ ଆପଣଙ୍କ ମଧ୍ୟରେ ଭେଟ ହେବା ମାତ୍ରକେ ସମସ୍ତ ବିଷୟ ନିଷ୍ପତ୍ତି ହୋଇଯିବ । ହୁଲକାରଙ୍କ ସହିତ ସନ୍ଧି ସମୟରେ ଦୀର୍ଘକାଳବ୍ୟାପୀ ତର୍କ ବିତର୍କରେ କିଛି ମୀମାଂସା ହୋଇପାରି ନ ଥିଲା, ମାତ୍ର ପରସ୍ପର ସାକ୍ଷାତ୍‌ ମାତ୍ରକେ ସମସ୍ତ ବିଷୟ ସ୍ଥିରୀକୃତ ହୋଇଗଲା । ଆମ୍ଭମାନଙ୍କ କଥାର ଯଥାର୍ଥ ପଶ୍ଚାତ୍‌ ଅନୁଭବ କରିବେ ।

 

ଭାସ୍କରର ପଣ୍ଡିତଙ୍କୁ ଉପହାର ଦେବା ନିମନ୍ତେ ଜାନକୀରାମ ଏବଂ ସର୍ଦ୍ଦାର ଖାଁ ନବାବଙ୍କ ଚାଙ୍ଗଡ଼ା ଘରୁ ମଣିମାଣିକ୍ୟଜଡ଼ିତ ଅନେକ ପ୍ରକାରର ସ୍ୱର୍ଣ୍ଣାଳଙ୍କାର ଏବଂ ବିବିଧ ପ୍ରକାର ବହୁମୂଲ୍ୟ ଦ୍ରବ୍ୟ ଆଣିଥିଲେ । ସେ ସମସ୍ତ ଦେଖି ଭାସ୍କର ପଣ୍ଡିତ ଆନନ୍ଦ ମନରେ ଚିନ୍ତା କଲେ, ଏହା ସମ୍ପତ୍ତି ଲାଭର ସୂଚନା ମାତ୍ର ।

 

ଅତଃପର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତା ସହିତ କରାଯିବ, ଏଥି ସକାଶେ ଜାନକୀରାମ ଭାସ୍କର ପଣ୍ଡିତ ଦୁଇ ଜଣ ଗଙ୍ଗାଜଳ ଏବଂ ସର୍ଦ୍ଦାର ଖାଁ କୋରାନ ସରିଫ ସ୍ପର୍ଶ କଲେ ।

 

ସିଦ୍ଧାନ୍ତ ହେଲା–ନବାବ ଏବଂ ଭାସ୍କର ପଣ୍ଡିତ ଉଭୟଙ୍କ ସାକ୍ଷାତରେ ସର୍ତ୍ତ ସାବ୍ୟସ୍ତ ଏବଂ ସନ୍ଧିପତ୍ର ସ୍ୱାକ୍ଷରିତ ହେବ । ଉଭୟ ପକ୍ଷ ମର୍ଯ୍ୟାଦା ରକ୍ଷା ସକାଶେ କେହି କାହାରି ଅଧିକାରଭୁକ୍ତ ସ୍ଥାନକୁ ଯିବେ ନାହିଁ । ମୁର୍‍ଶିଦାବାଦ ଏବଂ କାଟୋୟା ମଧ୍ୟବର୍ତ୍ତୀ ମାନକର ନାମକ ସ୍ଥାନରେ ନବାବଙ୍କ ଡେରାରେ ଉଭୟ ପକ୍ଷର ମିଳନ ହେବ । ଡେରାଠାରୁ ଦୁଇ କ୍ରୋଶ ଦୂରବର୍ତ୍ତୀ ସ୍ଥାନ ମଧ୍ୟରେ କୌଣସି ପ୍ରକାର ପାଇକ ଉପସ୍ଥିତ ରହିବେ ନାହିଁ । କେବଳ ପଦଗୌରବ ରକ୍ଷା ଅନୁରୋଧରେ ଉଭୟ ପକ୍ଷରୁ ଏକ ଶତ ମାତ୍ର ପାଇକ ଉପସ୍ଥିତ ରହିବେ ।

 

ଶ୍ରାବଣ କୃଷ୍ଣ ତୃତୀୟା ଶନିବାର ପ୍ରାତଃକାଳରେ ସାକ୍ଷାତର ସମୟ ନିରୂପିତ ହେଲା ।

 

ଉଭୟ ପକ୍ଷ ପରସ୍ପର ସହିତ ଆନନ୍ଦ ପ୍ରେମାଳାପରେ ମେଲାଣି ହେଲେ । ଆମ୍ଭେମାନେ ବିଶେଷ ଅନୁସନ୍ଧାନ ଦ୍ୱାରା ଅବଗତ ହୋଇଅଛୁଁ, ଉଭୟ ପକ୍ଷ ଯେ ଆନନ୍ଦିତ ହୋଇଥିଲେ, ସେଥିରେ ସନ୍ଦେହ ମାତ୍ର ନାହିଁ । ନବାବ ପକ୍ଷ ଆନନ୍ଦିତ-ବିଲୁଆତ ଫାନ୍ଦରେ ଗୋଡ଼ ଦେଉଛି । ଭାସ୍କର ପଣ୍ଡିତ ଆନନ୍ଦିତ–ପଠାଣ ଘର ଟଙ୍କାଟା ତ ଆଗେ ବାହାରି ଆସୁ, ପଛେ ବୁଝା ସୁଝା । ହୁଲକାର ତୁଛାଟାରେ ଏକ କ୍ରୋର ଟଙ୍କା ବାନ୍ଧି ଘେନିଗଲା । ଦେଖାଯାଉ ପଠାଣ କଣ କହେ । ନିକୁଛରେ କ୍ରୋର ଟଙ୍କାରୁ ତ ଊଣା ନୁହେଁ । ଭଗବାନ ବାସୁଦେବ ମଧ୍ୟମ ପାଣ୍ଡବ ଅର୍ଜ୍ଜୁନଙ୍କୁ ବୋଲିଥିଲେ, ‘‘ଏକମାତ୍ର ଲୋଭରୁ ସମସ୍ତ ପ୍ରକାର ବିପଦ ଜାତ ହୁଏ, ଲୋଭ ବିନାଶର ଦ୍ୱାର ।’’

 

ଚତୁରତାରେ କେହି କାହାକୁ ଊଣା ନୁହନ୍ତି । ଆମ୍ଭେମାନେ ଏହା ମଧ୍ୟ ଅବଗତ ହୋଇଅଛୁଁ, ଭାସ୍କର ପଣ୍ଡିତ ଏବଂ ଜାନକୀରାମ ଦୁଇଜଣ ଯେଉଁ ଗଙ୍ଗାଜଳ ସ୍ପର୍ଶ କରିଥିଲେ ତାହା ପ୍ରକୃତ ଗଙ୍ଗୋଦକ ନୁହେଁ, ଉଭୟ ପକ୍ଷ ଭୃତ୍ୟ ଦ୍ୱାରା କୌଶଳରେ ଆନୀତ କୂପୋଦକ ଅଟେ । ଆଉ ପାଟକନାରେ ଭିଡ଼ା ଗୋଲେସ୍ତାନ୍‍ କିତାପକୁ କୋରାନ ସରିଫ ବୋଲି ସର୍ଦ୍ଦାର ଖାଁ ସ୍ପର୍ଶ କରିଥିଲେ । ଆପଣା ଆପଣା ବୁଦ୍ଧିକୁ ପ୍ରଶଂସା କରି ଉଭୟ ପକ୍ଷ ନିଶ୍ଚିନ୍ତ ।

Image

 

–୩୫–

ଉତ୍କଟ ଆନନ୍ଦ

 

‘ହେ ଭଗବାନ ! ରକ୍ଷାକର ।’ ବିଦ୍ୟୁତ ଗତିରେ ଦେଶମୟ ଚହଳ ପଡ଼ିଗଲା । ନବାବ ଓ ବର୍ଗୀ ମଧ୍ୟରେ ସନ୍ଧି । ସମସ୍ତେ ଆନନ୍ଦିତ, ସମସ୍ତେ ପ୍ରଫୁଲ । ମହାଜନ ଆନନ୍ଦିତ, ବଣିଜ କରିବାକୁ ବାଟ ଫିଟିଲା । କୃଷକ ଆନନ୍ଦିତ, ଚାଷ କରି କୁଟୁମ୍ବ ପୋଷିବ । ପାଇକ ଆନନ୍ଦିତ, ବର୍ଷା ଚାରି ମାସଟା ଘରେ ବସି ଖେଚୁଡ଼ି ଖାଇବା ଆରିମାନଟା ମେଣ୍ଟିବ । ସେନାପତିମାନେ ଆନନ୍ଦିତ, ବର୍ଷା ରାତ୍ରିରେ ଘରେ ବସି ନ୍ୟାୟବଳରେ କିସ୍ତିମାତ୍‍ କରିବେ କିମ୍ବା ବେହାଗ ମେଘମହ୍ଲାର ରାଗିଣୀର ସମ୍ମାନ ରକ୍ଷା କରିବେ । ବର୍ଗୀ ଆନନ୍ଦିତ, ଦେଶକୁ ଯାଇ ପରିବାରର ମୁଖଚନ୍ଦ୍ର ଦେଖି ଆତ୍ମାର ତୃପ୍ତିସାଧନ କରିବେ । ମୁର୍‍ଶିଦାବାଦରେ ଆନନ୍ଦ ଉତ୍ସବ ଲାଗିଅଛି । ଏହି ସନ୍ଧି ସହିତ ବହୁ ଲକ୍ଷ ଲୋକଙ୍କ ସୁଖଦୁଃଖର ଘନିଷ୍ଠ ସମ୍ବନ୍ଧ ଅଛି । ସର୍ତ୍ତ ଶୁଣିବା ସକାଶେ ସମସ୍ତେ ଉଦ୍‍ବିଗ୍ନ, ମାତ୍ର ଏତେ ଆନନ୍ଦ ଉତ୍ସବ ମଧ୍ୟରେ ସମସ୍ତେ ନବାବସାହେବଙ୍କୁ ସର୍ବଦା ଉଦ୍‍ବିଗ୍ନମନା ଦେଖୁଅଛନ୍ତି । ସେ ଯେମନ୍ତ ସର୍ବଦା ଶଙ୍କା, ସଂଶୟ, ଅସନ୍ତୋଷରେ ଦୋଳାୟମାନ ହେଉଛନ୍ତି । ଅଧିକାଂଶ ସମୟ ନିର୍ଜନରେ ଉପବିଷ୍ଟ, ପାଶରେ କେବଳ ବାଦଲ ସିଂହ ।

 

ମାନବ ଜାତିର ଭାରି ଗୋଟାଏ ଗର୍ବ ଅଛି, ସେ ଈଶ୍ୱର ସୃଷ୍ଟିରେ ସର୍ବଶ୍ରେଷ୍ଠ ପ୍ରାଣୀ । ମାତ୍ର ଭବିଷ୍ୟତର ନିବିଡ଼ ଅନ୍ଧକାରରେ ନିହିତ ବିଷୟ ଜାଣିବା ସକାଶେ ଆଦିପିତାଠାରୁ ଏ ପର୍ଯ୍ୟନ୍ତ ଯତ୍ନ କରି ମଧ୍ୟ କେହି କୃତକାର୍ଯ୍ୟ ହୋଇପାରି ନାହିଁ । ହେଲେ ଆଶାରୂପ ପ୍ରତିଚକ୍ଷୁ ଦ୍ୱାରା ମାନବ ଭବିଷ୍ୟତ ଅନ୍ଧକାର ମଧ୍ୟରେ ଆପଣାର ପ୍ରାପ୍ୟ ଅନେକ ସୁଖରାଶି ନିହିତ ଦେଖିପାରେ । କଷ୍ଟଦାୟକ ଦୁଃଖମାନ ଦେଖିବାକୁ ସେ ନିତାନ୍ତ ଅନିଚ୍ଛୁକ । ଆହୁରି ମଧ୍ୟ ମାନବ ଯାହା ପ୍ରାପ୍ତ ହେବା ପାଇଁ କୃତନିଶ୍ଚୟ ହୋଇ ବସିଥାଏ, ତାହା କାହିଁ ଶୂନ୍ୟମୟ ଆକାଶରେ ବିଲୁପ୍ତ ହୋଇଯାଏ, ଠିକ୍‌ ସେହି ସମୟରେ ପୁଣି କଳ୍ପନାତୀତ ଘଟଣାମାନ ସଂଘଟିତ ହୁଏ । ମାନବ ଜୀବନରେ ଏପରି ଅସଂଖ୍ୟ ଘଟନା ପ୍ରତ୍ୟକ୍ଷ କରି ମଧ୍ୟ ବିମୁଗ୍‌ଧ ।

 

ଭାସ୍କର ପଣ୍ଡିତ ପାରିଷଦମାନଙ୍କୁ ଘେନି ଆପଣା ଡେରା ମଧ୍ୟରେ ଅନେକ ରାତ୍ରି ପର୍ଯ୍ୟନ୍ତ ପରାମର୍ଶ କଲେ । କି ସର୍ତ୍ତରେ ନବାବ ସହିତ ସନ୍ଧି କରାଯିବ, କେତେ ଟଙ୍କା ଗ୍ରହଣ କରାଯିବ, ସେହି ଟଙ୍କାରୁ କାହାର କେତେ ପ୍ରାପ୍ୟ, କେଉଁ କେଉଁ ବିଷୟରେ କେତେ ଟଙ୍କା ବ୍ୟୟ କରାଯିବ, ଏଥିର ବଜେଟ୍‍, ପ୍ରସ୍ତୁତ କରିବା ସଭାର ବିଚାର୍ଯ୍ୟ ବିଷୟ ଥିଲା ।

 

ଆଉ ଆଉ ଦିନ ପରି ଏହି କେତୋଟି ଦିନ ମଧ୍ୟ ଚାଲିଗଲା । ଶ୍ରାବଣ କୃଷ୍ଣ ଦ୍ୱିତୀୟା ଶୁକ୍ରବାର ଶେଷ, ତୃତୀୟା ଶନିବାର ପ୍ରାତଃକାଳ ଉପସ୍ଥିତ । ମାନକର ଗ୍ରାମର ପ୍ରଶସ୍ତ ପ୍ରାନ୍ତର ମଧ୍ୟରେ ନବାବ ସାହେବଙ୍କ ଦରବାରୀ ବିଶାଳ ତମ୍ବୁ ପଡ଼ିଅଛି । ତମ୍ବୁ ମଧ୍ୟସ୍ଥଳରେ ସଚ୍ଚାଜରିଦାର କିଂଖାପ ବସ୍ତ୍ରମଣ୍ଡିତ ନବାବସାହେବଙ୍କ ସିଂହାସନ ସଂସ୍ଥାପିତ ହୋଇଅଛି । ଭାସ୍କର ପଣ୍ଡିତ ମହାରାଜାଧିରାଜ ବେରାରପତିଙ୍କ ପ୍ରତିନିଧି, ସ୍ୱୟଂ ମଧ୍ୟ ସେନାପତି, ସୁତରାଂ ଅସାଧାରଣ ଲୋକ-। ନବାବସାହେବଙ୍କ ଆସନର ବାମ ପାର୍ଶ୍ୱରେ ତାହାଙ୍କ ଉପବେଶନ ସକାଶେ ସ୍ୱତନ୍ତ୍ର ଆସନ ନିରୂପିତ ହୋଇଅଛି । ଦରବାର ଡେରାର ଚତୁର୍ଦ୍ଦିଗ ବୃତ୍ତାକାରରେ କ୍ରୋଶ ପରିଧିବିଶିଷ୍ଟ ବସ୍ତ୍ର–ପ୍ରାଚୀର ଦ୍ୱାରା ପରିବେଷ୍ଟିତ । ନବାବ ସାହେବ ଏକ ଧ୍ୟାନରେ ଭାସ୍କର ପଣ୍ଡିତଙ୍କ ଆଗମନ ପ୍ରତୀକ୍ଷା କରି ସିଂହାସନରେ ଉପବିଷ୍ଟ । ମୁସ୍ତାଫା, ସୟଦ ଅସ୍ରଫ ଅଲି, ଜାନକୀରାମ, ସର୍ଦ୍ଦାର ଖାଁ, ବାଦଲ ସିଂହ, ଅବଦୁଲ ଶୋଭନ ଖାଁ, ହବିବୁଲା, ଗୋଲାମ କାଦର ପ୍ରଭୃତି ବିଶ୍ୱସ୍ତ ପ୍ରଧାନ ପ୍ରଧାନ କର୍ମଚାରୀମାନେ ନିଃସନ୍ଦେହ ସାନନ୍ଦ ପ୍ରଫୁଲ୍ଲ ମନରେ ଇତସ୍ଥତଃ ଭ୍ରମଣ କରୁଅଛନ୍ତି ।

 

ବର୍ଗୀ ଶିବିର ମଧ୍ୟରୁ ଦୁଇ ଜଣ ଦ୍ରୂତଗାମୀ ଅଶ୍ୱାରୋହୀ ଆସି ଉପସ୍ଥିତ ହେଲେ । ଜଣକର ନାମ ଅଲିଭା କାରାଓୟେଲ, ଅନ୍ୟ ଜଣକ କିଶନଜୀ ରାଓ ।

 

ଏହି ଦୁଇ ମହାବୀର ଭାସ୍କର ପଣ୍ଡିତଙ୍କ ପ୍ରଧାନ ସେନାପତି, ବିଶ୍ୱସ୍ତ ବନ୍ଧୁ, ସର୍ବସମୟରେ ବାମ ଦକ୍ଷିଣ ହସ୍ତସ୍ୱରୂପ ସହାୟ । ସମର ବ୍ୟବସାୟୀମାନେ ସଚରାଚର ସନ୍ଦିଗ୍‌ଧମନା । ଏତେ ଶପଥ, ଏତେ ବନ୍ଧୁ ଭାବରେ କଥୋପକଥନ, ଏତେ ଉପହାର ଆଦାନପ୍ରଦାନ, ତଥାଚ ଭାସ୍କର ପଣ୍ଡିତ ମନରେ ସମୟ ସମୟରେ ସନ୍ଦେହ କାଳିମାଛାୟା ପତିତ ହୋଇ ବିଶୁଦ୍ଧ ବିଶ୍ୱାସକୁ ଆବରଣ କରୁଅଛି । କିଏ ଜାଣେ, ପଠାଣ ମନରେ କଣ ଅଛି ? ନବାବସାହେବଙ୍କ ସାମ୍ପ୍ରତିକ ଅଭିପ୍ରାୟ, ଶିବିରର ଅବସ୍ଥା, ପାରିଷଦମାନଙ୍କ ଆଚରଣ ପରୀକ୍ଷା ଉଦ୍ଦେଶ୍ୟରେ ଏହି ଦୁଇ ପ୍ରବୀଣ ପ୍ରଜ୍ଞାଶାଳୀ ପ୍ରଧାନ ଯୋଦ୍ଧୃ ପୁରୁଷଙ୍କ ଆଗମନ । ମାତ୍ର ଚତୁରେ ଚତୁରେ ଚକ୍ରାନ୍ତ, ଆଗନ୍ତୁକ ବୀରପୁରୁଷମାନେ ଆପଣାର ଅଭିପ୍ରାୟ ଗୋପନ କରି ନବାବ ସାହେବଙ୍କ ଅବକାଶ ବୁଝିବା ଆଗମନର କାରଣ ବୋଲି ପ୍ରକାଶ କଲେ । ନବାବ ଆଲିବର୍ଦ୍ଦି ଏବଂ ସେନାପତି ମୁସ୍ତାଫା କପଟତାର ଅବତାର, ପୂର୍ଣ୍ଣ କପଟତା ସେମାନଙ୍କର ଭୂଷଣ ଥିଲା, ସେମାନଙ୍କର ଧାରଣା କପଟତା ସର୍ବାର୍ଥସାଧିକା । ଏଥକୁ ନବାବ ଦରବାର ନିରନ୍ତର କପଟତାମୟ-। ବର୍ଗୀ ଦୂତଦ୍ୱୟ ପ୍ରେମାଳାପ ଏବଂ ନବାବପ୍ରଦତ୍ତ ଉପହାରରେ ବିମୋହିତ ହୋଇଗଲେ । ଶିବିରର ସନ୍ଦେହବିହୀନ ଅବସ୍ଥା, ନବାବ ସାହେବଙ୍କ ମଧୁର ପ୍ରେମାଳାପ, ପାରିଷଦମାନଙ୍କ ପରିପୂର୍ଣ୍ଣ ପ୍ରଫୁଲ୍ଲତା ପର୍ଯ୍ୟବେକ୍ଷଣ କରିବାରୁ ସେମାନଙ୍କ ମନରେ ସନ୍ଦେହ ସ୍ଥାନମାତ୍ର ଲାଭ କରିବାକୁ ଅବସର ପ୍ରାପ୍ତ ହେଲା ନାହିଁ । ତୀକ୍ଷ୍‌ଣଦୃଷ୍ଟି ବର୍ଗୀ ଦୂତଦ୍ୱୟ କୌଶଳରେ ତୀକ୍ଷ୍‌ଣ ଦୃଷ୍ଟି ଦ୍ୱାରା ଦେଖିଲେ, ଦରବାରୀ ବସନ ଭବନ ବସ୍ତ୍ର ପ୍ରାଚୀର ବେଷ୍ଟିତ, ଦୃଷ୍ଟିରେଖା ବ୍ୟାପୀ ସ୍ଥାନମାନ ଜନଶୂନ୍ୟ । ଦରବାର ସ୍ଥାନ ପ୍ରଧାନ ପାରିଷଦ ବ୍ୟତୀତ ଅନ୍ୟରୂପେ ସନ୍ଦେହଜନକ ପ୍ରାଣୀ ବିହୀନ ।

 

ପ୍ରତ୍ୟାଗତ ବିଶ୍ୱସ୍ତ ଦୂତମାନଙ୍କ ମୁଖରୁ ସମାଚାର ଅବଗତ ହୋଇ ବର୍ଗୀ ସେନାପତି ଭାସ୍କର ପଣ୍ଡିତ ନିଃସନ୍ଦେହ । କୃଷ୍ଣ ତୃତୀୟା ଶନିବାର । ସୂର୍ଯୋଦୟ ସମୟରେ ଶୁଭଯାତ୍ରା ଆରମ୍ଭ କଲେ । ସଙ୍ଗରେ ଅର୍ଦ୍ଧଶତ ଅଶ୍ୱାରୋହୀ ପାରିଷଦ, ସମସ୍ତେ ଅସ୍ତ୍ରଧାରୀ । ଏହି ଅସ୍ତ୍ର ସହିତ ଯାତ୍ରାର କୌଣସି ପ୍ରଚ୍ଛନ୍ନ କାରଣ ଥିବ, ମାତ୍ର ପ୍ରକାଶ କଲେ, ସନ୍ଧିପତ୍ର ସ୍ୱାକ୍ଷର ସମୟରେ ସମସ୍ତଙ୍କୁ ଆପଣା ଆପଣା ଅସ୍ତ୍ର ସ୍ପର୍ଶ କରି ଶପଥ କରିବାକୁ ହେବ ।

 

ଆଜକୁ କେତେଦିନ ହେଲା ଆମ୍ଭମାନଙ୍କ ସେହି ପୂର୍ବ ପରିଚିତ ପାନରାକୁ ନିତାନ୍ତ ଅସ୍ଥିରମନା, ନିତାନ୍ତ ବ୍ୟସ୍ତ ଦେଖୁଅଛୁଁ । ସେ ଭାସ୍କର ପଣ୍ଡିତର ଶରୀର ରକ୍ଷକମାନଙ୍କ ଅନୁଗ୍ରହ କ୍ରୟ ନିମନ୍ତେ ଆପଣା ବ୍ୟବସାୟ ପାଣ୍ଠି ଝାଡ଼ଝୁଡ଼ କରି ପକାଇଲାଣି । ସେମାନଙ୍କ କୃପାରେ ସେ ଶୁଭ ସନ୍ଧି କାର୍ଯ୍ୟ ସଦର୍ଶନ ନିମନ୍ତେ ଅଶ୍ୱସାମଲ ରୂପେ ସଙ୍ଗେ ସଙ୍ଗେ ଚାଲିଅଛି । ନବାବ ଶିବିର ମଧ୍ୟରେ ଚହଳ ପଡ଼ିଲା, ବର୍ଗୀ ଅଇଲେ; ବର୍ଗୀ ଅଇଲେ । ସମସ୍ତେ ବ୍ୟସ୍ତ, ସ୍ୱୀୟ ସ୍ୱୀୟ କାର୍ଯ୍ୟାନୁଷ୍ଠାନରେ ତତ୍‌ପର । ନବାବ ସାହେବ ନିଶ୍ଚଳ ନିଷ୍ପନ୍ଦ ଅନିମେଷ ନେତ୍ରରେ ବର୍ଗୀକୁ ଚାହିଁ ବସିଅଛନ୍ତି । ଅତଃପର ନବାବ ଶିବିର ନିଶ୍ଚଳ ନୀରବ । ସମସ୍ତେ ସ୍ୱୀୟ ସ୍ୱୀୟ କାର୍ଯ୍ୟକ୍ଷେତ୍ରରେ ଦଣ୍ଡାୟମାନ ଅଛନ୍ତି, ଏବଂ ମନୋଗତ ଭାବଜ୍ଞାପକ ପରସ୍ପର ମୁଖାବଲୋକନ କରୁଅଛନ୍ତି । ସମସ୍ତଙ୍କ ନେତ୍ରରୁ ଯେମନ୍ତ ଏକ ପ୍ରକାର ବିଜାତୀୟ ଜ୍ୟୋତ ବହିର୍ଗତ ହେଉଅଛି ।

 

ଭାସ୍କର ପଣ୍ଡିତ ଅଶ୍ୱପୃଷ୍ଠରୁ ଲମ୍ଫପ୍ରଦାନ କରିବା ମାତ୍ରକେ ଜାନକୀରାମ ଏବଂ ସର୍ଦ୍ଦାର ଖାଁ ଦୁଇଜଣ ତାହାଙ୍କୁ ସଙ୍ଖୁଳି ଡେରା ମଧ୍ୟରେ ପ୍ରବେଶ କଲେ । ଆଗେ ଜାନକୀରାମ, ତତ୍‌ପଶ୍ଚାତ ଭାସ୍କର ପଣ୍ଡିତ, ତତ୍‌ପଶ୍ଚାତ୍‌ ସର୍ଦ୍ଦାର ଖାଁ, ତତ୍‍ପଶ୍ଚାତ୍‌ ବର୍ଗୀ ଅନୁଚର ବର୍ଗ ବୀରପାଦ ବିକ୍ଷେପରେ ଭାସ୍କର ପଣ୍ଡିତ ଚାଲିଅଛନ୍ତି । ତାହାଙ୍କ ବିବିଧ ମହାର୍ଘ ରତ୍ନଖଚିତ ଉଷ୍ଣୀଶ ସୁବର୍ଣ୍ଣ ଜରିଜଡ଼ିତ କାରୁକାର୍ଯ୍ୟ ବିଶିଷ୍ଟ ପରିଧେୟ ବସନରେ ପ୍ରାତଃ ସୂର୍ଯ୍ୟକିରଣ ପତିତ ହୋଇ ବିବିଧ ବର୍ଣ୍ଣବିଶିଷ୍ଟ ପ୍ରତିକିରଣମାଳା ଚତୁର୍ଦ୍ଦିଗରେ ବିକୀର୍ଣ୍ଣ ହୋଇ ପଡ଼ୁଅଛି । ସୁବର୍ଣ୍ଣ ଶୃଙ୍ଖଳଯୁକ୍ତ ରତ୍ନଜଡ଼ିତ ଖାପ ମଧ୍ୟଗତ କଟି ବିଲମ୍ବିତ ଖଡ଼୍‌ଗ ଭୂତଳେ ବିଲୁଣ୍ଠିତ ହୋଇ ଝମ ଝମ ଶବ୍ଦ ବିସ୍ତାର କରୁଅଛି ।

 

ହାଁ ହାଁ, କଣ ହେଲା, ମାର ମାର, ଧର ଧର, ପଳା ପଳା, ଇତ୍ୟାଦି ବିମିଶ୍ରିତ ଆକାଶଭେଦୀ ବିକଟ ଶବ୍ଦ ନବାବଙ୍କ ଦରବାରୀ ଡେରାରୁ ବାହାରିଲା । ବାରୁଦପୂର୍ଣ୍ଣ ଅଗ୍ନି ସଂଯୁକ୍ତ ତୋପରୁ ଯେପରି ହଠାତ୍‌ ଭୟଙ୍କର ଶବ୍ଦ ବହିର୍ଗତ ହୋଇ ଆକାଶ ବାୟୁକୁ ଆନ୍ଦୋଳିତ କରେ, ତଦ୍ରୂପ ସହସା ଶତ ଶତ ଲୋକଙ୍କ ମୁଖନିଃସୃତ ଭୀଷଣ ଶବ୍ଦ ନିର୍ଗତ ହେଲା । ମାର ମାର ଶବ୍ଦ କରି ଭାସ୍କର ପଣ୍ଡିତଙ୍କ ପଞ୍ଚାଶତ୍‌ ଖଡ଼୍‌ଗହସ୍ତ ଅନୁଚର ଧାବିତ ହେଲେ, ମାତ୍ର ମୁହୂର୍ତ୍ତ ମଧ୍ୟରେ ସେମାନଙ୍କ ଖଣ୍ଡବିଖଣ୍ଡ ଶରୀର ଭୂତଳରେ ବିଲୁଣ୍ଠିତ ହେଲା । ନବାବ ଏକ ଧ୍ୟାନରେ ଚାହିଁ ରହି ଦେଖୁଅଛନ୍ତି । ଭାସ୍କର ପଣ୍ଡିତ ଶିବିର ଦ୍ୱାରା ଲଘଂନ କରିବା ମାତ୍ରକେ ଦୁଇ ଦିଗରୁ ଦୁଇଜଣ ଯୁବକ ‘ଭଗବାନ ଏକଲିଙ୍ଗ ସହାୟ’ ସମମୁହୂର୍ତ୍ତରେ ସମସ୍ୱରରେ ଚିତ୍କାର କରି ଦୁଇଗୋଟି ଯୁବକସିଂହ ବଳିଷ୍ଠ ବଳିବର୍ଦ୍ଦ ଉପରେ ଝାମ୍ପି ପଡ଼ିଲା ପରି ତାହାଙ୍କ ଉପରେ ପଡ଼ିଗଲେ । ନବାବ ଚାହିଁ ଅଛନ୍ତି, ଦୁଇ ଜଣଙ୍କ ହସ୍ତସ୍ଥିତ ତୀକ୍ଷ୍‌ଣଧାର ଛୁରିକାରେ ଭାସ୍କର ପଣ୍ଡିତଙ୍କ ଗଳଦେଶର ଦୁଇ ଦିଗରୁ ଅର୍ଦ୍ଧାଂଶ ବିଚ୍ଛିନ୍ନ ହୋଇଗଲା, ତନ୍ମହୂର୍ତ୍ତରେ ବିନା ଶବ୍ଦରେ ରକ୍ତାକ୍ତ କଳେବର ବର୍ଗୀପତି ଛିନ୍ନମୂଳ କଦଳୀ ବୃକ୍ଷ ପରି ଭୂପତିତ ହୋଇ ଯନ୍ତ୍ରଣାବ୍ୟଞ୍ଜକ ହସ୍ତପଦ ବିକ୍ଷେପପୂର୍ବକ ଗଡ଼ି ଗଡ଼ି ମରିଗଲେ । ଇଷ୍ଟଦେବଙ୍କର ନାମ ଉଚ୍ଚାରଣ କରିବାକୁ ମଧ୍ୟ ସମୟ ପ୍ରାପ୍ତ ହୋଇ ନାହାନ୍ତି । ନବାବ ଦେଖିଲେ, ବର୍ଗୀହନ୍ତାରକ ମଧ୍ୟରୁ ଜଣେ ବାଦଲ ସିଂହ ଦ୍ୱିତୀୟ ଜଣକ କିଏ ? ନବାବ ମନ ମଧ୍ୟରେ ପ୍ରଶ୍ନ କଲେ, ଏହି ଅପରିଚିତ ଯୁବକ କିଏ ?

 

ବାଦଲସିଂହ ଦକ୍ଷିଣ ହସ୍ତଦ୍ୱାରା ଭାସ୍କର ପଣ୍ଡିତଙ୍କ ଗଳଦେଶରେ ଛୁରିକାଘାତ ପୂର୍ବକ ବାମହସ୍ତସ୍ଥିତ ଶିଙ୍ଗା ଧ୍ୱନିତ କଲେ । ସେହି ଶିଙ୍ଗା ଶବ୍ଦ ଶ୍ରବଣ ମାତ୍ରକେ ତମ୍ବୁ ଚତୁର୍ଦ୍ଦିଗ ବେଷ୍ଟିତ ବସ୍ତ୍ର–ପ୍ରାଚୀର ଭେଦ କରି ପଞ୍ଚାଶତ ଉନ୍ମକ୍ତ ଖଡ଼୍‌ଗହସ୍ତ ବୀରପୁରୁଷ ତୀରବେଗରେ ବାହାରି ପଡ଼ିଲେ ଏବଂ ଭାସ୍କର ପଣ୍ଡିତଙ୍କ ଅନୁଚର ପଞ୍ଚାଶତ୍‌ ବର୍ଗୀଙ୍କୁ ଖଣ୍ଡବିଖଣ୍ଡ କରି ପକାଇଲେ । ବର୍ଗୀ ଅନୁଚର ବର୍ଗ ମୁହୂର୍ତ୍ତକ ସକାଶେ ବୃଥା ଆତ୍ମରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଦେଖାଗଲା, ନବାବ ପକ୍ଷରେ କୌଣସି ପ୍ରକାର ଅନିଷ୍ଟ ସଂଘଟିତ ହୋଇନାହିଁ; କେବଳ ଦେବାନ ଜାନକୀରାମ ଏବଂ ମନସବାଦାର ସର୍ଦ୍ଦାର ଖାଁ ବର୍ଗୀ ଖଡ଼୍‌ଗାଘାତରେ ଖଣ୍ଡବିଖଣ୍ଡ ହୋଇ ପଡ଼ିଅଛନ୍ତି । ସପକ୍ଷ ଲୋକମାନଙ୍କ ମୁଖରୁ ମଧ୍ୟ ଶ୍ରୁତହେଲା, ଏହା ବିଶ୍ୱାସଘାତକତାର ପ୍ରତିଫଳ ।

 

ଭାସ୍କର ପଣ୍ଡିଙ୍କୁ ହତ୍ୟା କରିବା ସମୟରେ ହତ୍ୟାକାରି ଦୁଇଜଣ ସ୍ୱୀୟ ସ୍ୱୀୟ ଦେହବଳରେ ପରସ୍ପର ଉପରେ ଈଷତ୍‌ ଭାବରେ ନିପତିତ ହୋଇଗଲେ । ଉଭୟ ଅନୁଭବ କଲେ, ଯେମନ୍ତ ସ୍ୱର୍ଗୀୟ ଅମୃତଧାରା, ଦୁଇଜଣଙ୍କ ଦେହରେ ପ୍ରତ୍ୟେକ ରକ୍ତ ବିନ୍ଦୁରେ ସଞ୍ଚାରିତ ହୋଇଗଲା । ଉଭୟ ଉଭୟଙ୍କ ମୁଖକୁ ଚାହିଁ ସ୍ତମ୍ମିତ ଭାବରେ ଉଭା ହୋଇଅଛନ୍ତି । ଦୁଇଜଣଙ୍କ ହସ୍ତରେ ରକ୍ତଲିପ୍ତ କରାଳ ଛୁରୀକା, ପଦତଳେ ନିହତ ଭାସ୍କର ପଣ୍ଡିତର ଶରୀର ବିଲୁଣ୍ଠିତ ହେଉଅଛି । ଏତେ ଯେ ଗଣ୍ଡଗୋଳ, ଏତେ ଯେ ପ୍ରଣୀନାଶ, ସେଥିରେ ସେହି ହନ୍ତାରକ ଦ୍ୱୟଙ୍କର କିଛି ମାତ୍ର କାନ ନାହିଁ ।

 

ନାୟକହୀନ ବର୍ଗୀ ଛିନ୍ନ ଭିନ୍ନ ହୋଇ ବଙ୍ଗଦେଶରୁ ଜଙ୍ଗଲ ମାହାଲ ମାର୍ଗରେ କେତେକ ସ୍ୱଦେଶକୁ, ଥୋକେ ବାଲେଶ୍ୱର ବନ୍ଦରକୁ ପଳାୟନ କଲେ ।

Image

 

–୩୬–

ଉମେଦୁଆରର ପାର୍ଥନା

 

ବର୍ଗୀ–ବଧ-ସାଧନ–ଗଣ୍ଡଗୋଳ ନିବୃତ୍ତ ହେଲା ଉତ୍ତାରେ ନବାବ ଆଲିବର୍ଦ୍ଦି ଖାଁ ଲମ୍ଫ ପ୍ରଦାନ ପୂର୍ବକ ସିଂହାସନରୁ ଓହ୍ଳାଇ ଆସି ସପ୍ରେମରେ ହାବିଲଦାର ବାଦଲ ସିଂହକୁ ଆଲିଙ୍ଗନ କଲେ । ଦ୍ୱିତୀୟ ଯୁବକକୁ ଆଲିଙ୍ଗନ କରିବାକୁ ଯାଉଥିଲେ, ମାତ୍ର ସେ ଲୋକ ସଲଜ୍ଜ ଭାବରେ କୁର୍ନିଶ କରି ଅପସୃତ ହୋଇଗଲା ।

 

ନବାବ କେତେକ୍ଷଣ ପର୍ଯ୍ୟନ୍ତ ତାହାକୁ ଆପାଦମସ୍ତକ ନିରୀକ୍ଷଣ କରି ସସ୍ନେହ ଭାବରେ ପ୍ରଶ୍ନକଲେ–‘‘ଆରେ ପିଲା, ତୁ କିଏ ?’’

 

ଏହି ଯୁବକ ଆମ୍ଭମାନଙ୍କର ପୂର୍ବ ପରିଚିତ ପାନରା ଅଟେ । ନବାବଙ୍କ ପ୍ରଶ୍ନ ଶୁଣି ସେହି ପାନରା ବିନୀତ ଭାବରେ କୁର୍ନିଶ କଲା, କି ଭତ୍ତର ଦେବ କିଛି ସ୍ଥିର କରିପାରିଲା ନାହିଁ । ହଠାତ୍‌ କହି ପକାଇଲା, ‘‘ହଜୁର ! ମୁଁ ଉମେଦୁଆର ।’’

 

ନବାବଙ୍କ ମନରେ ବିସ୍ମୟ ଜାତ ହେଲା । ଉମେଦୁଆର ? ଅବଶ୍ୟ ସୈନିକ ପଦ ପ୍ରାର୍ଥୀ ହେବ । ମାତ୍ର ଏପରି ଭୟଙ୍କର ସଙ୍କଟପୂର୍ଣ୍ଣ କର୍ମରେ କି ସକାଶେ ପ୍ରବୃତ୍ତ ହେଲା ? ଏହା ଯେ ପ୍ରାଣବିନାଶକ କାର୍ଯ୍ୟ ? ଏ ଲୋକର କି ଆତ୍ମଜୀବନ ପ୍ରତି ମମତା ନାହିଁ ? ପୁଣି ଏହା ଯେ ଆମ୍ଭର ପ୍ରୀତିକର କାର୍ଯ୍ୟ, ତାହା କିପରି ଜାଣିଲା ? ସାଧାରଣଙ୍କ ଅଗମ୍ୟ ଏ ସ୍ଥାନକୁ କିପରି ଆସିଲା ? ଆଚ୍ଛା, ଜଣାଯିବ ।

ଏହି ଅବସରରେ ସମସ୍ତ ପାରିଷଦ ପ୍ରଫୁଲ ମନରେ ନବାବ ସାହେବଙ୍କୁ ବେଷ୍ଟନ କରି ଉଭା ହେଲେଣି । ନବାବ ଆମୋଦ କରିବା ଅଭିପ୍ରାୟରେ କିଞ୍ଚିତ୍‌ କୃତ୍ରିମ କୋପ ପ୍ରକାଶ କରି କହିଲେ, ‘ଆରୋ ଛୋକରା ! ତୁ ବର୍ଗୀ ସେନାପତିକୁ ହତ୍ୟା କରିଛୁ, ଏ ଅପରାଧର କି ଦଣ୍ଡ, ତାହା ଜାଣୁ ?’’

 

ଆମ୍ଭମାନଙ୍କ ପାନରା ବହୁ ବିପଦ ସହିତ ସଂଗ୍ରାମ କରି ବହୁ ସୈନିକ ପୁରୁଷଙ୍କ ସହିତ ସର୍ବଦା ବ୍ୟବହାର କରି ଖୁବ୍‌ ସାହାସୀ ହୋଇଗଲାଣି । ବିଶେଷରେ ଯାହାର ଜୀବନପ୍ରତି ମାୟା ନାହିଁ, ସେ ସର୍ବଦା ନିର୍ଭୀକ । ପାନରା ନିର୍ଭୟରେ ସେହି ସପାରିଷଦ ନବାବଙ୍କ ସାକ୍ଷାତରେ କୁନିର୍ଶ କରି ଉତ୍ତର ଦେଲା, ‘‘ହଜୁର ! ଜାହାଁପନା ! ଯେବେ ଦୋଷୀ ହୁଏଁ, ଦଣ୍ଡ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି । ହେଲେ, ମୁଁ ହଜୁରଙ୍କ ଦୁଷ୍‌ମନକୁ ମାରିଅଛି ।’’

 

ନବାବ–ନା,ବର୍ଗୀ ଆମ୍ଭର ଦୋସ୍ତ ।

 

ପାନରା–ବର୍ଗୀ ଦୁନିଆର ଦୁଷ୍‌ମନ । ଯେ ଦୁନିଆର ଦୁଷ୍‌ମନ, ସେ ଦୁନିଆର ବାଦ୍‍ସାହାଙ୍କ ଦୁଷ୍‌ମନ, ସେ ବଧ୍ୟ ।

 

ନବାବ–ଆଚ୍ଛା, ତୁ କି ସକାଶେ ତାକୁ ମାରିଲୁ ?

ପାନରା–ସେ ଦୁନିଆର ଦୁଷ୍‌ମନ ।

 

ନବାବ–ପୁନର୍ବାର ସେହିକଥା-ସେ ଦୁନିଆର ଦୁଷ୍‌ମନ, ତୋର କଣ କଲା ? ତୋର କି ଦୁଷ୍‌ମନ ?

 

ପାନରା–ସେ ଦୁନିଆର ଦୁଷ୍‌ମନ, ମୁଁ ଦୁନିଆର ମନୁଷ୍ୟ ।

 

ନବାବ ଆଲିବର୍ଦ୍ଦି ଖାଁ ଜଣେ ଗୁଣଗ୍ରାହୀ ଲୋକ । ପ୍ରଥମରେ ପାନରା କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ । ବର୍ତ୍ତମାନ ତାହାର ବାକ୍ୟବିନ୍ୟାସ, ବଚନମାଧୁରୀ ଶୁଣି ଏବଂ ରୂପଲାବଣ୍ୟ ଦେଖି ବିମୋହିତ ହୋଇଗଲେ । କାପଟ୍ୟ ବିଦ୍ରୂପ ପରିତ୍ୟାଗ କରି ସସ୍ନେହ ଭାବରେ କହିଲେ, ‘‘ଆଚ୍ଛା ! ତୁ ଦୁନିଆର ଦୁଷ୍‌ମନକୁ ହତ୍ୟା କରିଅଛୁ, ବକ୍‌ସିସ୍‌ ପାଇବାର ଯୋଗ୍ୟ ।’’

 

ପାନରା ପୁନର୍ବାର କୁର୍ନିଶ କରି ହାବିଲଦାର ସିଂହ ଆଡ଼କୁ ସଲଜ୍ଜ ଭାବରେ ହାତ ବଢ଼ାଇ କହିଲା, ‘‘ହଜୁରଙ୍କ ଏହି ସାହସୀ ସିପାହୀ ବକ୍‌ସିସ୍‌ ପାଇବାର ଯୋଗ୍ୟ ।’’

 

ନବାବ–ଅବଶ୍ୟ ସେ ତ ପାଇବ, ତୁ ମଧ୍ୟ ପାଇବୁ ।

ପାନରା–ହଜୁର ମାଲିକ ଖୋଦାବନ୍ଦ !

Image

 

–୩୭–

ସାକ୍ଷାତ୍‌ ସଂଶୟ

 

ଦିଗ୍‌ଦର୍ଶନଶକଳା ଯେପରି ପ୍ରତିନିୟତ ଉତ୍ତରାଭିମୁଖୀନ, ବୀପରିତ ମୁଖ ବଳରେ ଅନ୍ୟ ଦିଗକୁ ଚାଳିତ ହେଲେ ମଧ୍ୟ ଯେପରି ଅବସର ପ୍ରାପ୍ତି ମାତ୍ରକେ ଉତ୍ତର ଦିଗକୁ ଧାବିତ ହୁଏ, ସେହିପରି ଆମ୍ଭମାନଙ୍କ ପାନରାର ଦୃଷ୍ଟିରେଖା ବାଦଲ ସିଂହ ଉପରେ ପଡ଼ିଅଛି । ବାଦଲ ସିଂହର ପ୍ରତିମୂର୍ତ୍ତି ଦର୍ଶନ ମାତ୍ରକେ ଯେମନ୍ତ ଯାହାର ଜୀବନଶକ୍ତି; ତାହାର ଧୈର୍ଯ୍ୟ, ତାହାର ଆନନ୍ଦ, ତାହାର ସାମର୍ଥ୍ୟ ତଡ଼ିତ୍‍ ପ୍ରବାହ କରି ଶତ ସହସ୍ର ଗୁଣରେ ବର୍ଦ୍ଧିତ ହୋଇ ଦେହର ଶୋଣିତ ବାହିନୀ ପ୍ରତି ଶିରାରେ ବ୍ୟାପ୍ତ ହୋଇ ଯାଉଅଛି । ଏଣେ ବାଦଲ ସିଂହ ମଧ୍ୟ ଏକ ଧ୍ୟାନରେ ପାନରାକୁ ଚାହିଁ ରହିଅଛି ଏବଂ ମନୋଯୋଗପୂର୍ବକ ତାହାର ପ୍ରତ୍ୟେକ କଥା ଶ୍ରବଣ କରୁଅଛି । ପାନରା କଥାରୁ ଜଣାଯାଏ, ନବାବ ସାହେବଙ୍କ ସହିତ ସେ ଯେଉଁ ସ୍ୱରରେ କଥୋପକଥନ କରୁଅଛି, ଏହା ତାହାର ପ୍ରକୃତିଦତ୍ତ ସ୍ୱର ନୁହେଁ, କଦାଚିତ୍‍ ଅସାବଧାନତାରେ ଏକ ପ୍ରକାର ସ୍ୱର ବାହାରି ପଡ଼ୁଅଛି । ସେହି ସ୍ୱର ଶୁଣି ପୁଣି ରୂପ ଦେଖି ବାଦଲ ସିଂହ ସ୍ତମ୍ଭୀଭୂତ ହୋଇଗଲାଣି ଏବଂ ତାହାର ବିସ୍ମୃତପ୍ରାୟ ବିଗତ ବିଷାଦ ନବୀଭୂତ ହୋଇ ତାହାକୁ ବାହ୍ୟଜ୍ଞାନଶୂନ୍ୟ କରି ପକାଉଛି । ବାଦଲ ସିଂହ ମନ ଭିତରେ ଚିନ୍ତା କରୁଅଛି, ଲଛମାର ଭାଇ ଥିଲେ ତାହାର ଈଦୃଶ ରୂପ, ଈଦୃଶ ସ୍ୱର ହେବାର ସମ୍ଭାବନା ଥିଲା । ପୃଥିବୀ ମଧ୍ୟରେ ଦୁଇଜଣଙ୍କର କି ଏକ ପ୍ରକାର ରୂପ ହୋଇପାରେ ? କେବଳ ରୂପ ନୁହେଁ, ତାହା ସହିତ ସ୍ୱର, ଆଶ୍ଚର୍ଯ୍ୟ ! ପୁଣି ଲିଙ୍ଗଭେଦ ! ନାହିଁ ନାହିଁ, ମୋହର ଭ୍ରମ । ଲଚ୍ଛମାର କି ଏହିପରି ରୂପ ? ସେ ଲାବଣ୍ୟ କାହିଁ ? ସେ କୋମଳ କଥା କାହିଁ ? ସେ ସଲଜ୍ଜ କଟାକ୍ଷପାତ କାହିଁ ? ସେ ଓଷ୍ଠପ୍ରସାରୀ ମଧୁର ହାସ୍ୟ କାହିଁ ? ହା ଭଗବାନ୍‍ ! ବାଲ୍ୟକାଳରୁ ପିତୃହୀନ ଥିଲି, ପିତା ଦେଇଥିଲ, ବିପୁଳ ବିତ୍ତ ଦେଇଥିଲ, ଦେବଦୁର୍ଲଭ ପତିବ୍ରତା ପ୍ରଣୟନୀ ଦେଇଥିଲ, ବର୍ତ୍ତମାନ ମୋ ପକ୍ଷରେ ସମସ୍ତ ସ୍ୱପ୍ନବତ୍‌ ପ୍ରତୀୟମାନ ହେଉଅଛି । ଲଛମାର ପରିଣାମ ବାଦଲ ସିଂହ ଚିନ୍ତା କଲା । ସେହି ପ୍ରାଣପ୍ରତିମା ନୟନତାରା ଲଛମା ପରଲୋକଗତା ଅଥବା ବର୍ଗୀଶିବିର ମଧ୍ୟରେ ଅବସ୍ଥିତା । ବାଦଲ ସହ୍ୟ କରିପାରିଲା ନାହିଁ, ଛୁରିକା ମୁଷ୍ଟି ଦୃଢ଼ କରି ଭାସ୍କର ଶବ ପ୍ରତି ସକ୍ରୋଧରେ ଅନାଇଲା ।

 

ନବାବ ସାହେବ ସିଂହର ପ୍ରକୃତ ଅଭିପ୍ରାୟ ଅନବଶତ, ହସି ହସି ତାହା ହାତ ଧରି ଓଟାରି ଘେନିଗଲେ ।

Image

 

–୩୮–

ବିଚିତ୍ର ବକ୍‌ସିସ୍‌ ବାସନା

 

ବିଜ୍ଞ ବିଚକ୍ଷଣ ବୟୋବୃଦ୍ଧ ବିଶିଷ୍ଟ ଲୋକମାନଙ୍କର ବିଧାନ, ବିଜିତ ସ୍ଥାନରେ ବିଶ୍ରାମ ବିଧେୟ ନୁହେଁ । ମୁର୍‌ଶିଦାବାଦ ରମାନା ସକାଶେ ନବାବ ସାହେବଙ୍କ ଆଦେଶ ପ୍ରଚାରିତ ହେଲା । ସାଗରଗାମିନୀ ସୁରଧୁନୀ ସର୍ବ ବାଧାବିଘ୍ନ ଅତିକ୍ରମପୂର୍ବକ ସାଗରସଙ୍ଗ ଲାଭ ସକାଶେ ପ୍ରତିନିୟତ ଧାବମାନା । ଆମ୍ଭେମାନେ ଦେଖୁଅଛୁଁ, ପାନରା ବାଦଲ ସିଂହ ସଙ୍ଗଲାଭ ସକାଶେ ତଦ୍ରୂପ ବ୍ୟତିବ୍ୟସ୍ତ ହୋଇ ପଡ଼ିଲାଣି । ମାତ୍ର ମାନସ ସଫଳ କରିବାର ସୁଯୋଗ ଅବକାଶ ଉଭୟର ଅଭାବ । ଆଜକୁ କେତେଦିନ ହେଲା ମୁର୍‍ଶିଦାବାଦର ଆନନ୍ଦ ଉତ୍ସବ ଲାଗିଥିଲା, ସେହି ଆନନ୍ଦ ଅନେକ ଗୁଣେରେ ବର୍ଦ୍ଧିତ ହୋଇ ଯାଇଅଛି । ବର୍ତ୍ତମାନ ଆନନ୍ଦ ଅନ୍ୟରୂପ । ଶତ୍ରୁ ବିନଷ୍ଟ ହୋଇଅଛି ଚିରକାଳ ପାଇଁ, ଶାନ୍ତି ଲାଭ କରିଥିବା ରାଜକର୍ମଚାରୀ, ବାଣିଜ୍ୟ ବ୍ୟବସାୟୀ, ସୈନିକ, ନାଗରିକ ଓ ଜନପଦବାସୀ ଯାବତୀୟ ଲୋକେ ଦରବାରରେ ନବାବ ସାହେବଙ୍କୁ ଅଭିନନ୍ଦନ କରିବା ସକାଶେ ଧାବିତ । ନବାବ ସାହେବ ପ୍ରେମାଳାପଦ୍ୱାରା ସମସ୍ତଙ୍କୁ ଆପ୍ୟାୟିତ କରୁଅଛନ୍ତି । ଏ ଉତ୍ତାରୁ ଖିଲତ୍‌ ବିତରଣ-ସେନାପତିମାନଙ୍କୁ ଖିଲତ୍‌ ବିତରଣ କରାଯାଇ ବର୍ଗୀ ହତ୍ୟାକାରୀ ସୈନିକମାନଙ୍କ ସହିତ ବାଦଲ ସିଂହକୁ ଆହ୍ୱାନ କରାଗଲା । ନବାବ ସାହେବ ଆନନ୍ଦ ମନରେ କହିଲେ–‘‘ବାଦଲ, ହାବିଲଦାର ବାଦଲ ! ତୁମ୍ଭ ପରାମର୍ଶ, ତୁମ୍ଭ ସାହସିକତା, ତୁମ୍ଭ ବୀରତ୍ୱରେ ଆମ୍ଭେ ନିଷ୍କଣ୍ଟକ ହୋଇଅଛୁଁ । ତୁମ୍ଭଙ୍କୁ ଖିଲତ୍‌ ଦେବାକୁ ଇଚ୍ଛା କରୁଁ । ରାଜୋପାଧି ସହିତ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ବଣବିଷ୍ଣୁପୁର ପରଗଣା ନିଷ୍କରରୂପେ ତୁମ୍ଭଙ୍କୁ ଇନାମ ପ୍ରଦତ୍ତ ହେଲା । ଆଉ ଯେବେ କିଛି ପ୍ରାର୍ଥନା ଥାଏ ପ୍ରକାଶ କର ।’’

 

ପାନରାକୁ ଦେଖିବା ସମୟଠାରୁ ବାଦଲର ବିସ୍ମୃତ ପ୍ରାୟ ବିଷାଦ ନବୀଭୂତ ହୋଇ ପଡ଼ିଅଛି । ତାହାର ବର୍ତ୍ତମାନ ପାର୍ଥିବ କୌଣସି ପଦାର୍ଥର ଆକାଙ୍‌କ୍ଷା ନାହିଁ । ଆପଣାର ପ୍ରତିଜ୍ଞା ଆଂଶିକ ପ୍ରତିପାଳନ କରିଅଛି । ଏକ ପ୍ରକାର ନିଶ୍ଚିନ୍ତ ।

 

ବାଦଲ ସିଂହ କହିଲା–ହଜୁର ! ମୋହର କିଛି ପ୍ରାର୍ଥନା ନାହିଁ ।

ବାଦଲ ସିଂହର ଭାବ ଦର୍ଶନ କରି ଦର୍ଶକମଣ୍ଡଳୀ ଆଶ୍ଚର୍ଯ୍ୟାନ୍ୱିତ ହେଲେ ।

ଏ ଉତ୍ତାରେ ନକିବ ଡାକିଲା, ଉମେଦୁଆର ହାଜର, ଉମେଦୁଆର ହାଜର ।

 

ଦରବାରରେ ଜନତା ହେବାରୁ ଆମ୍ଭମାନଙ୍କ ପାନରା ଅପସୃତ ହୋଇଯାଇ ଏକ ନିଭୃତ ସ୍ଥାନରେ ଉଭା ହୋଇ ବାଦଲ ସିଂହକୁ ଏକ ଧ୍ୟାନରେ ଅନାଇଥାଏ । ନକିବ ଡାକରା ଶୁଣି ଧୀରେ ଧୀରେ ଅଗ୍ରସର ହେଲା । ଲୋକମାନେ ଆଡ଼ ହୋଇଯାଇ ତାହର ମାର୍ଗ ପରିଷ୍କାର କରିଦେଲେ । ଆମ୍ଭେମାନେ ବର୍ତ୍ତମାନ ପାନରାର ଭାବାନ୍ତର ଦେଖୁଅଛୁଁ । ଯେ ବ୍ୟକ୍ତି ଶତ ଶତ ବୀର ମଧ୍ୟରେ ନିର୍ଭୟ ଚିତ୍ତରେ ଆପଣା ଜୀବନର ମାୟା ପରିତ୍ୟାଗପୂର୍ବକ ଗୋଟିଏ ଜଗଦ୍‍ବିଖ୍ୟାତ ବୀରକୁ ହତ୍ୟା କରିଥିଲା, ବର୍ତ୍ତମାନ ସେ ଯେମନ୍ତ ସାହସ ସହକାରେ ନବାବ ସାହେବଙ୍କ ସମ୍ମୁଖକୁ ଅଗ୍ରସର ହୋଇପାରୁ ନାହିଁ । ଲଜ୍ଜା, ଭୟ, ସଙ୍କୋଚ ଯେମନ୍ତ ଯୁଗପତ୍‌ ମିଳିତ ହୋଇ ପାଦକୁ ପଛକୁ ଓଟାରୁଛି । ନବାବ ସାହେବଙ୍କ ପୁନଃ ପୁନଃ ଆହ୍ୱାନରେ ଅନାୟତ୍ତ ହୋଇ ବାଦଲ ସିଂହ ପ୍ରତି ଈଷତ୍‌ ଦୃଷ୍ଟିପାତପୂର୍ବକ ଅଗ୍ରସର ହେଲା । ମୁହୁର୍ମୁହୁ ନବାବ ସାହେବ ସ୍ନେହ ଆଦରପୂର୍ବକ କହିଲେ, ‘‘ଆରେ ଛୋକରା ! ତୁ ଖିଲତ୍‌ ପାଇବାର ଯୋଗ୍ୟ । କଣ ତୋର ଇଚ୍ଛା ?’’ ନବାବ ସାହେବଙ୍କ ହୁକୁମ ଶୁଣି ପାନରା କି ଉତ୍ତର ଦେବ, କିଛି ସ୍ଥିର କରି ପାରିଲା ନାହିଁ । ଅଧୋବଦନ ହୋଇ ଦକ୍ଷିଣପଦ ବୃଦ୍ଧାଙ୍ଗୁଳିରେ ମୃତ୍ତିକା ଖନନ କରୁଥାଏ । ଦରବାରର ଯାବତୀୟ ଲୋକେ ତାହା ଆଡ଼କୁ ଚାହିଁ ରହିଅଛନ୍ତି । ଏଥକୁ ସେ ଆହୁରି ମଧ୍ୟ ସଙ୍କୁଚିତ ହୋଇ ଯାଉଅଛି । ନବାବସାହେବଙ୍କ ପୁନଃ ପୁନଃ ପ୍ରଶ୍ନର ଉତ୍ତର ଦେବାକୁ ଆୟତ୍ତ ନାହିଁ । ହଠାତ୍‌ ତାହା ମୁଖରୁ ବାହାରି ପଡ଼ିଲା, ‘‘ମୋ ଭଗିନୀ ସହିତ ଏହି ହାବିଲଦାରଙ୍କ ବିବାହ ଦିଆଯାଉ ।’’ ନବାବସାହେବ ମନରେ କରିଥିଲେ, ଏ ବ୍ୟକ୍ତି ଉମେଦୁଆର, ହାବିଲଦାରୀ, ମନସବଦାରୀ କିମ୍ବା ଅନ୍ୟ କୌଣସି ପ୍ରକାର କିଛି ଗୋଟାଏ ଚାକିରି ପ୍ରାର୍ଥନା କରିବ । ମାତ୍ର ବର୍ତ୍ତମାନ ବିଚିତ୍ର ବକସିସ୍‌ ବାସନା ଦେଖି ବିସ୍ମିତ ହେଲେ । ଅନ୍ୟ ଲୋକେ ପରସ୍ପର ମୁଖାବଲୋକନ କଲେ । ଦରବାର କାଇଦା ସକାଶେ ହସିବାକୁ ସାହସ କରିପାରିଲେ ନାହିଁ । ଆଉ ବାଦଲ ସିଂହ, ସେ ତ ଦାରୁଭୂତୋ ମୁରାରି ହୋଇଗଲାଣି ! ପାନରାକୁ ଥରେ ଅମନୋଯୋଗପୂର୍ବକ ଅନାଇ ଭାଳିଲା, ଲୋକଟା କଣ ବାୟା !

 

ନବାବ ସାହେବ ବାଦଲପ୍ରତି ଦୃଷ୍ଟିପାତ କରି କହିଲେ, ‘‘ଦେଖ ହାବିଲଦାର ! ଆଲ୍ଲାତାଲାଙ୍କର ତୁମ୍ଭ ପ୍ରତି ଭାରି ମେହରବାନୀ, ରାଜା ହେଲ ଜମିଦାରୀ ପାଇଲ, ପୁଣି ଏକ ନୟା ବିବି ପ୍ରାପ୍ତ ହେବ ।’’ ବାଦଲ ସ୍ଥିର ଭାବରେ ଉଭା ହୋଇଅଛି । ନବାବ ସାହେବଙ୍କ ପୁନଃ ପୁନଃ ପ୍ରଶ୍ନରେ ଉତ୍ତର ଦେଲା, ‘ହଜୁର । ମୋ ପ୍ରତିଜ୍ଞା ଜାଣନ୍ତି ଦୁନିଆ ଦୌଲତରେ ମୋହର ପ୍ରୟୋଜନ ନାହିଁ । ଗୟା କ୍ଷେତ୍ରରେ ପିତୃତର୍ପଣ ଦ୍ୱାରା ପିତୃଋଣ ଶୁଝିବି । ମୋହର ଆହୁରି ଗୋଟିଏ କାର୍ଯ୍ୟ ଅବଶିଷ୍ଟ ରହିଅଛି । ହଜୁର ! ମୋ କସୁର ମାଫ ହେଉ, ମୁଁ ମୋ ସ୍ତ୍ରୀଠାରେ ପ୍ରତିଜ୍ଞା କରି ଏକପତ୍ନୀବ୍ରତ ଗ୍ରହଣ କରିଅଛି । ଅନ୍ୟ ସ୍ତ୍ରୀର ମୁଖାବଲୋକନ କରିବି ନାହିଁ, ଯାବଜ୍ଜୀବନ ମୋ ସ୍ତ୍ରୀକୁ ଧ୍ୟାନ କରିବି ।’’

 

ନବାବସାହେବ ମୁସ୍ତାଫା ପ୍ରତି ଦୃଷ୍ଟିପାତ କଲେ, ଅଭିପ୍ରାୟ–ସେ ବାଦଲ ସିଂହକୁ ବୁଝାଇ କହୁ । ମୁସ୍ତାଫା ଓ ବାଦଲ ସିଂହ ମଧ୍ୟରେ ବିଶେଷ ସମ୍ପ୍ରୀତି ଥିଲା । ମୁସ୍ତଫା ଖାଁ ନବାବସାହେବଙ୍କ ଅଭିପ୍ରାୟ ଜାଣି କହିଲେ, ‘ଦେଖ ଦୋସ୍ତ ବାଦଲ ! ତୁମ୍ଭେ ଜବାନ ଲୋକ । ଦୁନିଆଦାରୀ କଥା କହ, ଏ କି ଅହମକୀ ଫକୀର କଥା କହୁଅଛ ? ଗୋଟିଏ ସାଦୀ ହୋଇଥିଲ, ସେ ତ ଫୌତ ହୋଇଅଛି । କୋରାଣ ସରିଫରେ ହୁକୁମ ଅଛି, ମରଦ ଚାରିଟା ସାଦୀ କରିପାରିବା-। କେହି କେହି ନବି ଏହା ବି ହୁକୁମ କରିଅଛନ୍ତି, ଆସାମାନ୍‍ରେ ଯେତେ ତାରା; ସେତେଟା ନିକା କରିପାରିବ ।

 

ମୁସ୍ତାଫା ଦତ୍ତ ବ୍ୟବସ୍ଥା ବାଦଲ ସିଂହ ହୃଦୟଙ୍ଗମ କରିପାରିଲା କି ନାହିଁ, ବୋଲାଯାଇ ନ ପାରେ । କାରଣ ମୁସଲମାନ ଆକାଶରେ ଅସଂଖ୍ୟ ତାରା ବିରାଜିତ, ମାତ୍ର ବାଦଲ ହୃଦୟ ଆକାଶରୁ ଗୋଟିଏ ଚନ୍ଦ୍ର ଅସ୍ତ ଯାଇଅଛନ୍ତି, ଏଥକୁ ତାହାର ହୃଦୟାକାଶ ନିବିଡ଼ ନୈରାଶ୍ୟ ଅନ୍ଧକାରମୟ । ସେ ସ୍ଥିର ହୋଇ ଉଭା ହୋଇଅଛି । ତାହାର ନେତ୍ରଦ୍ୱୟ ଅଶ୍ରୁପୂର୍ଣ୍ଣ । ତାହାର ମନସ୍କାମ ସିନ୍ଧ ହୋଇଅଛି । ବର୍ତ୍ତମାନ ଅନ୍ୟ ଭାବନା ନାହିଁ । ତାହାର ମନ ଜ୍ଞାନ ପ୍ରାଣ ପ୍ରିୟତମା ଭାର୍ଯ୍ୟା ଲଚ୍ଛମାମୟ । ଜୀବନରେ କିଛି କର୍ତ୍ତବ୍ୟ ଅଛି ବୋଲି ଜ୍ଞାନ କରିପାରୁ ନାହିଁ । ଆଉ ରାଜପଦ–ଜମିଦାରୀ ? ତାହାର ଯେଉଁ ସମ୍ପତ୍ତି ଅପଚୟ ହୋଇଅଛି, ଶତ ସହସ୍ର ପଦଗୌରବ, ଶତ ସହସ୍ର ରାଜତ୍ୱ ସେ କ୍ଷତିପୂରଣ କରିପାରିବ ନାହିଁ । ପୁଣି ପାର୍ଥିବ ସୁଖସମ୍ପତ୍ତି ଭୋଗରେ ଭାଗୀ ପରିଜନ ଅଭାବରେ ସୁଖକର ସମ୍ପତ୍ତି ଲାଭ କଷ୍ଟର କାରଣ ହୋଇପଡ଼େ ।

 

ବାଦଲ ସିଂହ ଏବଂ ମୁସ୍ତାଫାର ଦତ୍ତ ବ୍ୟବସ୍ଥାର ପ୍ରତ୍ୟେକ କଥା ଆମ୍ଭମାନଙ୍କ ପାନରା ମନେଯୋଗପୂର୍ବକ ଶୁଣୁଥିଲା । ତାହା ନେତ୍ରରୁ ଅଶ୍ରୁଧାର ପ୍ରବାହିତ ହେଉଅଛି । ସେ ଯେମନ୍ତ ମନର ଭାବ ଗୋପନ କରିବାକୁ ବିଶେଷ ଚେଷ୍ଟା କରି ମଧ୍ୟ କୃତକାର୍ଯ୍ୟ ହୋଇପାରୁ ନାହିଁ । ବାଦଲର ପତ୍ନୀ ପ୍ରେମ, ପତ୍ନୀ ମମତା ଶୁଣି ସେ ଯେମନ୍ତ ସହ୍ୟ କରି ପାରୁନାହିଁ । ପୁଣି ବାଦଲ ମନକଷ୍ଟ ଭୋଗ କରୁଅଛି, ଏହା ମଧ୍ୟ ତାହା ପକ୍ଷରେ ଅସହ୍ୟ ।

 

ମୁସ୍ତାଫା ଦୁଇଜଣଙ୍କୁ ଲକ୍ଷ୍ୟ କରି କହିଲେ, ‘‘ବେକୁବ୍‌ !’’ ନବାବସାହେବ ମନ ମଧ୍ୟରେ ବିଚାର କଲେ, ‘ବାଦଲ ତାହା ପିତାମାତା ସକାଶେ କାନ୍ଦୁଅଛି । ଉମେଦୁଆାର ଭଗିନୀକୁ ବାଦଲ ବିବାହ କରିବାକୁ ଅସ୍ୱୀକାର କରିବାରୁ ସେ କାନ୍ଦୁଅଛି । ଆଚ୍ଛା, ଅତଃପର ବିଚାର କରାଯିବ ।’ ଦରବାର ଭଙ୍ଗସୂଚକ ନାଗରା ବାଜିଲା । ନବାବ-ସାହେବଙ୍କ ଆଦେଶ ଅନୁସାରେ ନାଜିର ଉମେଦୁଆରକୁ ଗୋଟିଏ ବସା ନିରୂପଣ କରାଇଲେ ।

Image

 

–୩୯–

ଅନ୍ୱେଷଣ

 

ଦାମ୍ଭିକ ପ୍ରଜ୍ଞାଭିମାନୀ ମାନବ । ଆତ୍ମ–ପୌରୁଷକୁ ସର୍ବସ୍ୱ କରି ମଣ, ମାତ୍ର ତୁମେ ଯେ କୌଣସି ଅଦୃଷ୍ଟ ହସ୍ତଦ୍ୱାରା ଚାଳିତ ହେଉଅଛ; ଜୀବିତ କାଳରେ ଦିନେ ହେଲେ ଏପରି କିଛି ପ୍ରତ୍ୟକ୍ଷ ଘଟନା ଉପସ୍ଥିତ ହୋଇ ତୁମ୍ଭ ବିଶ୍ୱାସରେ ଅବଶ୍ୟ ବ୍ୟତ୍ୟୟ ଜାତ କରାଇବ । ଘଟଣାଚକ୍ରରେ ପଡ଼ି ମାନବ ବିବିଧ ଅବସ୍ଥାକୁ ବିକ୍ଷିପ୍ତ ହୁଏ, ତାହା ନିବାରଣ କରିବା ସାଧ୍ୟାତୀତ । ଆଉ ଲାଭାଲାଭ ସମ୍ବନ୍ଧରେ ମଧ୍ୟ କାମ୍ୟବସ୍ତୁ ଲାଭ କରିବା ସକାଶେ ତୁମ୍ଭର ସମସ୍ତ ସାମର୍ଥ୍ୟ, ସମସ୍ତ ଜ୍ଞାନ, ସମସ୍ତ କୌଶଳ ପ୍ରୟୋଗ କରି ସୁଦ୍ଧା ଅକୃତକାର୍ଯ୍ୟ, ସମୟ ବିଶେଷରେ, ବିଷୟ ବିଶେଷରେ ବିନା ଯତ୍ନ ବିନା ପରିଶ୍ରମରେ କାମନାତିରିକ୍ତ କାମ୍ୟବସ୍ତୁ ହସ୍ତଗତ ହେବାର ପ୍ରତ୍ୟକ୍ଷ କଲା ଉତ୍ତାରେ ଯେବେ ଦୈବ ଅସ୍ୱୀକାର କର, ଆମ୍ଭେମାନେ ଅନାୟତ୍ତ । ତେବେ କୌଣସି ବିଷୟରେ କର୍ତ୍ତବ୍ୟ ପାଳନରେ ଉଦାସୀନ ହୁଅ ନାହିଁ । ଆମ୍ଭେମାନେ କର୍ତ୍ତବ୍ୟ ପାଳନଜନିତ ଫଳକୁ ଦୈବ ଏବଂ ପୌରୁଷ ଉଭୟଦତ୍ତ ପୁରସ୍କାର ସ୍ୱରୂପ ଜ୍ଞାନ କରୁଁ । ଭଗବାନ ବାସୁଦେବ ଅର୍ଜୁନଙ୍କୁ ଉପେଦଶ ଦେଇ ଅଛନ୍ତି–‘‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।’’

 

ବର୍ତ୍ତମାନ ଆମ୍ଭମାନଙ୍କ ପାନରା ସମ୍ପୂର୍ଣ୍ଣରୂପେ ଆଶ୍ୱସ୍ତ, ତାହାର ଆନନ୍ଦର ସୀମା ନାହିଁ । ଭଗବାନ କୁଳଦେବତା ସହାୟ ହୋଇଅଛନ୍ତି, ଅସାଧ୍ୟ ସାଧନ କରିଅଛି । ଆଉ ଯେଉଁ ହୃଦୟ ସର୍ବସ୍ୱଙ୍କୁ ଦିବାନିଶି ଶୟନରେ ସ୍ୱପ୍ନରେ ପ୍ରତି ମୁହୂର୍ତ୍ତରେ ଧ୍ୟାନ କରୁଥିଲା, ତାହାଙ୍କୁ ବିନା ଅନ୍ୱେଷଣ, ବିନା ଯତ୍ନରେ ଅପ୍ରତ୍ୟାଶିତରୂପେ ପ୍ରାପ୍ତ ହୋଇଅଛି । ସମୟ ସମୟରେ ଆନନ୍ଦରେ ଧୈର୍ଯ୍ୟ ଧରି ପାରୁ ନାହିଁ । ମାତ୍ର ସର୍ବଦା ସାଧ୍ୟାନୁସାରେ ସାବଧାନ, କାଳେ ଛଦ୍ମବେଶ ପ୍ରକାଶ ହୋଇପଡ଼ିବ । ପାନରା ଛଦ୍ମବେଶୀ । ତେବେ ମନ ମଧ୍ୟରେ ଅନେକ କଥା ପାଞ୍ଚି ସ୍ଥିର କଲା, ରାତ୍ରିର ଅନ୍ଧକାରରେ ଏକାକୀ ନିର୍ଜନରେ ବାଦଲ ସିଂହ ନିକଟରେ ଉପସ୍ଥିତ ହେବ । ଛଳନାକ୍ରମେ ବାଦଲ ସିଂହ ବସା ଚିହ୍ନି ଆସି ନାଜିର ନିର୍ଦ୍ଦିଷ୍ଟ ବସାକୁ ଗଲା ।

 

ଓହୋ ! ଆଜି ଦିନଟା କେତେ ବଡ଼, ସୂର୍ଯ୍ୟ ଯେ ଅସ୍ତ ହେଉ ନାହାନ୍ତି ! ସହସ୍ରଥର ଆକାଶକୁ ଚାହିଁଲାଣି, କେତେଥର ଲୋକଙ୍କୁ ପଚାରିଲାଣି, ବର୍ତ୍ତମାନ ସମୟ କେତେ ? ଆନନ୍ଦ ଉଦ୍‍ବେଗରେ ଅନ୍ନ ପର୍ଯ୍ୟନ୍ତ ଅରୁଚିକର । ତାହା ହିସାବରେ ଆଜି ଦିନଟା ନିତାନ୍ତ ବଡ଼ । ହେଉ, ମାତ୍ର ସୂର୍ଯ୍ୟ ଠିକ୍‌ ସମୟରେ ଅସ୍ତ ହେଲେ । କ୍ରମଶଃ ରାତ୍ରି ପ୍ରହରକ ଗତ, ରାଜମାର୍ଗରେ ଲୋକଗତିବିଧି କ୍ରମଶଃ ବିରଳ ହୋଇ ଆସୁଅଛି । କଦାଚିତ୍‌ କେହି ଦୁଇ ଚାରି ଜଣ ଅସମାପ୍ତକର୍ମା ଲୋକ ଗତାୟତ କରୁଅଛନ୍ତି । ଆଉ ବିଳମ୍ବରେ କ’ଣ ପ୍ରୟୋଜନ ? ଏହି ସମୟରେ ପୁଣି ଜଟିଳ ଚିନ୍ତା ମନ ମଧ୍ୟରେ ଉପସ୍ଥିତ ହେଲା । କିପରି ସାକ୍ଷାତ କରିବ, କି କଥା କହିବ, କୌଣସି ମୀମାସାଂରେ ଉପସ୍ଥିତ ହୋଇପାରୁନାହିଁ । ସଙ୍ଗେ ସଙ୍ଗେ ପୁଣି ଭୟ ଉପସ୍ଥିତ, କ୍ରମଶଃ ଉୟ ପ୍ରବଳତର ହେଉଅଛି, ମୋତେ ଗ୍ରହଣ କରିବେ ତ ? ଏକାକିନୀ ଥିଲି, ନାନା ପୁରୁଷ ମଧ୍ୟରେ ବାସ କରୁଥିଲି । ନା ନା, ପାଦ ଧରିବି, କାନ୍ଦି କାନ୍ଦି ସମସ୍ତ କଥା କହିବି କୁଳଦେବତାଙ୍କ ନାମ ଧରି ଶପଥ କରି କହିବି, ମୁଁ ତ ଇଚ୍ଛାକରି ଏକାକିନୀ ନ ଥିଲି, ପ୍ରଭୁ ସବୁ ଜାଣନ୍ତି, ଅବଶ୍ୟ ଗ୍ରହଣ କରିବେ । ଯାହାଙ୍କର ଏତେ ଦୂର ସ୍ନେହ, ଏତେ ଦୂର ଆଦର, ମୋ ପାଇଁ ରାଜପଦ ତୁଚ୍ଛଜ୍ଞାନ କଲେ, ପ୍ରତିଜ୍ଞା କରିଅଛନ୍ତି ଅନ୍ୟ ସ୍ତ୍ରୀ ମୁଖାବଲୋକନ କରିବେ ନାହିଁ, ସେ କ’ଣ ମୋତେ ଫୋପାଡ଼ି ଦେବେ ? ନାହିଁ ନାହିଁ ନିଶ୍ଚୟ ଗ୍ରହଣ କରିବେ । ଅନ୍ୟ ଚିନ୍ତା, ପ୍ରକୃତ ବେଶରେ ଯିବି କି ଏହି ଛଦ୍ମବେଶରେ ଯିବି ? ନାହିଁ, ବର୍ତ୍ତମାନ ରାଜମାର୍ଗରେ ପ୍ରକୃତ ବେଶରେ ଯିବା ନିରାପଦ ନୁହେଁ । ପାନରା ଗୋଟିଏ ନିଶ୍ୱାସ ପକାଇ ଇଷ୍ଟଦେବତା ନାମ ସ୍ମରଣପୂର୍ବକ ଶୁଭଯାତ୍ରା ଆରମ୍ଭ କରିଦେଲା । ରାଜମାର୍ଗ ଏକପ୍ରକାର ନିର୍ଜନ । କଦାଚିତ୍‌ ଜଣେ ଦୁଇଜଣ ଲୋକ ଯା ଆସ କରୁଅଛନ୍ତି । କୌନ୍‌ ହୈରେ, କୋନ୍‌ ହୈରେ, ତୁଛଟାରେ ପାଟିକରି ଦିଗବାର ଆପଣା କର୍ତ୍ତବ୍ୟ ତତ୍ପରତା ଜଣାଉଅଛି । ସେହିପରି ଦାଣ୍ଡବୁଲା କୁକୁରଗୁଡ଼ାକ ନିତାନ୍ତ କର୍ମରେ ନିଯୁକ୍ତ ଥିଲା ପରି ତୁଚ୍ଛଟାରେ ପାଟି କରୁଅଛି-। କେଉଁଠାରେ ଗୋଟିଏ କୁକୁର ସଡ଼କ ମଝିରେ ପଡ଼ି ଆପଣା କର୍ତ୍ତବ୍ୟ–କର୍ମ ଜ୍ଞାନ କଲା ପରି ଅନ୍ୟ କୁକୁରକୁ ଅପେକ୍ଷାକୃତ କ୍ଷୀଣସ୍ୱରରେ ଭୁ ଭୁ କରି ଉତ୍ତର ପ୍ରଦାନ କରୁଅଛି । ସଡ଼କ ପାଖରେ ସହରର ଷଣ୍ଢଟା ଶୁକ୍ଲବର୍ଣ୍ଣ ବସ୍ତ୍ର ସ୍ତୂପ ଆକାରରେ ପଡ଼ି ରହି ନବାବ ସାହେବଙ୍କ ପରି ଆନନ୍ଦ ମନରେ ପାକୁଳି କରୁଅଛି । ମାତ୍ର ଆମ୍ଭେମାନେ ଆଲିବର୍ଦ୍ଦି ଖାଁଙ୍କ ଠାରୁ ଏହାକୁ ଭାଗ୍ୟବାନ ଜ୍ଞାନ କରୁଁ, କାରଣ ନବାବ ସାହେବ ସୁବାଦାରୀଟା ଉଦରଗତ କରି ମଧ୍ୟ ପାକୁଳି କରିବାକୁ ଅବସର ପ୍ରାପ୍ତ ହୋଇ ନାହାନ୍ତି । ସହରର ଦୋକାନ ଘର, ଗୋଦାମ ଘର କାରବାରୀ ଘର ସମସ୍ତ ନିସ୍ତବ୍‌ଧ-। କୌଣସି ଘରର କବାଟ ଫାଙ୍କରୁ ଆଲୋକରେଖାଟି ଆସି ଦାଣ୍ଡରେ ପଡ଼ଅଛି । କୌଣସ କୌଣସି ଘରୁ ଭୁଟ ଭାଟ ଶବ୍ଦ ଶୁଭୁଅଛି ।

 

ପାନରା ବାଦଲ ସିଂହ ବସାକୁ ଲକ୍ଷ୍ୟକରି ସଡ଼କ ମଧ୍ୟରେ ଏକ ଧ୍ୟାନରେ ଚାଲିଅଛି । ଆଶାଙ୍କା, ଆନନ୍ଦ, ଉଦ୍‍ବେଗ, ମନ ମଧ୍ୟରେ ନାନା ଭାବ ଯୁଗପତ୍‌ ଉଦିତ ହୋଇ ତାହାକୁ ବ୍ୟାକୁଳ କରୁଅଛି । ସାଗର ମଧ୍ୟଗତା ଦ୍ରୁତଗାମିନୀ ତରୀ ପ୍ରତିମୁଖ ବାୟୁ ଏବଂ ଉତ୍ତାଳ ତରଙ୍ଗରେ ପଡ଼ି ଯେମନ୍ତ ବିଚଳିତ ହୋଇପଡ଼େ, ସେହିପରି ପାନରା ଚାଲିବା ସମୟରେ କେମନ୍ତ ଦୁଇ ପଦ ପରସ୍ପର ଜଡ଼ିତ ହୋଇ ଯାଉଅଛି ।

 

ଏହି ତ ହାବିଲଦାର ଦେହୁଡ଼ି, ଏହି ନିଶ୍ଚୟ । ପ୍ରହହୀ ଡାକି ଦେଲା ‘‘ହୁକୁମ୍‌ ଧର ।’’

 

ପାନରା ଆଜି ମୁର୍‍ଶିଦାବାଦରେ ଅପରିଚିତ ନୁହେଁ । ନବାବଙ୍କ ଅନୁଗୃହୀତ ଲୋକର ସମ୍ମାନ ସର୍ବତ୍ର । ପ୍ରହରୀ ସମ୍ଭ୍ରମରେ ସଲାମ କରି ପାନରା ପ୍ରଶ୍ନ କରିବା ପୂର୍ବରୁ କହିଲା, ‘‘ହଜୁର ! ହାବିଲଦାର ବାହାରକୁ ଯାଇଅଛନ୍ତି ।’’ ବାହାରକୁ ଯାଇଅଛନ୍ତି ? ପାନରା ମନରେ ହଠାତ୍‌ ଗୋଟାଏ ଭୟଙ୍କର ଅମଙ୍ଗଳ ଆଶଙ୍କା ଉପସ୍ଥିତ ହେଲା । ପ୍ରିୟଜନ ସମ୍ବନ୍ଧରେ ଅମୂଳକ ବା ସମୂଳକ ଆଶଙ୍କା ଉପସ୍ଥିତ ହୋଇଥାଏ । ସେ କେତେକ ମୁହୂର୍ତ୍ତ ସ୍ତମ୍ଭୀଭୂତ ହୋଇ ଛିଡ଼ା ହୋଇଗଲା ହା ! ଲୋକ ଶତ ସହସ୍ର ଥର ପ୍ରମାଣ ପାଉଅଛି, ଆଶା ଭୟଙ୍କର ବିଶ୍ୱାସଘାତିନୀ, ତଥାଚ ମାନବ ତାହା ପ୍ରତାରଣାରେ ବିମୁଗ୍‌ଧ । ଏହା ମଧ୍ୟ ସତ୍ୟ, ଆଶା ବିଶ୍ୱାସଘାତିନୀ, ହେଉ, ଯାହାହେଉ, ତାହାର ମୋହନ ମନ୍ତ୍ରରେ ମୋହିତ ନ ହେଲେ ମାନବ ପକ୍ଷରେ ଜୀବନ ଧାରଣ କରିବା କଷ୍ଟକର ହୁଅନ୍ତା । ପରମୁହୂର୍ତ୍ତରେ ଆଶା ଆସି ପାନରା କର୍ଣ୍ଣରେ କହିଲା, ‘ବାହାରକୁ ଯାଇଅଛନ୍ତି, ଆସିବେ, ଅଧୈର୍ଯ୍ୟ କିମ୍ପାଇଁ ? ସତ କଥା ।’

 

ପାନାରା ପଚାରିଲା–‘‘ହାବିଲଦାର କେତେବେଳେ ବାହାରକୁ ଗଲେ ?’’

ପ୍ରହରୀ–ରାତ୍ର ଏକଦଣ୍ଡ ସମୟରେ ।

ପାନରା–କେଉଁଠାକୁ ଯାଇଅଛନ୍ତି ?

ପ୍ରହରୀ–ଜଣା ନାହିଁ ।

ପାନରା–କେତେବେଳେ ବାହୁଡ଼ିବା ସମ୍ଭବ ?

ପ୍ରହରୀ–ଜଣା ନାହିଁ ।

ପାନରା–ସେ କଣ ନବାବ ମହଲକୁ ଯାଇଅଛନ୍ତି ?

ପ୍ରହରୀ–ସମ୍ଭବ ନୁହେଁ, କାରଣ ସାମାନ୍ୟ ବେଶରେ ଯାଇଅଛନ୍ତି ।

 

ପାନରା ନିରୁତ୍ତର–ଦେହୁଡ଼ିରେ ସ୍ଥିର ଭାବରେ ରାଜମାର୍ଗକୁ ଚାହିଁ ବସିଅଛି । ରାଜମାର୍ଗ ଅନ୍ଧକାରମୟ, କଦାଚିତ୍‌ ଗୋଟିଏ ଜୁଳୁଜୁଳା କ୍ଷଣକ ଆଲୋକ ପ୍ରକାଶ କରି ଅନ୍ଧକାରରେ ମିଶି ଯାଉଅଛନ୍ତି । ପାନରା ହୃଦୟ ତତୋଽଧିକ ଅନ୍ଧକାରମୟ, ଜ୍ୟୋତିରିଙ୍ଗଣ ପରି କ୍ଷଣିକ କ୍ଷୂଦ୍ରାଶା ଉଦିତ ହୋଇ ବିଲୟ ପ୍ରାପ୍ତ ହେଉଅଛି । କ୍ରମଶଃ ରାତ୍ରି ଦ୍ୱିତୀୟ ତୃତୀୟ ପ୍ରହର ଅତୀତ । ଦୁଇ ତିନିଥର ପହରା ବଦଳି ହୋଇଗଲାଣି । ଅନେକ ସମୟରେ ଅଗତ୍ୟା ମନୁଷ୍ୟକୁ ବାଧ୍ୟ ହୋଇ ଧୈର୍ଯ୍ୟ ଧରିବାକୁ ହୁଏ । ହେଲେ ତାହାର ମଧ୍ୟ ଗୋଟିଏ ସୀମା ଅଛି । ଆକାଶ ପାତାଳ ଭାବି ପାନରା କିଛି ସ୍ଥିର କରିପାରିଲା ନାହିଁ । ରାତ୍ରି ସହିତ ତାହାର ଆଶାଭରସା କ୍ରମଶଃ ଶେଷ ହୋଇ ଆସୁଛି । ରାତ୍ରି ପ୍ରଭାତ, ପାନରା ଜାଣେ ବାଦଲ ସିଂହ ଘରେ ନାହାନ୍ତି, ତଥାଚ ସେ ଆପେ ଘର ମଧ୍ୟକୁ ଯାଇ ପ୍ରତ୍ୟେହ ଗୃହ ତନ୍ନ ତନ୍ନ କରି ଦେଖିଲା । ଅବଶିଷ୍ଟ ଗୋଟିଏ ଗୃହ ଥିଲା, ତାହା ମଧ୍ୟକୁ ଯାଇପାରିଲା ନାହିଁ, ଦ୍ୱାରଠାରେ ଅନାୟତ୍ତ ହୋଇ ବସିପଡ଼ିଲା ।

 

ରାତ୍ରି ପ୍ରଭାତ ହେଲା, ନବାବ ସାହେବଙ୍କ ତଲବ, ବାଦଲ ସିଂହ ବସାରେ ନାହାନ୍ତି । ସମ୍ଭବ ଅସମ୍ଭବ, ଗମ୍ୟ ଅଗମ୍ୟ ସର୍ବ ସ୍ଥାନରେ ତଲାସ କରାଗଲା । ସ୍ଥିର ହେଲା-ବାଦଲ ସିଂହ ମୁର୍‍ଶିଦାବାଦ ସହରରେ ନାହାନ୍ତି ।

 

ପାନରାକୁ ନବାବ ସାହେବଙ୍କର ତଲବ ହେଲା, ମାତ୍ର ସେ ହଠାତ୍ ପୀଡ଼ିତ ଶଯ୍ୟାଗତ, ଉତ୍‌ଥାନ ଶକ୍ତିରହିତ । ହେଲେ, ପ୍ରତିକ୍ଷଣ ବାହଲ ସିଂହ ସମ୍ବନ୍ଧୀୟ ସମାଚାର ସଂଗ୍ରହ କରିାବକୁ ନିବୃତ୍ତ ନାହିଁ । ସନ୍ଧ୍ୟା ଉତ୍ତାରେ ନିଃସନ୍ଦେହ ହେଲା । ତହିଁ ଉତ୍ତାରେ ଜ୍ୱର, କ୍ରମଶଃ ଜ୍ୱରବୃଦ୍ଧି, ନବାବ ସାହେବ ହାକିମ ପଠାଇ ଚିକିତ୍ସା କରାଉ ଅଛନ୍ତି ।

 

ତୃତୀୟ ଦିବସ ଶେଷ ରାତ୍ରିରେ ସେ ସ୍ୱପ୍ନ ଦେଖିଲା-ଅନନ୍ତ ଆକାଶ-ଅନନ୍ତ ନକ୍ଷତ୍ରମଣ୍ଡଳ ଉପରିଭାଗରେ ପିତୃଲୋକ ସଭା, ନିଷ୍ପାପ, ନିଷ୍କଳଙ୍କ ମାନବାତ୍ମା ସକଳ ଦେବବିଗ୍ରହ ଧାରଣ କରି ସେ ସଭାରେ ବିରାଜିତ ଅଛନ୍ତି । ଯେଉଁ ମାନବାତ୍ମାମାନଙ୍କ ପୁତ୍ର କନ୍ୟାମାନେ ଗୁଣବାନ୍‍, ବିଦ୍ୱାନ୍, ଯଶସ୍ୱୀ, ନିଷ୍ପାପଶରୀର, ସେମାନଙ୍କର ଆସନ ସର୍ବୋଚ୍ଚ । ପାନରା ଦେଖିଲା, ତାହାର ପିତା ଧେଓକଲ୍‍ ସିଂହଙ୍କ ଆତ୍ମା ସେହି ସଭାର ଦ୍ୱାସସ୍ଥମାନଙ୍କ ଦ୍ୱାରା ବିଶେଷରୂପେ ନିବାରିତ ହୋଇ ଦ୍ୱାରଦେଶରେ ନିତାନ୍ତ ବିଷର୍ଣ୍ଣ କ୍ଷୂର୍ଣ୍ଣ ନିରାଶଭାବରେ ଦଣ୍ଡାୟମାନ ଅଛି ଏବଂ ଏକ ଧ୍ୟାନରେ ପୃଥିବୀକୁ ନିରୀକ୍ଷଣ କରି ରହିଅଛି । ପିଣ୍ଡହୀନ ଅପବିତ୍ର ଆତ୍ମା ପ୍ରତି ସଭା ପ୍ରବେଶ ନିଷେଧ ।

 

ପାନରାର ନିଦ୍ରାଭଙ୍ଗ ହେଲା । ଆପଣକୁ ଧିକ୍‌କାର ଦେଇ କହିଲା, ‘‘ହା ! ମୁଁ ଯେ କୁଳରେ ଏକମାତ୍ର ବଂଶଧର, ପିତୃଆତ୍ମା ଉଦ୍ଧାରକାରୀ ଆଉ ଦ୍ୱିତୀୟ କେହି ନାହିଁ । ହା ! ମୁଁ କର୍ତ୍ତବ୍ୟ କର୍ମରେ ତ୍ରୁଟି କରିଅଛି । ପିତାଙ୍କ ଆତ୍ମାକୁ ଉଦ୍ଧାର କରିବା ମୋ ପକ୍ଷରେ ଅବଶ୍ୟ କର୍ତ୍ତବ୍ୟ-।’’ କମଶଃ ପାନରା ଆରୋଗ୍ୟ ଲାଭ କଲା । ମାତ୍ର ତାହାକୁ ମଧ୍ୟ ପଞ୍ଚମ ଦିନଠାରୁ ମୁର୍‍ଶିଦାବାଦ ସହର ମଧ୍ୟରେ ଆଉ କେହି ଦେଖି ନାହିଁ ।

Image

 

–୪୦–

ଗୟାକ୍ଷେତ୍ର

 

ଭଗବାନ ବିଷ୍ଣୁ ଗୟାସୁରକୁ ବଧ କରି ଏହି ପବିତ୍ର କ୍ଷେତ୍ର ପ୍ରତିଷ୍ଠା କରିଅଛନ୍ତି । ଜମ୍ବୁଦ୍ୱୀପ ଭାରତଖଣ୍ଡ ମଧ୍ୟରେ ଏହା ଗୋଟିଏ ମହାପୂଣ୍ୟମୟ ଧାମ । ଭାରତଭୂମିର ସମସ୍ତ ପ୍ରଦେଶରୁ ଅସଂଖ୍ୟ ହିନ୍ଦୁସନ୍ତାନ ସହସ୍ର ସହସ୍ର କ୍ରୋଶ ମାର୍ଗ ଅତିକ୍ରମ କରି ପ୍ରାଣାନ୍ତକ ପରିଶ୍ରମ ସ୍ୱୀକାରପୂର୍ବକ କଷ୍ଟୋପାର୍ଜିତ ଚିତ୍ତର ମାୟା ତ୍ୟାଗ କରି ପିତୃଲୋକଙ୍କ ସଦ୍‌ଗତି କାମନରେ ଏହି ପୂଣ୍ୟମୟ ସ୍ଥାନକୁ ସମାଗତ ହେଉଅଛନ୍ତି । ଜନକକୁମାରୀ ସୀତାଦେବୀ ବନବାସ ସମୟରେ ଏହି ପବିତ୍ର କ୍ଷେତ୍ରରେ ପିତୃଲୋକଙ୍କ ଉଦ୍ଧାର ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ । ଗୟାସହର ପାଷାଣମୟ ସୌଧ ଶ୍ରେଣୀର ପାଦଦେଶରେ ପ୍ରଚ୍ଛନ୍ନସଲିଳା ପତିତପାବନୀ ପିତୃଲୋକତାରିଣୀ ଫଲ୍‌ଗୁ ନଦୀ ବିରାଜିତା । ନଦୀ ସୈକତ ବିଦାରଣ ପୂର୍ବକ ଯାତ୍ରୀମାନେ ପିଣ୍ଡଦାନ କରୁଅଛନ୍ତି ।

 

ପୂର୍ବାହ୍ନ ଦିବା ପ୍ରହରକ ସମୟରେ ଅନୁମାନ ତ୍ରିଂଶତ୍‌ ବର୍ଷ ବୟସ୍କ ଗୋଟିଏ ଯୁବକ ଫଲଗୁନଦୀ ବାଲୁକାପ୍ରାନ୍ତ ମଧ୍ୟରେ ଭ୍ରମଣ କରୁ କରୁ ସମାଗତ ଯାତ୍ରୀମାନଙ୍କ ପିଣ୍ଡଦାନ କ୍ରିୟାକଳାପ ଦର୍ଶନ କରୁଅଛି । ଅବିଚ୍ଛେଦରୂପେ ଯାତ୍ରୀ ଦଳର ଗତିବିଧି ଚଳୁଅଛି, ଏକ ଦଳ ପିଣ୍ଡଦାନ କ୍ରିୟା ସମାପ୍ତ କରି ଚାଲି ଯାଉଅଛନ୍ତି, ପର ମୁହୂର୍ତ୍ତରେ ଅନ୍ୟଦଳେ ଯାତ୍ରୀ ଆସି ସେ ସ୍ଥାନ ପୂର୍ଣ୍ଣ କରୁଅଛନ୍ତି । ଏକ ସ୍ଥାନରେ ସେହି ଯୁବକ ଦେଖିଲା, ଗୋଟିଏ ଲୋକ ସୂର୍ଯ୍ୟକିରଣ ନିବାରଣ ନିମନ୍ତେ ବସ୍ତ୍ରଦ୍ୱାରା ମସ୍ତକ ଆବରଣପୂର୍ବକ ହାତଯୋଡ଼ି ନେତ୍ର ମୁଦ୍ରିତ କରି ଧ୍ୟାନପରାୟଣ ହୋଇ ନଦୀଗର୍ଭସ୍ଥ ବାଲୁକା ଉପରେ ଉପବିଷ୍ଟ । ଗୟାଳୀ ପଣ୍ଡା ସମ୍ମୁଖରେ ବସି ମନ୍ତ୍ର ପାଠ କରୁଅଛନ୍ତି–

 

‘‘ପିତା ସ୍ୱର୍ଗଃ ପିତା ଧର୍ମଃ ପିତା ହି ପରମଂ ତପଃ

ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ।’’

 

ଦର୍ଶକ ଯୁବକଟି ମନଯୋଗପୂର୍ବକ ସେହି ପାଠ ଶ୍ରବଣ କଲା । ବର୍ତ୍ତମାନ ଏହା ମନରେ ଅନ୍ୟ କିଛି ଚିନ୍ତା ନାହିଁ, ଅନ୍ୟ ଚିନ୍ତାକୁ ସ୍ଥାନ ଦେଉ ନାହିଁ, ସମସ୍ତ ଚିନ୍ତା ପିତୃ ଦେବମୟ, ତାହାର ସମସ୍ତ ହୃଦୟ ପିତୃ ଦେବମୟ । ସେ କଳ୍ପନା ନେତ୍ରରେ ନିରୀକ୍ଷଣ କରି ଦେଖିଲା, ତାହାର ପିତୃଦେବଙ୍କ ଆତ୍ମାପୁରୁଷ ପିତୃଲୋକରେ ରହି ପିଣ୍ଡ ପ୍ରାପ୍ତି ପ୍ରତ୍ୟାଶାରେ ଏକ ଧ୍ୟାନରେ ବଂଶଧର ହସ୍ତକୁ ନିରୀକ୍ଷଣ କରିଅଛନ୍ତି ।

 

ସେହି ଭ୍ରମଣକାରୀ ଯୁବକଟି ଅନ୍ୟ କେହି ନୁହେଁ, ଆମ୍ଭମାନଙ୍କ ପରିଚିତ ପାନରା ଅଟେ-। ପାନରା ସମ୍ପ୍ରତି ଏକ ବିଷମ ସମସ୍ୟାରେ ପଡ଼ିଅଛି । ଧର୍ମକାର୍ଯ୍ୟରେ ଛଦ୍ମବେଶ ଅସାରଲ୍ୟ, ନିତାନ୍ତ ବର୍ଜନୀୟ । ବିଶେଷତଃ ପିତୃକ୍ରିୟା ସମୟରେ । ପ୍ରକୃତ ନାମ, ପ୍ରକୃତ ଗୋତ୍ର, ପ୍ରକୃତ ବେଶ ଧାରଣ କରିବା ନିତାନ୍ତ ପ୍ରୟୋଜନ । କାପଟ୍ୟ ଧର୍ମକାର୍ଯ୍ୟରେ ବିଘ୍ନକାରୀ । ତାହାର ସରଳ ଜ୍ଞାନଦ୍ୱାରା ସହଜ ମୀମାଂସାରେ ଉପନୀତ ହେଲା ।

Image

 

–୪୧–

ଅପୂର୍ବ ମିଳନ

 

ମଧ୍ୟାହ୍ନ ସମୟ, ଅଧିକାଂଶ ଯାତ୍ରୀ ଫଲ୍‌ଗୁ କ୍ରିୟା ସମାପନ ପୂର୍ବକ ବିଷ୍ଣୁ ପଦରେ ପିଣ୍ଡଦାନ କରୁଅଛନ୍ତି । ଥୋକେ ଗତ ଦିବସ ଉକ୍ତ ଦୁଇ କାର୍ଯ୍ୟ ସମାପ୍ତ କରିଥିଲେ, ଅନ୍ୟ ସୁଫଳ ଗ୍ରହଣ କରିବାର ଦିନ । ପ୍ରତ୍ୟେକ ଯାତ୍ରୀ ସକାଶେ ଷୋଡ଼ଶ ଦାନ ସମାଗ୍ରୀ ପ୍ରସ୍ତୁତ ଅଛି । ଧେନୁ, ଶଯ୍ୟାମଣ୍ଡିତ ପଲଙ୍କ, ଜଳପାତ୍ର, ଅନ୍ନପାତ୍ର ପ୍ରଭୃତି ପ୍ରାୟ ଶତାଧିକ ମୁଦ୍ରା ମୂଲ୍ୟର ଦ୍ରବ୍ୟ ପ୍ରସ୍ତୁତ ଅଛି । କେହି କେହି ଅସମ୍ପନ୍ନ ଯାତ୍ରୀ ଚାରିଆଣା ଆଠଅଣା ମୂଲ୍ୟର ସେହି ସମସ୍ତ ଦ୍ରବ୍ୟ କ୍ରୟ କରି ପଣ୍ଡାଙ୍କୁ ଦାନ କରୁ ଅଛନ୍ତି । ସେହି ସମସ୍ତ ମୂଲ୍ୟବାନ ଦ୍ରବ୍ୟର ମୂଲ୍ୟ ଦୁଇ ଅଣା ନିରୂପିତ ହେଲେ ମଧ୍ୟ ପଣ୍ଡା ଗୋସେଇଁଙ୍କର କ୍ଷତି ନାହିଁ । କାରଣ ପଣ୍ଡାଙ୍କ ସ୍ୱଗୃହ ଆନୀତ ସେହି ସମସ୍ତ ଦ୍ରବ୍ୟ ପୁନର୍ବାର ବାହୁଡ଼ି ଯିବ, ଯଜମାନଙ୍କଦ୍ୱାରା ମନ୍ତ୍ରପୂତ ହେବ ମାତ୍ର । ସେହି ଏକ ସଜ ଦାନ ସାମଗ୍ରୀ ସେହି ସ୍ଥାନରେ ଚିରକାଳ ସଜ୍ଜିତ ହୋଇ ରହିଅଛି, ପ୍ରତ୍ୟହ ଶତ ଶତ ଯାତ୍ରୀ, ଦ୍ରବ୍ୟ କ୍ରୟ ଏବଂ ଦାନ କରି ଯାଉଅଛନ୍ତି । ବାକ୍ୟରେ କ୍ରୟ ଏବଂ ମନ୍ତ୍ରପାଠ; ମାତ୍ର, ଦାନପାତ୍ରର ଉନ୍ନତି ବା ଅପଚୟ ହେବାକୁ ନାହିଁ ।

 

ସେହି ସୁଫଳ ଦାନ ଫଳର ଆନୁମାନିକ ତ୍ରିଂଶତ ବର୍ଷୀୟା ପରମାସୁନ୍ଦରୀ କୁଶହସ୍ତା ମୁଦ୍ରିତନେତ୍ରା ଧ୍ୟାନନିମଗ୍ନା ଗୋଟିଏ କ୍ଷତ୍ରିୟ କନ୍ୟା ଉପବିଷ୍ଟ, ସମ୍ମୁଖରେ ବନ୍ଧଲଗା ମିର୍ଜାଇ ପରିଧାନଧାରୀ ଶ୍ୱେତବର୍ଣ୍ଣ ଉଷ୍ଣୀଷଧାରୀ ଗୟାଳୀ ପଣ୍ଡା ବସି ଯଜମାନଙ୍କୁ ସଙ୍କଳ୍ପମନ୍ତ୍ର ପଢାଉଅଛି–ପଣ୍ଡାକଥିତ ମନ୍ତ୍ର ଯଜମାନ ପୁନରାବୃତ୍ତି କରୁଅଛି । ଯଜମାନ ଭକ୍ତିପୂର୍ବକ ଗମ୍ଭୀର ସ୍ୱରରେ ଉଚ୍ଚାରଣ କଲା-ଅହଂ ଲଛମା ଦେବ୍ୟା, ପିତୁଃ-ଧଓଁ କଳସିଂହ ବର୍ମଣ-

 

ଠିକ୍‌ ସେହି ମୁହର୍ତ୍ତରେ ଅଳ୍ପ ଦୂରରେ ଆଉ ଗୋଟିଏ କ୍ଷତ୍ରିୟ ଯୁବକ ସୁଫଳ ଗ୍ରହଣ କରୁଥିଲା । ସେ ଯୁବକଟି ମଧ୍ୟ ଧ୍ୟାନମଗ୍ନ ଏବଂ କୁଶହସ୍ତ, ତାହାର ଗୟାଳୀ ପଣ୍ଡା ମନସାରାମ ଚୋବେ କଥିତାନୁସାରେ ଉଚ୍ଚାରଣ କଲା–ଅହଂ ବାଦଲ ସିଂହ ବର୍ମଣ, ପିତୁଃ ହରିଭଜନ ସିଂ ବର୍ମଣ–

 

ଦୁଇ ଯଜମାନ ଉଚ୍ଚାରିତ ବାକ୍ୟ ଯୁଗପତ୍‌ ଦୁଇଜଣଙ୍କ କର୍ଣ୍ଣରେ ପ୍ରବେଶ କଲା, ଚକିତ ନେତ୍ରରେ ପରସ୍ପର ଚାହିଁଲେ । ଏକଧ୍ୟାନରେ ଚାହିଁ ଅଛନ୍ତି, ନେତ୍ରରେ ପଲକପାତ ନାହିଁ । ଏ କଣ ସ୍ୱପ୍ନ ନା ଦେବମାୟା ନା ପିଣ୍ଡଦାନ ସମୟରେ ଏହିପରି ଦୃଶ୍ୟ ହୁଏ ? ଉଭୟଙ୍କ ମନରେ ସମାନ ଭାବନା । ଆଉ ସନ୍ଦେହ ନାହିଁ, ପ୍ରତ୍ୟକ୍ଷ ପ୍ରମାଣ ଅକାଟ୍ୟ । ଲୌହ ଚୁମ୍ବକ ପରି ଦୁଇଜଣ ପରସ୍ପର ଆଡ଼କୁ ଧାବିତ ହେଲେ । ଲଛମା ବାଦଲ ସିଂହ ପାଦଦ୍ୱୟ ଧରିଅଛି, ବାଦଲ ସିଂହ ଲଛମାକୁ ଦୃଢ଼ରୂପେ ଧାରଣ କରିଅଛି । କାହାରି ମୁଖରେ କଥା ନାହିଁ, ବାଳକ ବାଳିକା ପରି ଦୁଇଜଣ ଚିତ୍କାର ପୂର୍ବକ କାନ୍ଦୁଅଛନ୍ତି ।

 

ଅନ୍ୟ ଦିଗରେ ଦୁଇଗୋଟି ଭିଖାରିଣୀ ବୃଦ୍ଧା ସ୍ତ୍ରୀ ସୁଫଳଗ୍ରହଣ ସକାଶେ ବସି ଅଛନ୍ତି, ପୁଷ୍ପମାଳାରେ ସେମାନଙ୍କ ହସ୍ତ ବଦ୍ଧ । ଭିକ୍ଷାଲବ୍‌ଧ ଯତ୍‍କିଞ୍ଚିତ୍‌ ଧନ ପଣ୍ଡାଠାକୁରଙ୍କର ଏଥିପୂର୍ବେ ହସ୍ତଗତ ହୋଇ ଯାଇଅଛି । ସୁଫଳ ଦକ୍ଷିଣା ଦେବାକୁ ଶକ୍ତି ନାହିଁ, ଏଥିସକାଶେ ବନ୍ଧ ହସ୍ତା । ସେହି ବୃଦ୍ଧା ଦୁଇଗୋଟି ଧାଇଁଲେ, ଆରେ ମେରି ଲଛମାରେ–ଆରେ ମେରି ବାଦଲରେ । ଚାରୋଟି ପ୍ରାଣୀ ଜଡ଼ିତ ହୋଇ ପଡ଼ିଅଛନ୍ତି, କେତେ ଦଣ୍ଡ ପର୍ଯ୍ୟନ୍ତ କାହାରି ମୁଖରେ କଥା ନାହିଁ । କେବଳ ଚିତ୍କାର କେବଳ କ୍ରନ୍ଦନ, ସମସ୍ତଙ୍କ ନେତ୍ରରୁ ଅବିରଳ ଧାରା ପ୍ରବାହିତ ହେଉଅଛି । ସମୟ ସମୟରେ ପରସ୍ପର ମୁଖାବଲୋକନ କରି ଅଧିକତର ଉଚ୍ଚ ଚିତ୍କାର କରୁଅଛନ୍ତି । ସମସ୍ତ ଯାତ୍ରୀ, ସମସ୍ତ ପଣ୍ଡା ତଟସ୍ଥ ହୋଇ ଏହି ଅପୂର୍ବ ମିଳନ ଦେଖୁଅଛନ୍ତି । ଅନେକ ସମୟ ଉତ୍ତାରେ ସେହି ଚାରିଜଣ ପ୍ରକୃତିସ୍ଥ ହେଲେ ଏବଂ ଅବଶିଷ୍ଟ ଦୈବକାର୍ଯ୍ୟ ସମାପନପୂର୍ବକ ପଣ୍ଡାଙ୍କ ନିର୍ଦ୍ଦିଷ୍ଟ ବାସସ୍ଥାନକୁ ଗମନ କଲେ ।

 

ଚିହ୍ନାଇ ଦେବା ଅନାବଶ୍ୟକ, ବୃଦ୍ଧା ସ୍ତ୍ରୀ ଦୁଇଗୋଟି ଲଚ୍ଛମାର ମା ଓ ଲଛମାର ଶାଶୁ, ବାଦଲ ସିଂହ ମା ଓ ବାଦଲ ସିଂହ ଶାଶୁ ।

Image

 

–୪୨–

ବଂଶ ପରିଚୟ

 

ମହାତ୍ମା କର୍ଣ୍ଣେଲ ଟଡ଼୍‌ ସାହେବ ରାଜପୁତ ସ୍ଥାନର ବିଗତ ବିସ୍ମୃତ ପ୍ରାୟ ବୀରତ୍ୱ କାହାଣୀ ଜଗତକୁ ଶ୍ରବଣ କରାଇ ଭାରତବାସୀଙ୍କର ଧନ୍ୟବାଦର ପାତ୍ର ହୋଇ ଯାଇଅଛନ୍ତି । ଉକ୍ତ ମହାତ୍ମାଙ୍କ ସଂଗୃହୀତ ରାଜସ୍ଥାନ ନାମକ ପୁସ୍ତକରୁ ଜଣାଯାଏ, ୧୧୯୩ ଖ୍ରୀଷ୍ଟାଦ୍ଦରେ ଆର୍ଯ୍ୟାବର୍ତ୍ତ ଭୂମିରେ ମହାରାଜ ପୃଥ୍ୱୀରାଜ ଏବଂ ମହାରାଜ ଜୟଚାନ୍ଦ ଜିଗୀଷାବୃତ୍ତିର ବଶମ୍ବଦ ହୋଇ ବହୁବର୍ଷବ୍ୟାପୀ ପରସ୍ପର ଯୁଦ୍ଧଦ୍ୱାରା ନିତାନ୍ତ ନିସ୍ତେଜ ଏବଂ ନିର୍ଦ୍ଧନ ହୋଇ ପଡ଼ିଥିଲେ । ଏହି ସମୟରେ ଯବନବୀର ସାହାବୁଦ୍ଦୀନ୍‌ ପାଣ୍ଡବତିଳକ ଧର୍ମପୁତ୍ର ଯୁଧିଷ୍ଠିରଙ୍କ ପବିତ୍ର ହସ୍ତିନାପୁରୀ ହସ୍ତଗତ କରି ଜୟଚାନ୍ଦ ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । ଏଣେ ଜୟଚାନ୍ଦ ହୀନବଳ ଅର୍ଥଶୂନ୍ୟ, ତଥାଚ ସେ ଯବନବୀରଙ୍କ ଗତିରୋଧ କରିବା ବିଷୟରେ ନିରୁତ୍ସାହ ହେଲେ ନାହିଁ । ଦୃଶଦ୍‌ବତୀ ନଦୀକୂଳରେ ଉଭୟ ପକ୍ଷରୁ ବିଷମ ସମର ସଂଘଟିତ ହେଲା । ଦୈବବିମୁଖ ସମୟରେ ଅପ୍ରତ୍ୟାଶିତରୂପେ ସର୍ବଦିଗରୁ ବିପଦରାଶି ସମୁପସ୍ଥିତ ହୁଏ । ଭାରତଭୂମି ବିଦେଶୀୟ ହସ୍ତଗତ ହେବା ଯେମନ୍ତ ଭଗବାନଙ୍କ ଅଭିପ୍ରେତ । ଜୟଚାନ୍ଦ ନଦୀପାର ହେବା ସମୟରେ ତାଙ୍କର ତରଣୀ ନଦୀ ଗର୍ଭରେ ନିମଗ୍ନ ହେଲା । ତାହାଙ୍କର ସାମନ୍ତ ସେନାପତି ଏବଂ ବଂଶଧରମାନେ ପକ୍ୱ ଶାଳ୍ମଳୀବୀଜ ସମାନ ଆର୍ଯ୍ୟାବର୍ତ୍ତ ଭୂମିରେ ବିକୀର୍ଣ୍ଣ ହୋଇ ନାନା ସ୍ଥାନରେ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟ ଏବଂ ବଂଶ ସ୍ଥାପନ କଲେ ।

 

ରାମଶରଣ ସିଂହ ଏବଂ ଦୀନଦୟାଲ ସିଂହ ଦୁଇଜଣ ସମାନ୍ତ ଦୀନ ବେଶରେ ନାନା ଦେଶ ଭ୍ରମଣପୂର୍ବକ ଅବଶେଷରେ ରୋହିଲା ଖଣ୍ଡରେ ବାସସ୍ଥାନ ନିରୂପଣ କରିଥିଲେ । ଲଛମାର ପିତା ଧେଓଁକଳ ସିଂହ ସେମାନଙ୍କ ବଂଶଧର । ଆମ୍ଭମାନଙ୍କ ବର୍ଣ୍ଣିତ ସମୟରେ ରୋହିଲାଖଣ୍ଡ ନିବାସୀମାନେ ସମରବ୍ୟବସାୟୀ ଏବଂ ଲୁଣ୍ଠନକାରୀ ଜାତି ଥିଲେ । ସେମାନେ ସମସ୍ତେ ମୁସଲମାନ ଧର୍ମାବଲମ୍ବୀ ହିନ୍ଦୁମାନେ ସେମାନଙ୍କ ସହିତ ଯୋଗଦାନ କରି ନାହାନ୍ତି । ମାତ୍ର ଧେଓଁକଳ ସିଂହ ଏବଂ ହରିଭଜନ ସିଂହ ଲୁଣ୍ଠନକାରୀମାନଙ୍କ ସହାୟତା କରିଥିବାର ପ୍ରକାଶିତ ହେଲା । ବାଦଲର ମାତା ଶ୍ୟାମା ବାଈ, ଲଛମାର ମାତା ରୁକ୍ମାବାଈ ଦୁଇଜଣ ନିତାନ୍ତ ସରଳା, ସଚ୍ଚରିତ୍ରା ଏବଂ ପତିପରାୟଣା ଥିଲେ । ସ୍ୱାମୀମାନଙ୍କ ଦୁଶ୍ଚରିତ୍ରତା ସେମାନଙ୍କ କର୍ଣ୍ଣଗୋଚର ହେବାରୁ ସବିନୟ ହିତୋପଦେଶ ଓ ଆନ୍ତରିକ ଯତ୍ନଦ୍ୱାରା ସେମାଙ୍କୁ ସନ୍ମାର୍ଗଗାମୀ କରାଇଥିଲେ ଏବଂ ସେମାନଙ୍କ ପାପ ବିମୋଚନ ନିମନ୍ତେ ନାନା ତୀର୍ଥସ୍ଥାନରେ ପରିଭ୍ରମଣ କରିଥିଲେ । ପଶ୍ଚାତ୍ ପ୍ରକାଶିତ ହେଲା, ଧେଓଁ କଳ ସିଂହ ଏବଂ ହରିଭଜନ ସିଂହ ଦୁଇଜଣ ସପରିବାରାରେ ତୀର୍ଥ ଭ୍ରମଣ କରୁଥିବା ସମୟରେ ଲୁଣ୍ଠନକାରୀ ମୁସଲମାନଙ୍କ ଦ୍ୱାରା ସେମାନଙ୍କ ସମସ୍ତ ସମ୍ପତ୍ତି ଅପହୃତ୍ତ ହୋଇଥିଲା ।

Image

 

ଉପସଂହାର

ମନୁଷ୍ୟ ଭାଗ୍ୟ କ୍ଷଣପରିବର୍ତ୍ତନଶୀଳ । ବାଦଲ ସିଂହ ଏବଂ ଲଛମାର ଭାଗ୍ୟ ସମ୍ପୂର୍ଣ୍ଣରୂପେ ପରିବର୍ତ୍ତିତ ହୋଇଅଛି । ବଣବିଷ୍ଣୁପୁର ପରଗଣାରେ ରାଜଧାନୀ ସ୍ଥାପନପୂର୍ବକ ସେମାନେ ପରମ ସୁଖରେ ବାସ କରୁଅଛନ୍ତି । ବର୍ତ୍ତମାନ ରାଜା ବାଦଲ ସିଂହ ଏବଂ ରାଣୀ ଲଛମାବାଈ ନାମ ବଙ୍ଗଦେଶରେ ସର୍ବତ୍ର ପରିଚିତ । ବେଗମ ସାହିବାଙ୍କ ଅନୁରୋଧ ତଥା ନବାବ ସାହେବଙ୍କ ଅନୁଗ୍ରହରେ ରାଣୀ ଲଛମାବାଈ ରାଇବଣିଆ ଦୁର୍ଗର ଅଧିକାର ପୁରସ୍କାର ସ୍ୱରୂପ ପ୍ରାପ୍ତ ହୋଇଅଛନ୍ତି । ଶ୍ୟାମାବାଈ ଏବଂ ରୁକ୍ମାବାଈ ଶେଷ ଜୀବନରେ ପରଂବ୍ରହ୍ମଙ୍କ ଶ୍ରୀଚରଣ ଧ୍ୟାନପୂର୍ବକ ପରମ ଶାନ୍ତିରେ ପରଲୋକକୁ ଗମନ କରିଅଛନ୍ତି । ଧାର୍ମିକ ସତୀ ସ୍ତ୍ରୀମାନଙ୍କ ସନ୍ତାନସନ୍ତତି ପୃଥିବୀରେ ଯଶ-ସୁଖ-ସୌଭାଗ୍ୟ ଭୋଗ କରନ୍ତି । ଧର୍ମନିଷ୍ଠା, ପ୍ରଜାବାତ୍ସଲ୍ୟ, ପରୋପକାରିତା, ଦାନଶୀଳତା ପ୍ରଭୃତି ସଦ୍‌ଗୁଣରେ ମଣ୍ଡିତ ହୋଇ ରାଜା ଏବଂ ରାଣୀ ବହୁବର୍ଷ ଯାବତ୍‌ ପରମ ସୁଖରେ ରାଜତ୍ୱ ଭୋଗ କରିଥିଲେ । ବର୍ତ୍ତମାନ ସେହି ରାଜବଂଶ ଏବଂ ରାଇବଣିଆ ଦୁର୍ଗ କାହିଁ ?

‘‘ଯୁଦୁପତେଃ କ୍ୱଗତା ମଥୁରାପୁରୀ

ରଘୁପତେଃ କ୍ୱ ଗତୋତ୍ତର କୌଶଳଃ ।

ଇତି ବିଚିନ୍ତ୍ୟ କୁରୁଷ୍ୱ ମନସ୍ଥିରଂ

ନସଦିଦଂ ଜଗଦିତ୍ୟବଧାରୟ ।’

‘ସର୍ବେ ଚଳିବେ କାଳବଳେ,

କଥତା ରହିବ ମହୀ ତଳେ ।’’

Image